ସମ୍ପର୍କର ମୂଲ୍ୟ

ଡ. ବାସୁଦେବ ମିଶ୍ର
ଜୀବନଟିଏ ସୃଷ୍ଟି ହେବା ଆଗରୁ ସମ୍ପର୍କଟିଏ ତା’ର ହେତୁ ହୋଇଯାଏ। ମାତାପିତାଙ୍କ ମଧ୍ୟରେ ସମ୍ପର୍କ ବିନା ସନ୍ତାନଟିଏ ସମ୍ଭବ ହୁଏନାହିଁ। ଗୁରୁଶିଷ୍ୟଙ୍କର ସମ୍ପର୍କ ବିନା ଜ୍ଞାନର ଅବଧାରଣ ସମ୍ଭବ ହୋଇ ନ ଥାଏ। ସମ୍ପର୍କ ବିନା ସତେ ଯେମିତି ଏ ପୃଥିବୀ ରଙ୍ଗହୀନ। ସମ୍ପର୍କ ବିନା ଜୀବନ ମୂଲ୍ୟହୀନ। ସମ୍ପର୍କ ବିନା ସବୁ ଶୂନ, ସବୁଥିରେ ଖାଲି ଖାଁ ଖାଁ ଭାବ।
କିନ୍ତୁ ଏଇ ସମ୍ପର୍କର ମୂଲ୍ୟ ବୁଝନ୍ତି କେତେଜଣ? ଯେଉଁଟା ହାତପାହାନ୍ତାରେ ମିଳେ ସେଇଟା ଶସ୍ତା, ଆଉ ଯେଉଁଟା ଦୂରରେ ଅଛି, ପାଇବାର ଆଶା ଅଛି, ମିଳିପାରେ ଅବା ନାହିଁ, ସେଇଟା ମହର୍ଗ- ଏମିତି ଆମ ମନର ଭାବନା। ସେହି ଭାବନାରେ ଆମେ ସମ୍ପର୍କକୁ ପଛକୁ ପକେଇ ଦେଉ, ତା’ର ମୂଲ୍ୟ ବୁଝୁନା। ହାତପାହାନ୍ତାରେ ଥିଲେ ପଚାରୁନା। ଦୂରକୁ ଚାଲିଗଲେ ଆମ ପାଖରେ ତା’ର ମୂଲ୍ୟ ବଢ଼ିଯାଏ। ତାକୁ ହିଁ ଝୁରିହେଉ। ସେଇ ଚିଜଟା ଯାହାର ଅଛି, ତାକୁ ଭାଗ୍ୟବାନ ବୋଲି କହୁ। ଆମର ଯେ ଦିନେ ଥିଲା, ଆମେ ତା’ର ଯତ୍ନ ନେଲୁନାହିଁ, ସେ କଥା ମନେ ପକାଉନା।
ନିହାତି ନିକଟତର କେହି ବନ୍ଧୁ ଆମ ଘରକୁ ଆସୁଛନ୍ତି ବୋଲି ଜାଣିଲେ ଆମେ ତାଙ୍କୁ ସ୍ବାଗତ କରିବା ପାଇଁ ଆମ ଘର ଦୁଆରଠାରୁ କିଛିଦୂରକୁ ଚାଲିଯାଉ। ସେମିତି କେହି ବନ୍ଧୁ ବିଦାୟ ନେବା ସମୟରେ ଆମେ ତାଙ୍କୁ ବଳେଇ ଦେବା ପାଇଁ ଆମ ଘରଠାରୁ କିଛି ବାଟ ଯାଇଥାଉ। ବେଳେବେଳେ ଏହା ବସ୍‌ଷ୍ଟାଣ୍ଡ, ରେଳଷ୍ଟେଶନ ଅଥବା ଏୟାରପୋର୍ଟ ପର୍ଯ୍ୟନ୍ତ ମଧ୍ୟ ଲମ୍ବିଯାଏ। ତା’ର କାରଣ ହେଲା- ସେହି ବନ୍ଧୁ ଏବଂ ଆମ ଭିତରେ ଥିବା ଆତ୍ମୀୟତାର ବନ୍ଧନ।
ହୃଦୟର ବନ୍ଧନ ହିଁ ଏମିତି। ଦୂରରେ ଥିଲେ ମଧ୍ୟ ଦୂରରେ ଥିବାପରି ଲାଗେନାହିଁ। ଲାଗେ ଯେମିତି ଏଇ ପାଖରେ ଅଛି- ”ଦୂରସ୍ଥୋଽପି ନ ଦୂରସ୍ଥଃ ଯୋ ଯସ୍ୟ ମନସି ସ୍ଥିତଃ।“ ଓଡ଼ିଆରେ ମଧ୍ୟ କବି ଲେଖିଛନ୍ତି- ”କେତେଦୂରେ ଚନ୍ଦ୍ର କେତେଦୂରେ କୁମୁଦିନୀ। ପ୍ରୀତି ଅଭେଦ ତାଙ୍କର। ଯେତେଦୂରେ ଥିଲେ ଯେ ଯାହାର ସେ ତାହାର।“ ଏପରି ସୁଲଳିତ ପଦାବଳୀ ଆମକୁ ହୃଦୟର ଭାଷା ସହିତ ପରିଚିତ କରାଇଦିଏ। ସମ୍ପର୍କର ମୂଲ୍ୟ ବୁଝାଇଦିଏ। ସମ୍ପର୍କ ସହିତ ଯେଉଁଠି ସମର୍ପଣର ଭାବ ଥାଏ, ସେଇଠି ଗୋଟିଏ ଆକର୍ଷଣର ଶକ୍ତି ସୃଷ୍ଟି ହୁଏ। ସେହି ଶକ୍ତି ଦୂରରେ ଥିବା ବନ୍ଧୁର ମନରେ ଆନ୍ଦୋଳନ ସୃଷ୍ଟି କରେ। ଶରୀର ହେଉ ଅବା ମନରେ ତାକୁ ନିଶ୍ଚୟ ନିକଟକୁ ନେଇଆସେ। ଆମେ ଖାଇବା ସମୟରେ ବେଳେବେଳେ ଖାଦ୍ୟ ଶ୍ୱାସନଳୀ ଭିତରଆଡ଼କୁ ପଶିଆସେ। ଆମ ମା’ମାନେ ତତ୍‌କ୍ଷଣାତ୍‌ ଆମକୁ ପାଣି ପିଇବାକୁ ଦେଇ ପିଠି ଆଉଁଶି ଦେଉଦେଉ କହିପକାନ୍ତି-‘ଓଃ, କିଏ ମନେପକାଇଲା ପରା!’। ନଦୀର ଜଳ ଅନବରତ ମିଶୁଥାଏ ସମୁଦ୍ର ଜଳରେ। ସମୁଦ୍ର ପ୍ରତି ତା’ ସମର୍ପଣର ପଟାନ୍ତର ନାହିଁ। କିଛି ପ୍ରାପ୍ତିର ଆଶା ନାହିଁ କି ଯଶର ଆକାଙ୍‌କ୍ଷା ନାହିଁ। ଅନବରତ, ଅବାରିତ ତା’ର ସମର୍ପଣ ସମୁଦ୍ର ପ୍ରତି। ସମୁଦ୍ର କେବେକେବେ ବୁଝେ ଏ କଥା। ନଦୀର ଅବାରିତ ସମର୍ପଣ ସମୁଦ୍ରର ହୃଦୟରେ ଉଦ୍‌ବେଳନ ସୃଷ୍ଟି କରେ। ସେହି ଉଦ୍‌ବେଳନ ଏବଂ ଆନ୍ଦୋଳନର ପ୍ରଭାବରେ ତା’ର ବକ୍ଷ ସ୍ଫୀତ ହୁଏ। ସମର୍ପିତ ହେଉଥିବା ନଦୀକୁ ସଙ୍ଖୋଳିବା ନିମିତ୍ତ ସେ କିଛିବାଟ ଧାଇଁଯାଏ। ତାକୁ ଆମେ ଜୁଆର ବୋଲି କହୁ। ଭକ୍ତର ମନ ସର୍ବଦା ତା’ର ପ୍ରଭୁଙ୍କ ପ୍ରତି ଧାବମାନ, ଏହା ସତ୍ୟ। କିନ୍ତୁ କେବେ କେମିତି ପ୍ରଭୁଙ୍କର ମନ ମଧ୍ୟ ଭକ୍ତ ପ୍ରତି ଧାବମାନ ହୁଏ। ଯେତେବେଳେ ପ୍ରଭୁ ଦେଖନ୍ତି ଭକ୍ତଟି ତାଙ୍କ ପାଖକୁ ଆସୁ ଆସୁ ବାଟରେ ଅଟକି ଯାଉଛି, ତାଙ୍କ ରଥଯାତ୍ରାରେ ଯୋଗଦେଇପାରୁନାହିଁ, ସେତେବେଳେ ତାଙ୍କ ରଥ ମଧ୍ୟ ଅଟକିଯାଏ ଭକ୍ତ ପାଇଁ। ସେ ଆଉ ଅପେକ୍ଷା ନ କରି ତାଙ୍କ ଭକ୍ତର ବାଲିରଥକୁ ଚାଲିଆସନ୍ତି।
ସୁଦାମା ଦ୍ୱାରକାଧିପତି ଶ୍ରୀକୃଷ୍ଣଙ୍କ ଅନନ୍ୟ ସଖା। ଗୁରୁ ସନ୍ଦୀପନୀଙ୍କ ଆଶ୍ରମରେ ପିଲାଦିନେ ପାଠ ପଢ଼ିବା ସମୟରେ କେତେ ଘଟଣା ଦୁର୍ଘଟଣା। ସେ ସବୁରୁ ସୁଦାମାଙ୍କ ହୃଦୟର ପରିଚୟ ପାଇ ତାଙ୍କୁ ନିକଟତମ ବନ୍ଧୁ ରୂପେ ହୃଦୟରେ ସ୍ବୀକାର କରିଥିଲେ ଶ୍ରୀକୃଷ୍ଣ। ସୁଦାମା ବ୍ରାହ୍ମଣ ବାଳକ। ପାଠପଢ଼ାରେ ତେଜୀୟାନ୍‌। ସେ ମଧ୍ୟ ଜାଣିପାରିଥିଲେ ଯେ ଏହି ଗୋପାଳ ବାଳକ ଶ୍ରୀକୃଷ୍ଣ ସାମାନ୍ୟ ବାଳକ ନୁହନ୍ତି। ସେ ସ୍ବୟଂ ଗୋଲୋକବିହାରୀ ବିଷ୍ଣୁ। ତେଣୁ ସେ ତାଙ୍କ ନାମକୁ ଜପାମାଳି କରିଥିଲେ। ଦୁହିଙ୍କର ହୃଦୟ ପରସ୍ପର ପ୍ରତି ଆକର୍ଷିତ ଥିଲା। ପରବର୍ତ୍ତୀ କାଳରେ ଯେଉଁ ସମୟରେ ଶ୍ରୀକୃଷ୍ଣ ଦ୍ୱାରକାର ଅଧିପତି, ସେହି ସମୟରେ ତାଙ୍କଠାରୁ ବହୁଦୂରରେ ତାଙ୍କର ପ୍ରିୟବନ୍ଧୁ ସୁଦାମା ଦାରିଦ୍ର୍ୟର କଷାଘାତରେ ବହୁ କଷ୍ଟ ଭୋଗ କରୁଥିଲେ। ସୁଦାମାଙ୍କର କର୍ମଫଳଜନିତ ଦାରିଦ୍ର୍ୟର ଅବସାନ ସମୟ ପାଖେଇ ଆସୁଥିଲା। ପତ୍ନୀ ବସୁନ୍ଧରାଙ୍କ ପରାମର୍ଶକ୍ରମେ ସୁଦାମା ଦ୍ୱାରକା ଯାଇ ବନ୍ଧୁ ଶ୍ରୀକୃଷ୍ଣଙ୍କୁ ସାକ୍ଷାତ୍‌ କରିବାକୁ ସ୍ଥିର କଲେ। କିନ୍ତୁ ଦ୍ୱାରକା ଯେ ଏଠାରୁ କାହିଁ କେତେ ଦୂର। ସେ ଯିବେ କିପରି? କିଛି ଚିନ୍ତା ନାହିଁ। ତାଙ୍କ ବନ୍ଧୁ ଯେ ଅନ୍ତର୍ଯ୍ୟାମୀ, ଅନ୍ତର କଥା ଜାଣିପାରନ୍ତି। ସେ ଦ୍ୱାରକା ଯିବାକୁ ଇଚ୍ଛା କରୁଛନ୍ତି, ଏତିକି ଜାଣିବାକୁ ତାଙ୍କର ଅପେକ୍ଷା ଥିଲା। ତା’ପରେ ସେ ତାଙ୍କ ପାଖକୁ ଆସିବାର ସମସ୍ତ ଦାୟିତ୍ୱ ନେଇଗଲେ।
ପ୍ରତ୍ୟେକ କ୍ଷେତ୍ରରେ ସମ୍ପର୍କର ମୂଲ୍ୟ ଅକଳନୀୟ ହୋଇଥାଏ। କେବଳ ଧୈର୍ଯ୍ୟ ଏବଂ ସହନଶୀଳତା ପରି ଗୁଣ ହିଁ ଏପରି ସମ୍ପର୍କର ସମକକ୍ଷ ହୋଇପାରେ। ମନରେ ଦୁଃଖ ଆସେ ସେତିକିବେଳେ, ଯେବେ ମଣିଷ ପରି ବୁଦ୍ଧିମାନ ଜୀବ ସମ୍ପର୍କର ମୂଲ୍ୟ ବୁଝେନାହିଁ। ସ୍ବାର୍ଥ ଅଥବା ସେମିତି କିଛି ଶକ୍ତିଶାଳୀ ଆବେଗର ଅଧୀନ ହୋଇ ତା’ର ଅବମାନନା କରେ। ମାତାପିତା ପରସ୍ପର ମଧ୍ୟରେ ସମ୍ପର୍କଟିଏ ଯୋଡ଼ୁଯୋଡ଼ୁ ସେମାନଙ୍କ ଅଲକ୍ଷ୍ୟରେ ଆଉ ଗୋଟିଏ ସମ୍ପର୍କ ତିଆରି କରନ୍ତି। ତାକୁ ହିଁ ଧନ ବୋଲି ଭାବି ତା’ର ଯତ୍ନ ନିଅନ୍ତି। ତା’ ପାଇଁ କେତେ ତ୍ୟାଗ କରନ୍ତି, କେତେ ଶ୍ରମ ବି କରନ୍ତି। ଧନ ବଡ଼ ହେବାପରେ କିନ୍ତୁ ସେସବୁ ଚୁଲିକି ଯାଏ। ସେ ବୁଝେନା କିଏ କେବେ କାହିଁକି ତା’ ସହିତ ସମ୍ପର୍କ ଯୋଡ଼ିଥିଲା। ଗୁରୁ ଉପଯୁକ୍ତ ଶିଷ୍ୟର ଅନ୍ବେଷଣରେ ଥାଆନ୍ତି ସମ୍ପର୍କଟିଏ ଯୋଡ଼ିବା ପାଇଁ। ତାହା ସମର୍ପିତ ହୁଏ ବିଶ୍ୱର କଲ୍ୟାଣ ନିମିତ୍ତ। ସେମିତି କେବେ ସମ୍ପର୍କଟିଏ ଯୋଡ଼ିହୋଇଯାଏ ଭକ୍ତ ଆଉ ଭଗବାନଙ୍କ ଭିତରେ। ତାହା ସମଗ୍ର ସଂସାରର କଲ୍ୟାଣ ପାଇଁ ଅଭିପ୍ରେତ ହୋଇଥାଏ।
ଦଶରଥପୁର, ଯାଜପୁର, ମୋ-୯୪୩୮୩୨୮୭୫୫


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?