ମୁମ୍ବାଇ: ଏକଦା ବଲିଉଡ୍ର ଚର୍ଚ୍ଚିତ ଯୋଡ଼ିଙ୍କ ମଧ୍ୟରେ ପରିଗଣିତ ହେଉଥିଲେ ଅଭିନେତ୍ରୀ କରିନା କପୁର-ଶାହିଦ କପୁର। ଉଭୟେ ବିବାହ କରିବେ ବୋଲି କୁହାଯାଉଥିଲା। ହେଲେ କରିନା ବ୍ରେକ୍ଅପ୍ କରିନେଇ ସୈଫ ଅଲ୍ଲୀ ଖାନ୍ଙ୍କ ହାତ ଧରିଥିଲେ। ଏମିତିରେ ଶାହିଦ ମଧ୍ୟ ପରିବାରଲୋକଙ୍କ ଇଚ୍ଛାରେ ମୀରା ରାଜପୁତଙ୍କୁ ବିବାହ କରିଥିଲେ। ସେବେଠାରୁ କରିନା-ଶାହିଦଙ୍କ ବାଟ ଅଲଗା କରିନେଇଥିଲେ।
ଏବେ କିନ୍ତୁ ଗୋଟିଏ ମଞ୍ଚରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଛି। ଗୁଜରାଟରେ ଆୟୋଜିତ ଆଇଫା ୨୦୨୫ର ଖବରଦାତା ସମ୍ମିଳନୀରେ ବଲିଉଡ୍ର ନାମୀଦାମୀ କଳାକାର ସାମିଲ ହୋଇଥିଲେ। ଏହି ଅବସରରେ ଶାହିଦ-କରିନା ନଜର ଆସିଥିଲେ। ହେଲେ ଏହି ଭେଟ ପ୍ରଶଂସକଙ୍କ ଲାଗି ସ୍ମରଣୀୟ ଥିଲା। କାରଣ ଶାହିଦଙ୍କୁ ଦେଖିବା ମାତ୍ରେ କରିନା କୁଣ୍ଢାଇ ପକାଇଥିଲେ। କିଛି ସମୟ ଧରି ଦୁହେଁ କଥା ହେଉଥିବା ଦେଖାଯାଇଥିଲା।
ଏହି କାର୍ଯ୍ୟକ୍ରମରେ କରନ୍ ଜୋହର, କୃତି ସେନନ୍, କାର୍ତ୍ତିକ ଆର୍ୟନ, ମାଧୁରୀ ଦୀକ୍ଷିତ, ଶାହିଦ କପୁର, କରିନା କପୁରଙ୍କ ସମେତ ଅନେକ କଳାକାର ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ। ଏହାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।


