ରାୱଲପିଣ୍ଡି,୧୯।୧୧:ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ରାୱଲପିଣ୍ଡିରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳାଯାଉଛି। ମ୍ୟାଚ୍ର ତୃତୀୟ ଦିନ ସୁଦ୍ଧା ପାକିସ୍ତାନୀ ବୋଲରଙ୍କ ପକ୍ଷରୁ ଅନେକ ନୋ-ବଲ ଦେଖିବାକୁ ମିଳିଛି। ତେବେ ଏହା କେବଳ ଏହି ଟେଷ୍ଟର ସମସ୍ୟା ନୁହେଁ। ଚଳିତ ବର୍ଷ ଟେଷ୍ଟ କ୍ରିକେଟ୍ରେ ସର୍ବାଧିକ ନୋ-ବଲ ପକାଇବା ତାଲିକାରେ ପାକିସ୍ତାନ ଏକ ଅଲୋଡ଼ା ରେକର୍ଡ କରିଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ୯ଟି ଟେଷ୍ଟ ମ୍ୟାଚ୍ରେ ପାକିସ୍ତାନୀ ବୋଲରମାନେ ମୋଟ ୧୦୬ଟି ନୋ-ବଲ ପକାଇଛନ୍ତି। ଏହା ସହ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଟେଷ୍ଟ କ୍ରିକେଟ୍ରେ ସର୍ବାଧିକ ନୋ-ବଲ ପକାଇବାର ଅଲୋଡ଼ା ବିଶ୍ୱ ରେକର୍ଡ ପାକିସ୍ତାନ ନାମରେ ହୋଇଛି।
ଏହି ତାଲିକାରେ ବାଂଲାଦେଶ ୫୪ଟି ନୋ-ବଲ ସହ ଦ୍ୱିତୀୟ ସ୍ଥାନରେ ରହିଛି। ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ନୋ-ବଲ ସଂଖ୍ୟାର ବ୍ୟବଧାନ ପ୍ରାୟ ଦୁଇଗୁଣ। ଏହି ପରିସଂଖ୍ୟାନ ପାକିସ୍ତାନୀ ବୋଲରଙ୍କ ବୋଲିଂ ଶୃଙ୍ଖଳାକୁ ନେଇ ପ୍ରଶ୍ନ ଉଠାଇଛି। ନୋ-ବଲ ପାଇଁ ସମାଲୋଚନାର ସମ୍ମୁଖୀନ ହୋଇଥିଲେ ମଧ୍ୟ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ପାକିସ୍ତାନୀ ବୋଲରମାନେ ଦମ୍ଦାର ପ୍ରଦର୍ଶନ କରିଥିଲେ। ପାକିସ୍ତାନ ଶ୍ରୀଲଙ୍କାକୁ ମାତ୍ର ୯୮ ରନ୍ରେ ଅଲଆଉଟ କରିଦେଇଥିଲା। ମହମ୍ମଦ ଆବାସ, ରଜାଉଲ୍ଲା ଓ ଆମେର ଜମାଲ ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ସାକିବ ଖାନ ଗୋଟିଏ ୱିକେଟ ହାସଲ କରିଥିଲେ।
ଏହାର ଜବାବରେ ପାକିସ୍ତାନ ପ୍ରଥମ ଇନିଂସରେ ୩୨୫ ରନ କରି ଅଲଆଉଟ ହୋଇଥିଲା। ଫଳରେ ଦଳ ୨୨୭ ରନ୍ର ଅଗ୍ରଣୀ ହାସଲ କରିଥିଲା। ଉଇକେଟକିପର ବ୍ୟାଟର ଗାଜି ଘୋରୀ ୪ଟି ଚୌକା ସହ ସର୍ବାଧିକ ୫୪ ରନ କରିଥିଲେ। ଓପନର ଅଜାନ ଆୱେସ ୪୭ ଓ ତୈୟବ ଆରିଫ ୪୬ ରନ୍ର ଉପଯୋଗୀ ଇନିଂସ ଖେଳିଥିଲେ। ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ ଡ୍ର’ରେ ଶେଷ ହୋଇଥିଲା। ତେଣୁ ଦ୍ୱିତୀୟ ଟେଷ୍ଟ ଜିତୁଥିବା ଦଳ ସିରିଜ ହାତେଇବ। ଏହା ପୂର୍ବରୁ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ପାକିସ୍ତାନ ୨-୧ରେ ଜିତିଥିଲା। ପ୍ରଥମ ମ୍ୟାଚ୍କୁ ୪ ଉଇକେଟ ଓ ଦ୍ୱିତୀୟ ମ୍ୟାଚକୁ ୮୨ ରନ୍ରେ ଜିତିଥିବାବେଳେ ଶ୍ରୀଲଙ୍କା ତୃତୀୟ ମ୍ୟାଚକୁ ୮ ଉଇକେଟ୍ରେ ଜିତିଥିଲା।
Dharitri – Odisha’s No.1 Odia Daily

