ନୂଆଦିଲ୍ଲୀ,୨୬।୭- ଯୁବରାଜ ସିଂ (ଯୁବି) ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ପ୍ରଥମ ଥର ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ ଖେଳିଛନ୍ତି। ଗ୍ଲୋବାଲ ଟି୨୦ କାନାଡା ଲିଗ୍ ଦ୍ୱିତୀୟ ସଂସ୍କରଣର ଉଦ୍ଘାଟନୀ ମ୍ୟାଚ୍ରେ ପୂର୍ବତନ ଭାରତୀୟ ଅଲରାଉଣ୍ଡର ପଦାର୍ପଣ କରିଛନ୍ତି। ଗୁରୁବାର ବ୍ରାମ୍ପଟନସ୍ଥିତ ସିଏଏ ସେଣ୍ଟରଠାରେ ଭାଙ୍କୋଭର ନାଇଟ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ ଟରଣ୍ଟୋ ନ୍ୟାଶନାଲ୍ସ ଅଧିନାୟକ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲେ। ୪ର୍ଥ କ୍ରମରେ ବ୍ୟାଟିଂ କରିବାକୁ ଆସିଥିବା ଯୁବି ୨୭ ବଲର ସମ୍ମୁଖୀନ ହୋଇ ୧୪ ରନ୍ କରି ଏକ ବିଚିତ୍ର ଭାବେ ଆଉଟ୍ ହୋଇଥିଲେ। ମ୍ୟାଚ୍ର ୧୭ତମ ଓଭରରେ ପେସର ରିଜ୍ୱାନ ଚିମାଙ୍କ ବଲ ଯୁବିଙ୍କ ବ୍ୟାଟରେ ବାଜିଥିଲା, ଯାହାକୁ ଉଇକେଟକିପର ଟବିସ ଭିସ ହାତଛଡ଼ା କରିଥିଲେ। ହେଲେ ବଲ୍ ତାଙ୍କ ଗ୍ଲୋଭ୍ସରେ ବାଜି ଉଇକେଟରେ ବାଜିଥିଲା। ରିପ୍ଲେରେ ଦେଖିବାକୁ ମିଳିଥିଲା, ଯେ ଷ୍ଟମ୍ପରେ ବଲ ବାଜିବାବେଳୁ ଯୁବି କ୍ରିଜରେ ଥିଲେ। ହେଲେ ଫିଲ୍ଡ ଅମ୍ପାୟର ନିଷ୍ପତ୍ତି ନେବା ପୂର୍ବରୁ ସେ ଚାଲିବା ଆରମ୍ଭ କରିଥିଲେ। ଯୁବି ଆଉଟ ହେବା ଟରଣ୍ଟୋ ଦଳ ଲାଗି ବର ସାବ୍ୟସ୍ତ ହୋଇଥିଲା। ତାଙ୍କ ପରେ କ୍ରିଜକୁ ଆସିଥିବା କିରନ ପୋଲାର୍ଡ ୧୩ ବଲରୁ ୩୦ ରନ୍ର ବିସ୍ଫୋରକ ଇନିଂସ ଖେଳିଥିଲେ। ଏଥିରେ ୩ ଛକା ଓ ଦୁଇ ଚୌକା ସାମିଲ ଥିଲା। ଦକ୍ଷିଣ ଆଫ୍ରିକାର ହେନରିଚ କ୍ଲାସେନଙ୍କ ୨୦ ବଲରୁ ୪୧ ରନ୍ର ଇନିଂସ ଯୋଗୁ ଟରୋଣ୍ଟୋ ଦଳ ଧାର୍ଯ୍ୟ ୨୦ ଓଭରରେ ୫ ଉଇକେଟ ହରାଇ ୧୫୯ ରନ୍ କରିପାରିଥିଲା। ଜବାବରେ କ୍ରିସ ଗେଲଙ୍କ ଭାଙ୍କୋଭର ନାଇଟ୍ସ ୧୭.୨ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଷ୍ଟାର ଖେଳାଳି ଗେଲ ୧୨ ରନ୍ କରିବାକୁ ସକ୍ଷମ ହୋଇଥିଲେ। ମାତ୍ର ଚାଦ୍ୱିକ ଓ୍ବାଲଟନ ଓ ଦକ୍ଷିଣ ଆଫ୍ରିକାର ରାସି ଭାନ ଡର ଡୁସେନଙ୍କ ଅର୍ଦ୍ଧଶତକ ଯୋଗୁ ଭାଙ୍କୋଭର ସହଜରେ ମ୍ୟାଚ୍ ଜିତି ନେଇଥିଲା। ଯୁବିଙ୍କ ନେତୃତ୍ୱାଧୀନ ଦଳ ପରବର୍ତ୍ତୀ ମ୍ୟାଚ୍ରେ କେନ ଓ୍ବିଲୟମ୍ସନଙ୍କ ଦଳ ଇଡମଣ୍ଟନ ରୟାଲ୍ସକୁ ଭେଟିବ।


