Odisha Elections 2024

ସରକାର ମରୁଡ଼ି ସ୍ବୀକାର କରନ୍ତୁ: ବିରୋଧୀ

ଭୁବନେଶ୍ୱର,୭।୯(ବ୍ୟୁରେ): ରାଜ୍ୟରେ ସ୍ବଳ୍ପ ବର୍ଷା ଯୋଗୁ ଅନେକ ଜିଲାରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ଚାଷକାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ଏହାକୁ ନେଇ ବିଧାନସଭାରେ ବିରୋଧୀ ଭାଜପା ଓ କଂଗ୍ରେସ ସରକାରଙ୍କୁ ଘେରିଛନ୍ତି। ମରୁଡ଼ି ପରିସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ମୋଶନ ଅଣାଯାଇ ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳ ମଲ୍ଲିକ ‘ରାଜ୍ୟରେ ସାମ୍ପ୍ରତିକ ଅନାବୃଷ୍ଟି ଏବଂ ତଜ୍ଜନିତ ପରିସ୍ଥିତି’ ସମ୍ପର୍କରେ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଏକ ମୋଶନ ଆଣିଥିଲେ। ଏହି ମୋଶନ ଉପରେ ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି କହିଛନ୍ତି, ଓଡ଼ିଶାରେ ଭୟଙ୍କର ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି। ସରକାର ଏହାକୁ ନେଇ ଗମ୍ଭୀର ନାହାନ୍ତି। ମରୁଡିକୁ ନେଇ ସରକାର ସବୁବେଳେ ଉପରଠାଉରିଆ ଉତ୍ତର ଦେଉଛନ୍ତି। ୨୨ ବର୍ଷ ସରକାର କରିବା ପରେ ମରୁଡି ପ୍ରତିକାର ପାଇଁ ଆଉ କେତେବର୍ଷ ନେବେ। ଜଳସେଚନ ଅଭାବରୁ ରାଜ୍ୟରେ ମରୁଡି ସୃଷ୍ଟି ହୋଇଛି, ସରକାର ଏକଥାକୁ ସ୍ବୀକାର କରିବା ଦରକାର। ଜଳସେଚନ ନ ହେବାରୁ ରାଜ୍ୟରେ ସ୍ଥିତି ଦୟନୀୟ ହେବାକୁ ଯାଉଛି। ଜାତୀୟସ୍ତରରେ ଜଳସେଚନ ୫୩% ରହିଥିବା ବେଳେ ପଞ୍ଜାବ ଓ ହରିୟାଣା ଭଳି କମ୍‌ ବର୍ଷା ହେଉଥିବା ରାଜ୍ୟରେ ୯୫% ଜଳସେଚନ ସୁବିଧା ରହିଛି। ୨୨ ବର୍ଷ କ୍ଷମତାରେ ରହିଲେ, ଗୋଟିଏ ବି ନଦୀବନ୍ଧ କରିପାରିଲେ ନାହିଁ। ଆମେ ସବୁବେଳେ ବିରୋଧୀ ଦଳରେ ବସିବୁ, ହେଲେ ରାଜ୍ୟର ଚାଷୀକୁଳକୁ ରକ୍ଷା କରିବା ପାଇଁ ସରକାର ଯୋଜନା କରନ୍ତୁ। ଚାଷୀ ଭାସିଗଲେ ଆମେ ସମସ୍ତେ ଭାସିଯିବା ବୋଲି ସେ କହିଛନ୍ତି।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ରାଜ୍ୟ ସରକାର ଯାହା କହନ୍ତି, ତାହା କରନ୍ତି ନାହିଁ। ୨୦୦୮ରେ ଚାଷୀଙ୍କୁ ମାଗଣାରେ ବିଜୁଳି ଦେବେ ବୋଲି କହିଥିଲେ। ତାହା କଲେ ନାହିଁ। ପଶ୍ଚିମ ଓଡ଼ିଶାରେ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ କରିବେ ବୋଲି ଘୋଷଣା କରିିଥିଲେ। ସେ ବି ସେମିତି ରହିଗଲା। ଲୋୟର ସୁକତେଲ ପ୍ରକଳ୍ପ କଂଗ୍ରେସ ସରକାର ଅମଳରେ ଆରମ୍ଭ ହୋଇଥିଲା। ଏପର୍ଯ୍ୟନ୍ତ ପ୍ରକଳ୍ପ କାମ ଶେଷ ହୋଇ ନାହିଁ। ଜଳସେଚନ ପାଇଁ କେନ୍ଦ୍ରୀୟ ଅନୁଦାନ କମି କମି ଯାଉଛି। ରାଜ୍ୟ ସରକାର ଭାଜପା ସହ ମିଶିକରି ରହିଛନ୍ତି। ଉପା ସରକାର ବେଳେ ମୁହଁ ଖୋଲୁଥିଲେ। ଏବେ କିନ୍ତୁ ଚୁପ ରହିଛନ୍ତି। ମରୁଡି ହେଉଛି ବୋଲି ସମସ୍ତେ କହୁଛନ୍ତି। ତେବେ ରାଜ୍ୟ ସରକାର ମରୁଡି ଘୋଷଣା କାହିଁକି କରୁନାହାନ୍ତି ତାହା ବୁଝାପଡୁନାହିଁ। ସରକାର ମରୁଡି ପାଇଁ ସ୍ଥାୟୀ ପ୍ରତିକାର ଲାଗି ପଦକ୍ଷେପ ନିଅନ୍ତୁ। ମରୁଡି ଯୋଗୁ ଚାଷୀ ଆତ୍ମହତ୍ୟା କଲେଣି। ସରକାର ଏହାକୁ ଗୁରୁତର ସହ ନିଅନ୍ତୁ ବୋଲି ସେ କହିଛନ୍ତି।
ବିଜେଡି ସଭ୍ୟ ଭୂପିନ୍ଦର ସିଂ କହିଛନ୍ତି, ଅନାବୃଷ୍ଟି ଯୋଗୁ ରାଜ୍ୟରେ ମରୁଡି ପରିସ୍ଥିତି ହୋଇଛି। ମରୁଡି ବିଷୟରେ ସରକାର ସମ୍ପୂର୍ଣ୍ଣ ଅବଗତ ଅଛନ୍ତି। ଭୂତଳ ଜଳ ସ୍ତର ତଳକୁ ଖସୁଛି। ଚାଷୀ ହସିଲେ ଦେଶ ହସିବ। ରାଜନୀତିରୁ ଊର୍ଦ୍ଧ୍ୱରେ ରହି ସମ୍ଭାବ୍ୟ ମରୁଡିକୁ ନେଇ ସରକାର ସଜାଗ ଅଛନ୍ତି। କେନ୍ଦ୍ର ସରକାର ନିୟମ କରିଛନ୍ତି, ଅକ୍ଟୋବର ୩୦ ସୁଦ୍ଧା ବର୍ଷା ନ ହେଲେ ମରୁଡି ଘୋଷଣା କରାଯିବ। ଏଠାରେ ଭାଜପା ସଭ୍ୟମାନେ କିପରି ମରୁଡି ଘୋଷଣା ଲାଗି ଦାବି କରୁଛନ୍ତି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀଙ୍କୁ ଠିକ୍‌ ସମୟରେ ବୀମା କମ୍ପାନୀ ଅର୍ଥ ଦେଉ ନାହିଁ। ଚାଷୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଦରଦ ଥିଲେ ଠିକ୍‌ ସମୟରେ ସାର ମିଳିପାରନ୍ତା ବୋଲି ସେ କହିଛନ୍ତି। ଏହି ଆଲୋଚନାରେ ଭାଜପା ସଭ୍ୟ ମୁକେଶ ମହାଲିଙ୍ଗ, କୁସୁମ ଟେଟେ, ନବ ଚରଣ ମାଝୀ, କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ, ଅଧିରଞ୍ଜନ ପାଣିଗ୍ରାହୀ, ବିଜେଡି ସଭ୍ୟ ଅମର ପ୍ରସାଦ ଶତପଥୀ, ପ୍ରଫୁଲ ସାମଲ, ଦେବେଶ ଆଚାର୍ଯ୍ୟ, ଅଶ୍ୱିନୀ ପାତ୍ର, ଧ୍ରୁବ ଚରଣ ସାହୁ, କିଶୋର ନାଏକ, ରାଜ କିଶୋର ଦାସ ଏବଂ ସ୍ବରୂପ ଦାସ ଭାଗ ନେଇଥିଲେ।
ଶେଷରେ ବିରୋଧୀଙ୍କ ଅଭିଯୋଗର ଉତ୍ତର ଦେଇ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି, ରାଜ୍ୟରେ ଅଧିକାଂଶ ଅଞ୍ଚଳରେ ଖରିଫ ଚାଷ ବର୍ଷା ଉପରେ ନିର୍ଭରଶୀଳ। ଓଡ଼ିଶାରେ ସାଧାରଣତଃ ବାର୍ଷିକ ହାରାହାରି ୧୪୫୧.୨ ମିମି ବୃଷ୍ଟିପାତ ହୋଇଥାଏ। ସେଥିରୁ ୭୯ ଭାଗ ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ହୋଇଥାଏ। ଚଳିତ ବର୍ଷ କମ୍‌ ବର୍ଷା ହୋଇଥିବାରୁ ଧାନ ଓ ଅଣଧାନ ଚାଷରେ ବିଳମ୍ବ ହୋଇଛି। ଜୁନ୍‌ରେ ୧୬.୬% ଏବଂ ଜୁଲାଇରେ ୨୧.୩% କମ୍‌ ବୃଷ୍ଟିପାତ ହୋଇଛି। ସେହିପରି ଅଗଷ୍ଟରେ ସ୍ବାଭାବିକଠାରୁ ୪୪.୭% କମ୍‌ ବର୍ଷା ହୋଇଛି। ଜୁନ୍‌ରୁ ଅଗଷ୍ଟ ମଧ୍ୟରେ ରାଜ୍ୟରେ ସ୍ବାଭାବିକଠାରୁ ୨୯.୩%ରୁ କମ୍‌ ବର୍ଷା ହୋଇଛି। ରାଜ୍ୟରେ ମୋଟ ୫୬.୩୩ ଲକ୍ଷ ହେକ୍ଟର ଚାଷ ହୋଇଛି, ଯାହାକି ଧାର୍ଯ୍ୟଲକ୍ଷ୍ୟର ୯୧% ହେବ। ଗତବର୍ଷ ଏହି ସମୟ ମଧ୍ୟରେ ୯୩% ଜମିରେ ଚାଷ ହୋଇଥିଲା। ଫସଲର ସ୍ଥିତି ସମ୍ବନ୍ଧରେ ମୁଖ୍ୟ ଶାସନ ସଚିବ ନିକଟରେ ଜିଲାପାଳଙ୍କ ସହ ଆଲୋଚନା କରି ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦେବା ସହ କମ୍‌ ବୃଷ୍ଟିପାତ ଅଞ୍ଚଳରେ ଜରୁରିକାଳୀନ ଶସ୍ୟ ଯୋଜନା କରାଯାଇଛି। କମ୍‌ ବୃଷ୍ଟିପାତ ଯୋଗୁ ୮ ବୃହତ୍‌ ଜଳଭଣ୍ଡାର ଓ ୧୩ ମଧ୍ୟମ ଜଳଭଣ୍ଡାର ସ୍ଥିତି ଭଲ ନ ଥିବା ବେଳେ ୧୫ଟି ମଧ୍ୟମ ଓ କ୍ଷୁଦ୍ର ଜଳଭଣ୍ଡାର ପ୍ରାୟତଃ ଶୁଷ୍କ ଅବସ୍ଥାରେ ରହିଛି। ମହାନଦୀ ଡେଲ୍‌ଟା ଜଳସେଚନ ଓ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପକୁ ଛାଡ଼ିଦେଲେ ରାଜ୍ୟର ସମସ୍ତ ବ୍ୟାରେଜ ଜଳସେଚନ ପାଇଁ ଅସମର୍ଥ ରହିଛନ୍ତି। ଜଳସେଚନ ବିଭାଗର ଆକଳନ ଅନୁଯାୟୀ ସମସ୍ତ ବୃହତ୍‌ ଜଳଭଣ୍ଡାର ମାଧ୍ୟମରେ ୯,୬୯,୩୬୪ ହେକ୍ଟର ଖରିଫ ଫସଲ ପାଇଁ ଜଳସେଚନ ବ୍ୟବସ୍ଥା କରାଯାଇଥିଲା। ଚଳିତ ମାସରେ ମଧ୍ୟ ଏହି ଖରିଫ ଜଳସେଚନ ଅବ୍ୟାହତ ରହିପାରେ। ପୂର୍ବରୁ ଓଡ଼ିଶା ରିଲିଫ କୋଡ୍‌ର ପରିଚ୍ଛେଦ ୨୯ ଏବଂ ରାଜ୍ୟ ସରକାରଙ୍କ ଫସଲ କଟା ପରୀକ୍ଷଣ ପଦ୍ଧତି ମାଧ୍ୟମରେ ରାଜ୍ୟରେ ମରୁଡି ଘୋଷଣା କରି ସହାୟତା ଦିଆଯାଉଥିଲା। କିନ୍ତୁ କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରଣାଳୟ ଦ୍ୱାରା ପ୍ରଣୀତ ନିୟମାବଳୀ ଅନୁଯାୟୀ ବୃଷ୍ଟିପାତର ଅଭାବ, ଶସ୍ୟର ଅବସ୍ଥା ସମ୍ପର୍କିତ ସୂଚନା, ସୁଦୂର ସମ୍ବେଦନଶୀଳ ଉଦ୍ଭିଦ ରାଜିର ସଙ୍କେତ, ଭୂମିର ଆର୍ଦ୍ରତା, ଭୂତଳ ଜଳସ୍ତର ସଙ୍କେତ ଇତ୍ୟାଦି ଅନୁଯାୟୀ ମରୁଡି ଘୋଷଣା କରିବା ଲାଗି ୨୦୧୭ ମାର୍ଚ୍ଚ ୮ରେ କେନ୍ଦ୍ର ସରକାର ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ୫ଟି ମାନଦଣ୍ଡକୁ ଆଧାର କରି ଆବଶ୍ୟକସ୍ଥଳେ ଅକ୍ଟୋବର ୩୦ ସୁଦ୍ଧା ମରୁଡି ଘୋଷଣା କରାଯାଇଥାଏ। ଉକ୍ତ ମାନଦଣ୍ଡଗୁଡିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଫସଲ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ପ୍ରତ୍ୟେକ ଦିନ ଫସଲର ଅନୁଧ୍ୟାନ ଓ ନିରୀକ୍ଷଣ କରି ପଦକ୍ଷେପ ନେବାକୁ କ୍ଷେତ୍ର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିପର୍ଯ୍ୟୟ ସମୟରେ ସରକାର ସର୍ବଦା ଚାଷୀଙ୍କ ସାଙ୍ଗରେ ରହିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗରମ ପେଜ ପଡ଼ି ପୋଲିଂ କର୍ମଚାରୀ ଆହତ

ଆସିକା/ଧରାକୋଟ,୧୯ା୫(ସୁରେନ୍ଦ୍ର ନାଥ ସାହୁ/ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଅଧୀନ ମଛାକୋଟ ପଞ୍ଚାୟତର ମଥୁରା ପଦନାପୁର ଗ୍ରାମର ଏକ ବୁଥରେ ଅଘଟଣ ଘଟିଛି।...

ବିଜେଡି ନିର୍ବାଚନୀ ସଭାରେ ବିଡିଓଙ୍କ ଉପସ୍ଥିତି : ଅଭିଯୋଗ ଆଣିଲା ବିରୋଧୀ

ହାଟଡିହୀ,୧୯।୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ହାଟଡିହୀ ବ୍ଲକ ଛେନାପଦୀଠାରେ ରବିବାର ବିଜେଡି ପକ୍ଷରୁ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ...

ଭୁବନେଶ୍ୱରରେ ମୋଦି, ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୧୯।୫: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ରବିବାର ପହଞ୍ଚିଛନ୍ତି। ପ୍ରଥମେ ସେ ଦଳୀୟ କର୍ମୀଙ୍କ...

“ଯଦି ସୁଯୋଗ ମିଳେ, ମନା କରିବି ନାହିଁ”: ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଜୁଏଲ ଓରାମଙ୍କ ବୟାନ

ଭୁବନେଶ୍ୱର,୧୯ା୫: ଓଡ଼ିଶାରେ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ସୁନ୍ଦରଗଡ଼ ଏମପି ତଥା ଭାଜପାର ଲୋକ ସଭା...

ନିର୍ବାଚନୀ ହିଂସା: ଖଲ୍ଲିକୋଟ ହତ୍ୟା ଘଟଣାରେ ଆଉ ଦୁଇ ଗିରଫ

ଛତ୍ରପୁର,୧୯ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଖଲ୍ଲିକୋଟ ହତ୍ୟା ଘଟଣାରେ ପୁଣି ଦୁଇ ଗିରଫ ହୋଇଛନ୍ତି। ଗିରଫମାନେ ହେଲେ ଶ୍ରୀକୃଷ୍ଣଶରଣପୁର ଗ୍ରାମର ସୁଦର୍ଶନ ପାହାନ ଓ ରାମଚନ୍ଦ୍ରପୁର...

ବାତ୍ୟାର ଆସିବାର କୌଣସି ପୂର୍ବାନୁମାନ କରାଯାଇ ନାହିଁ: ପାଣିପାଗ ବିଭାଗ

ଭୁବନେଶ୍ୱର,୧୯ା୫: ରବିବାର ଭୁବନେଶ୍ୱର ଆଇଏମଡି ନିର୍ଦ୍ଦେଶକ ମନୋରାମା ମହାନ୍ତି ସୂଚନା ଦେଇଛନ୍ତି ଯେ ବାତ୍ୟା ସୃଷ୍ଟି ହେବାର କୌଣସି ପୂର୍ବାନୁମାନ କରାଯାଇ ନ ଥିବାରୁ ଭୟଭୀତ...

‘ୱାର୍ଡମେମ୍ବର ନିର୍ବାଚନ ଲଢ଼ିନାହାନ୍ତି, ମୋତେ ପଚାରୁଛନ୍ତି କ’ଣ କରିଛ’: ଅପରାଜିତା

ଭୁବନେଶ୍ୱର,୧୯।୫: ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଭାଜପା ନେତ୍ରୀ ତଥା ଭୁବନେଶ୍ୱର ଲୋକ ସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ।...

ଆନନ୍ଦପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ଏସବୁ ପ୍ରତିଶ୍ରୁତି, କହିଲେ ବିଜେଡି ଆସିଲେ…

ହାଟଡିହୀ,୧୯ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହୀ ବ୍ଲକ ଛେନାପଦୀଠାରେ ନିର୍ବାଚନୀ ପ୍ରଚାର ଏବଂ ବୈଠକରେ ଯୋଗ ଦେଇ ବିଜେଡିକୁ ଆଶୀର୍ବାଦ କରିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri