୧ ପ୍ରତିଶତ ପାଖେ ୪୦

ଭାରତରେ ଥିବା ୧ ପ୍ରତିଶତ ଧନୀ ବ୍ୟକ୍ତିଙ୍କ ପାଖରେ ଦେଶ ସମ୍ପତ୍ତିର ୪୦ ଭାଗ ରହିଛି। ଅନ୍ୟପକ୍ଷରେ ୫୦ ପ୍ରତିଶତ ଲୋକଙ୍କ ନିକଟରେ ମାତ୍ର ୩ ପ୍ରତିଶତ ସମ୍ପତ୍ତି ଅଛି। ସୁଇଜରଲାଣ୍ଡର ଡାଭୋସ୍‌ଠାରେ ବିଶ୍ୱ ଅର୍ଥନୈତିକ ଫୋରମ୍‌ (ଡବ୍ଲ୍ୟୁଇଏଫ୍‌)ର ବାର୍ଷିକ ବୈଠକରେ ଅକ୍ସଫାମ୍‌ ଇଣ୍ଟରନ୍ୟାଶନାଲ ପକ୍ଷରୁ ଭାରତ ସମ୍ପର୍କରେ ପ୍ରକାଶ କରାଯାଇଥିବା ରିପୋର୍ଟରୁ ଏହା ଜଣାପଡ଼ିଛି। ମହାମାରୀଠାରୁ ନଭେମ୍ବର ୨୦୨୨ ମଧ୍ୟରେ ଭାରତର ଅତି ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି ୧୨୧ ପ୍ରତିଶତ ବା ଦୈନିକ ୩, ୬୦୮ କୋଟି ଟଙ୍କା ବୃଦ୍ଧି ପାଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଭାରତର ସର୍ବାଧିକ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି ୨୦୨୨ରେ ୪୬ ପ୍ରତିଶତ ବଢ଼ିଯାଇଥିବା ବିଷୟ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଏହି ପରିପ୍ରେକ୍ଷୀରେ ଅକ୍ସଫାମ୍‌ ଇଣ୍ଡିଆ ପକ୍ଷରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କୁ ନିବେଦନ କରାଯାଇଛି ଯେ, ସରକାର ଏଭଳି ଅସ୍ବାଭାବିକ ଅସମାନତାକୁ ଶେଷ କରନ୍ତୁ ଏବଂ ଆସନ୍ତା ବଜେଟରେ ସମ୍ପତ୍ତି କର (ଓ୍ବେଲ୍‌ଥ ଟାକ୍ସ) ଏବଂ ଇନିହେରିଟାନ୍ସ ଟାକ୍ସ (ଦାୟଦ ଭାବେ ଉପହାର ସୂତ୍ରରେ ପାଇଥିବା ସମ୍ପତ୍ତି ଉପରେ ଟିକସ) ଭଳି ପ୍ରଗତିଶୀଳ ଟିକସ ବ୍ୟବସ୍ଥା ଲାଗୁ କରିବାକୁ ପ୍ରସ୍ତାବ ଦିଆଯାଇଛି। ଗରିବ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ସକାଶେ ଅଧିକ ଖର୍ଚ୍ଚ କରୁଥିବାରୁ ଆନୁପାତିକ ଦୃଷ୍ଟିରୁ ସେମାନେ ଅଧିକ ଟିକସ ଦେଉଛନ୍ତି। ତେଣୁ ଧନୀ ଲୋକମାନେ ସେମାନଙ୍କ ସମ୍ପତ୍ତି ଅନୁଯାୟୀ ଟିକସ ଦେଇପାରିଲେ ଦେଶରେ ଅସମାନତା ଦୂର କରିବା ଦିଗରେ ଏହା ସହାୟକ ହୋଇପାରିବ ବୋଲି ଅକ୍ସଫାମ୍‌ ପକ୍ଷରୁ ଯାହା କୁହାଯାଇଛି, ତାହାକୁ ତର୍ଜମା କରାଯିବା ଆବଶ୍ୟକ।
ତେବେ ଭାରତ ଭଳି ଦେଶରେ ସମ୍ପତ୍ତି ଟିକସ ପରି କର ବ୍ୟବସ୍ଥା ଲାଗୁ କରାଯିବା ପୂର୍ବରୁ କେତେକ ଦିଗକୁ ଦୃଷ୍ଟି ଦେବା ଦରକାର। ଉଦ୍ୟୋଗୀମାନେ ନା ଯେ କେବଳ ଅନ୍ୟମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରନ୍ତି, ଏଥିସହିତ ରାଷ୍ଟ୍ରର ଅର୍ଥନୀତିକୁ ସେମାନଙ୍କ ଯୋଗଦାନ ରହିଆସିଛି। ମଧ୍ୟମ ଓ ଅଭିବୃଦ୍ଧିଶୀଳ ଶିଳ୍ପ ଏବଂ ଉଦ୍ୟେଗୀଙ୍କୁ ଏଭଳି ସମ୍ପତ୍ତି ଟିକସ ଅଧୀନରେ ଅଣାଗଲେ ଔଦ୍ୟୋଗିକ ସ୍ପୃହାକୁ କ୍ଷତି ପହଞ୍ଚତ୍ବ। ମନେପଡ଼େ କୋଭିଡ୍‌-୧୯ଜନିତ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ଯୋଗୁ ଅନେକ ଶିଳ୍ପସଂସ୍ଥାରେ ତାଲା ପଡ଼ିଯିବା ଘଟଣା। ଲୌକିକ ସ୍ତରରେ ବଡ଼ ଦେଖାଯାଉଥିବା କର୍ପୋରେଟ୍‌ ସଂସ୍ଥା ମଧ୍ୟ ସେତେବେଳେ ଆର୍ଥିକ ସ୍ଥିତିକୁ ସମ୍ଭାଳି ରଖିବା ପାଇଁ ବହୁ କର୍ମଚାରୀଙ୍କୁ ଏକକାଳୀନ ଛଟେଇ କରିଥିଲେ। ଆହୁରି ଅନେକ ସଂସ୍ଥା ଦରମା ହ୍ରାସ, ଓଭରଟାଇମ୍‌ କାଟିବା ଓ ସାମୟିକ କାମ ଦେବା ଭଳି ଖର୍ଚ୍ଚକାଟ ନୀତି ଆପଣାଇଥିଲେ। ଏହାର ପ୍ରଭାବ କର୍ମଚାରୀ ଓ ସେମାନଙ୍କ ପରିବାର ଉପରେ ପଡ଼ିଥିଲା। ସାଧାରଣରେ ସମ୍ପତ୍ତି ଟିକସ ବସାଗଲେ ଏହା ନକାରାତ୍ମକ ଫଳ ଦେବ। ଦେଶର ଯେଉଁ ୧ ପ୍ରତିଶତ ବ୍ୟକ୍ତି ୪୦ ପ୍ରତିଶତ ଧନକୁ ମାଡ଼ି ବସିଛନ୍ତି, ବିଶେଷକରି ସେମାନଙ୍କୁ ସମ୍ପତ୍ତି ଟିକସ ଅଧୀନରେ ଅଣାଯିବା ପାଇଁ ତାହାର ଅର୍ଥନୈତିକ ବ୍ରାକେଟ୍‌ର ସଂଜ୍ଞା ନିରୂପଣ କରାଯିବା ଦରକାର। ଏଥିରେ ଅନ୍ୟ ଦିଗ ଯଥା-ସରକାରୀ ସୁବିଧା ନେଇ ଗଢ଼ି ଉଠିଥିବା ଶିଳ୍ପ, ପ୍ରାକୃତିକ ସମ୍ବଳ ଉପରେ ନିର୍ଭରଶୀଳ ଏବଂ ପରିବେଶକୁ ଘୋର ପ୍ରଭାବିତ କରୁଥିବା ଶିଳ୍ପ ଉପରେ ଅଧିକ ଜୋର ଦିଆଯିବା ଆବଶ୍ୟକ।
କୌଣସି ଏକ ରାଷ୍ଟ୍ରର ବିକାଶ ଲାଗି ଧନୀ ବ୍ୟକ୍ତିଙ୍କ ଆବଶ୍ୟକତା ରହିଛି। କାରଣ ସେମାନେ ସମ୍ପତ୍ତି ସୃଷ୍ଟିକାରୀ ହୋଇପାରୁଥିବାରୁ ଅସଂଖ୍ୟ ଲୋକ ଉପକୃତ ହୋଇଥାଆନ୍ତି। ଶିଳ୍ପର ବିକାଶ ଘଟିଲେ ଅନେକ ଲୋକ ନିଯୁକ୍ତି ସୁଯୋଗ ପାଇପାରିଥାଆନ୍ତି। ହେଲେ ଆଜିର ସମୟରେ ଅଳ୍ପ କିଛି ବ୍ୟକ୍ତିଙ୍କ ପାଖରେ ପ୍ରବଳ ଧନ ଏକତ୍ରିତ ହୋଇଯାଉଥିବାରୁ ତାହାର ସୁଫଳ ଅନ୍ୟାନ୍ୟ ବିଶେଷକରି ଗରିବ ଶ୍ରେଣୀର ଲୋକଙ୍କ ପାଖରେ ପହଞ୍ଚତ୍ ପାରୁନାହିଁ। ଏଥିପାଇଁ ସରକାରୀ ନୀତି ଓ ପ୍ରଶାସନିକ ସ୍ତରରେ ରହିଥିବା ଉଚ୍ଚପଦାଧିକାରୀ ଦାୟୀ। ଆଜିର ଭାରତରେ ଧନଶାଳୀ ବ୍ୟକ୍ତିଙ୍କ କାର୍ଯ୍ୟ ସୁରୁଖୁରୁରେ କରିବା ଲାଗି ବ୍ୟବସ୍ଥା ଓ ସେଥିରେ ଥିବା ବ୍ୟକ୍ତିମାନେ ଆଗ୍ରହ ପ୍ରକାଶ କରିଥାଆନ୍ତି। ଉଦ୍ୟୋଗୀ ହେବାକୁ ଚାହୁଁଥିବା ପ୍ରତିଭାସମ୍ପନ୍ନ ଯୁବତୀ ବା ଯୁବକଙ୍କୁ ସମାନ ସୁଯୋଗ ମିଳିପାରୁ ନାହିଁ। ଏହା ବାରମ୍ବାର ବୃହତ୍‌ ପରିମାଣର ଅନାଦାୟ ଋଣ (ଏନ୍‌ପିଏ)ଜନିତ ସ୍କାମ୍‌ରୁ ଦେଖିବାକୁ ମିଳିଛି। ଅସମାନତା କଥା ଦେଖିଲେ ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ଭିତ୍ତିଭୂମିରେ ମଧ୍ୟ ଘୋର ତାରତମ୍ୟ ରହିଛି। ଜନସାଧାରଣଙ୍କୁ ଠିକ୍‌ ଭାବେ ସରକାରୀ ସ୍ବାସ୍ଥ୍ୟସେବା ମିଳିପାରୁ ନ ଥିବାରୁ ଅନେକଙ୍କ ଜୀବନ ଯାଉଛି। କର୍ପୋରେଟ୍‌ ହସ୍‌ପିଟାଲରେ ସାଧାରଣ ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହେବା ସ୍ବପ୍ନ। ଅନୁରୂପ ଭାବେ ଦେଖିଲେ ଶିକ୍ଷା ବ୍ୟବସ୍ଥା ମଧ୍ୟ ଧନୀମାନଙ୍କ ଦ୍ୱାରା ପରିଚାଳିତ ହେଉଛି। କୋଭିଡ୍‌-୧୯ ବେଳେ ଅନ୍‌ଲାଇନ୍‌ ଶିକ୍ଷା ପ୍ରଦାନ ସମୟରେ ଧନୀ-ଦରିଦ୍ର ଓ ସହରାଞ୍ଚଳ-ଗ୍ରାମାଞ୍ଚଳ ପିଲାଙ୍କ ମଧ୍ୟରେ ବ୍ୟବଧାନ ଫୁଟି ବାହାରିଥିଲା। ସମାଜର ପ୍ରତି କ୍ଷେତ୍ରରେ ଅସମାନତା ବୃଦ୍ଧି ପାଉଥିବାରୁ ତାହାର ଚାପ ତଳ ସ୍ତରର ଲୋକଙ୍କ ଉପରେ ପଡ଼ୁଛି। କୁହାଯାଇପାରେ ଯେ, ସରକାରଙ୍କ ଦ୍ୱାରା ବିନାମୂଲ୍ୟରେ ଖାଦ୍ୟଶସ୍ୟ ଓ ଅନ୍ୟାନ୍ୟ ବ୍ୟବହାରଯୋଗ୍ୟ ସାମଗ୍ରୀ ବଣ୍ଟାଯାଉଛି। ଦେଖିବାକୁ ଗଲେ ଏକ ଜନକଲ୍ୟାଣକାରୀ ରାଷ୍ଟ୍ରରେ ତାହା ସରକାରୀ କର୍ତ୍ତବ୍ୟ ଭାବେ ଧରାଯାଇଥାଏ। ତେଣୁ ଅସମାନତା ଦୂର କରିବାକୁ ହେଲେ ଭାରତ ଭଳି କୃଷିପ୍ରଧାନ ଦେଶରେ ନିର୍ଦ୍ଦିଷ୍ଟ କୃଷିଭିତ୍ତିକ ନୀତି ପ୍ରଣୟନ କରାଯିବା ଉଚିତ। ଛୋଟ ଛୋଟ ଉଦ୍ୟୋଗୀଙ୍କୁ ଠିକ୍‌ ଭାବେ ପ୍ରୋତ୍ସାହନ ଦିଆଗଲେ ଭାରତରେ ସାମଗ୍ରୀ ଉତ୍ପାଦନ ବଢ଼ିପାରନ୍ତା। ଏକ ଖାଉଟି ଦେଶ ଭାବେ ପରିଚୟ ଲାଭ କରି ଆସିଥିବା ଭାରତ ଉତ୍ପାଦଶୀଳ ରାଷ୍ଟ୍ର ହୋଇପାରିଲେ ଦେଶବାସୀ ଆତ୍ମନିର୍ଭର ହେବା ସହିତ ଉତ୍ପାଦିତ ଦ୍ରବ୍ୟ ରପ୍ତାନି କରି ଲାଭାନ୍ବିତ ହୋଇପାରିବେ। ଏସବୁ ଲାଗି ଦୃଢ଼ ଆର୍ଥିକ ନୀତି ପ୍ରଣୟନ କରିବା ଆବଶ୍ୟକ। ବିମୁଦ୍ରୀକରଣ ଭଳି ଅର୍ଥନୈତିକ ଅସ୍ତ୍ର ବ୍ୟବହାର କରାଯିବା ପୂର୍ବରୁ ଯେଭଳି ବିଚାରବିମର୍ଶର ଆବଶ୍ୟକତା ରହିଥିଲା, ସେହିପରି ଆର୍ଥିକ ନିଷ୍ପତ୍ତି ନିଆଯିବା ଆଗରୁ ଉପଯୁକ୍ତ ଆଲୋଚନା ଓ ସମୀକ୍ଷା ହେବା ଦରକାର। ବିମୁଦ୍ରୀକରଣ ଭଳି ପଦକ୍ଷେପ ଅସମାନତାକୁ ଦୂର କରିବା ପରିବର୍ତ୍ତେ ଧନୀ-ଗରିବ ବ୍ୟବଧାନକୁ ଅଧିକ ବଢ଼ାଇ ଦେଇଥିଲା। କ୍ଷୁଦ୍ର ଓ ଅଣସଙ୍ଗଠିତ କ୍ଷେତ୍ର ନଗଦ ରାଶି ଉପରେ ବହୁ ପରିମାଣରେ ନିର୍ଭରଶୀଳ ଥିବାରୁ ସେମାନଙ୍କଠାରେ ଏହାର ନକାରାତ୍ମକ ପ୍ରଭାବ ଅଧିକ ପଡ଼ିଲା। ଅତଏବ ଫ୍ରିବିଜ୍‌ ବା ବିନାମୂଲ୍ୟରେ ସାମଗ୍ରୀ ଯୋଗାଣ କେବେହେଲେ ଆର୍ଥିକ ଅସମାନତାକୁ ଦୂର କରିପାରିବ ନାହିଁ। ସମାଜର ତଳସ୍ତରରେ ଥିବା ଲୋକଙ୍କୁ ସ୍ବାବଲମ୍ବୀ କରିବାକୁ ହେଲେ ଆର୍ଥିକ ନୀତି ଓ ଯୋଜନା ସେମାନଙ୍କ ଉପରେ କେନ୍ଦ୍ରିତ ହେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

ଆନନ୍ଦାନୁଭୂତି

ଉପନିଷଦ ଯୁଗର ଦିବ୍ୟଦ୍ରଷ୍ଟା ମହାନ୍‌ ଋଷିଗଣ ମାନବ ଜୀବନର ଅନ୍ତିମ ଲକ୍ଷ୍ୟ ନିର୍ଦ୍ଧାରଣକରି କହିଛନ୍ତି,‘ପରମାନନ୍ଦ ପ୍ରାପ୍ତି କରିବା।’ ସାଧୁସନ୍ଥ ଓ ଦିବ୍ୟ ପୁରୁଷଗଣ ମନୁଷ୍ୟକୁ ଜୀବନର ଅନ୍ତିମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri