ପଟ୍ଟାଙ୍ଗି,୧୪ା୯(ଶରତ କୁମାର ଧଳ):କୋରାପୁଟ କଫି ଏବେ ବ୍ରିକ୍ସ ସମ୍ମିଳନୀରେ ବିଶ୍ୱ ପ୍ରତିନିଧିମାନଙ୍କୁ ପରଷା ଯାଉଛି। କୋରାପୁଟ କଫିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ଚେଷ୍ଟା ଜାରି ରହିଛି। କିନ୍ତୁ କୋରାପୁଟ ଜିଲାର ଆଦିବାସୀ ସମ୍ପ୍ରଦାୟଙ୍କ ପାରମ୍ପରିକ ନୃତ୍ୟ ଅନ୍ୟ ରାଜ୍ୟର ବୋଲି ଗୁଗ୍ଲରେ ଦର୍ଶାଇବାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଜିଲାର ପଟ୍ଟାଙ୍ଗି ବ୍ଲକ୍ ଅଧୀନ କୋଟିଆ ପଞ୍ଚାୟତକୁ ଆନ୍ଧ୍ରପ୍ରଦେଶ ନିଜର କହୁଥିବା ବିବାଦରେ ଯବନିକା ପଡ଼ି ନ ଥିବା ବେଳେ ପୁଣି ଏକ ବିବାଦ ଦେଖିବାକୁ ମିଳିଛି। ଜିଲାର ଆଦିବାସୀ ନୃତ୍ୟ ଢେମସାକୁ ଗୁଗୁଲ୍ରେ ସର୍ଚ୍ଚ କଲେ ଆନ୍ଧ୍ରର ଆଲୁରି ସୀତାରାମରାଜୁ ଜିଲାର ଆସୁଥିବାରୁ ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହାକୁ ନେଇ ବିରୋଧୀ ଦଳଗୁଡ଼ିକ ରାଜ୍ୟ ସରକାରଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି।
ସୂଚନାନୁଯାୟୀ, ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲାରେ ୧୪ ପ୍ରକାର ଆଦିବାସୀ ସମ୍ପ୍ରଦାୟ ରହୁଛନ୍ତି। ମାକିଡି ସମ୍ପ୍ରଦାୟ ଜିଲାରୁ ହଜିଯାଇଥିବା ବେଳେ ବର୍ତ୍ତମାନ ୧୩ ପ୍ରକାର ଆଦିବାସୀ ସମ୍ପ୍ରଦାୟ ବସବାସ କରୁଛନ୍ତି। ପରଜା, କନ୍ଧ, ଗାଦବା, ସଉରା, କଣ୍ଡା ଦୋରା, ଭୁମିଆ, ଦୁରୁଆ, ଭତ୍ରା, କୋଟିଆ, ପେଣ୍ଟିଆ ହାଲବା ଓ ଅମାନତ୍ୟ ଆଦି ଅନେକ ଆଦିବାସୀଙ୍କ ମାଙ୍ଗଳିକ କାର୍ଯ୍ୟ ଓ ବିଭିନ୍ନ ପର୍ବପର୍ବାଣିରେ ଢେମସା ନୃତ୍ୟ ମୁଖ୍ୟ ହୋଇଥାଏ। ଘରକୁ କିମ୍ବା ଜିଲାକୁ କେହି ଅତିଥି ଆସିଲେ ଏହି ସମ୍ପ୍ରଦାୟ ଢେମସା ନୃତ୍ୟ ମାଧ୍ୟମରେ ସ୍ବାଗତ କରି ନିଜର ଆତିଥେୟତା ଜାହିର କରନ୍ତି। ଜିଲାର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଢେମସା ନାଚକୁ ଅନେକ ଗୁରୁତ୍ୱ ଦିଆଯାଉଛି। ଏହା କୋରାପୁଟ ଜିଲାର ପରିଚୟ ଓ ଗୌରବ। ଜିଲାର ପରବ ମାଧ୍ୟମରେ ଏହାକୁ ଜାତୀୟସ୍ତରରେ ପରିଚିତ କରାଇବାକୁ ଚେଷ୍ଟା ମଧ୍ୟ କରାଯାଉଛି। କିନ୍ତୁ ଗୁଗ୍ଲରେ ଆନ୍ଧ୍ରର ଆଲୁରି ସୀତାରାମରାଜୁ ଅଞ୍ଚଳର ପାରମ୍ପରିକ ନୃତ୍ୟ ଦର୍ଶାଇବା ପରେ ଏହି ରାଜ୍ୟ ସରକାର ଓ ଜିଲା ପ୍ରଶାସନର ସମସ୍ତ ଚେଷ୍ଟା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଗତ ଅଗଷ୍ଟ ୧ ତାରିଖରେ ବିଜୟନଗରମ ଜିଲା ଭୋଗାପୁରମରେ ଜାତୀୟସ୍ତରୀୟ ବିମାନବନ୍ଦର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦ୍ଘାଟନୀ ଉତ୍ସବରେ ଆନ୍ଧ୍ର ସରକାର ଓଡ଼ିଶାର ସୀମାନ୍ତ ଗ୍ରାମଗୁଡ଼ିକରୁ ବହୁ ସଂଖ୍ୟାରେ ଯୁବତୀଙ୍କୁ ଏକତ୍ର କରି ଢେମସା ନୃତ୍ୟର ବ୍ୟବସ୍ଥା କରାଇଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଆକର୍ଷିତ କରାଇ ବାହାବା ନେବା ନେଇ ଜିଲାର ସମସ୍ତ ଆଦିବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏ ସମ୍ପର୍କରେ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ତଥା ରାଜ୍ୟ ପ୍ରବକ୍ତା ଭୃଗୁ ବକ୍ସିପାତ୍ର ଅବିଭକ୍ତ କୋରାପୁଟ ଜିଲାର ପରିଚୟ ଢେମସା ନୃତ୍ୟକୁ ପଡୋଶୀ ଆନ୍ଧ୍ରର ଗୌରବ ଓ ପରିଚୟ ବୋଲି କୁହାଯିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ରାଜ୍ୟର ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ହୋଇଥିବାରୁ ଏଥିରେ ହସ୍ତକ୍ଷେପ କରି ଜିଲାର ଆଦିବାସୀ ସମ୍ପ୍ରଦାୟଙ୍କ ପାରମ୍ପରିକ ଢେମସା ନାଚ ଓଡ଼ିଶାର ଓ କୋରାପୁଟ ଜିଲାର ଗୌରବ ବୋଲି ଘୋଷଣା କରିବା ଉଚିତ ବୋଲି ଦାବି କରିଛନ୍ତି। ଏଥିରେ ସରକାର କାହିଁକି ଚୁପ ହୋଇ ରହିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଏ ନେଇ କୁଇ ସମାଜ ଜିଲା ଉପଦେଷ୍ଟା ଦାମୋଦର ଜାନି ଓ ବ୍ଲକ୍ ଆଦିବାସୀ ମହାସଂଘର ଜିଲା ଉପସଭାପତି ତ୍ରିନାଥ ଗେମେଲ୍ ପ୍ରମୁଖ ଆମ ପାରମ୍ପରିକ ନାଚ କିଭଳି ଆନ୍ଧ୍ରର ବୋଲି ପ୍ରଶ୍ନ କରିଛନ୍ତି। ଆମର ଢେମସା ନାଚ, ଆମର ବିଭିନ୍ନ ପର୍ବପର୍ବାଣି ଓ ମାଙ୍ଗଳିକ କାର୍ଯ୍ୟକ୍ରମରେ ମୁଖ୍ୟ ହୋଇଥାଏ ବୋଲି କହିଛନ୍ତି। ଆନ୍ଧ୍ରର ସୀମାନ୍ତ ଅଞ୍ଚଳରେ ମଧ୍ୟ ଆଦିବାସୀ ସମ୍ପ୍ରଦାୟ ଢେମସା ନୃତ୍ୟ ପରିବେଷଣ କରନ୍ତି, କିନ୍ତୁ କୋରାପୁଟିଆ ଗୀତରେ ଢେମସା ନୃତ୍ୟ ପରିବେଷଣ କରାଇ ଏହାକୁ ଆନ୍ଧ୍ରର ଦର୍ଶାଇବା କେତେ ଦୂର ଠିକ୍ ବୋଲି ଉପସଭାପତି ଗେମେଲ୍ ପ୍ରଶ୍ନ କରିଛନ୍ତି।
Dharitri – Odisha’s No.1 Odia Daily

