କରୋନା ମୁକାବିଲାରେ ଭାରତୀୟ ଡାକ

ବୃହସ୍ପତି ସାମଲ

ଭାରି ବ୍ୟସ୍ତ ଲାଗୁଥାଏ ସଂଜିତ୍‌ ହାଲଦାରଙ୍କୁ। ଶନିବାର କାମ ସାରି ନିଜର କର୍ମସ୍ଥଳୀ ନଦିଆ ଜିଲାର ଦେବଗ୍ରାମ ଉପଡାକଘରୁ ୧୬୦ କି.ମି. ଦୂର ନିଜଘର ଦକ୍ଷିଣ ୨୪ ପ୍ରଗଣାର ଗରିଆକୁ ଚାଲିଆସିଥିଲେ ପରିବାରର ଭଲମନ୍ଦ ବୁଝି ପୁଣି ଫେରିଯିବାକୁ। ହେଲେ ୨୨ ମାର୍ଚ୍ଚର ଜନତା କର୍ଫ୍ୟୁ ଏବଂ ତତ୍‌ ପରବର୍ତ୍ତୀ ତାଲାବନ୍ଦୀ କଟକଣାରେ ସେ ସବୁକିଛି ଓଲଟପାଲଟ ହୋଇଯିବ ଏ କଥା ଭାବି ପାରି ନ ଥିଲେ। ଏପ୍ରିଲ ମାସ ଯେତିକି ପାଖେଇ ଆସୁଥାଏ, ମନଟା ସେତିକି ଆଉଟୁ ପାଉଟୁ ହେଉଥାଏ। ଚିନ୍ତା ବଢ଼ିଯାଇଥାଏ ତାଙ୍କ ଡାକଘର ଉପରେ ନିର୍ଭରଶୀଳ ଗରିବ, ଅଶିକ୍ଷିତ, ଅର୍ଦ୍ଧଶିକ୍ଷିତ ଗ୍ରହକମାନଙ୍କ ପାଇଁ, ଥୁରୁଥୁରୁ ହାତ ପାଦରେ ମାସ ଆରମ୍ଭରେ ଆସୁଥିବା ବରିଷ୍ଠ ନାଗରିକ, ଜୀବନର ସାୟାହ୍ନରେ ପରିବାରର ବୋଝ ମୁଣ୍ଡେଇଥିବା ପେନ୍‌ସନ୍‌ଭୋଗୀ ଏବଂ ମାସିକ ସଞ୍ଚୟ ଯୋଜନାରୁ ଟଙ୍କା ଉଠାଣ କରି ଗୁଜୁରାଣ ମେଣ୍ଟାଉଥିବା ନିୟମିତ ଗ୍ରାହକମାନଙ୍କ ପାଇଁ। ଗ୍ରହକମାନଙ୍କ ସୁଖଦୁଃଖକୁ ଜଣେ ପରିବାରର ସଦସ୍ୟ ଭଳି ବାଣ୍ଟି ନେଇଥିବା ସଂଜିତ୍‌ ସବୁମତେ ଚେଷ୍ଟାକଲେ କର୍ମସ୍ଥଳୀକୁ ଫେରିଆସିବାକୁ। ଘରୋଇ ଉଡ଼ାଯାନର ଭାରି ପାଉଣା ଦେବା ଜଣେ ଡାକପାଳ ପକ୍ଷରେ ସମ୍ଭବ ନ ଥିବାରୁ କର୍ମର ଡାକରାରେ ନିଜ ସ୍ବାସ୍ଥ୍ୟ ତଥା ପରିବାରର ଭଲମନ୍ଦକୁ ପଛରେ ପକେଇ, ଦୁଇ ପ୍ୟାକେଟ୍‌ ବିସ୍କୁଟ୍‌ ଏବଂ ଗୋଟିଏ ପାଣି ବୋତଲକୁ ପାଥେୟ କରି ନିଜ ଝିଅର ସାଇକେଲ ଧରି ୧୬୦ କି.ମି. ଯିବାକୁ ଅଣ୍ଟା ଭିଡ଼ିଲେ ସଂଜିତ୍‌। କାଳି ଅନ୍ଧାରରୁ ଘରୁ ବାହାରି ଗାଁ, ସହର ଏବଂ ଘଞ୍ଚ ଜଙ୍ଗଲର ନିଚ୍ଛାଟିଆ ରାସ୍ତା ଦେଇ ଦେବଗ୍ରାମରେ ପହଞ୍ଚତ୍ଲେ ରାତି ୯ଟାରେ।
ଡାକସେବାକୁ ଜନସେବାର ମୂଳମନ୍ତ୍ର ଭାବେ ଗ୍ରହଣ କରିଥିବା ସଂଜିତ୍‌ ହାଲଦାରଙ୍କ ଭଳି ନିଷ୍ଠାପର, କର୍ମତପତ୍ର, ଉସତ୍ର୍ଗୀକୃତ, ସୁଦକ୍ଷ ପାଞ୍ଚଲକ୍ଷ କର୍ମଚାରୀ ମଣ୍ଡଳୀକୁ ନେଇ ଗ୍ରାମାଞ୍ଚଳର ୧୩୦୦୦୦ ଡାକଘର ସହ ମୋଟ ୧୫୫୦୦୦ ଡାକଘର ସାହାଯ୍ୟରେ ଭାରତୀୟ ଡାକ କରୋନା ମହାମାରୀର ମୁକାବିଲା ପାଇଁ ଜାରିଥିବା ତାଲାବନ୍ଦୀ ସମୟରେ ନିଜ ଚିରାଚରିତ ଡାକ ଓ ଆର୍ଥତ୍କ ସେବା ସହ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସେବା ପ୍ରଦାନ ପାଇଁ ସରକାର, ପ୍ରଶାସନ ଓ ସାଧାରଣ ଜନତା ସହ ଯୋଡ଼ି ହୋଇଯାଇଛି। ଭାରତର ଏଭଳି ଘୋର ସଂକଟମୟ ପରିସ୍ଥିତିରେ ଯେଉଁ କେତୋଟି ସରକାରୀ ସଂସ୍ଥା କାର୍ଯ୍ୟରତ, ତା’ମଧ୍ୟରେ ବିଶ୍ୱର ଏହି ସର୍ବବୃହତ୍‌ ଡାକସଂସ୍ଥା ଅନ୍ୟତମ। ତାଲାବନ୍ଦୀ କାରଣରୁ ସାଧାରଣ ଜୀବନଯାତ୍ରା ଢେର ବାଧାପ୍ରାପ୍ତ ହେଉଥିବା ବେଳେ ଭାରତୀୟ ଡାକ, ନାଗରିକମାନଙ୍କ ଅହର୍ନିଶ ସେବା ପ୍ରଦାନ ପାଇଁ ପ୍ରତିବଦ୍ଧ।
କରୋନା ମହାମାରୀର ଘୋର ସଂକଟମୟ ପରିସ୍ଥିତିରେ ସମାଜର ମୁଖ୍ୟ ସ୍ରୋତରୁ ଦୂରେଇ ରହିଥିବା ଅପହଞ୍ଚ ଅଞ୍ଚଳର ଗରିବ, ନିଷ୍ପେଷିତ ଶ୍ରମିକ ଶ୍ରେଣୀ ଓ ବସ୍ତି ବାସିନ୍ଦାଙ୍କ ମୁହଁରେ ହସ ଫୁଟାଇ ସେମାନଙ୍କର ଜୀବନଯାତ୍ରାକୁ ସହଜ ଓ ସରଳ କରିବା ଉଦ୍ଦେଶ୍ୟରେ ଭାରତୀୟ ଡାକ ବିଭାଗର ୨୩ଟି ଡାକ ପରିମଣ୍ଡଳ ତାଲାବନ୍ଦୀ ସମୟରେ ସେମାନଙ୍କ ପାଖରେ ରନ୍ଧା ଓ ଶୁଖିଲା ଖାଦ୍ୟ, ରାଶନ ଏବଂ ବିଭିନ୍ନ ସୁରକ୍ଷା ସାମଗ୍ରୀ ପହଞ୍ଚାଇବା ପାଇଁ ପ୍ରତିବଦ୍ଧ। ପଞ୍ଜାବ ଡାକ ପରିମଣ୍ଡଳ ‘ଫୁଡ଼ସ୍‌ ଅନ୍‌ ହୁଇଲସ୍‌’ କାର୍ଯ୍ୟକ୍ରମ ଜରିଆରେ ନିର୍ମାଣ ଓ ପ୍ରବାସୀ ଶ୍ରମିକ, ବୁଲା ବିକାଳି, ରିକ୍ସା ଚାଳକ ଓ ରୋଗୀଙ୍କ ପରିଚାରକମାନଙ୍କୁ ଦିନକୁ ୨ଥର ରନ୍ଧାଖାଦ୍ୟ ପରିବେଷଣ କରୁଛି। ଉତ୍ତର ପ୍ରଦେଶ ଡାକ ପରିମଣ୍ଡଳ ନଏଡ଼ା, ଗାଜିଆବାଦ ଓ ପ୍ରୟାଗରାଜ ଅଞ୍ଚଳରେ ଥଇଥାନ ହୋଇଥିବା ପ୍ରବାସୀ ଓ ନିର୍ମାଣ ଶ୍ରମିକମାନଙ୍କ ସହ ଅସୁବିଧାରେ ଥିବା ଦୀନଦୁଃଖୀଙ୍କୁ ଶୁଖିଲା ଖାଦ୍ୟ ଓ ରାଶନ ସାମଗ୍ରୀ ପୁଡ଼ିଆ ବିତରଣ କରୁଛି। ସେହିଭଳି ଓଡ଼ିଶା, ବିହାର, ତେଲଙ୍ଗାନା ସମେତ ଅନ୍ୟ ସମସ୍ତ ଡାକ ପରିମଣ୍ଡଳ ଡାକଘର ଲାଲ ମୋଟର ଯାନରେ ଲକ୍ଷାଧିକ ଖାଦ୍ୟ ପୁଡ଼ିଆ ସହ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଓ ଅତ୍ୟାବଶ୍ୟକୀୟ ଜିନିଷପତ୍ର ଏପରି କି ପନିପରିବା ମଧ୍ୟ ପ୍ରତ୍ୟେକ ଦିନ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି। ସତେ ଯେମିତି ଡାକ ବିଭାଗର ଲାଲ ମୋଟର ଯାନ ବର୍ତ୍ତମାନ ଦେଶର ଏ ଦୁର୍ଦ୍ଦିନରେ ବାସହୀନ ଭୋକିଲା ଜନତାଙ୍କର ଆଶା ଭରସା ସାଜି ଉଭା ହୋଇଛି। ତାଲାବନ୍ଦୀ ସମୟରେ ଜୀବନ ରକ୍ଷାକାରୀ ଔଷଧ, କୋଭିଡ-୧୯ ପରୀକ୍ଷଣ ସରଞ୍ଜାମ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସ୍ବାସ୍ଥ୍ୟ ଉପକରଣ ପ୍ରେରଣ କରିବାରେ ଭାରତୀୟ ଡାକର ସ୍ପିଡ଼ପୋଷ୍ଟ ସେବାର ଯୋଗଦାନ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ପାହାଡ଼ ପର୍ବତଘେରା ଉତ୍ତରାଖଣ୍ଡର ରାଜଧାନୀ ଡେରାଡ଼ୁନ୍‌ର ୨୪୦ କି.ମି. ଦୂର ସାତଟି ପାହାଡ଼ର ମଧ୍ୟସ୍ଥଳୀରେ ସମୁଦ୍ର ପତନଠାରୁ ୨୬୨୦ଫୁଟ୍‌ ଉଚ୍ଚତାରେ ଅବସ୍ଥିତ ଚାମୋଲି ଜିଲା ଅନ୍ତର୍ଗତ ଗୌଚରରେ ରହୁଥିବା ଭାରତୀୟ ଆର୍ମି ଅଧିକାରୀ ସୁଶୀଲ ଯୋଶୀଙ୍କର ବୃଦ୍ଧ ପିତା ଏମ୍‌.ପି. ଯୋଶୀଙ୍କୁ ଠିକ୍‌ ସମୟରେ ଜୀବନ ରକ୍ଷାକାରୀ ଔଷଧ ପ୍ରଦାନ କରିବା ଭାରତୀୟ ଡାକର ନିଷ୍ଠା ଓ ପ୍ରତିବଦ୍ଧତାକୁ ପ୍ରମାଣିତ କରେ, ଯାହା କୌଣସି ଘରୋଇ କୋରିୟର ସଂସ୍ଥା ପକ୍ଷେ ସମ୍ପୂର୍ଣ୍ଣ ଅସମ୍ଭବ। ମାଇଁ ଲ୍ୟାବ୍‌ର ଅନୁରୋଧକ୍ରମେ ୧୩ ଏପ୍ରିଲ ୧୧ଟା ସମୟରେ କୋଭିଡ୍‌-୧୯ ପରୀକ୍ଷଣ ସରଞ୍ଜାମ ନେଇ ୧୪ ଏପ୍ରିଲ ସକାଳେ ୪୯୦କି.ମି. ଦୂର ଗୁଜରାଟର ଅଙ୍କଲେଶ୍ୱରରେ ପହଞ୍ଚାଇବା, ୩୬ଘଣ୍ଟା ମଧ୍ୟରେ ଚେନାଇରୁ ୪୦ଟି ଡିଫ୍ରିବିଲେଟର ଆଣି ଲକ୍ଷ୍ନୌଠାରେ ଉତ୍ତରପ୍ରଦେଶ ମେଡିକାଲ ସପ୍ଲାଇଜ କର୍ପୋରେଶନ୍‌କୁ ପ୍ରଦାନ କରିବା, ପୁଡୁଚେରୀରୁ ଭେଣ୍ଟିଲେଟର ଓ ଡାୟାଲିସିସ୍‌ କିଟ୍‌ ଆଣି ଓଡ଼ିଶା ଏବଂ ଗୁଜରାଟର ବିଭିନ୍ନ ପ୍ରାନ୍ତରେ ଅବସ୍ଥିତ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ମେଡିକାଲ କଲେଜମାନଙ୍କରେ ଯଥାସମୟରେ ପହଞ୍ଚେଇବା, କୋଲକାତାରୁ ସଡ଼କ ପଥରେ ରାଞ୍ଚତ୍ ଏବଂ ସିଲିଗୁଡ଼ିରୁ ଟନ୍‌ ଟନ୍‌ ଔଷଧ ଓ ସ୍ବାସ୍ଥ୍ୟ ଉପକରଣ ପଠାଇବା, କ୍ୟାନ୍‌ସର ପୀଡ଼ିତା ଉନ୍ନା (ହିମାଚଳ ପ୍ରଦେଶ) ର ୮ବର୍ଷୀୟା ନିରୀହା କିଶୋରୀର ଜୀବନ ବଞ୍ଚାଇବାକୁ ପଞ୍ଜାବ, ହରିୟାଣା, ଦିଲ୍ଲୀ ଓ ହିମାଚଳ ପ୍ରଦେଶ ଡାକ ପରିମଣ୍ଡଳ ମିଳିତ ଭାବେ ଯୋଗାଯୋଗ ରକ୍ଷାକରି କାର୍ଯ୍ୟ କରିବା ଏବଂ ତାଲାବନ୍ଦୀର କଟକଣା ସତ୍ତ୍ୱେ ପଞ୍ଜାବରୁ ଉନ୍ନା ପର୍ଯ୍ୟନ୍ତ ସ୍ବତନ୍ତ୍ର ଡାକଗାଡ଼ିର ବ୍ୟବସ୍ଥା କରି ଜୀବନ ରକ୍ଷାକାରୀ କ୍ୟାନ୍‌ସର ଔଷଧ ପହଞ୍ଚାଇବା ଆଦି କେତୋଟି ନିର୍ଦ୍ଦିଷ୍ଟ ଘଟଣାବଳୀ ଭାରତୀୟ ଡାକର ଉତ୍ତରଦାୟିତ୍ୱ, ନିଷ୍ଠା ଓ ଉସତ୍ର୍ଗୀକୃତ ସେବାର ସ୍ପଷ୍ଟ ଉଦାହରଣ।
ଗୃହ ମନ୍ତ୍ରଣାଳୟର ଆକଳନ ଅନୁସାରେ ଭାରତୀୟ ଡାକ ତାଲାବନ୍ଦୀ ସମୟରେ ୧୦୦ଟନ୍‌ରୁ ଊର୍ଦ୍ଧ୍ୱ ଔଷଧପତ୍ର, କୋଭିଡ୍‌-୧୯ ପରୀକ୍ଷଣ ଯନ୍ତ୍ରପାତି, ଭେଣ୍ଟିଲେଟର ତଥା ଅନ୍ୟାନ୍ୟ ସ୍ବାସ୍ଥ୍ୟ ଉପକରଣ ଦେଶର କୋଣେ ଅନୁକୋଣେ ପହଞ୍ଚାଇବାରେ ସମର୍ଥ ହୋଇଛି। ଏତଦ୍‌ଭିନ୍ନ, ଡାକଘର ସ୍ବଳ୍ପ ସଞ୍ଚୟ ଯୋଜନାରେ ନିବେଶ, ସଞ୍ଚୟ ଖାତାରୁ ନଗଦ ଅର୍ଥ ଉଠାଣ, ମନରେଗା, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା, ସାମାଜିକ ସୁରକ୍ଷା ପେନ୍‌ସନ୍‌ ଓ ପ୍ରତ୍ୟକ୍ଷ ଲାଭାନ୍ତରଣ ରାଶି ପ୍ରଦାନକୁ ତାଲାବନ୍ଦୀ ସମୟରେ ଭାରତୀୟ ଡାକ ଜନହିତରେ ବେଶ୍‌ ତ୍ୱରାନ୍ବିତ କରିପାରିଛି। ଆଧାରଭୁକ୍ତ ଅର୍ଥପ୍ରଦାନ ପ୍ରଣାଳୀ ଦ୍ୱାରା ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍‌ ବ୍ୟାଙ୍କ ଜରିଆରେ ଗ୍ରହକମାନଙ୍କୁ ଯେକୌଣସି ବ୍ୟାଙ୍କରୁ ଟଙ୍କା ଉଠାଣର ସୁବିଧା ଉପଲବ୍ଧ କରାଇପାରିଛି। କେବଳ ୧୩ ଏପ୍ରିଲରେ ୧.୦୯ଲକ୍ଷ ରେକର୍ଡ ସଂଖ୍ୟକ ନେଣଦେଣ ସହ ୨୨.୮୨ କୋଟି ଟଙ୍କାର କାରବାର କରିପାରିଛି। ଜମ୍ମୁକଶ୍ମୀର, ଲେହ୍‌, ଗୁଜରାଟ, ତେଲଙ୍ଗାନା, କର୍ନାଟକ, ଝାଡ଼ଖଣ୍ଡ, ବିହାର, ମଧ୍ୟପ୍ରଦେଶର ଅପହଞ୍ଚ ଆଦିବାସୀ ଅଞ୍ଚଳର ବିଧବା, ଭିନ୍ନକ୍ଷମ, ବୟସ୍କ ପେନ୍‌ସନ୍‌ଭୋଗୀଙ୍କ ଦୁଆରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ସମସ୍ତ ରିଲିଫ ପ୍ରଦାନକୁ ସୁନିଶ୍ଚିତ କରି ବିପଦ ସମୟରେ ସାଧାରଣ ଜନତାର ପ୍ରକୃତ ବନ୍ଧୁ ବୋଲି ଭାରତୀୟ ଡାକ ନିଜକୁ ପ୍ରମାଣିତ କରିଛି। ପ୍ରଥମ ଦଫା ତାଲାବନ୍ଦୀ ସମୟରେ ୩୧ମାର୍ଚ୍ଚ ସୁଦ୍ଧା ୩୪ଲକ୍ଷ ସଂଖ୍ୟକ ଡାକଘର ସ୍ବଳ୍ପ ସଞ୍ଚୟ ଯୋଜନା ଏବଂ ୬.୫ଲକ୍ଷ ସଂଖ୍ୟକ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍‌ ବ୍ୟାଙ୍କ କାରବାର ହୋଇଛି।
ସମ୍ପୂର୍ଣ୍ଣ ତାଲାବନ୍ଦୀ ସମୟରେ ଓଡ଼ିଶା ଡାକ ପରିମଣ୍ଡଳ ୨୦ ଏପ୍ରିଲ ସୁଦ୍ଧା ୨୭୧୦୧୯ ସଂଖ୍ୟକ କାରବାର କରି ମୋଟ ୧୧୪୮.୯୫ କୋଟି ଟଙ୍କା ହିତାଧିକାରୀ ଓ ଗ୍ରାହକମାନଙ୍କୁ ପ୍ରଦାନ କରିପାରିଛି। ଏକପାଦ ଆଗକୁ ଯାଇ ଡାକ ବିଭାଗର ସମସ୍ତ କର୍ମଚାରୀ ଗୋଟିଏ ଦିନର ଦରମା ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଦାନ କରି ସାରିଛନ୍ତି, ଯେଉଁଥିରେ ଓଡ଼ିଶା ପରିମଣ୍ଡଲର ୧.୪୨ କୋଟି ଟଙ୍କା ଯୋଗଦାନ ରହିଛି। ଦେଶର ଏ ଘୋର ଦୁର୍ଦ୍ଦିନରେ ନିଷ୍ଠା ଓ ପ୍ରତିବଦ୍ଧତାର ସହ ଭାରତୀୟ ଡାକ ଓ ତା’ର କର୍ମଚାରୀମାନେ ଯାହା କରିଚାଲିଛନ୍ତି ତାହା ହୁଏତ ଅନ୍ୟ କୌଣସି ସଂସ୍ଥା ଦ୍ୱାରା ସମ୍ଭବ ନୁହେଁ। ଏଥିପାଇଁ ଲର୍ଡ ଡେଲ୍‌ହାଉସି ୩୦ ଡିସେମ୍ବର ୧୮୫୧ ମସିହାରେ ତାଙ୍କ ଦିନଲିପିରେ ସ୍ପଷ୍ଟ ଉଲ୍ଲେଖ କରିଯାଇଛନ୍ତି, ”It makes the Post Office what under any other system it can never be the unrestricted means of diffusing knowledge, extendig commerce and promoting in every way the social and intellectual improvement of the people.“ ଭାରତୀୟ ଡାକର ସୁଦକ୍ଷ କରୋନା ଯୋଦ୍ଧାଙ୍କୁ ଶତଶତ ପ୍ରଣାମ।

ଅଧ୍ୟକ୍ଷ, ଡାକ କର୍ମଚାରୀ ରାଷ୍ଟ୍ରୀୟ ମହାସଂଘ

ଓଡ଼ିଶା ସମନ୍ବୟ ସମିତି, ଭୁବନେଶ୍ୱର
ଇମେଲ: aipeugroupcodisha@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

ଓଜୋନ୍‌ ଓ ପୃଥିବୀର ସୁରକ୍ଷା

ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍‌ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି...

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri