ଚାଷକୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ

ବରଗଡ଼,୫।୯(ପ୍ରେମାନନ୍ଦ ଖମାରୀ): ଚାଷଜମିକୁ କେନାଲ ପାଣି ମାଡ଼ୁନି। ଆଶାନୁରୂପ ବୃଷ୍ଟିପାତ ମଧ୍ୟ ହେଉନାହିଁ। ଏଭଳି ସ୍ଥିତିରେ ଉଠାଜଳସେଚନ ପ୍ରକଳ୍ପକୁ ବିଦ୍ୟୁତ୍‌ ସଂଯୋଗ ମଧ୍ୟ ବିଚ୍ଛିନ୍ନ କରି ଦିଆଯାଇଛି। ଫଳରେ ବରଗଡ଼ ଜିଲା ଭେଡ଼େନ ବ୍ଲକ ଅନ୍ତର୍ଗତ ରୁଷୁଡ଼ା, ମହୁଲପାଲି, ମାନପୁର, ଦେଶଭଟଲି ଆଦି ପଞ୍ଚାୟତ ଅଧୀନ ଗ୍ରାମଗୁଡ଼ିକର ଧାନ ଫସଲ ପାଣି ଅଭାବରୁ ନଷ୍ଟ ହେବାରେ ଲାଗିଛି। ଏଭଳି ଅଭିଯୋଗ ନେଇ ଉକ୍ତ ପଞ୍ଚାୟତର ଶତାଧିକ ଚାଷୀ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଜିଲାପାଳ ମୋନିଷା ବାନାର୍ଜୀଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋଙ୍କୁ ସେମାନେ ଏକ ସ୍ମାରକପତ୍ର ପ୍ରଦାନ କରି ଉଠାଜଳସେଚନ ପ୍ରକଳ୍ପକୁ ତୁରନ୍ତ ବିଦ୍ୟୁତ ସଂଯୋଗ କରିବା ପାଇଁ ନିବେଦନ କରିଥିଲେ। ଏହି ସମୟରେ ଅରକ୍ଷିତ ବନଛୁର, ସୁରେନ୍ଦ୍ର ଭୁଏ, ସାଗର ଦେହେରୀ, ଗୋବିନ୍ଦ ଭୁଏଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ।
ପ୍ରକାଶ ଯେ, ଉକ୍ତ ପଞ୍ଚାୟତର ବହୁ ଗ୍ରାମରେ ଥିବା ଚାଷଜମିକୁ କେନାଲ ପାଣି ମାଡ଼ି ନ ଥାଏ। ଫଳରେ ସମ୍ପୃକ୍ତ ଅଞ୍ଚଳର ଚାଷ ବର୍ଷା ଏବଂ ଉଠାଜଳସେଚନ ପ୍ରକଳ୍ପ ପାଣି ଉପରେ ନିର୍ଭର କରିଥାଏ। ଆରମ୍ଭରୁ ଭଲବର୍ଷା ହୋଇଥିଲେ ସୁଦ୍ଧା ଗତ ୩ ମାସ ହେଲା ସ୍ବଳ୍ପ ବୃଷ୍ଟିପାତ ହୋଇଛି। ଏଭଳିସ୍ଥଳେ ଉଠାଜଳସେଚନ ପ୍ରକଳ୍ପରୁ ଜମିରେ ପାଣି ମଡ଼ାଇ ଚାଷୀମାନେ ଫସଲକୁ ବଞ୍ଚାଇ ରଖିଥିଲେ। କିନ୍ତୁ ଦୀର୍ଘଦିନ ହେଲା ସମ୍ପୃକ୍ତ ଅଞ୍ଚଳର ଉଠାଜଳସେଚନ ପ୍ରକଳ୍ପଗୁଡ଼ିକୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରିଦିଆଯାଇଛି। ଫଳରେ ପାଣି ଅଭାବରୁ ଧାନ ଫସଲ ନଷ୍ଟ ହେବାରେ ଲାଗିଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଭେଡ଼େନ ବ୍ଲକର ଗଣ୍ଡତୁରୁମରୁ ଖୁଣ୍ଟୁଲିପାଲି ପର୍ଯ୍ୟନ୍ତ ୧୧୧ଟି ଉଠାଜଳସେଚନ ପ୍ରକଳ୍ପ ରହିଛି। ସମ୍ପୃକ୍ତ ଅଞ୍ଚଳରେ ଚାଷୀମାନେ ସେହି ଉଠାଜଳସେଚନ ପ୍ରକଳ୍ପରୁ ପାଣି ଉଠାଇ ଜମିରେ ମଡ଼ାଇଥାନ୍ତି। କିନ୍ତୁ ଉକ୍ତ ପ୍ରକଳ୍ପକୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯାଇଥିବାରୁ ଦୀର୍ଘଦିନ ହେଲା ଚାଷୀମାନେ ଫସଲରେ ପାଣି ମଡ଼ାଇ ପାରୁନାହାନ୍ତି। ବିଦ୍ୟୁତ୍‌ ସଂଯୋଗ ପାଇଁ ନିବେଦନ କଲେ ବିଭାଗୀୟ କର୍ମଚାରୀ ବକେୟା ଦେୟ ପ୍ରଦାନ କଲେ ବିଦ୍ୟୁତ୍‌ ସଂଯୋଗ କରିବାକୁ କହୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସେହିପରି ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲେ ସୁଦ୍ଧା ସେମାନଙ୍କ ପାଖକୁ ମାତ୍ରାଧିକ ପରିମାଣର ବିଲ୍‌ ଆସୁଥିବା ଅଭିଯୋଗ ହୋଇଛି। ଫଳରେ ଅଞ୍ଚଳର ହଜାର ହଜାର ହେକ୍ଟର ଚାଷଜମି ନଷ୍ଟ ହେବାରେ ଲାଗିଛି ବୋଲି ଚାଷୀମାନେ କହିଛନ୍ତି।
ଚାଷୀ ଗରୁଡ଼ଧ୍ୱଜ ଭୋସାଗର କହିଛନ୍ତି, ଉଠାଜଳସେଚନ ପ୍ରକଳ୍ପରେ ଆମେ ଚାଷ କରିଥାଉ। କିନ୍ତୁ ବକେୟା ବିଦ୍ୟୁତ୍‌ ଦେୟ ଦାବିକରି ଉଠାଜଳସେଚନ ପ୍ରକଳ୍ପକୁ ବିଦ୍ୟୁତ ସଂଯୋଗ କାଟି ଦିଆଯାଇଛି। ଫଳରେ ଫସଲ ନଷ୍ଟ ହେଉଛି। ଆମ କଥା କେହି ଶୁଣୁ ନାହାନ୍ତି। ସେଥିପାଇଁ ଜିଲାପାଳଙ୍କୁ ଗୁହାରୀ କରିବାକୁ ଆସିଛୁ ବୋଲି ସେ କହିଥିଲେ। ଲିମଛୋଡ଼ ଗ୍ରାମର ଅରୁଣ ପୋଢ଼ କହିଥିଲେ, ଆମେ ଯେତେ ବିଦ୍ୟୁତ୍‌ ବ୍ୟବହାର କରୁନାହୁଁ, ତାହାଠାରୁ ବହୁ ଅଧିକ ବିଲ୍‌ ଆସୁଛି। ଅଭିଯୋଗ କଲେ ମଧ୍ୟ ବିଭାଗୀୟ କର୍ମଚାରୀ ଶୁଣୁ ନାହାନ୍ତି ଏବଂ ବକେୟା ଦେୟ ପ୍ରଦାନ ନ କଲେ ବିଦ୍ୟୁତ ସଂଯୋଗ କରିବେ ନାହିଁ ବୋଲି କହୁଛନ୍ତି। ଏଭଳି ହେଲେ ସବୁ ଫସଲ ଉଜୁଡ଼ିଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri