ଉଦ୍ଦେଶ୍ୟ ମହତ୍‌ ହେଲେ ହେଲା

ଡ. ଚିନ୍ତାମଣି ପଣ୍ଡା
ରାଜ୍ୟ ଶାସନ କରିବାକୁ ହେଲେ ଚାଣକ୍ୟଙ୍କର ଚତୁରଙ୍ଗ ନୀତିକୁ ଅନେକେ ଅନୁକରଣ କରିଥାନ୍ତି। ତାହା ହେଲା ସାମ, ଦାନ, ଦଣ୍ଡ ଓ ଭେଦ। ‘ଦଣ୍ଡେନ ପାଳୟେତ୍‌ ପ୍ରଜା।’ ଏହି ଦଣ୍ଡ ପୁଣି ଉଚିତ ମାତ୍ରାରେ, ଉଚିତ ବ୍ୟକ୍ତିଙ୍କୁ ଉଚିତ ସମୟରେ ଅନୁଚିତ କାର୍ଯ୍ୟ ପାଇଁ ପ୍ରଦାନ କରିବାକୁ ହେଲେ ବିବିଧ ନ୍ୟାୟନୀତିର ଅନୁସରଣ କରିବାକୁ ପଡ଼େ। କିନ୍ତୁ ଏହି ନ୍ୟାୟ ବ୍ୟବସ୍ଥାବଳୀ ଏତେ ଜଟିଳ ଯେ, ଦଣ୍ଡ ପ୍ରଦାନକାରୀଙ୍କର ସାମାନ୍ୟ ତ୍ରୁଟି ଦେଖାଦେଲେ ଅପରାଧୀ ଖସିଯାଇଥାଏ, ନିର୍ଦ୍ଦୋଷ ଦଣ୍ଡ ପାଇଥାଏ ଏବଂ ବେଳେ ବେଳେ ଦଣ୍ଡଛତ୍ରଧାରୀ ମଧ୍ୟ ଫସିଯାଇଥାନ୍ତି। ସେଥିଲାଗି ସବୁଦିଗକୁ ଧ୍ୟାନଦେଇ ନିଜର ଜ୍ଞାନ ଓ ବିବେକକୁ ଉପଯୋଗ କରି ଦଣ୍ଡ ନିର୍ଦ୍ଧାରଣ କରାଯିବା ଉଚିତ। ଏହି ପରିପ୍ରେକ୍ଷୀରେ ଆଇନର ଗଳାବାଟ ଦେଇ ଅଭିଯୁକ୍ତକୁ ଦଣ୍ଡମୁକ୍ତ କରାଇବାରେ ସମର୍ଥ ଆଇନ ବିଶାରଦମାନେ ମଧ୍ୟ ଅଛନ୍ତି। ତେଣୁ ଜନସାଧାରଣଙ୍କ ମତରେ ସେମାନେ କଳାକୁ ଧଳା କରିପାରନ୍ତି।
ଆଇନର ବିଭିନ୍ନ ଦିଗକୁ ତର୍ଜମା କଲେ ଆମେ ଅନେକ କୌତୂହଳପୂର୍ଣ୍ଣ ବିଷୟବସ୍ତୁ ମଧ୍ୟ ପାଇବା। ଶୁଣାଯାଏ ମନ୍ଦିରରୁ ମୂର୍ତ୍ତି ଚୋରି କରୁଥିବା ବ୍ୟକ୍ତିର ଚାରିତ୍ରିକ ସଂସ୍କାର ପାଇଁ ଅଦାଲତ ତାକୁ ପ୍ରତ୍ୟହ ସକାଳେ ମନ୍ଦିର ବେଢାର ମାର୍ଜନା କରିବାକୁ ଆଦେଶ ଦିଅନ୍ତି। ଏହି ପୃଷ୍ଠଭୂମିରେ ଦେଖିବାକୁ ଗଲେ ଆରକ୍ଷୀ ଅଧୀକ୍ଷକ ମହୋଦୟାଙ୍କର ସୁଲଳିତ କଣ୍ଠରୁ ନିଃସୃତ ସଙ୍ଗୀତର ମୂର୍ଚ୍ଛନାରେ ମାଓବାଦୀ ସାଜିବାକୁ ଇଚ୍ଛୁକ ଯୁବପିଢି ଆକର୍ଷିତ ହୋଇ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ଏକ ଖିଆଲ ହୋଇ ନ ପାରେ। ଏହାର ପ୍ରଭାବ ଯାହା ହେଉ ନା କାହିଁକି ଏହା ପଛରେ ଥିବା ମନୋବୃତ୍ତି ହିଁ ଶୁଦ୍ଧ ଆଶାବାଦୀ ଏବଂ ଏ ପ୍ରକାରର ପ୍ରୟାସ ତାତ୍ପର୍ଯ୍ୟପୂର୍ଣ୍ଣ। ତା’ପରେ ପୁଣି ସେହି ବାଦ୍ୟ ସଙ୍ଗୀତର ତାଳେ ତାଳେ ଜନସାଧାରଣଙ୍କୁ ସ୍ବାସ୍ଥ୍ୟବାନ ରହିବା ପାଇଁ ସ୍ବୟଂ ଯୋଗଗୁରୁ ସାଜିବା ନିଶ୍ଚିତ ଭାବରେ ଦୃଷ୍ଟନ୍ତମୂଳକ।
ଦ୍ୱିତୀୟ ଉଦାହରଣରେ, ସାଧାରଣ ଜନତାଙ୍କ ପନ୍ଥା ଅନୁସରଣ କରି ଜିଲାପାଳ ନିଜର ସ୍ତ୍ରୀଙ୍କୁ ବୁଝାଇ ଶୁଝାଇ ସରକାରୀ ଡାକ୍ତରଖାନାରେ ପ୍ରସବ କରାଇବା ଉଲ୍ଲେଖନୀୟ। ପଇସାବାଲା ଲୋକଙ୍କ ମୁହଁରେ ବ୍ରଣଟିଏ ହେଲେ ଅତ୍ୟାଧୁନିକ ଡାକ୍ତରଖାନାର ଶୀତତାପ ନିୟନ୍ତ୍ରିତ କକ୍ଷରେ ଚିକିତ୍ସିତ ହେବା ଗତାନୁଗତିକ ଧାରା। କିନ୍ତୁ ଏହାଠାରୁ ପାଦେ ଆଗକୁ ଯାଇ ଏକ ଜିଲାପାଳ ଦମ୍ପତି ଜନସାଧାରଣଙ୍କ ଆସ୍ଥା ହରାଇଥିବା ଏବଂ ମୌଳିକ ସୁବିଧା ସୁଯୋଗର ଭରସା ନ ଥିବା ସରକାରୀ ଡାକ୍ତରଖାନାର ଆଶ୍ରୟ ନେବା ନିଶ୍ଚୟ ଏକ ଦୁଃସାହସିକ ପଦକ୍ଷେପ, ଯାହା ପଛର ମନୋବୃତ୍ତି ଆତ୍ମବିଜ୍ଞାପନ ପାଇଁ ଉଦ୍ଦିଷ୍ଟ ନ ହୋଇଥିଲେ ପ୍ରଶଂସାଯୋଗ୍ୟ ନିଶ୍ଚୟ। ପ୍ରଶାସନିକ ସଂହିତାରେ ଏ ପ୍ରକାରର ବିଧି ବ୍ୟବସ୍ଥା ନ ଥିବା ବେଳେ ନିଜର ମାନସିକତା ହିଁ ଏପରି କାର୍ଯ୍ୟ କରିବାକୁ ବ୍ୟକ୍ତିଟିକୁ ପ୍ରେରିତ କରିଥାଏ।
ଅନ୍ୟ ଏକ ଉଦାହରଣରେ ଜଣେ ଯୁବ ଡାକ୍ତର ତାଙ୍କ ରୋଗୀଟିକୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ନିଜ କାନ୍ଧରେ ତା’ର ଖଟିଆକୁ ନଦୀ ନାଳ ପାର ହୋଇ ଡାକ୍ତରଖାନାକୁ ବୋହି ନେବା କିମ୍ବା ଆବଶ୍ୟକ ପଡିଲେ ନିଜ ଦେହରୁ ରକ୍ତଦାନ କରିବା ବିରଳ ନିଶ୍ଚୟ। ଏହାଦ୍ୱାରା ଜଣେ ଚିକିତ୍ସକଙ୍କୁ ଦ୍ୱିତୀୟ ଈଶ୍ୱର କହିବାକୁ ଏ ସମାଜ କେବେ ବି କୁଣ୍ଠିତ ହୋଇନାହିଁ। କାରଣ ୟା ପଛର ଅଭିପ୍ରାୟ ହିଁ ମହତ୍‌। କିନ୍ତୁ ବେଳେବେଳେ ମହତ୍ୱାକାଙ୍‌କ୍ଷୀ ହୋଇ ଆମେ ନିଜ ଜୀବନକୁ ବିପଦରେ ପକାଇଥାଉ। ଯେମିତି ଜଣେ ଗୋଷ୍ଠୀ ଶିକ୍ଷାଧିକାରୀ ପାଗଳର ଛଦ୍ମବେଶରେ ଆସି ସ୍କୁଲ ସମ୍ମୁଖରେ ଶିକ୍ଷକମାନଙ୍କ ନିୟମିତତାର ଅନୁଧ୍ୟାନ କରୁ କରୁ ଧରାପଡିଗଲେ। ଉଦ୍ଦେଶ୍ୟ ତାଙ୍କର ପ୍ରଶଂସନୀୟ ଥିବା ସତ୍ତ୍ୱେ ଉଦ୍ୟମ ବିପଦସଙ୍କୁଳ, ଯହିଁରେ ଜୀବନ ହାନି ଘଟିବାର ଆଶଙ୍କାକୁ ଏଡାଇ ହେବନି। କିନ୍ତୁ ଏ ପ୍ରକାର ମାନସିକତା ମନ୍ତ୍ରୀ କିମ୍ବା ଜିଲାପାଳ ଶ୍ରେଣୀଗୃହକୁ ଧସେଇ ପଶି ଶିକ୍ଷାଦାନ କରିବାଠାରୁ ଭିନ୍ନ। ଆଉ ସମ୍ପୂର୍ଣ୍ଣ ଭିନ୍ନ, କୌତୂହଳୀ ହୋଇ ଯେତେବେଳେ ଜମିରେ ଖୋଦ ଜିଲାପାଳ ହଳ କରନ୍ତି କିମ୍ବା କାଦୁଅରେ ପଶି ତଳି ରୁଅନ୍ତି। ଆମ ମତରେ ଯେତେ ଭଲ ଉଦ୍ଦେଶ୍ୟ ଥିଲେ ବି ସମାଜ ଏହାକୁ ଆତ୍ମବିଜ୍ଞାପନ ହିସାବରେ ଧରିନେବ। ଯାହାକୁ ଆମେ ନିଚ୍ଛକ ଓଡ଼ିଆରେ ‘ଦେଖାଇହେବା’ ବୋଲି କହୁ।
ଅନେକ ସମୟରେ ସଚେତନତା ସୃଷ୍ଟି ପାଇଁ ଆମେ ସାଇକେଲ ଶୋଭାଯାତ୍ରା କରୁ। ପଞ୍ଚତାରକା ହୋଟେଲ କକ୍ଷରେ ସମ୍ମିଳନୀମାନ ଆୟୋଜନ କରୁ। ମାନବଶୃଙ୍ଖଳ କରୁ, ଅବୋଧ ବାଳକମାନଙ୍କୁ ଶୋଭାଯାତ୍ରାରେ ସାମିଲ କରି ସମାଜକୁ ବିଭିନ୍ନ ବାର୍ତ୍ତା ଦେଉ। କିନ୍ତୁ ଏହାର କେତେ ପ୍ରଭାବ ପଡେ ତା’ର କେବେ ମୂଲ୍ୟାୟନ କରୁ କି? ନା, ସେ ଦିଗ ପ୍ରତି କୌଣସି ଧ୍ୟାନ ନ ଦେଇ କେବଳ ଚିତ୍ର କିଛି ଉତ୍ତୋଳନ କରି ଗଣମାଧ୍ୟମକୁ ଦେଇଦେବାରେ ଆମର କାର୍ଯ୍ୟକଳାପ ସୀମିତ ରୁହେ। ଅପରନ୍ତୁ ବାରମ୍ବାର ଜେଲରୁ ମୁକୁଳି ଆପରାଧିକ କାର୍ଯ୍ୟରେ ଲିପ୍ତ ରହୁଥିବା ଦାଗୀକୁ ତଡ଼ି ପାର କଲାବେଳେ କିମ୍ବା ତା’ର ଅନଧିକୃତ ଗୃହକୁ ଭଙ୍ଗା ଗଲାବେଳେ ମାନବାଧିକାର କ୍ଷୁଣ୍ଣ ହେବାର ଅଭିଯୋଗ ଆଣୁ। ଏ ପ୍ରକାର ମାନସିକତା କୃତ୍ରିମ, ପ୍ରହେଳିକାପୂର୍ଣ୍ଣ ତଥା ଅପରିଣାମଦର୍ଶୀ। ଏ ପ୍ରକାର ବ୍ୟକ୍ତିତ୍ୱ କଦାପି ସମାଜ କିମ୍ବା ଦେଶର ହିତକାରୀ ନୁହନ୍ତି। ଅତଏବ ସମାଜର ମଙ୍ଗଳ ପାଇଁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିତ୍ୱ ସରକାରୀ କି ବେସରକାରୀ ହେଇଥାନ୍ତୁ ପଛେ ନିଜର ଖିଆଲି ମସ୍ତିଷ୍କକୁ କାର୍ଯ୍ୟରେ ବିନିଯୋଗ କଲେ ଯାଇ ଭିନ୍ନ ଢଙ୍ଗରେ ଦେଶ ଓ ଦଶର ସେବା କରି ନିଜର ସ୍ବାତ ବଜାୟ ରଖିପାରିବେ। କେବଳ ଉଦ୍ଦେଶ୍ୟ ଆନ୍ତରିକତାରେ ପୂର୍ଣ୍ଣ ଥିଲେ ହେଲା।
ପ୍ରାଧ୍ୟାପକ, କୃଷି ମହାବିଦ୍ୟାଳୟ, ଭୁବନେଶ୍ୱର, ମୋ-୯୪୩୭୧୮୫୧୭୫


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri