ଚେତନାର ଅମୃତ ଦିଗନ୍ତ ମା’

ବିମଳ ପ୍ରସନ୍ନ ଦାସ

ଫେବୃୟାରୀ ୨୧ ତାରିଖ ୧୮୭୮- ମଧୁମୟୀ ଦିବ୍ୟଜନନୀ ଶ୍ରୀମାଙ୍କର ୧୪୪ତମ ଶୁଭ ଜନ୍ମତିଥି। ଇତିମଧ୍ୟରେ କାଳବକ୍ଷରେ ୧୪୩ ବର୍ଷ ଅତିବାହିତ ହୋଇଗଲା। ଏ ବର୍ଷ ଆମେ ମା’ଙ୍କର ୧୪୪ ତମ ପବିତ୍ର ଜୟନ୍ତୀ ପାଳନ କରୁଛୁ। ଅଦ୍ଭୁତ ଦିବ୍ୟସଂଯୋଗ- ୧୮୭୮, ୨୧ ଫେବୃୟାରୀ ଯେପରି ଥିଲା ଗୁରୁବାର, ୨୦୧୯ର ୨୧ ଫେବୃୟାରୀ ମଧ୍ୟ ଗୁରୁବାର। ଗୁରୁବାର ଆମେ ମା’ ମହାଲକ୍ଷ୍ମୀଙ୍କ ବାର ଭାବରେ ନିଷ୍ଠାର ସହ ପାଳନ କରିଥାଉ। ସେ ହିଁ ପ୍ରାଚୁର୍ଯ୍ୟ ଓ ଧନର ଆରାଧ୍ୟା ଦେବୀ। ମହାଯୋଗୀ ଶ୍ରୀଅରବିନ୍ଦ ଦିବ୍ୟଜନନୀଙ୍କର ଚାରୋଟି ମହାରୂପ ଆମ ଆଗରେ ବର୍ଣ୍ଣନା କରିଛନ୍ତି; ଯଥା ମହେଶ୍ୱରୀ, ମହାକାଳୀ, ମହାଲକ୍ଷ୍ମୀ ଏବଂ ମହାସରସ୍ବତୀ। ମହାଯୋଗୀଙ୍କ ଦିବ୍ୟଦୃଷ୍ଟିରେ ମା’ ହିଁ ସର୍ବୋତ୍ତମା ଶକ୍ତି, ସେ ହିଁ ଆଦିମାତା, ଅଦିତି। ମାନୁଷୀ ଶରୀରରେ ଆଉ ଜଣେ ପାର୍ଥତ୍ବ ଜନନୀଙ୍କ ଗର୍ଭରୁ ଜନ୍ମ ହେଲେ। ଯିଏ ଅନନ୍ତକାଳ, ସେ ପୁଣି କାଳ ହାତରେ ନିଜକୁ ସମର୍ପି ଦେଇ ଜନ୍ମ-ମୃତ୍ୟୁର ଘୂର୍ଣ୍ଣନ ମଧ୍ୟରେ ଆବିର୍ଭୂତା ହେଲେ। ଅସୀମା ହେଲେ ସୀମା। ଏହି ସୀମାଭୁକ୍ତ ପୃଥିବୀକୁ ଦିବ୍ୟ ରୂପାନ୍ତର ଦେଇ ଅମରାବତୀରେ ପରିଣତ କରିବା ଲାଗି ତାଙ୍କ ମାତୃ ହୃଦୟର ଏ ଅଲୌକିକ କରୁଣା। ପରା ପ୍ରକୃତିର ଅପରା ରୂପାୟନ। ଚିନ୍ମୟୀ ଶକ୍ତିଙ୍କର ମୃଣ୍ମୟୀ ରୂପ ଧାରଣ।
ଅତିମାନସ ଶକ୍ତି, ଜ୍ୟୋତି ଓ ଚେତନାର ଅବତାର ପୁରୁଷ ଶ୍ରୀଅରବିନ୍ଦଙ୍କର ସେ ସହ-ତପସ୍ବିନୀ-ଉତ୍ତର ସାଧିକା। ଶ୍ରୀଅରବିନ୍ଦ ତ୍ୱ ହେଲେ ଶ୍ରୀମା ହେଉଛନ୍ତି ସେ ତ୍ୱ’ର ସରଳ, ପ୍ରାଞ୍ଜଳ ବ୍ୟାଖ୍ୟା। ଶ୍ରୀଅରବିନ୍ଦ ସାଧ୍ୟ ହେଲେ, ଶ୍ରୀମା ତାଙ୍କର ସାଧନା ଓ ସିଦ୍ଧି। ଶ୍ରୀଅରବିନ୍ଦ ତପଶକ୍ତି ହେଲେ, ଶ୍ରୀମା ତାଙ୍କର କ୍ରିୟାଶକ୍ତି। ଶ୍ରୀଅରବିନ୍ଦଙ୍କୁ ଆମର ମନ, ବୁଦ୍ଧି, ବାକ୍ୟ ସ୍ପର୍ଶ କରିପାରେନା। ସେ ଆମ ପାଖେ ପାଖେ ଥିଲେ ମଧ୍ୟ ଆମେ ତାଙ୍କର ସୌର ତେଜର ପ୍ରଚଣ୍ଡତା ସହ୍ୟ କରିପାରୁନା। କିନ୍ତୁ ମା’ ଆମ ଦେହକୁ ଦେହ ଲାଗିକରି ଅଛନ୍ତି। ଆମ ପ୍ରାଣ ଓ ମନକୁ ମଧ୍ୟ ଲାଗିକରି ଅଛନ୍ତି। ମା’ଟିଏ ତା’ର ପିଲାକୁ ଦେହଲଗ୍ନ କରି ରଖିଲା ଭଳି ସେ ଆମକୁ ତାଙ୍କ ଦେହକୁ ଲଗାଇ ରଖିଛନ୍ତି। ମାଆ ସୂର୍ଯ୍ୟ ତେଜକୁ ଧାରଣ କରିଛନ୍ତି। ସେ ସ୍ବୟଂ ସବୀତ୍ୱ, ଶକ୍ତି, ସାବିତ୍ରୀ। ସେ ମଧ୍ୟ ବ୍ରହ୍ମଶକ୍ତି ଗାୟତ୍ରୀ। ସେହିଁ ଚେତନାର ଅମୃତ ଦିଗନ୍ତ।
ଏ ସବୁ ସତ୍ତ୍ୱେ ସେ ସନ୍ତାନ ଲାଗି ସୁଧାମୟୀ, ପ୍ରେମମୟୀ, କଲ୍ୟାଣମୟୀ, ଶ୍ରୀମୟୀ ଆହ୍ଲାଦିନୀ ଚନ୍ଦ୍ରମା ଭଳି, ସେ ଆମକୁ ଅତିମାନସର ସ୍ନିଗ୍‌ଧ ଜ୍ୟୋତ୍ସ୍ନାରେ ଆପ୍ଳୁତ କରି ରଖିଛନ୍ତି। ପ୍ରଚଣ୍ଡ ମାର୍ତଣ୍ଡର ଅମ୍ଳାନ ତେଜକୁ ସେ ନିଜ ଭିତରେ ଧାରଣ କରିଛନ୍ତି, କିନ୍ତୁ ସେ ତେଜକୁ ଆମ ପାଇଁ ଚନ୍ଦ୍ରମାର ଶାନ୍ତ ଶୀତଳ ଜ୍ୟେତ୍ସ୍ନାରେ ରୂପାନ୍ତରିତ କରି ଅଜାଡି ଦେଇଛନ୍ତି। ମା’ଙ୍କ ବ୍ୟତିରେକେ ପ୍ରଚଣ୍ଡ ସୂର୍ଯ୍ୟପିଣ୍ଡ ସ୍ବରୂପ ଶ୍ରୀଅରବିନ୍ଦଙ୍କ ସ୍ପର୍ଶ ଆମେ ପାଇ ନଥାନ୍ତୁ। ସେ ନିଜେ ଯେପରି କହିଛନ୍ତି ”ଶ୍ରୀଅରବିନ୍ଦଙ୍କ ବିନା ମୋର ସ୍ଥିତି ନାହିଁ ଏବଂ ମୋ ବିନା ତାଙ୍କର ପ୍ରକାଶ ନାହିଁ“। ପ୍ରଫେସର ମନୋଜ ଦାସଙ୍କ ଭାଷାରେ- ତାଙ୍କ ବିନା ମୁଁ ଅସ୍ତିତ୍ୱ ସହିତ ମୋ ବିନା ସେ ଅପ୍ରକଟିତ“। ଦୁଇଟି ମହାନ୍‌ ଆତ୍ମାର ମହାମିଳନ। ସତେଯେପରି ଶ୍ୱେତପଦ୍ମ ସହିତ ରକ୍ତପଦ୍ମର, ପ୍ରେମ ସହିତ ପ୍ରଜ୍ଞାର, ଭକ୍ତି ସହିତ ଜ୍ଞାନର, ମହାପୁରୁଷଙ୍କ ସହିତ ମହା ପ୍ରକୃତିର ଏବଂ ଜୀବାତ୍ମା ସହ ପରମାତ୍ମାର। ପୃଥିବୀକୁ ଅମରାବତୀରେ ପରିଣତ କରିବା ପାଇଁ ସତେଯେପରି ଏହି ମୁହୂର୍ତ୍ତ ବିଧିର ବିଧାନ ଏବଂ ପୂର୍ବ ନିର୍ଦ୍ଧାରିତ।
ଆମ ଭାରତୀୟ ସଂସ୍କୃତି ଓ ପରମ୍ପରାରେ ମାତୃଶକ୍ତିକୁ ସବୁଠାରୁ ବେଶି ପ୍ରାଧାନ୍ୟ ଦିଆଯାଇଛି। ମଣିଷ ଜୀବନରେ ଏପରି କୌଣସି ଅବସ୍ଥା ନାହିଁ ଯେଉଁଠି ମହାଶକ୍ତିର ଉପଲବ୍‌ଧି ନାହିଁ। ମାତ୍ର ଆମ ଚେତନାର ଅବସ୍ଥା ଏପରି ଯେ ଆମେ କିଛି ଗ୍ରହଣ କରିବାକୁ ପ୍ରସ୍ତୁତ ନୋହୁଁ, କିନ୍ତୁ ଭାରତର ସମୃଦ୍ଧ ଚେତନା ଇତିହାସର ନିର୍ଯାସ। ଦୁର୍ଭାଗ୍ୟ ଯେ ଭାରତ ବସ୍ତୁବାଦକୁ ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରିପାରୁ ନାହିଁ କିମ୍ବା ମାୟାବାଦକୁ ଅଗ୍ରାହ୍ୟକରି ପାରୁନାହିଁ। ତେଣୁ ବର୍ତ୍ତମାନ ମାନବ ଜାତି ଏକ ଛଳନାମୟ ମାୟା ଭିତରେ ଛନ୍ଦି ହୋଇଯାଇଛି। ଏଇଥିପାଇଁ ସମାଜରେ ଭ୍ରଷ୍ଟାଚାର, ଦୁର୍ନୀତି ବ୍ୟାପୁଛି। ମାତ୍ର ମା’ ଶ୍ରୀଅରବିନ୍ଦଙ୍କ ଅମୃତମୟ ଦୃଷ୍ଟିରେ ଏ ଅବସ୍ଥା ବେଶି ସମୟ ରହିପାରିବ ନାହିଁ। ଶ୍ରୀମାଙ୍କ ଦିବ୍ୟ ମାତୃଶକ୍ତି ଆମକୁ ଏ ପରିସ୍ଥିତିରୁ ଉତ୍ତୀର୍ଣ୍ଣ କରିନେବ। ପ୍ରକୃତ ଚେତନା କ’ଣ ତା’ ମାନବ ଜାତି ଆଗରେ ଉତ୍‌ଥାପନ କରିବ। ଶ୍ରୀମା ଓ ଶ୍ରୀଅରବିନ୍ଦଙ୍କ ଯୁଗ୍ମସତ୍ତାକୁ ପାଶ୍ଚାତ୍ୟ ମତାନୁଯୋଗୀ ପ୍ରାଚ୍ୟ ଓ ପାଶ୍ଚାତ୍ୟର ସର୍ବୋତ୍ତମ ସମନ୍ବୟ ବୋଲି କହୁଛନ୍ତି। ତାହା ନିଶ୍ଚୟ ଆଂଶିକ ସତ୍ୟ। ବରଂ ଆଧ୍ୟାତ୍ମିକତାର ଦୁଇଟି ଦିଗ। ଯୋଗ ଓ ତନ୍ତ୍ରର ଏକ ପୂର୍ଣ୍ଣାଙ୍ଗ ସତ୍ୟ ହେଉଛନ୍ତି ଶ୍ରୀମା ଓ ଶ୍ରୀଅରବିନ୍ଦ।
ସୁତରାଂ ଆମର ମା’ଙ୍କ ପ୍ରତି ଶ୍ରଦ୍ଧା, ଆନ୍ତରିକତା ଓ ସମର୍ପଣ ଯେତିକି ପୂର୍ଣ୍ଣତର ହେବ, ମା’ଙ୍କର ଅଭୟ ଓ କରୁଣା ସେତିକି ଆମକୁ ଘେରି ରହିବ। ମା’ଙ୍କ କୃପାରୁ ଅଳ୍ପ ଟିକିଏ ବି ଆମକୁ ସକଳ ବାଧା ବିପତ୍ତି ଓ ସଙ୍କଟରୁ ପାର କରିଦେବ। ନିରାପଦରେ ଆମ ପଥରେ ଆମେ ଚାଲିଯାଇ ପାରିବା। କାରଣ ସେ ପଥ ମା’ଙ୍କର। ଏ ଜଗତରେ ହେଉ ବା ଅଦୃୃଶ୍ୟଜଗତ ସମୂହରେ ହେଉ କୌଣସି ଶତ୍ରୁଶକ୍ତି ଆମକୁ ସ୍ପର୍ଶ କରିପାରିବ ନାହିଁ। ମା’ଙ୍କ କରୁଣାର ସ୍ପର୍ଶରେ ସଂକଟ ସୁଯୋଗରେ, ବ୍ୟର୍ଥତା ସାର୍ଥକତାରେ ଓ ଦୁର୍ବଳତା ଅମୋକ୍ଷ ସାମର୍ଥ୍ୟରେ ରୂପାନ୍ତରିତ ହୋଇଯିବ। କାରଣ ଦିବ୍ୟଜନନୀଙ୍କ ଅନୁକମ୍ପା ହେଲା ପରମେଶ୍ୱରଙ୍କ ଅନୁମତି। ଏବେ ହେଉ ବା ପରେ ହେଉ ଏହାର ଫଳ ସୁନିଶ୍ଚିତ, ପୂର୍ବ ନିର୍ଦ୍ଦିଷ୍ଟ, ଅବଶ୍ୟମ୍ଭାବୀ ଓ ଅନିବାର୍ଯ୍ୟ ”କୌଣସି ମାନୁଷୀ ପ୍ରୟାସ ବା ତପସ୍ୟା ନୁହେଁ, କେବଳ ମା’ଙ୍କର ଶକ୍ତି ହିଁ ଆବରଣ ଛିନ୍ନ କରିଦେଇପାରେ। ଆଧାରକୁ ଗଢ଼ିପାରେ। ଆଜିର ତମିଶ୍ରା, ମିଥ୍ୟା, ମୃତ୍ୟୁ, ବେଦନାପୂର୍ଣ୍ଣ ଜଗତରେ ଉତ୍ତାରି ଆଣିପାରେ ସତ୍ୟ, ଜ୍ୟୋତି, ଦିବ୍ୟଜୀବନ ଓ ଅମର ଆନନ୍ଦ“, ମା’ଙ୍କର ପ୍ରେମ ଓ କରୁଣା ଆମ ଚେତନାକୁ ଅମୃତାୟିତ କରୁ – ଏତିକି ପ୍ରାର୍ଥନା।
ମୋ: ୯୪୩୮୧୮୬୨୨୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ବଣ୍ଡାଇ

ଅଷ୍ଟ୍ରେଲିଆର ବେଳାଭୂମିରେ ୧୪ ଡିସେମ୍ବରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୯ ଜଣ ଆହତ ହୋଇଛନ୍ତି। ଗୁଳି ଚଳାଇଥିବା ତିନି...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ଭାରତ ମାତାର ଦୁଃଖ

ଏଇ କେଇଦିନ ତଳେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରଂ’କୁ ନେଇ ଏକ ଦୀର୍ଘକାଳୀନ ବିଚାର ବିଶ୍ଳେଷଣ ରଖିଥିଲେ। ‘ବନ୍ଦେ ମାତରଂ’କୁ ନେଇ ପାର୍ଲାମେଣ୍ଟ...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri