ଭୁବନେଶ୍ୱର,୧୯ା୧୧: ବାତ୍ୟା ‘ଅକ୍ୱାନ’ ଆସନ୍ତାକାଲି ଅର୍ଥାତ୍ ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଗୋପାଳପୁରଠାରେ ଲ୍ୟାଣ୍ଡ୍ଫଲ୍ କରିବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ରହିବା ସହ ଝଟ୍କା ପବନର ବେଗ ୧୧୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ତେବେ ବାତ୍ୟା ‘ଅକ୍ୱାନ’ ଲ୍ୟାଣ୍ଡ୍ଫଲ୍ ପରେ ଓଡ଼ିଶାରେ କ’ଣ ପ୍ରଭାବ ପକାଇବ ସେନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏକ ବଡ଼ ସୂଚନା ଦେଇଛନ୍ତି।
ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଗତି କରି ସୋମବାର ସକାଳ ୫ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ୧୪.୫ ଡିଗ୍ରୀ ଉତ୍ତର ଅକ୍ଷାଂଶ ଓ ୮୫.୩ ଡିଗ୍ରୀ ପୂର୍ବ ଦ୍ରାଘିମା ନିକଟରେ କେନ୍ଦ୍ରୀଭୂତ ହୋଇଛି। ଏହା ଆନ୍ଧ୍ରପ୍ରଦେଶର ନରସାପୁରଠାରୁ ଦକ୍ଷିଣ-ପୂର୍ବକୁ ପ୍ରାୟ ୪୪୦ କିଲୋମିଟର, କଳିଙ୍ଗପଟନମ୍ଠାରୁ ଦକ୍ଷିଣ-ପୂର୍ବକୁ ୪୪୦ କିଲୋମିଟର, ତାମିଲନାଡୁର ଚେନ୍ନାଇଠାରୁ ପୂର୍ବ-ଉତ୍ତର-ପୂର୍ବକୁ ୫୮୦ କିଲୋମିଟର, ଓଡ଼ିଶାର ଗୋପାଳପୁରଠାରୁ ଦକ୍ଷିଣକୁ ୪୯୦ କିଲୋମିଟର ଏବଂ ପୁରୀଠାରୁ ଦକ୍ଷିଣକୁ ୫୯୦ କିଲୋମିଟର ଦୂରରେ ରହିଛି।
ଆଇଏମ୍ଡି କହିଛନ୍ତି, ବାତ୍ୟା ଅକ୍ୱାନ ଲ୍ୟାଣ୍ଡ୍ଫଲ୍ କରିବା ପରେ ଏହା ଉତ୍ତର ଏବଂ ଉତ୍ତର ପୂର୍ବ ଦିଗକୁ ଗତି କରିପାରେ। ବିଶେଷ କରି ଏହାର ପ୍ରଭାବ ଦକ୍ଷିଣ ଓଡ଼ିଶାର ଜିଲା ଗଞ୍ଜାମ, ଗଜପତି, ପୂର୍ବ ଓଡ଼ିଶାର ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଏବଂ ଉତ୍ତର ଓଡ଼ିଶାର ବାଲେଶ୍ୱର, ଭଦ୍ରକ ଏବଂ ମୟୂରଭଞ୍ଜ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ ବୋଲି ଆଇଏମ୍ଡି ଡିଜି କହିଛନ୍ତି। ୧୯ ଏବଂ ୨୦ରେ ସବୁଠାରୁ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

