ପାଟଣା,୧୯।୧୧: ବିହାରର ଅରରିଆ ଜିଲାରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ସ୍କର୍ପିଓ ନିୟନ୍ତ୍ରଣ ହରାଇ କେନାଲକୁ ଖସିପଡ଼ି ଥିଲା। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ସମସ୍ତେ ସୁପୌଲ ଜିଲାର ଥୁମହା ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି। ଏପରିକି ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ମୁତାବକ, ତାରାବାଡ଼ି ଥାନା ଅନ୍ତର୍ଗତ ବିଡ଼ି ପୋଲ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା। ସ୍କର୍ପିଓରେ ୭ ଜଣ ଯାତ୍ରୀ ଥିଲେ। ସେମାନେ ସିକଟିର ଭପଟିଆ ଅଞ୍ଚଳରେ ଆୟୋଜିତ ଏକ ତିଳକ ସମାରୋହରୁ ଫେରୁଥିଲେ। ହେଲେ ଗାଡ଼ିଟି ଭାରସାମ୍ୟ ହରାଇ ପୋଲର ବାଡ଼ ଭାଙ୍ଗି ମରିଆ କେନାଲକୁ ଖସିପଡ଼ିଥିଲା।
ଦୁର୍ଘଟଣାର ଶବ୍ଦ ଶୁଣି ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ରଶି ସାହାଯ୍ୟରେ କେନାଲରେ ବୁଡ଼ିଥିବା ଗାଡ଼ିକୁ ବାନ୍ଧି ରଖିଥିଲେ। ଖବର ପାଇ ପୋଲିସ ପହଞ୍ଚିବା ପରେ ଜେସିବି ସାହାଯ୍ୟରେ ସ୍କର୍ପିଓକୁ ପାଣିରୁ ବାହାର କରିଥିଲା। ପରେ ଗାଡ଼ି ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲ ପଠାଯାଇଥିଲା। ହେଲେ ସେଠାରେ ଡାକ୍ତର ୬ଜଣଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ମଧ୍ୟରେ ୪ଜଣ ନାବାଳକ ଥିବା ସୂଚନା ମଳିଛି।
ମୃତକ ହେଲେ କୁନ୍ଦନ ଯାଦବ(୨୮), ମୁନ୍ନା କୁମାର(୨୨), ଆଦିତ୍ୟ(୨୦), ଯଶ କୁମାର(୧୬), ଆର୍ଯ୍ୟନ(୧୫) ଓ ସୌରଭ(୧୫)। ଏକାସାଙ୍ଗରେ ୬ଜଣଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

