ସାଧାରଣ ନିର୍ବାଚନ ପାଇଁ ଅବଗଣନା

ସୌଭାଗ୍ୟ ସୁନ୍ଦରରାୟ

ଲୋକ ସଭା ନିର୍ବାଚନ ପାଇଁ ଆଉ ଅଳ୍ପ କିଛି ମାସ ବାକି ରହିଛି। ରାଜନୈତିକ ଦଳ ପକ୍ଷରୁ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି ପ୍ରାୟତଃ ଆରମ୍ଭ ହୋଇଗଲାଣି। ଇତିମଧ୍ୟରେ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ଭାରତୀୟ ଜନତା ପାର୍ଟି (ଭାଜପା)କ୍ଷମତା ଦଖଲ କରି କର୍ନାଟକ ବିଫଳତାଜନିତ ନୈରାଶ୍ୟରୁ ବାହାରି ଆସିପାରିଛି। ଦଳର ମନୋବଳ ବୃଦ୍ଧି ପାଇଛି। ୨୦୨୨ରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଚାଲିଥିବା ସମୟରେ ଦୁଇଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଗୁଜରାଟରେ ଭାଜପା ବିପୁଳ ଭୋଟ ପାଇ ପୁନର୍ବାର କ୍ଷମତାସୀନ ହୋଇଥିବାବେଳେ ହିମାଚଳପ୍ରଦେଶ କଂଗ୍ରେସ ଦଖଲକୁ ଆସିଲା। ଚଳିତ ବର୍ଷ ଆରମ୍ଭରେ ମେଘାଳୟ, ନାଗାଲାଣ୍ଡ ଓ ତ୍ରିପୁରାରେ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଶେଷ ସଫଳତା ପାଇପାରିଲା ନାହିଁ। ଏହା ପରେ ୨୦୨୩ରେ ଅନୁଷ୍ଠିତ କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ କ୍ଷମତା ଦଖଲ କଲା। କର୍ନାଟକ ଫଳାଫଳ ଭାଜପାକୁ ଚକିତ କରିଥିଲା। ନିକଟରେ ଅନୁଷ୍ଠିତ ରାଜସ୍ଥାନ, ଛତିଶଗଡ଼, ତେଲଙ୍ଗାନା ଓ ମଧ୍ୟପ୍ରଦେଶ ନିର୍ବାଚନରେ କଂଗ୍ରେସ କେବଳ ତେଲଙ୍ଗାନାରେ କ୍ଷମତାସୀନ ହୋଇଥିବାବେଳେ ଅନ୍ୟ ୩ଟି ଯାକ ରାଜ୍ୟ ହାତଛଡ଼ା କରିଛି। ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ଭାଜପା ନୂଆ ଚେହେରା ମୁଖ୍ୟମନ୍ତ୍ରୀ ଅବସ୍ଥାପିତ କରିଛି। ବିଭିନ୍ନ ବର୍ଗଙ୍କୁ ସନ୍ତୁଷ୍ଟ କଲାଭଳି ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଚୟନ କରାଯାଇଛି।
୨୦୨୨ ଶେଷ ଭାଗରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଜମ୍ମୁ-କଶ୍ମୀରରେ ଶେଷ ହୋଇଥିଲା। ବିଗତ କିଛିବର୍ଷ ମଧ୍ୟରେ ‘ଭାରତ ଯୋଡ଼ୋ’ କଂଗ୍ରେସର ଏକ ବଡ଼ ରାଜନୈତିକ କାର୍ଯ୍ୟକ୍ରମ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ଯାତ୍ରା ୧୨ଟି ରାଜ୍ୟ ଦେଇ ୩୫୦୦ କିଲୋମିଟର ପଥ ଅତିକ୍ରମ କରିଥିଲା। ‘ଭାରତ ଯୋଡ଼ୋ’ ଯାତ୍ରା ସମୟରେ କଂଗ୍ରେସର ନୂତନ ସଭାପତି ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଦୀର୍ଘ ବର୍ଷ ଧରି କଂଗ୍ରେସ ସଭାପତି ଦାୟିତ୍ୱ ତୁଲାଇବା ପରେ ସୋନିଆ ଅବ୍ୟାହତି ନେଇଥିଲେ। କଂଗ୍ରେସର ଯୁଆଳି ପଡ଼ିଥିଲା ମଲ୍ଲିକାର୍ଜୁନ ଖାର୍ଗେଙ୍କ କାନ୍ଧରେ। ମଲ୍ଲିକାର୍ଜୁନ ଜଣେ ଅଭିଜ୍ଞ ରାଜନେତା। ରାହୁଲ ଆରମ୍ଭ କରିଥିବା ଭାରତ ଯୋଡ଼ୋ ଯାତ୍ରା କର୍ନାଟକରେ କଂଗ୍ରେସ ପାଇଁ ସହାୟକ ହୋଇଥିବା ମନେ ହୋଇଥିଲା। କର୍ନାଟକରେ ବିଜୟ ପରେ ଦଳରେ ଏକପ୍ରକାର ଆତ୍ମବିଶ୍ୱାସ ସୃଷ୍ଟି ହେଲା। କିନ୍ତୁ ନିକଟରେ ଅନୁଷ୍ଠିତ ୩ ରାଜ୍ୟରେ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ ଆଗାମୀ ଲୋକ ସଭା ପାଇଁ କଂଗ୍ରେସର ମୂଲଚାଲ ଶକ୍ତି ହ୍ରାସ ପାଇଛି।
ରାଜସ୍ଥାନରେ କଂଗ୍ରେସ ସରକାର ରହିଥିଲା। ଏହି ରାଜ୍ୟର ବିଧାନସଭା ଆସନ ସଂଖ୍ୟା ୨୦୦। କିନ୍ତୁ ଚଳିତ ନିର୍ବାଚନରେ ଭାଜପା ୧୧୫ଟି ଆସନ ପାଇଥିବାବେଳେ କଂଗ୍ରେସ ୬୯ଟି ଆସନ ପାଇଛି। ମଧ୍ୟପ୍ରଦେଶରେ ମଧ୍ୟ ଗତ ନିର୍ବାଚନରେ କଂଗ୍ରେସ ବିଜୟ ଲାଭ କରି ସରକାର ଗଠନ କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନେତୃତ୍ୱରେ ଦଳର ୨୨ ଜଣ ବିଧାୟକ ଇସ୍ତଫା ଦେବା ପରେ ସରକାର ଭାଙ୍ଗି ଯାଇଥିଲା। ଏଣୁ ଚଳିତ ଥର କଂଗ୍ରେସ ସେଠାରେ ସଫଳତା ଲାଭ କରିବ ବୋଲି ଆଶା କରାଯାଉଥିଲା। କିନ୍ତୁ ତାହା ହୋଇପାରିଲା ନାହିଁ। ଏହି ବିଧାନସଭା ନିର୍ବାଚନର ଫଳାଫଳ ଦଳର ସର୍ବଭାରତୀୟ ପତିଆରାକୁ କେତେକାଂଶରେ କ୍ଷୁଣ୍ଣ କରିଛି। ଏପରି ସ୍ଥିତିରେ ‘ଇଣ୍ଡିଆ ମେଣ୍ଟ’ ବୈଠକ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ କିଛି ମାସ ଧରି ଅନୁଷ୍ଠିତ ହୋଇ ନ ଥିଲା। ଲୋକ ସଭା ନିର୍ବାଚନ ନିମନ୍ତେ ଆସନ ବୁଝାମଣା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଲୋକ ସଭା ନିର୍ବାଚନ ପାଇଁ ଆଉ ୩ ମାସ ସମୟ ରହିଲା କହିଲେ ଚଳେ। ଏହା ମଧ୍ୟରେ ଲେଖାନୁଦାନ ପାଇଁ ପାର୍ଲାମେଣ୍ଟର ବଜେଟ ଅଧିବେଶନ ସ୍ବଳ୍ପ ସମୟ ପାଇଁ ଅନୁଷ୍ଠିତ ହୋଇପାରେ। ତେଣେ ଭାରତୀୟ ଜନତା ପାର୍ଟି ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିଥିବା ପରିଲକ୍ଷିତ ହେଉଛି। ବିକାଶ ସହ ଧର୍ମୀୟ ଓ ସାଂସ୍କୃତିକ ପ୍ରସଙ୍ଗକୁ ଦଳ ନିର୍ବାଚନ ପ୍ରକ୍ରିୟାରେ ସାମିଲ କରିବା ପାଇଁ ଉଦ୍ୟମରତ। ଜାନୁୟାରୀରେ ଅଯୋଧ୍ୟାରେ ନୂଆ ରାମମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଇତିମଧ୍ୟରେ କାଶୀ ତାମିଲ ସଙ୍ଗମମ୍‌ କାଶୀରେ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରିଥିଲେ। ଏକ ସାଂସ୍କୃତିକ ଯୋଗସୂତ୍ର ମାଧ୍ୟମରେ ଦଳ ଦକ୍ଷିଣ ଭାରତରେ ପ୍ରବେଶ ପାଇଁ ଚେଷ୍ଟା କରିବ। କାରଣ ନିକଟରେ ଅନୁଷ୍ଠିତ ନିର୍ବାଚନରେ ସନାତନ ଧର୍ମ ବିବାଦ ଦଳକୁ ସହାୟକ ହୋଇଥିବା ମନେହୁଏ। ଏହି ବିବାଦ ତାମିଲନାଡ଼ୁ ରାଜନେତାଙ୍କ ଉଚ୍ଚାରଣରୁ ଆରମ୍ଭ ହୋଇଥିଲା। ହିନ୍ଦୀ ଭାଷାଭାଷୀ ଏକାଧିକ ରାଜ୍ୟରେ ଭାଜପା କ୍ଷମତାସୀନ ହେବା ପରେ ଦଳର ଉତ୍ସାହ ବୃଦ୍ଧି ପାଇବା ସତ୍ତ୍ୱେ ମନରେ କିଛି ଆଶଙ୍କା ରହିଛି। କାରଣ ପଶ୍ଚିମବଙ୍ଗ, କର୍ନାଟକ ଓ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନରେ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ତେଣେ ଗତ ଉତ୍ତରପ୍ରଦେଶ ବିଧାନସଭାରେ ଭାଜପାର ଆସନ ସଂଖ୍ୟା ହ୍ରାସ ପାଇଛି। ଅର୍ଥାତ ଭାଜପାର ଜନ ସମର୍ଥନ କେତେକାଂଶରେ ହ୍ରାସ ପାଇଛି। ଏହା ଭାଜପା ପାଇଁ ଚିନ୍ତାଜନକ ହୋଇଛି।
ବିଗତ ନିର୍ବାଚନଗୁଡ଼ିକରେ କଂଗ୍ରେସର ଭୋଟ ହାର ହ୍ରାସ ପାଉଥିବା ଓ ନେତାଙ୍କ ଦଳ ତ୍ୟାଗ ପରିପ୍ରେକ୍ଷୀରେ ଦଳ ପକ୍ଷରୁ ଗତବର୍ଷ ଉଦୟପୁରଠାରେ ଅନୁଷ୍ଠିତ ନବ ସଂକଳ୍ପ ଚିନ୍ତନ ବୈଠକକୁ ଘରସଜଡ଼ା ଅଭିଯାନ ଥିଲା ବୋଲି କୁହାଯାଇପାରେ। ଏହି ବୈଠକରେ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ ସହ ଦଳର ପୁନରୁଦ୍ଧାର ପାଇଁ ୬ଟି ଚିଠା ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଉଲ୍ଲେଖନୀୟ ପ୍ରସ୍ତାବ ମଧ୍ୟରେ ପରିବାରବାଦ ଉପରେ ଅଙ୍କୁଶ ଓ ଦଳକୁ ଯୁବ ଚେହେରାଭିମୁଖୀ କରିବା ଅନ୍ତର୍ଭୁକ୍ତ ଥିଲା। ଦଳର ସମସ୍ତ ସ୍ତରରେ ୫୦ ବର୍ଷରୁ କମ୍‌ ବୟସର ବ୍ୟକ୍ତିଙ୍କୁ ୫୦ଭାଗ ପ୍ରତିନିଧିତ୍ୱ ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଥିବାବେଳେ ଗୋଟିଏ ପରିବାରରୁ ଜଣଙ୍କୁ ଟିକେଟ ଦିଆଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ଭାରତ ଯୋଡ଼ୋ ଯାତ୍ରା ପରେ ଦଳ କର୍ନାଟକ ବିଧାନସଭା ନିର୍ବାଚନରେ ସଫଳତା ପାଇଥିଲେ ମଧ୍ୟ ଯୁବ ଚେହେରାଭିମୁଖୀ ହୋଇପାରିଲା ନାହିଁ। ରାଜସ୍ଥାନ ଓ ମଧ୍ୟପ୍ରଦେଶ ଏହାର ଉଦାହରଣ। ଦୁଇ ରାଜ୍ୟରେ ପୁରୁଣା ଚେହେରାଙ୍କ ଦ୍ୱାରା ନିର୍ବାଚନ ଲଢ଼ି କଂଗ୍ରେସ ବିପର୍ଯ୍ୟୟ ସାମନା କଲା। ତେବେ ତେଲଙ୍ଗାନାରେ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ଭାବେ ଯୁବ ଚେହେରା ଅବସ୍ଥାପିତ କରାଯାଇଛି। ଏହା ଦଳ ପାଇଁ ସୁଫଳ ଆଣିବ ବୋଲି ଆଶା କରାଯାଉଛି।
ଗତ ୧୯ ତାରିଖରେ ଅନୁଷ୍ଠିତ ବିରୋଧୀ ଦଳର ଇଣ୍ଡିଆ ମେଣ୍ଟ ବୈଠକରେ ଆସନ ବୁଝାମଣା ପାଇଁ ନିଷ୍ପତ୍ତି ନିଆଯାଇଛି। ଇଣ୍ଡିଆ ମେଣ୍ଟରେ ଅଧିକାଂଶ ହେଉଛନ୍ତି ଆଞ୍ଚଳିକ ଦଳ। ଏଥିମଧ୍ୟରୁ କଂଗ୍ରେସ ଦଳର ଭଲ ସର୍ବଭାରତୀୟ ଭୋଟ ରହିଛି। କିନ୍ତୁ କଂଗ୍ରେସର ଲଗାତର ବିପର୍ଯ୍ୟୟ ଯୋଗୁ ଆଞ୍ଚଳିକ ଦଳ ନିକଟରୁ କଂଗ୍ରେସକୁ ଯେତେଟା ଗୁରୁତ୍ୱ ମିଳିବା କଥା ତାହା ମିଳିପାରୁ ନାହିଁ। ତେଣେ କଂଗ୍ରେସ ବିନା ମେଣ୍ଟ ଗଠନ ମଧ୍ୟ ଅସମ୍ଭବ। ଏଣୁ କଂଗ୍ରେସ ଓ ଏକାଧିକ ଆଞ୍ଚଳିକ ଦଳ ମଧ୍ୟରେ ଆସନ ବୁଝାମଣା ପାଇଁ ଟଣାଓଟରା ଜାରି ରହିଛି। ଫଳରେ ଆସନ ବୁଝାମଣା ତ୍ୱରିତ ଭାବେ ଚୂଡ଼ାନ୍ତ ହୋଇପାରୁ ନାହିଁ। ଏପରି ସ୍ଥିତିରେ ଭାଜପା ନିଜର ନିର୍ବାଚନୀ ରଣକୌଶଳ ଆଗୁଆ ପ୍ରସ୍ତୁତ କରିଥିବା ଜଣାପଡ଼ୁଛି। କଂଗ୍ରେସ ଦଳ ଦ୍ୱିତୀୟ ପର୍ଯ୍ୟାୟ ଭାରତ ଯୋଡ଼ୋ ଯାତ୍ରା ପାଇଁ ନିଷ୍ପତ୍ତି ନେବା ସହ ‘ଦେଶ ପାଇଁ ଦାନ’ ଅଭିଯାନ ଆରମ୍ଭ କରିଛି। ଏଣୁ କହିବାକୁ ଗଲେ ସମସ୍ତ ରାଜନୈତିକ ଦଳ ସାଧାରଣ ନିର୍ବାଚନ ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇସାରିଲେଣି। କିଏ କେଉଁଭଳି ଭାବେ ଭୋଟରଙ୍କୁ ପ୍ରଭାବିତ କରିବେ ତାହା ଆଗକୁ ଦେଖିବାର କଥା।
ମୋ: ୯୪୩୭୨୨୯୨୩୩


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?