ବାଟବଣା ଉଚ୍ଚଶିକ୍ଷା

ଡ. ସୁବାସ ଚନ୍ଦ୍ର ପାତ୍ର

ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ତା’ର ସାମ୍ବିଧାନିକ ଦାୟିତ୍ୱ ଭୁଲି ଏବେ ଭିନ୍ନ ଭିନ୍ନ କଥାରେ ନାକ ପୂରେଇବା ଯୋଗୁ ଅନୁଷ୍ଠାନସ୍ତରରେ ଶିକ୍ଷାର ମାନ ହ୍ରାସ ପାଉଛି, ଯାହା ପରୋକ୍ଷରେ ସର୍ବଭାରତୀୟ ସ୍ତରରେ ଓଡ଼ିଆ ଛାତ୍ରୀଛାତ୍ରଙ୍କ ସଫଳତାକୁ ପ୍ରଭାବିତ କରୁଛି।
ଉଚ୍ଚଶିକ୍ଷା ଦପ୍ତର ସମଗ୍ର ବିଭାଗର ଶୀର୍ଷ ନୀତି ନିର୍ଣ୍ଣାୟକ ସୋପାନ, ଯାହାର ମୁଖ୍ୟକାମ ସମଗ୍ର ଉଚ୍ଚଶିକ୍ଷା ବିଭାଗର ପ୍ରଶାସନର ନିୟନ୍ତ୍ରଣ ତଥା ସୁପରିଚାଳନା ମାଧ୍ୟମରେ ଅଧୀନସ୍ଥ ଅନୁଷ୍ଠାନମାନଙ୍କୁ ଠିକ୍‌ ଦିଗ୍‌ଦର୍ଶନ ଦେବା। ଅଧୀନସ୍ଥ ଅନୁଷ୍ଠାନମାନ ଯେତେ ସୁପରିଚାଳିତ ହେବେ ବ୍ୟବସ୍ଥା ସେତେ ଦୃଢ଼ୀଭୂତ ହେବ ଏବଂ ଏହାର ସର୍ବୋଚ୍ଚ ଉପଭୋକ୍ତା ହେବେ ଛାତ୍ରୀଛାତ୍ର ଓ ବୃହତ୍ତର ଶିକ୍ଷା ସମାଜ। ଲକ୍ଷ୍ୟ କରାଯାଉଛି ବିଗତ କେତେବର୍ଷ ହେଲା ବିଭାଗ ପ୍ରଶାସନିକ ଦାୟିତ୍ୱକୁ ପାସୋରି ପ୍ରଥମେ ଆଡ୍‌ମିଶନ ଏବଂ ଏବେ ପ୍ରବେଶିକା ପରୀକ୍ଷା ପରିଚାଳନାରେ ମନୋନିବେଶ କରିଛି। ମଝିରେ ବିଭାଗ ସିଲାବସ ସଜାଡ଼ିବାରେ ବି ଲାଗିପଡ଼ିଥିଲା। ପ୍ରସଙ୍ଗତଃ ଉଲ୍ଲେଖଯୋଗ୍ୟ ଯେ, ସିଲାବସ ପ୍ରଣୟନ ଏକ ଦକ୍ଷତାଭିତ୍ତିକ ପେସାଦାରି କାର୍ଯ୍ୟ, ଯାହାର ସଫଳ ରୂପାୟନ ତାଲିମପ୍ରାପ୍ତ ତଥା ବିଷୟକ ଜ୍ଞାନରେ ପାରଦର୍ଶୀ ବ୍ୟକ୍ତିଙ୍କ ସମର୍ପିତ ମନୋଭାବ ଉପରେ ନିର୍ଭର କରେ। କୌତୁକର କଥା ବିଗତ ବର୍ଷଗୁଡ଼ିକରେ ଉଚ୍ଚଶିକ୍ଷା ବିଭାଗ ପ୍ରଶାସନିକ ଦାୟିତ୍ୱ ନାମରେ ବିଭିନ୍ନ ଶୈକ୍ଷିକ ବିଷୟ; ଯେପରି ସିଲାବସ ନିର୍ମାଣ, ପ୍ରଣୟନ, ପରୀକ୍ଷା ପରିଚାଳନା ଇତ୍ୟାଦି କ୍ଷେତ୍ରରେ ଅନୁପ୍ରବେଶ କରି ବ୍ୟବସ୍ଥାକୁ ସୁଧାରିବା ପରିବର୍ତ୍ତେ ବିଗାଡ଼ିବାରେ ଅଧିକ ସହାୟକ ହୋଇଛି। ଯୁଗେ ଯୁଗେ ସିଲାବସ ତିଆରି ଓ ପ୍ରଚଳନ, ପାଠ୍ୟପୁସ୍ତକ ପ୍ରଣୟନ, ପରୀକ୍ଷା ପରିଚାଳନା ବିଶ୍ୱବିଦ୍ୟାଳୟସ୍ତରୀୟ ବା ସ୍କୁଲସ୍ତରରେ ମାଧ୍ୟମିକ ବୋର୍ଡ ବା ଉଚ୍ଚ ମାଧ୍ୟମିକ ପରିଷଦର ଦାୟିତ୍ୱ ଥିଲା। ସରକାର ଚାହିଁଲେ ମାର୍ଗଦର୍ଶିକା ଜାରି କରିପାରନ୍ତି ବା ଏ ବାବଦରେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିପାରନ୍ତି। ତା’ ନ କରି ପ୍ରତ୍ୟକ୍ଷ ଭାବରେ ଏଥିରେ ଜଡ଼ିତ ହୋଇ କିଛି ବୋଲକରା ଶିକ୍ଷକଙ୍କ ସୌଜନ୍ୟରେ ସିଲାବସ ନାମରେ ସରକାର ଯାହାତାହା ପ୍ରଚଳନ କଲେ। ସ୍ଥାନୀୟ ଆବଶ୍ୟକତାକୁ ଦେଖାଗଲା ନାହିଁ, ଅନୁଷ୍ଠାନସ୍ତରରେ ଶିକ୍ଷକଙ୍କ ସ୍ଥିତି ପରଖାଗଲା ନାହିଁ, ପ୍ରଭାବିତ ପକ୍ଷମାନଙ୍କର ମତାମତ ସଂଗ୍ରହ କରାଗଲା ନାହିଁ ଏବଂ ପ୍ରସ୍ତାବିତ ସିଲାବସକୁ ଆପାତତଃ ସମସ୍ତଙ୍କ ଅନୁଧ୍ୟାନ ପାଇଁ ବିଭାଗୀୟ ୱେବ୍‌ସାଇଟ୍‌ରେ ଅନ୍ତତଃ ୬ମାସରୁ ବର୍ଷେ ଛଡ଼ାଗଲା ନାହିଁ। କେବଳ ଗୋଟିଏ ଜାତୀୟ ବିଶ୍ୱବିଦ୍ୟାଳୟର ସିଲାବସକୁ ରାଜ୍ୟର ଏକ ପ୍ରମୁଖ ବିଶ୍ୱବିଦ୍ୟାଳୟ ମୋଟାମୋଟି ଉତାରି ପକାଇଲେ ଏବଂ ଅନ୍ୟ ବିଶ୍ୱବିଦ୍ୟାଳୟ ତଥା ସ୍ବୟଂଶାସିତ ମହାବିଦ୍ୟାଳୟଙ୍କୁ କୁହାଗଲା ରାଜ୍ୟର ସେହି ବିଶ୍ୱବିଦ୍ୟାଳୟର ସିଲାବସକୁ ଅନ୍ଧଭାବରେ ଉତାରି ପକାଇବାକୁ। ତଥାକଥିତ କିଛି ଚାଟୁକାର ଶିକ୍ଷାବିତ୍‌ ସରକାରଙ୍କ ସହ ହାତ ମିଳେଇଲେ ଏବଂ ଏଥିରୁ ଜନ୍ମନେଲା ସି ବି ସି ଏସ ସିଲାବସ, ଯାହା ରୂପାୟନ ସ୍ତରରେ ପ୍ରହସନରେ ପରିଣତ ହେଲା।
ଠିକ୍‌ ଅନୁରୂପଭାବରେ ସରକାର କେତେବର୍ଷ ହେଲା ଆଡ୍‌ମିଶନ ପ୍ରକ୍ରିୟାରେ ଲିପ୍ତ ରହୁଛନ୍ତି। ମାର୍ଚ୍ଚରୁ ଅକ୍ଟୋବର ପର୍ଯ୍ୟନ୍ତ ଉଚ୍ଚଶିକ୍ଷା ବିଭାଗର ସମସ୍ତ ସମୟ ଓ ଶକ୍ତି ସେଥିରେ ଯାଉଛି। ଏ ବର୍ଷ ପୁଣି ସ୍ନାତକୋତ୍ତର ସ୍ତରରେ ଏକକ ପ୍ରବେଶିକା ପରୀକ୍ଷା କରିବାରୁ ସରକାର ପାଗ ଭିଡ଼ିଲେ। ଏହା କିଛି ଖରାପ କାମ ନୁହେଁ, କିନ୍ତୁ ଉଚ୍ଚଶିକ୍ଷା ବିଭାଗ କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ବିଭାଗ ଭଳି ଏନ.ଟି.ଏ. (NTA) ଢାଞ୍ଚାରେ ଯଦି ଏସ.ଟି.ଏ. (ଷ୍ଟେଟ ଟେଷ୍ଟିଂ ଏଜେନ୍‌ସି) ଭଳି ଏକ ଦକ୍ଷତାସମ୍ପନ୍ନ ପେସାଦାର ସଂସ୍ଥାଟି ଗଢ଼ି ଉଭୟ ଆଡ୍‌ମିଶନ ତଥା ପରୀକ୍ଷାର ଦାୟିତ୍ୱ ଦିଅନ୍ତେ ସେଥିରୁ ଗୁଣବତ୍ତା ପ୍ରକାଶ ପାଆନ୍ତା। ପ୍ରକ୍ରିୟାଟି ଆହୁରି ସୁସଂହତ ହୁଅନ୍ତା। ଏହି ସଂସ୍ଥା ଖାଲି ଉଚ୍ଚଶିକ୍ଷା ବିଭାଗ ନୁହେଁ ଓଡି଼ଶାରେ ଶିଳ୍ପ ବିଭାଗ ଭଳି ଅନ୍ୟାନ୍ୟ ବିଭାଗ ଆନୁକୂଲ୍ୟରେ ହେଉଥିବା ପ୍ରବେଶିକା ପରୀକ୍ଷାର ଦାୟିତ୍ୱ ନିଅନ୍ତା, ଯାହାଦ୍ୱାରା ଧୀରେ ଧୀରେ ଓଡ଼ିଶାରେ ଏକ ଉଚ୍ଚମାନର ପରୀକ୍ଷା ପରିଚାଳନା ସଂସ୍ଥା ଗଢ଼ି ଉଠନ୍ତା; ଯାହା ହୁଏତ ଭବିଷ୍ୟତରେ ଅନ୍ୟ ରାଜ୍ୟର ବା ସଂସ୍ଥାର ପ୍ରଶ୍ନପତ୍ର ତିଆରିର ଦାୟିତ୍ୱ ନେଇପାରନ୍ତା। ଏହା ଏକ ଆବଶ୍ୟକତା, ତା’ ଛଡ଼ା ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁସୃତ ପଦକ୍ଷେପକୁ ଆପଣେଇବାରେ କିଛି କ୍ଷତି ନାହିଁ। ବିଭାଗର ଉଚ୍ଚବର୍ଗର ଅମଲାମାନେ ଯେହେତୁ ବଦଳିଯୋଗ୍ୟ; ସେମାନଙ୍କ ବିଭାଗୀୟ ଉପସ୍ଥିତି ଯେହେତୁ କ୍ଷଣସ୍ଥାୟୀ, ବର୍ତ୍ତମାନ ପରିସ୍ଥିତିରେ ଆଡ୍‌ମିଶନ ଓ ପରୀକ୍ଷା ପରିଚାଳନାକୁ ଆହୁରି ଗୁଣାତ୍ମକ, ସ୍ବଚ୍ଛ, ସମୟାନୁବର୍ତ୍ତୀ କରିହେଉନାହିଁ। ଏହା ପାଇଁ ଏକ ଚିରସ୍ଥାୟୀ, ଉତ୍ତରଦାୟୀ ଏବଂ ଦକ୍ଷ ଅନୁଷ୍ଠାନଟି ଲୋଡ଼ା; ଯାହା ଏସବୁ କାର୍ଯ୍ୟ ଅତି ବିଜ୍ଞାନସମ୍ମତ ଭାବରେ କରିପାରିବ।
ସରକାର ଆଭ୍ୟନ୍ତରୀଣ ପ୍ରଶାସନଠୁ ନଜର ହଟେଇ ଏହି ସବୁ ଅଣ-ପ୍ରଶାସନିକ କାମରେ ନାକ ପୂରେଇବାରୁ ଅନୁଷ୍ଠାନଗୁଡ଼ିକ ବିପର୍ଯ୍ୟସ୍ତ ହେଲେଣି। କେତୋଟି ଉଦାହରଣ ଦେଖାଯାଇପାରେ। ୯୦ ଦଶକ ପର୍ଯ୍ୟନ୍ତ ସରକାର ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟକୁ ସଶକ୍ତ ଏବଂ ସୁଦୃଢ଼ କରି ରଖିଥିଲେ। ପ୍ରାୟ କୌଣସି ପଦବୀ ଖାଲି ରହୁ ନ ଥିଲା। କଲେଜର ହାନିଲାଭରେ ସରକାର ଜଡ଼ିତ ରହୁଥିଲେ, ଅନୁଷ୍ଠାନ ଉପକୃତ ହେଉଥିଲା। ଛାତ୍ରୀଛାତ୍ର ପରୀକ୍ଷାରେ ଭଲ କରୁଥିଲେ। ପରବର୍ତ୍ତୀ ସମୟରୁ ଆଜି ପର୍ଯ୍ୟନ୍ତ ସରକାର ମହାବିଦ୍ୟାଳୟର ଅନେକ କ୍ଷେତ୍ରରୁ ହାତ ଧୋଇଦେଇ ଅନୁଷ୍ଠାନଗୁଡ଼ିକୁ ବିକଳାଙ୍ଗ କରିଦେଉଛନ୍ତି। ପ୍ରଥମତଃ ନିୟମିତ ଅଧ୍ୟକ୍ଷ ନିଯୁକ୍ତି ଦେଉନାହାନ୍ତି କି ଶିକ୍ଷକ ପଦବୀପୂରଣ କରୁନାହାନ୍ତି; ଦ୍ୱିତୀୟତଃ କିରାଣି, ଲାବରେଟୋରୀ ଆସିଷ୍ଟାଣ୍ଟ, ଖେଳ ଶିକ୍ଷକ, ଲାଇବ୍ରାରିଆନ ପଦବୀ ପୂରଣ କରୁ ନାହାନ୍ତି; ମାଳି, ପିଅନ, ଚୌକିଦାର, ସଫେଇ କର୍ମଚାରୀ ପଦବୀ କଲେଜକୁ ଛାଡ଼ି ଦେଇଛନ୍ତି। ଥରେ ସରକାର ଭାବନ୍ତି ନାହିଁ କି ତନଖି କରନ୍ତିି ନାହିଁ ଯେ, ସରକାର ନିୟନ୍ତ୍ରିତ ମହାବିଦ୍ୟାଳୟରେ ଆଭ୍ୟନ୍ତରୀଣ ସମ୍ବଳ କେତେ ଯେ ଏହି ପଦବୀ ସାମୟିକ କର୍ମଚାରୀଙ୍କୁ ନେଇ ପୂରଣ କରିହେବ? ବୁଝିଲେ ଅସୁବିଧା, ନ ବୁଝିଲେ ଭଲ, ପଛେ ଅନୁଷ୍ଠାନଗୁଡ଼ିକ ବିକଳାଙ୍ଗ ହୋଇଯାଇ। ନିୟମିତ ଅଧ୍ୟକ୍ଷ ପଦବୀ ପୂରଣ ନ କରିବା ଯୋଗୁ ଉଭୟ ଶୈକ୍ଷିକ, ପ୍ରଶାସନିକ ଓ ଆର୍ଥିକ ଦୁରବସ୍ଥା ଅନୁଷ୍ଠାନ ଭୋଗୁଛି। ନିୟମ ରହିଛି ଭାରପ୍ରାପ୍ତ ଅଧ୍ୟକ୍ଷ ଶିକ୍ଷାଦାନ କରିବେ ତା’ ସହିତ ପ୍ରଶାସନ ସମ୍ଭାଳିବେ। କଲେଜଗୁଡ଼ିକରେ ଛାତ୍ର ସଂଖ୍ୟା ଯେତିକି, ସମସ୍ୟା ସେତିକି। ଏଣୁ ଅଧ୍ୟକ୍ଷମାନଙ୍କର କ୍ଲାସ ନେବାକୁ ସମୟ ନ ଥାଏ। ର-ଠ କରି ଚଳେଇ ନିଅନ୍ତି ଅବା ବିଭାଗର ଅନ୍ୟ ଅଧ୍ୟାପକମାନେ ତାଙ୍କ କ୍ଲାସ ନିଅନ୍ତି। ଏ କ୍ଷେତ୍ରରେ ଛାତ୍ରୀଛାତ୍ର ହିଁ ଶିକାର ହୁଅନ୍ତି ଜଣେ ଉଚ୍ଚମାନର ଶିକ୍ଷକଙ୍କଠୁ ଶିକ୍ଷା ଲାଭ କରିବାରେ ବଞ୍ଚିତ ହେବାରୁ। ଦୁଇଟି କାମ ମୁଣ୍ଡ ଉପରେ ଆନୁଷ୍ଠାନିକ ଭାବରେ ଥିବାରୁ ନା ଶିକ୍ଷାଦାନ ଠିକ୍‌ ଚାଲେ, ନା ପ୍ରଶାସନ ଠିକ୍‌ ଚାଲେ। ଖାଲି ସେତିକି ନୁହେଁ, ଭାରପ୍ରାପ୍ତ ଅଧ୍ୟକ୍ଷ ହୋଇଥିବାରୁ ସେମାନେ ଅଧ୍ୟକ୍ଷଙ୍କ ଚିହ୍ନିତ ବାସଭବନ ଗ୍ରହଣ କରନ୍ତି ନାହିଁ; ଯାହା ଫଳରେ କୋଟି କୋଟି ଟଙ୍କାର ସରକାରୀ ସମ୍ପତ୍ତି ଭୁଶୁଡ଼ିବାକୁ ବସିଲାଣି। ଏହାକୁ ବୁଝୁଛି କିଏ? ଠିକ୍‌ ସେହିପରି ଭାବେ ସରକାର ଓଡି଼ଶାର ଅନେକ ପ୍ରମୁଖ କଲେଜରେ ଲାଙ୍ଗୁଏଜ୍‌ ଲ୍ୟାବ୍‌ (ଭାଷା ପରୀକ୍ଷାଗାର) ପ୍ରାୟ ୨୦କୋଟି ଟଙ୍କା ବ୍ୟୟରେ ଖୋଲିଲେ। ନା ତା’ପାଇଁ ଦେଲେ ଶିକ୍ଷକ ନା ପ୍ରୋଗ୍ରାମର । ଅଧିକାଂଶ କଲେଜରେ ସେଗୁଡ଼ିକ ମିନି ସଭାକକ୍ଷ ହିସାବରେ ବ୍ୟବହାର ହେଉଛି ନ ହେଲେ ଏଗୁଡ଼ିକ ଖତ ଖାଉଛି। ଏହାପାଇଁ ଦାୟୀ କିଏ?
ମୂଳକଥା ହେଉଛି ସରକାର ଅଣପ୍ରଶାସନିକ କ୍ଷେତ୍ର ଯେପରି ଆଡ୍‌ମିଶନ, ପ୍ରବେଶିକା, ପରୀକ୍ଷା ପରିଚାଳନା, ସିଲାବସ୍‌ ପ୍ରଣୟନ ଭଳି କାର୍ଯ୍ୟରୁ ନିବୃତ ରୁହନ୍ତୁ ା ନୂତନ ସ୍ବୟଂଶାସିତ ସଂସ୍ଥାକୁ ଏହାର ଦାୟିତ୍ୱ ଦିଆଯାଉ ଅବା ସ୍ଥଳବିଶେଷରେ ଉପଲବ୍ଧ ଅନୁଷ୍ଠାନକୁ ଏଦିଗରେ ସକ୍ରିୟ ଓ ସୁ-ସଂଗଠିତ କରାଯାଉ। ସରକାର ଆଭ୍ୟନ୍ତରୀଣ ପ୍ରଶାସନ ମାଧ୍ୟମରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କର ସଶକ୍ତୀକରଣ ଓ ସୁଦୃଢ଼ୀକରଣରେ ଧ୍ୟାନ ଦିଅନ୍ତୁ ା ଅନୁଷ୍ଠାନମାନଙ୍କୁ ପଙ୍ଗୁ କରି ଦୁର୍ଦ୍ଦଶା ଭିତରେ ଶଢ଼ିବାକୁ ଛାଡ଼ିଦିଅନ୍ତୁ ନାହିଁ ା
ପୂର୍ବତନ ଅଧ୍ୟକ୍ଷ, ଜେଲ୍‌ରୋଡ଼, ବାଲେଶ୍ୱର, ମୋ:୯୪୩୭୩୭୬୨୧୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?