କରୋନା ଓ ଅସ୍ପୃଶ୍ୟ ମଣିଷ

ଗଣେଶ୍ୱର ନାୟକ

ଭାରତରେ ଇଂରେଜମାନଙ୍କୁ ତଡ଼ିବା ପାଇଁ ମହାତ୍ମା ଗାନ୍ଧୀ ଯେଉଁ ବିଶାଳ ଆନ୍ଦୋଳନ ଚଳାଇଥିଲେ, ଅସ୍ପୃଶ୍ୟତା ନିବାରଣ ଆନ୍ଦୋଳନ ବି ଏହି ଆନ୍ଦୋଳନର ଏକ ଅଂଶ ଥିଲା। ସେ ସମସ୍ତଙ୍କୁ ବୁଝାଇବାକୁ ଲାଗିଥିଲେ, ସବୁ ମଣିଷ ହରିଙ୍କ ସନ୍ତାନ, ସଭିଏ ଅମୃତର ସନ୍ତାନ, କାହାକୁ ଛୁଆଁ ଅଛୁଆଁ ଭେଦଭାବ କରିବାର ଅଧିକାର ମଣିଷର ନାହିଁ। ସର୍ବ ଧର୍ମର ସାର ହେଉଛି ମାନବତାବାଦ। ସେହି ମାନବତାବାଦ ଆଧାରରେ କିପରି କିଛି ମଣିଷକୁ ଅସ୍ପୃଶ୍ୟ କରି ଅଣଦେଖା କରି ସମାଜର ମୁଖ୍ୟ ସ୍ରୋତରୁ ଦୂରେଇ ଦେବା?
ଏହି ଆନ୍ଦୋଳନ କେତେବେଳେ ଅଠର ଖିଅ ପଇତାର ଦାୟରେ ତ, କେତେବେଳେ ବାରହାତ ଖଣ୍ଡାର ଦାୟରେ ବାଁ ଡାଁ ହୋଇଯାଉଥିଲେ ମଧ୍ୟ ଗୀତା, ଭାଗବତର ସାର ମର୍ମକୁ ତୋଳିଧରିଥିଲା, ଯାହା କି ‘ମଣିଷ ଦେହେ ଦିବ୍ୟ ଜ୍ଞାନ, ଦେଖି ସନ୍ତୋଷ ଭଗବାନ’। ସମାଜ ଚଳାଇବାରେ ସବୁ କର୍ମର ଆବଶ୍ୟକ।  ସେହି କାର୍ଯ୍ୟର ଆଧାର ମଣିଷ, ମଣିଷ ମଧ୍ୟରେ ବିଭେଦ ନୁହେଁ। ସେ ବୁଝାଉ ଥିଲେ ମା’ଟିଏ ମଧ୍ୟ ତାହାର ସନ୍ତାନର ମଇଳାକୁ ହାତରେ ସଫା କରେ। ଏହି ଆନ୍ଦୋଳନକୁ ଓଡ଼ିଶାରେ ମା’ ରମାଦେବୀ, ସରଳା ଦେବୀ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ ଆଦି ଅନେକ ଆଗକୁ ନେଇଯାଇଥିଲେ। ଉତ୍କଳମଣି ଗୋପବନ୍ଧୁ ତ ମଣିଷ, ମଣିଷ ମଧ୍ୟରେ ବିଭେଦକୁ ତ୍ୟାଗ କରିବାକୁ ଯାଇ ନିଜର ପଇତାକୁ ମଧ୍ୟ ତ୍ୟାଗ କରି ଦେଇଥିଲେ। ପରୋପକାରରେ ହିଁ ଉତ୍ତମ ମଣିଷର ସଂଜ୍ଞା ନିହିତ। ଧର୍ମ ଆଧାରରେ, ଜାତି ଆଧାରରେ, ବର୍ଣ୍ଣ ଆଧାରରେ ମଣିଷ, ମଣିଷ ମଧ୍ୟରେ ବିଭେଦ ସୃଷ୍ଟି ହେଲେ ସମାଜର ଉନ୍ନତି କିପରି ସମ୍ଭବ?
କରୋନା ଭୂତାଣୁ ଆଜି ବିଶ୍ୱ ମାନବକୁ ଅସ୍ପୃଶ୍ୟତା ଭିତରକୁ ଠେଲି ଦେଇଛି, ମହତ ଆଦର୍ଶକୁ ପାଥେୟ କରି ନୁହେଁ, ସ୍ବଜୀବନକୁ ଭଲ ପାଇବାରେ, ସମସ୍ତେ, ସମସ୍ତଙ୍କ ପାଇଁ ଅସ୍ପୃଶ୍ୟ।  ପଣ୍ଡିତ ହୁଅନ୍ତୁ, ମୂର୍ଖ ହୁଅନ୍ତୁ, ଜ୍ଞାନୀ ହୁଅନ୍ତୁ, ମାନୀ ହୁଅନ୍ତୁ, ଶିକ୍ଷିତ ହୁଅନ୍ତୁ ବା ଅନ୍ୟ କିଛି, କହିଲେ ଏକ ଭୂତାଣୁ ସମସ୍ତଙ୍କୁ ଜଣାଇଦେଲା ତୁ କେବଳ ନିରୁତା ମଣିଷଟାଏ। ସମାଜରେ ସମସ୍ତଙ୍କର ସମାନ ଅଧିକାର, ଆଉ ମୋତେ ପ୍ରତିହତ କରିବା ପାଇଁ ସବୁ ମଣିଷ ପାଇଁ ସମାନ ପ୍ରକ୍ରିୟା ଆପଣେଇବାକୁ ପଡ଼ିବ। ଭୋଗୀ ସିନା ଆପଣାଏ ବହୁ ବାଛ ବିଚାର, ଆଉ କରୋନା ପାଖରେ ସଭିଏ ସମାନ, କି ମାନୀ, କି ଧନୀ, କି ଆସ୍ତିକ, କି ନାସ୍ତିକ। ନିଜକୁ ସମ୍ମାନ ଦେଉଥିବା ମଣିଷ ହିଁ ଅନ୍ୟକୁ ସମ୍ମାନ ଦେଇପାରେ। ସ୍ବ ସାମର୍ଥ୍ୟକୁ କଳି ପାରୁଥିବା ମଣିଷ ହିଁ, ଅନ୍ୟର ସାମର୍ଥ୍ୟକୁ ସମ୍ମାନ ଦେବାରେ ସମର୍ଥ ହୁଏ। ସକାରାତ୍ମକ ଭିତିରେ ବିଚାର କଲେ, ସବୁ ମଣିଷ ସମାନ ପ୍ରକ୍ରିୟାରେ ଏ ଧରାକୁ ଆସିଥାନ୍ତି, ସମାନ ପ୍ରକ୍ରିୟାରେ ମଧ୍ୟ ଏ ଧରାରୁ ବିଦାୟ ନେଇଥାନ୍ତି।
ଆଜି ଖୁସି ଲାଗେ ଏ କରୋନା ଯୁଦ୍ଧର ଯୋଦ୍ଧା ତଳ ସ୍ତରର କର୍ମଚାରୀଙ୍କୁ ଯେପରି ସମ୍ବର୍ଦ୍ଧିତ କରାଯାଉଛି।
ସେମାନେ ସାରା ସଂସାରକୁ ସ୍ବଚ୍ଛତାରେ ଭରି ଦିଅନ୍ତି।
ସେମାନଙ୍କ ଅନୁପସ୍ଥିତିରେ ଆମେ ଘରୁ ବାହାରିବା, ରାସ୍ତାରେ ଚାଲିବା ଅସମ୍ଭବ ହୋଇ ଉଠନ୍ତା। କିନ୍ତୁ ସମାଜ ଅନେକ ଯୁଗ ହେଲା ସେମାନଙ୍କୁ ଆର୍ଥିକ, ସାମାଜିକ ସ୍ତରରେ ବହୁ ଅବହେଳା କରି ଆସିଛି। ସବୁ ମଣିଷ ଆତ୍ମ ସମ୍ମାନର ସହିତ ବଞ୍ଚତ୍ବାକୁ ଚାହେଁ। ଆମର ଆତ୍ମ ସମ୍ମାନ କ୍ଷୁଣ୍ଣ ହେଲେ, ଆମ ମନରେ ଅନେକ ଆଘାତ ସୃଷ୍ଟି ହୁଏ। ଆମେ ଯେପରି ସମାଜଠାରୁ ସମ୍ମାନ ଆଶା କରୁ, ଅନ୍ୟମାନେ ସେପରି ସମାଜଠାରୁ ସମାନ ସମ୍ମାନ ଆଶା କରନ୍ତି। ଆମର କେଉଁ ଅଧିକାର ଅଛି କାହାକୁ ଅଛୁଆଁ ବୋଲାଇବାରେ। ଅନେକ ବର୍ଷ ଧରି, ଆମର କେଉଁ ଅଧିକାର ଅଛି କାହାକୁ ଠାକୁର ଦର୍ଶନ କରିବାରେ, ମନ୍ଦିରକୁ ଯିବାରେ ବାଧା ଦେବାକୁ ? ସତରେ କ’ଣ ଆମେ, ଜନ୍ମ ହେଲା ବେଳେ ସୁନା ଚାମଚ ପାଟିରେ ଧରି ଆସିଥିଲେ ନା ସୌଭାଗ୍ୟବଶତଃ ସମାଜ ବୋଲାଉଥିବା ଏକ ଉଚ୍ଚ ଜାତିରେ ଜନ୍ମ ହୋଇଯାଇଛେ?
ଉପଯୁକ୍ତ ଶିକ୍ଷା ଓ ଆର୍ଥିକ ଦିଗରେ ସ୍ବଚ୍ଛଳତା ହିଁ ସବୁ ମଣିଷର ସ୍ବାଭିମାନକୁ କିଛି ମାତ୍ରାରେ ଊର୍ଦ୍ଧ୍ୱକୁ ତୋଳିଧରେ। ସୁକର୍ମ ହିଁ ମଣିଷର ପରିଚୟ ସୃଷ୍ଟିକରେ, ଜାତି ନୁହେଁ, ବର୍ଣ୍ଣ ନୁହେଁ। ବିଜ୍ଞଜନଙ୍କ ସେଦିନର ଆହ୍ବାନ, ମଣିଷ ପରସ୍ପରକୁ ଛୁଇଁବାକୁ, ଆଜି କରୋନାର ତାଡ଼ନାରେ ସମୟର ଆହ୍ବାନ ମଣିଷ ପରସ୍ପର ନ ଛୁଇଁବାକୁ। ସେଦିନର ଅଛୁଆଁ ମନର ଭାବନା ମାତ୍ର, ଆଜିର ପରସ୍ପରକୁ ଅଛୁଆଁ ବିଜ୍ଞାନ ସମ୍ମତ..।

ସିଷ୍ଟମ୍‌ ଆଡ୍‌ମିନ,
ଜୀବନ ବୀମା କାର୍ଯ୍ୟାଳୟ, ଯାଜପୁର
ମୋ-୯୭୭୭୭୪୯୭୨୭


Enter your email to get our daily news in your inbox.

All Right Reserved By Dharitri.Com

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

କୃତ୍ରିମ ବୁଦ୍ଧିମତ୍ତା ଓ ମାନବ ଅଧିକାର

ନିକଟରେ ଜଣେ ମହିଳା ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଥିଲେ ଯେ ସେ ଗୋଟିଏ ଆପ୍‌ରେ ଶାଢ଼ିପିନ୍ଧା ଫଟୋ ଅପ୍‌ଲୋଡ କରି ପରିବର୍ତ୍ତିତ ଫଟୋ ଦେଖି ତାଜୁବ ହୋଇଗଲେ। ଏହି...

ଅସୁରକ୍ଷିତ ସ୍କୁଲପିଲା

ଚଳିତବର୍ଷ ନଭେମ୍ବରରେ ନାଇଜେରିଆର ବିଭିନ୍ନ ସ୍କୁଲରୁ ଅନେକ ଶହ ପିଲାଙ୍କୁ ଅପହରଣ କରାଯାଇଥିଲା। ସେହିମାନେ ଏବେ ବନ୍ଦୀ କିମ୍ବା ନିଖୋଜ। ତେବେ ନିକଟରେ ୧୦୦ ଛାତ୍ରଙ୍କୁ...

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...

ବୟସର ଅପରାହ୍ନରେ

କୁହାଯାଏ ମାତାପିତାଙ୍କ ସେବା, ଭକ୍ତି, ଶ୍ରଦ୍ଧା, ସମ୍ମାନ ଦେବତା ପୂଜା ସମ। ମାତ୍ର ବିଡମ୍ୱନା ଯେ ଆଉ ସେ ଆଦର ନାହିଁ, ଶ୍ରଦ୍ଧା ନାହିଁ, ସମ୍ମାନ...

ପ୍ରକୃତି ଉପାସକ ଆଦିବାସୀ

ପ୍ରାଚୀନ ଯୁଗରୁ ଆଦିବାସୀ ସମ୍ପ୍ରଦାୟଗୁଡ଼ିକ ସ୍ୱାଧୀନ ଭାବେ ଜୀବନଯାପନକରି ଆସୁଛନ୍ତି। ସେମାନଙ୍କୁ ଜଙ୍ଗଲୀ ଓ ଆଦିମ କୁହାଯାଇ ଗାଁ, ରାଜ୍ୟ,ସାମ୍ରାଜ୍ୟରୁ ଦୂରେଇ ରଖାଯାଇଛି। ଫଳରେ ସେମାନେ...

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri