Posted inରାଜ୍ୟ

ଯୋଜନାରେ ଅଟକିଛି ପର୍ଯ୍ୟଟନ କ୍ଷେତ୍ରର ବିକାଶ: କାମରେ ଲାଗୁନି ପାନ୍ଥଶାଳା, ବ୍ୟାଖ୍ୟାନ କେନ୍ଦ୍ର

ଖଣ୍ଡପଡ଼ା,୨୪ା୭(ସ୍ବ.ପ୍ର.): ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ତଥା ଉନ୍ନତି ନିମନ୍ତେ ବହୁ ଯୋଜନା ପ୍ରସ୍ତୁତ କରି କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ପ୍ରକୃତପକ୍ଷେ ଏହି ଯୋଜନା କାଗଜକଲମରେ ସୀମିତ ରହୁଥିବା ବେଳେ ତାହା ପର୍ଯ୍ୟଟକ କିମ୍ବା ତୀର୍ଥଯାତ୍ରୀଙ୍କ କୌଣସି କାର୍ଯ୍ୟରେ ଆସିପାରୁ ନାହିଁ। ନୟାଗଡ ଜିଲା ଖଣ୍ଡପଡା ନିର୍ବାଚନମଣ୍ଡଳୀର କଣ୍ଟିଲୋଠାରେ ନିର୍ମାଣ ହୋଇଥିବା ପାନ୍ଥଶାଳା ଓ ବ୍ୟାଖ୍ୟାନକେନ୍ଦ୍ରକୁ ଦେଖିଲେ ଏହା ସହଜରେ ଜଣାପଡିଥାଏ। ନିମ୍ନମାନର କାର୍ଯ୍ୟ, ରକ୍ଷଣାବେକ୍ଷଣ ଅଭାବ ସର୍ବୋପରି ପ୍ରଶାସନର କୋହଳ ମନୋଭାବ ଯୋଗୁ ଦୀର୍ଘ ୨୪ବର୍ଷରୁ ଊର୍ଦ୍ଧ୍ୱ ହେବ ପାନ୍ଥଶାଳା କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ସେହିପରି ଦୀର୍ଘ ୯ବର୍ଷ ପୂର୍ବରୁ ନିର୍ମାଣ ହୋଇଥିବା କଂସାପିତ୍ତଳ ବ୍ୟାଖ୍ୟାନ କେନ୍ଦ୍ର ବ୍ୟବହାର ହେଉ ନ ଥିବାରୁ ପର୍ଯ୍ୟଟନ କ୍ଷେତ୍ରର ବିକାଶ କେବଳ ଯୋଜନାରେ ଅଟକିଥିବା କୁହାଯାଉଛି ା
କଣ୍ଟିଲୋ ନୀଳମାଧବ ଜୀଉ ପୀଠ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଥିବାବେଳେ ଏକଦା ଏହା ନୌବାଣିଜ୍ୟର ପେଣ୍ଠସ୍ଥଳୀ ତଥା କଂସାପିତଳ ବାସନ ଶିଳ୍ପ ପାଇଁ ପ୍ରସିଦ୍ଧି ଲାଭ କରିଥିଲା। ପ୍ରତ୍ୟହ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିରହୁଥିବାବେଳେ ଯାତ୍ରୀ ନିବାସଟିଏ ନ ଥିବାରୁ ଲୋକେ ରହିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିଲେ ା ଏ ସମସ୍ୟାର ସମାଧାନ ଦିଗରେ ରାଜ୍ୟ ସରକାର ୧୯୮୭ ମସିହାରେ ଏହି ପୀଠକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପ୍ରଦାନ କରିଥିଲେ। ସେ ସମୟରେ କ୍ଷମତାସୀନ କଂଗ୍ରେସ ସରକାର ୧୯୮୭ ଜୁନ ୭ ତାରିଖରେ କଣ୍ଟିଲୋ ପୂର୍ତ୍ତ ବିଭାଗ ବଙ୍ଗଳା ନିକଟରେ ୨୮.୩୮ ଲକ୍ଷ ଟଙ୍କା ବ୍ୟୟରେ ଏକ ପାନ୍ଥଶାଳା ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ମାତ୍ର ପରେ ଏଠାରୁ ୨ କିଲୋମିଟର ଦୂର ପଥରଚକଡା ଗ୍ରାମ ପୂର୍ତ୍ତ ବିଭାଗ ରାସ୍ତାପାର୍ଶ୍ୱ ୩.୩୮ ଏକର ପରିମିତ ଏକ ପାହାଡ଼ ଉପରେ ପାନ୍ଥଶାଳା କାର୍ଯ୍ୟ ଆରମ୍ଭ ହୋଇଥିଲା। ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ହୋଇ ୧୦ ବର୍ଷ ପରେ ଅର୍ଥାତ୍‌ ୧୯୯୭ ମସିହାରେ ଶେଷ ହୋଇଥିଲା। ନିମ୍ନମାନର କାର୍ଯ୍ୟ ଯୋଗୁ ୨ବର୍ଷ ମଧ୍ୟରେ କାନ୍ଥରେ ଫାଟ ସୃଷ୍ଟି ହେବା ସହ ଗୃହର ଛାତ ଉପରେ ଚାଲିଲେ ତାହା ଦବି ଯାଉଥିଲା ା ନିର୍ମାଣର ୨୦ବର୍ଷ ମଧ୍ୟରେ ପାନ୍ଥଶାଳାର ମରାମତି ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ପ୍ରାୟ ୨୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଗଲାଣି ା ଇତିମଧ୍ୟରେ ପାନ୍ଥଶାଳାରେ ଥିବା ୧୬ ସେଟ କାଠ ପଲଙ୍କ ସହ ଗଦି, ଡ଼ାଇନିଂ ଟେବୁଲ, ଚେୟାର, ଆଲଣା ଆଦି ଉପକରଣ ଏବେ କେଉଁଠି ଓ କେଉଁ ଅବସ୍ଥାରେ ତାହା ତଦନ୍ତ ସାପେକ୍ଷ। ପାନ୍ଥଶାଳାର ରକ୍ଷଣାବେକ୍ଷଣ ତଥା କାର୍ଯ୍ୟକାରିତା ସମ୍ପର୍କରେ ବିଭିନ୍ନ ସମୟରେ ବିଧାନସଭାରେ ପ୍ରଶ୍ନ ଉତ୍‌ଥାପନ ହୋଇଥିଲେ ବି ସୁଫଳ ମିଳିନି। ଅପରପକ୍ଷେ କାର୍ଯ୍ୟ ସମ୍ପନ୍ନର ଦୀର୍ଘ ୧୯ବର୍ଷ ପରେ ମଧ୍ୟ ଏହା କାର୍ଯ୍ୟକ୍ଷମ ହେଉ ନ ଥିବାରୁ ପ୍ରଶାସନିକ ଓ ରାଜନୈତିକ ବ୍ୟକ୍ତିବିଶେଷଙ୍କ ଆନ୍ତରିକତା କେତେ ତାହା ସ୍ପଷ୍ଟ ବାରି ହୋଇଯାଉଛି ା ସେହିପରି କଂସା ପିତ୍ତଳ ବାସନ ଶିଳ୍ପର ବିକାଶ ତଥା ଉନ୍ନତି ନିମନ୍ତେ କଣ୍ଟିଲୋ ମାଘମେଳା ପଡିଆ ନିକଟରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨୦୦୯ ଫେବୃୟାରୀ ୨୧ ତାରିଖରେ ତତ୍କାଳୀନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ବ୍ୟାଖ୍ୟାନ କେନ୍ଦ୍ରର ଶିଳାନ୍ୟାସ କରିଥିଲେ। ୭୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ସୁରମ୍ୟ ଦ୍ୱିତଳ ବିଶିଷ୍ଟ ଅଟ୍ଟାଳିକା ବିଭାଗୀୟ ବିଧିବ୍ୟବସ୍ଥା କ୍ରମେ ୧ବର୍ଷ ସମୟସୀମା ମଧ୍ୟରେ ଶେଷ ହୋଇଥିଲା। ଏହି କେନ୍ଦ୍ର ନୀଳମାଧବ ଜୀଉଙ୍କ ନିଜସ୍ବ ଜାଗା ଉପରେ ଗଢି ଉଠିଥିବାରୁ ଦେବୋତ୍ତର ବିଭାଗ ଏହାକୁ ନିଜ ଦାୟିତ୍ୱରେ ରଖିଛି ା ସରକାରଙ୍କ ଯୋଜନା କ୍ରମେ କଂସା ପିତ୍ତଳ ବାସନ ଶିଳ୍ପ ସହିତ କାରିଗରମାନଙ୍କ ଉନ୍ନତି ନିମନ୍ତେ କଂସାପିତ୍ତଳ ବ୍ୟାଖ୍ୟାନ କେନ୍ଦ୍ରର ଯୋଜନା ପ୍ରସ୍ତୁତ ହୋଇଥିଲା। କିନ୍ତୁ ଖଣ୍ଡପଡା ଦେବୋତ୍ତର ବିଭାଗ ବ୍ୟବସାୟୀକ ଦୃଷ୍ଟି କୋଣରୁ ନିଜ ବିଭାଗର ରାଜସ୍ବ ବୃଦ୍ଧି ଆଶାରେ ଉକ୍ତ କେନ୍ଦ୍ରକୁ ନିଜ ଅଧୀନରେ ରଖିଛି ା ଏବେ ଏହି କେନ୍ଦ୍ର ଦେବୋତ୍ତର ବିଭାଗ କାର୍ଯ୍ୟାଳୟ ଭାବରେ ବ୍ୟବହାର ହେଉଥିବା ବେଳେ ବିବାହ ବ୍ରତ ଆଦି ଉତ୍ସବ ପାଇଁ ମଧ୍ୟ ବ୍ୟବହାର ହେଉଛି। ପର୍ଯ୍ୟଟନ ବିଭାଗ ଲକ୍ଷାଧିକ ଟଙ୍କା ବ୍ୟୟରେ ବିଭିନ୍ନ ପାନ୍ଥଶାଳା ଓ ବ୍ୟାଖ୍ୟାନକେନ୍ଦ୍ର ପ୍ରତିଷ୍ଠା କରୁଥିଲେ ମଧ୍ୟ ପରବର୍ତ୍ତୀ ସୟୟରେ ଏହା ଭୂତକୋଠି ଭଳି ପଡିରହୁଥିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହେଉଛି ା ରାଜ୍ୟ ପର୍ଯ୍ୟଟନ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ପୁଅ ପାଲଟିଲେ ରାକ୍ଷସ, କରତରେ ମା-ବାପାଙ୍କ ମୁଣ୍ଡ କାଟି ଖଣ୍ଡଖଣ୍ଡ କରି ନଦୀରେ ଫିଙ୍ଗିଲେ, ପୋଲିସ ଆଗରେ କହିଲେ…

ଲକ୍ଷ୍ନୌ,୧୮ା୧୨: ଉତ୍ତରପ୍ରଦେଶର ଜୌନପୁର ଜିଲାର ଜାଫରାବାଦ ଥାନା ଅଞ୍ଚଳର ଅହମଦପୁର ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏହି ଗାଁର ୩୭ ବର୍ଷୀୟ ଅମ୍ବେଶ...

ଶୁକ୍ରବାର ସମ୍ବଲପୁର ବନ୍ଦକୁ ସମର୍ଥନ କରି ଶତାଧିକ ଚାଷୀଙ୍କ ବାଇକ୍‌ ରାଲି

ସମ୍ବଲପୁର,୧୮ା୧୨(ପ୍ରମୋଦ ବହିଦାର): ଖରିଫ ଧାନ ବିକ୍ରି ପାଇଁ ଟୋକନ ବଣ୍ଟନ ସମସ୍ୟା ବିରୋଧରେ ଚାଷୀ ସଂଗଠନ ପକ୍ଷରୁ ଶୁକ୍ରବାର ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର...

ଦାଦନ ଖଟିବାକୁ ଯାଇ ଫସିଲେ ୯ ଯୁବକ, ପାଖରେ ଟଙ୍କା ନାହିଁ କି କାମ ନାହିଁ, ଭିଡିଓ କରି କହିଲେ…

ରାୟଗଡ଼ା,୧୮ା୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଖଣିଜ ସମ୍ପଦ ଭରା କାଶୀପୁର ବ୍ଲକରେ ବକ୍ସାଇଟ ପାଇଁ ବିଶ୍ବ ପରିଚିତ ଉତ୍କଳ ଆଲୁମିନା ଭଳି କମ୍ପାନୀ ରହିଛି।...

କଟନି ଛଟନି ବନ୍ଦ କରିବାକୁ ପରାମର୍ଶ ଦେଲେ ମନ୍ତ୍ରୀ, କହିଲେ ଚାଷୀମାନେ କେବଳ ମଣ୍ଡିରେ ଧାନ ଦିଅନ୍ତୁ

ବୁଗୁଡ଼ା ୧୮/୧୨/(କାଳିଚରଣ ଦାଶ):  ଚଳିତ ମାସ ୨୩ ତାରିଖ ଠାରୁ ଖରିଫ ଋତୁ ଧାନ ସଂଗ୍ରହ କରିବେ ସରକାର । ତେଣୁ ଜିଲ୍ଲା ଓ ବ୍ଲକ...

ଅନ୍ୟ ଧର୍ମର ହୋଇଥିବାରୁ ଶବ ପଡିରହିଲା ୩୨ ଘଣ୍ଟା: ଆଉ ତା’ପରେ…

ପାଟଣା,୧୮।୧୨(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବାଇଦ ବାଜା ଗାଁ ରେ ରୋଗାକ୍ରାନ୍ତ ମକୁରୁ ମୁଣ୍ଡାଙ୍କ ମୃତ୍ୟୁ ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା।...

DMK ଉପରେ ବର୍ଷିଲେ ବିଜୟ, ଉଠାଇଲେ ଅନେକ ପ୍ରଶ୍ନ

ଅମରାବତୀ,୧୮।୧୨: ଅଭିନେତାରୁ ରାଜନେତା ହୋଇଥିବା ବିଜୟ ଗୁରୁବାର ତାମିଲନାଡୁର ଇରୋଡ ଜିଲାରେ ଏକ ରାଲିକୁ ସମ୍ବୋଧିତ କରିଥିଲେ। ସେପ୍ଟେମ୍ବର ୨୭ରେ କରୁରରେ ତାଙ୍କ ରାଲିରେ ଦଳାଚକଟା...

ମେସିଙ୍କୁ ବଡ଼ ଗିଫ୍ଟ ଦେଲେ ଅନନ୍ତ ଅମ୍ବାନୀ: ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସି ଜାମନଗରର ବନତାରା ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର ପରିଦର୍ଶନ କରିଥିଲେ। ମେସି ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ପ୍ରତିଷ୍ଠିତ କେନ୍ଦ୍ରରେ ପାରମ୍ପରିକ ରୀତିନୀତିରେ...

Stokes-Archer Fight VIDEO: ବେନ୍ ଷ୍ଟୋକ୍ସ ଏବଂ ଜୋଫ୍ରା ଆର୍ଚରଙ୍କ ମଧ୍ୟରେ କାହିଁକି ହେଲା ଝଗଡ଼ା?

ନୂଆଦିଲ୍ଲୀ,୧୮।୧୨: ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ଆସେସ୍ ଟେଷ୍ଟରେ ଇଂଲଣ୍ଡର ଖରାପ ପ୍ରଦର୍ଶନର ପ୍ରଭାବ ପଡ଼ିବା ଆରମ୍ଭ ହୋଇଛି । ସେଥିପାଇଁ ଇଂଲଣ୍ଡ ଅଧିନାୟକ ଏବଂ ଖେଳାଳିମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri