ସରକାରୀ ସେବାରେ ସନ୍ତୁଷ୍ଟି ନାହିଁ

ରତନ ନାୟାର/ଅସମାପିକା ସାହୁ
ଢେଙ୍କାନାଳ ଅଫିସ/ଭୁବନେଶ୍ୱର (ବ୍ୟୁରୋ) , ୧୨।୧୧: ନିରାପଦ ମାତୃତ୍ୱ ପାଇଁ ସରକାରଙ୍କ ଅନେକ ଯୋଜନା। ମାତୃ ଏବଂ ଶିଶୁ ମୃତ୍ୟୁହାରକୁ ଯଥାସମ୍ଭବ ହ୍ରାସ କରିବା ଲାଗି ଆରମ୍ଭ ହୋଇଛି ଅଭିଯାନ। ଗର୍ଭସଞ୍ଚାରଠାରୁ ଆରମ୍ଭ କରି ସୁରକ୍ଷିତ ପ୍ରସବ ଯାଏ ଯୋଗାଇ ଦିଆଯାଉଛି ନିଃଶୁଳ୍କ ସେବା। ଟିକାକରଣ, ପୁଷ୍ଟିକର ଖାଦ୍ୟ ସାଙ୍ଗକୁ ମିଳୁଛି ବହୁମୂଲ୍ୟ ପରାମର୍ଶ। ଏହାସତ୍ତ୍ୱେ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଗର୍ଭବତୀ ଏବଂ ସେମାନଙ୍କ ପରିବାର ଭରସା ଜୁଟାଇ ପାରୁନାହାନ୍ତି। ଦୁର୍ବଳ ଭିତ୍ତିଭୂମି, ଆବଶ୍ୟକ ଅତ୍ୟାଧୁନିକ ସରଞ୍ଜାମ ଅଭାବ ସେମାନଙ୍କୁ ଘରୋଇ ଡାକ୍ତରଖାନାମୁହଁା କରାଉଛି। ଢେଙ୍କାନାଳ ଜିଲାର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଜିଲା ସ୍ବାସ୍ଥ୍ୟକେନ୍ଦ୍ରରେ ବର୍ଷକୁ ବର୍ଷ ପ୍ରସବ ସଂଖ୍ୟା ହ୍ରାସ ପାଇବା ପରେ ଗର୍ଭବତୀମାନେ ଯେ ଘରୋଇ ସ୍ବାସ୍ଥ୍ୟକେନ୍ଦ୍ର ଆଡ଼କୁ ଅଧିକ ଆକର୍ଷିତ ହେଉଛନ୍ତି, ତାହା ସ୍ପଷ୍ଟ ହୋଇଛି।
ଢେଙ୍କାନାଳ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୬ ମାସିଆ ତୁଳନାତ୍ମକ ସମୀକ୍ଷାରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୨୧-୨୨ ବର୍ଷ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଜିଲାର ସମସ୍ତ ସରକାରୀ ଚିକିତ୍ସାଳୟରେ ୬,୨୬୭ ମହିଳାଙ୍କ ସନ୍ତାନ ପ୍ରସବ ହୋଇଛି। ତନ୍ମଧ୍ୟରେ କେବଳ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ୪,୦୮୭ ଜଣଙ୍କ ସନ୍ତାନ ଜନ୍ମ ହୋଇଛି। ସେହିପରି ବ୍ଲକଓ୍ବାରି ଦେଖିଲେ ଭୁବନରେ ୩୬୬, ଗଁଦିଆରେ ୪୪୫, ହିନ୍ଦୋଳରେ ୩୩୬, କାମାକ୍ଷାନଗରରେ ୪୩୮, କଙ୍କଡ଼ାହାଡ଼ରେ ୧୫୪, ଓଡ଼ାପଡ଼ାରେ ୨୭୧ ଏବଂ ପରଜଙ୍ଗର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ୧୭୦ ସନ୍ତାନ ଜନ୍ମ ହୋଇଥିଲା। ତେବେ ୨୦୨୨-୨୩ ବର୍ଷ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଜିଲାର ସରକାରୀ ଡାକ୍ତରଖାନାରେ ପ୍ରସବ ସଂଖ୍ୟା ୪,୬୩୦କୁ ହ୍ରାସ ପାଇଛି। ତନ୍ମଧ୍ୟରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ୨,୮୩୨, ଭୁବନରେ ୩୩୭, ଗଁଦିଆରେ ୪୨୨, ହିନ୍ଦୋଳରେ ୨୪୬, କାମାକ୍ଷାନଗରରେ ୩୮୦, କଙ୍କଡ଼ାହାଡ଼ରେ ୧୦୧, ଓଡ଼ାପଡ଼ାରେ ୧୮୨ ଏବଂ ପରଜଙ୍ଗରେ ୧୩୦ ଗର୍ଭବତୀ ପ୍ରସବ କରିଥିବା ତଥ୍ୟ କହୁଛି।
ପୂର୍ବରୁ ଜିଲା ଚିକିତ୍ସାଳୟରେ ଦୈନିକ ୩୦ରୁ ୩୫ ମହିଳା ପ୍ରସବ କରୁଥିବାବେଳେ ଏବେ ଏହି ସଂଖ୍ୟା ୧୦ରୁ ୧୨ ମଧ୍ୟରେ ସୀମିତ ରହିଛି। ଜିଲା ସ୍ବାସ୍ଥ୍ୟକେନ୍ଦ୍ରକୁ ବାଦ୍‌ଦେଲେ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସମାନ ସମସ୍ୟା ପରିଲକ୍ଷିତ ହେଉଛି। ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରସବ ପାଇଁ ଆବଶ୍ୟକ ସମସ୍ତ ସୁବିଧା ଉପଲବ୍ଧ ଥିବା ସ୍ବାସ୍ଥ୍ୟ ବିଭାଗ କହୁଥିବାବେଳେ ଗର୍ଭବତୀମାନେ ଘରୋଇ ଡାକ୍ତରଖାନା ମୁହଁା ହେବାର କାରଣ ଖୋଜିବା ଲାଗି ବିଭାଗୀୟ ତତ୍ପରତା ପ୍ରକାଶ ପାଉନାହିଁ। ସାଧାରଣରେ ଅଭିଯୋଗ ହେଉଛି ଯେ, ସରକାରୀ ଡାକ୍ତରଖାନାରେ ଅସ୍ତ୍ରୋପଚାରଜନିତ ପ୍ରସବରେ ବିଳମ୍ବ କରାଯାଉଥିବା ବେଳେ ସେହି ଡାକ୍ତରମାନେ ଘରୋଇ କ୍ଲିନିକ୍‌ରେ ମୋଟା ଅଙ୍କର ଅର୍ଥ ନେଇ ଅସ୍ତ୍ରୋପଚାର କରୁଛନ୍ତି। ଗଳିକନ୍ଦିରେ ଗଢ଼ି ଉଠିଥିବା ଘରୋଇ ସ୍ବାସ୍ଥ୍ୟକେନ୍ଦ୍ର ପାଖକୁ ଆମ୍ବୁଲାନ୍ସ ପହଞ୍ଚତ୍ବା ଭଳି ସର୍ବନିମ୍ନ ସୁବିଧା ନ ଥିବା ସତ୍ତ୍ୱେ ସେଠାରେ ଗର୍ଭବତୀ ଭିଡ଼ ଜମାଇବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ମଧ୍ୟସ୍ଥଙ୍କ ସହାୟତାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କଓ୍ବୋଇ) କାର୍ଡଧାରୀଙ୍କୁ ପ୍ରଲୋଭିତ କରି ସରକାରୀ ମେଡିକାଲରୁ ଘରୋଇ କ୍ଲିନିକ୍‌କୁ ରୋଗୀ ବୁହା ହେଉଥିବା ଆଶଙ୍କାକୁ ଏଡ଼ାଇ ଦିଆଯାଇପାରୁନାହିଁ।
ଏ ସଂକ୍ରାନ୍ତରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଶୋକ କୁମାର ଦାଶ କୁହନ୍ତି, ପ୍ରାୟ ବର୍ଷେ ହେଲା ସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାନରେ ପ୍ରସବ ସଂଖ୍ୟା କମୁଛି। ଏହାର କାରଣ ବର୍ତ୍ତମାନ ସୁଦ୍ଧା ଜାଣିପାରୁନାହୁଁ। କିନ୍ତୁ ଗର୍ଭବତୀମାନେ ଘରୋଇ ଚିକିତ୍ସାଳୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କଓ୍ବୋଇ) କାର୍ଡ ମାଧ୍ୟମରେ ଭର୍ତ୍ତି ହେଉଥିବା ଦେଖିବାକୁ ମିଳିଛି। ଜିଲା ମୁଖ୍ୟ ଚିକିତ୍ସାଳୟ, ସରକାରୀ ଚିକିତ୍ସାଳୟରେ ଉନ୍ନତ ବ୍ୟବସ୍ଥା, ପରିଷ୍କାର ପରିଚ୍ଛନ୍ନତା ଥିବାବେଳେ କାହିଁକି ରୋଗୀଙ୍କ ସଂଖ୍ୟା କମୁଛି, ତାହା ଆମେ ବୁଝିପାରୁନାହଁୁ ବୋଲି ଜିଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି।
୪୦୨ ଘରୋଇ ହସ୍ପିଟାଲ୍‌ରେ ବିଏସ୍‌କଓ୍ବୋଇ ସୁବିଧା
ଓଡ଼ିଶାର ୩୦ ଜିଲାର ୪୦୨ ଘରୋଇ ହସ୍ପିଟାଲ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କଓ୍ବୋଇ)ରେ ଅନୁବନ୍ଧିତ ହୋଇଛି। ସେଥିମଧ୍ୟରେ କଟକ ୮୬, ଖୋର୍ଦ୍ଧା ୭୧, ଗଞ୍ଜାମ ୨୬, ଯାଜପୁର ୨୬, ବାଲେଶ୍ୱର ୨୨, ଢେଙ୍କାନାଳ ୧୮, ପୁରୀ ୧୮, କେନ୍ଦ୍ରାପଡ଼ାରେ ୧୪, ଭଦ୍ରକରେ ୧୪, ଜଗତ୍‌ସିଂହପୁର ୧୩, ନୟାଗଡ଼ ୧୩, ବରଗଡ଼ ୧୨, ଅନୁଗୋଳ ୯, କଳାହାଣ୍ଡି ୯, ସମ୍ବଲପୁର ୮, ମୟୂରଭଞ୍ଜ ୬, କେନ୍ଦୁଝର ୭, ବଲାଙ୍ଗୀର ୭, ସୁନ୍ଦରଗଡ଼ ୫, ସୋନପୁର ୪, ଗଜପତି ୪, କୋରାପୁଟ ୩, ଝାରସୁଗୁଡ଼ା ୨, ଦେବଗଡ଼, ନୂଆପଡ଼ା ଏବଂ ରାୟଗଡ଼ାରୁ ଗୋଟିଏ ଲେଖାଏ ଅନ୍ତର୍ଭୁକ୍ତ।
ସେହିଭଳି ଓଡ଼ିଶା ବାହାରେ ୧୩ ରାଜ୍ୟରେ ୯୮ ଘରୋଇ ହସ୍ପିଟାଲରେ ଏହି ବିଜୁ ସ୍ବାସ୍ଥ୍ୟକାର୍ଡରେ ସ୍ବାସ୍ଥ୍ୟସେବା ମିଳୁଛି। ଆନ୍ଧ୍ରପ୍ରଦେଶରେ ସର୍ବାଧିକ ୨୮ଟି ହସ୍ପିଟାଲ ଏଥିରେ ଅନୁବନ୍ଧିତ ହୋଇଥିବା ବେଳେ ଛତିଶଗଡ଼ ୨୩, କର୍ନାଟକ ୭, ପଶ୍ଚିମବଙ୍ଗ ୭, ମହାରାଷ୍ଟ୍ର ୬, ଦିଲ୍ଲୀ ୫, ଗୁଜରାଟ ୫, ପଞ୍ଜାବ ୪, ତାମିଲନାଡ଼ୁ ୪, ଉତ୍ତରପ୍ରଦେଶ ୩, ହରିୟାଣା ୨, ଆସାମ, ଝାଡ଼ଖଣ୍ଡ, ରାଜସ୍ଥାନ ଏବଂ ତେଲଙ୍ଗାନାରେ ଗୋଟିଏ ଲେଖାଏ ହସ୍ପିଟାଲ ରହିଛି। ଦକ୍ଷିଣ ଓଡ଼ିଶାର ଅଧିକାଂଶ ରୋଗୀ ଆନ୍ଧ୍ରପ୍ରଦେଶ ଏବଂ ଛିତଶଗଡ଼ ହସ୍ପିଟାଲ ଉପରେ ନିର୍ଭର କରୁଥିବା ଦେଖାଯାଇଛି। ତେଣୁ ଏହି ଦୁଇଟି ରାଜ୍ୟରେ ଅଧିକ ସଂଖ୍ୟକ ହସ୍ପିଟାଲରେ ଏହି କାର୍ଡ ବ୍ୟବହାର ହେଉଛି।
ସୂଚନାଯୋଗ୍ୟ, ରାଜ୍ୟର ଆର୍ଥିକ ଅନଗ୍ରସର ବିପିଏଲ୍‌ ଏବଂ ରାଶନ କାର୍ଡଧାରୀ ପରିବାରକୁ ବିଏସ୍‌କଓ୍ବୋଇରେ ସାମିଲ କରାଯାଇଛି। ଏହି ଯୋଜନାରେ ମହିଳାଙ୍କୁ ସର୍ବାଧିକ ୧୦ ଲକ୍ଷ ଟଙ୍କା ଏବଂ ପୁରୁଷଙ୍କୁ ୫ ଲକ୍ଷ ଟଙ୍କା ଯାଏ ଚିକିତ୍ସା ସହାୟତା ମିଳୁଛି। ତଥାପି କାର୍ଡଧାରୀମାନେ ସରକାରୀ ଡାକ୍ତରଖାନା ପରିବର୍ତ୍ତେ ଏହି ଯୋଜନାରେ ଅନୁବନ୍ଧିତ ବେସରକାରୀ ଡାକ୍ତରଖାନା ଉପରେ ନିର୍ଭର କରିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଉତ୍ତର ମିଳିପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri