କେସିଙ୍ଗା, ୧୪।୯ (ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ନେଇ ସବୁଠି ଉତ୍ସାହ ଓ ଆନନ୍ଦର ପରିବେଶ। ଆସନ୍ତାକାଲି ନୂଆଖାଇ ପାଳନ ହେବାକୁ ଥିବାବେଳେ ଗରିବଠାରୁ ଧନୀ ପର୍ଯ୍ୟନ୍ତ ସମସ୍ତେ ଘରଦ୍ୱାର ସଫାସୁତୁରା କରିବା ସହ ସାଜସଜ୍ଜାରେ ଲାଗିପଡ଼ିଛନ୍ତି। ମାଟିଘରଗୁଡ଼ିକୁ ବିଭିନ୍ନ ରଙ୍ଗରେ ରଙ୍ଗ କରାଯାଇ ସୁନ୍ଦର ଭାବେ ସଜାଯାଉଛି।
ନୂଆଖାଇର ପୂର୍ବଦିନ ସୋମବାର କେସିଙ୍ଗା ବ୍ଲକ ବାଲସି ଗ୍ରାମରେ ପାରମ୍ପରିକ ‘ରୁଗୀ ବଟା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗ୍ରାମର ଇଷ୍ଟଦେବୀ ଧାରଣୀ ପୀଠର ପୂଜକଙ୍କ ସହଯୋଗୀମାନେ ଘରେ ଘରେ ବୁଲି ଚାଉଳ, ଟଙ୍କା, ନଡ଼ିଆ ଓ ଅନ୍ୟାନ୍ୟ ପୂଜା ସାମଗ୍ରୀ ସଂଗ୍ରହ କରିଛନ୍ତି।
ସଂଗ୍ରହ କରାଯାଇଥିବା ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀକୁ ଧାରଣୀ ପୀଠରେ ଧୂପଦୀପ ଦେଇ ଗ୍ରାମବାସୀଙ୍କ ମଙ୍ଗଳ ଓ ସମୃଦ୍ଧି କାମନା କରି ପୂଜା କରାଯାଇଛି। ଏହି ପାରମ୍ପରିକ ପ୍ରଥାରେ ଗ୍ରାମର ପ୍ରତ୍ୟେକ ଘରର ମୁଖିଆ ମହିଳା ଓ ପୁରୁଷମାନେ ସାମିଲ ହୋଇ ପୂଜା ସାମଗ୍ରୀ ପ୍ରଦାନ କରିଥିଲେ।
ନୂଆଖାଇ ପୂର୍ବରୁ ଗ୍ରାମବାସୀଙ୍କ ପକ୍ଷରୁ ଗଣେଶ ପୂଜା ମଧ୍ୟ ଅନୁଷ୍ଠିତ ହୋଇଛି। ଆସନ୍ତାକାଲି ନୂଆଖାଇ ଅବସରରେ ପରିବାରର ସମସ୍ତ ସଦସ୍ୟ ନୂଆ ବସ୍ତ୍ର ପରିଧାନ କରି ନୂଆ ଅନ୍ନ ଭୋଗ କରିବେ। ନୂଆ ଧାନର ଚୁଡ଼ା ସହ କଦଳୀ, ଗୋରସ, କର୍ପୂର ଓ ଇଲାଚି ମିଶ୍ରିତ ଖିରି, ବିଭିନ୍ନ ପ୍ରକାର ପିଠାପଣା ଓ ସୁସୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରାଯିବ।
ନୂଆଖାଇକୁ ନେଇ ଆଜିଠାରୁ ଗ୍ରାମର ପ୍ରତ୍ୟେକ ପରିବାରରେ ପ୍ରସ୍ତୁତି ଜୋରଦାର ହୋଇଥିବାବେଳେ ପାରମ୍ପରିକ ‘ରୁଗୀ ବଟା’ କାର୍ଯ୍ୟକ୍ରମ ଗ୍ରାମୀଣ ଏକତା ଓ ପରମ୍ପରାର ଏକ ନିଆରା ଉଦାହରଣ ପାଲଟିଛି।
Dharitri – Odisha’s No.1 Odia Daily

