ବାତ୍ୟା ବିପର୍ଯ୍ୟୟର ମୁକାବିଲା

ଅଂଶୁମାନ ଦାଶ

ବାତ୍ୟା, ସାମୁଦ୍ରିକ ଝଡ଼, ଟର୍ନାଡୋ ବା ସାଇକ୍ଲୋନ୍‌ ରୂପରେ ମଣିଷ ଦେଖି ଆସିଛି ପ୍ରକୃତିର ଧ୍ୱଂସର ରଚନା। ଶାନ୍ତ, ନିର୍ବାକ୍‌ ପ୍ରକୃତିର ସମୟ ସମୟରେ ଏ କମ୍ପନ ଏ ବିଚିତ୍ରତା ମଣିଷ ମନରେ ଯୁଗଯୁଗରୁ ଅସଂଖ୍ୟ ପ୍ରଶ୍ନ ଉତ୍ପନ୍ନ କରିଛି। ହେଲେ ତଜ୍ଜନିତ କାଳ୍ପନିକ କାହାଣୀ ସବୁ ବିଜ୍ଞାନର ପ୍ରସାର ପରେ ଲୋପପାଇଛି। ପ୍ରଯୁକ୍ତି ଜ୍ଞାନକୌଶଳ ଦ୍ୱାରା ପାଣିପାଗର ପ୍ରାକ୍‌ ସୂଚନା ଉପଲବ୍ଧ ହୋଇପାରିଛି, ଯାହା ବାତ୍ୟା ପରି ପରିସ୍ଥିତିର ସମ୍ଭାବ୍ୟ ମୁକାବିଲା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି। ନବେ ଦଶକର ଉପକୂଳ ଓଡ଼ିଶାର ପିଲାମାନେ ୧୯୯୯ ଅକ୍ଟୋବର ୨୯ ତାରିଖ ଦିନ ବାତ୍ୟା ପରିସ୍ଥିତି ଓ ତଜ୍ଜନିତ କରାଳ ବିଭୀଷିକା ସହ ପ୍ରଥମକରି ପରିଚିତ ହୋଇଥିଲେ। ମହାବାତ୍ୟା ତାଣ୍ଡବର ସେହି ଦିବସଟି ପ୍ରଭାବିତ ପିଢ଼ିର ମନରେ ଚିର ଅଲିଭା ହୋଇ ରହିବ। ୧୯୯୯ ଓଡ଼ିଶା ସୁପର୍‌ ସାଇକ୍ଲୋନ୍‌ ନାମରେ ଜଣା ଏହି ମହାବାତ୍ୟାରେ ପବନର ବେଗ ଏତେ ଥିଲା ଯେ, ଏଥିରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ସରକାରୀ ତଥ୍ୟ ଅନୁସାରେ ପାଖାପାଖି ୧୦,୦୦୦ ଜୀବନ ନଷ୍ଟ ହୋଇଥିଲା।
ଭାରତ ମହାସାଗରରେ ସୃଷ୍ଟି ହେଉଥିବା ବାତ୍ୟାକୁ ସାଇକ୍ଲୋନ୍‌ କୁହାଯାଉଥିବା ବେଳେ ଆଟଲାଣ୍ଟିକ୍‌ ମହାସାଗରରେ ହରିକେନ୍‌ ଓ ପ୍ରଶାନ୍ତ ମହାସାଗରରେ ଏହାକୁ ଟାଇଫୁନ୍‌ କୁହାଯାଇଥାଏ। ବାତ୍ୟା ସମୟର ପବନର ବେଗକୁ ସାଧାରଣତଃ ନଟ୍‌ (knot) ୟୁନିଟ୍‌ରେ ନିର୍ଣ୍ଣୟ କରାଯାଇଥାଏ। ଗୋଟିଏ ନଟ୍‌ର ଅର୍ଥ ଘଣ୍ଟା ପ୍ରତି ଗୋଟିଏ ନଟିକାଲ୍‌ ମାଇଲ୍‌ ବା ୧.୮୫୨ କିଲୋମିଟର। ପୃଥିବୀର ଅକ୍ଷାଂଶର ଗୋଟିଏ ମିନିଟ୍‌ ବା ୧/୬୦ ଡିଗ୍ରୀର ଦୂରତାକୁ ଏକ ନଟିକାଲ୍‌ ମାଇଲ୍‌ କୁହାଯାଇଥାଏ। ତରଳ ବା ଗ୍ୟାସ୍‌ ମାଧ୍ୟମରେ ଗତି କରୁଥିବା ପଦାର୍ଥର ବେଗ ନିର୍ଦ୍ଧାରଣ, ଉଡ଼ାଜାହାଜ, ପାଣି ଜାହାଜ ଓ ମହାକାଶ ଯାତ୍ରା ଆଦି କ୍ଷେତ୍ରରେ ଏହି ୟୁନିଟ୍‌ର ବ୍ୟବହାର ହୋଇଥାଏ।
ଗତ ସାତବର୍ଷ ମଧ୍ୟରେ ଉପକୂଳ ଓଡ଼ିଶା ୫ଟି ଭୟାବହ ବାତ୍ୟାର ସମ୍ମୁଖୀନ ହୋଇଛି। ସେଗୁଡ଼ିକ ହେଲା- ୨୦୨୦ର ଅମ୍ଫନ୍‌, ୨୦୧୯ର ଫନୀ, ୨୦୧୮ର ତିତ୍‌ଲି, ୨୦୧୪ର ହୁଡ୍‌ହୁଡ୍‌ ଏବଂ ୨୦୧୩ର ଫାଇଲିନ୍‌। ପବନ ବେଗର ଆକଳନ ଅନୁଯାୟୀ ସାଇକ୍ଲୋନ୍‌ର ପ୍ରକାର ନିର୍ଦ୍ଧାରିତ ହୋଇଥାଏ। ୬୦ରୁ ୯୦ କିଲୋମିଟରର ବେଗ ବାତ୍ୟା, ୯୦ରୁ ୧୨୦ କିଲୋମିଟର ବେଗ ହେଲେ ତୀବ୍ର, ୧୨୦ରୁ ୧୭୦ କିଲୋମିଟର ବେଗର ଝଡ଼ ଅତି ତୀବ୍ର, ୧୭୦ରୁ ୨୨୦ କିଲୋମିଟର ବେଗ ଅତ୍ୟନ୍ତ ତୀବ୍ର ଓ ୨୨୦ରୁ ଅଧିକ କିଲୋମିଟର ପବନର ବେଗ ରହିଲେ ମହାବାତ୍ୟା ନାମାଙ୍କିତ ହୋଇଥାଏ।
ଗତ ୨୦ ତାରିଖରେ ହୋଇଥିବା ସାଇକ୍ଲୋନ୍‌ ଅମ୍ଫନ୍‌ର ପ୍ରାକ୍‌ ସୂଚନା ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ପ୍ରସାରିତ ହୋଇଥିଲା ଏବଂ ପ୍ରଶାସନ ଓ ଜନତାଙ୍କୁ ସତର୍କ କରାଯାଇ ପାରିଥିଲା। ପଶ୍ଚିମବଙ୍ଗର ଦିଘା, ସୁନ୍ଦରବନ ଓ ବାଂଲାଦେଶର ହାତିଆ ଅଞ୍ଚଳରେ ସ୍ଥଳଭାଗ ଛୁଇଁଥିବା ଏହି ଅତି ତୀବ୍ର ବାତ୍ୟାରେ ପଶ୍ଚିମବଙ୍ଗରେ ୭୨ ଲୋକଙ୍କ ଜୀବନହାନି ହୋଇଥିବା ବେଳେ ଅନେକ କୃଷିକ୍ଷେତ୍ର ଓ ଛପର, ଟିଣ ଘର ଆଦି ନଷ୍ଟ ହେବା ସହ ଟେଲିକମ୍‌ ଟାୱାର୍‌, ଇଲେକ୍ଟ୍ରି ଖୁଣ୍ଟି ଓ ଅସଂଖ୍ୟ ବୃକ୍ଷଲତା ଉପୁଡ଼ି ପଡ଼ିଛି। କୋଲକାତା ସହର ମଧ୍ୟ ବିଶେଷ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ପରିଲକ୍ଷିତ ହୋଇଥିଲା ଏବଂ ୨ ଜଣ ପ୍ରାଣ ହରାଇଥିଲେ। କିନ୍ତୁ ବାତ୍ୟାର ଠିକ୍‌ ଆକଳନ ହୋଇପାରିଥିବାରୁ ୨୫ ଲକ୍ଷରୁ ଊଦ୍ଧର୍‌ବ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ପାରିଥିଲା।
୨୦୧୯ ମେ ୩ ତାରିଖରେ ପୂର୍ବ ଓଡ଼ିଶାରେ ହୋଇଥିବା ଫନୀ ବାତ୍ୟା ସମୟରେ ମଧ୍ୟ ୨୦ ଲକ୍ଷରୁ ଊଦ୍ଧର୍‌ବ ଲୋକଙ୍କୁ ସମୟ ପୂର୍ବରୁ ପ୍ରଶାସନ ଦ୍ୱାରା ଉଦ୍ଧାର କରାଯାଇ ବଡ଼ ଧରଣର ଜୀବନହାନିକୁ ଏଡ଼ାଇ ଦିଆଯାଇ ପାରିଥିଲା। ସେହିପରି ବାତ୍ୟା ପରର ପରିସ୍ଥିତି ଯଥା ଭଗ୍ନ ଟାୱାର୍‌, ବୃକ୍ଷ ଓ ଇଲେକ୍ଟ୍ରି ଖୁଣ୍ଟିର ଅବରୋଧରେ ଥିବା ରାସ୍ତାଘାଟକୁ ଗମନାଗମନ ଯୋଗ୍ୟ କରିବା ତଥା ଇଲେକ୍ଟ୍‌ରି ଓ ଟେଲିକମ୍‌ ଲାଇନ୍‌କୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରି କାର୍ଯ୍ୟକ୍ଷମ କରିବାରେ ମଧ୍ୟ ଓଡ଼ିଶା ସଫଳ ହୋଇଥିଲା। ଆପାତକାଳୀନ ପରିସ୍ଥିତିର ସଫଳ ମୁକାବିଲା ପାଇଁ ଆବଶ୍ୟକ ରହିଛି ଲୋକବଳ, ଯାନ୍ତ୍ରିକ ଉପକରଣ (କଟର୍‌, ଜେନେରେଟର, ମାଟିଖୋଳା ସ୍ପାଇଲିନ୍‌ ମେଶିନ୍‌, ହାଇଡ୍ରା, ଡିଜେଲ୍‌ ଇତ୍ୟାଦି) ଓ ଉପଯୁକ୍ତ ସମୀକ୍ଷା। ଜେନେରେଟର୍‌ ଦ୍ୱାରା ପରିଚାଲିତ ଆସ୍କା ଲାଇଟ୍‌, ହାମ୍‌ ରେଡିଓ ତଥା ଆପାତକାଳୀନ ରିଷ୍ଟୋରେଶନ୍‌ ଟାୱାର୍‌ର ବ୍ୟବହାର ସେହି ସମୟରେ ବହୁଳ ଫଳପ୍ରଦ ହୋଇଥିଲା। ଟେଲିଫୋନ୍‌ ଓ ମୋବାଇଲ୍‌ ଫୋନ୍‌ ନେଟୱର୍କ ଅକାମୀ ହୋଇଯିବା ସ୍ଥଳେ ହାମ୍‌ ରେଡିଓ ମାଧ୍ୟମରେ ଅନ୍ୟ ରାଜ୍ୟ ତଥା ଏଜେନ୍ସିମାନଙ୍କ ସହ ଯୋଗାଯୋଗ କରାଯାଇ ଜରୁରୀ ଖବର ପ୍ରସାରିତ ହୋଇଥିଲା। ବେତାର ଓ ବ୍ରଡ୍‌କାଷ୍ଟ ବ୍ୟବସ୍ଥା ଉପଯୋଗ କରୁଥିବା ହାମ୍‌ ରେଡିଓ ସୁନାମୀ, ଭୂମିକମ୍ପ, ବନ୍ୟା, ବାତ୍ୟା ତଥା ଦୁର୍ଗମ ଅଞ୍ଚଳ ଯେଉଁଠାରେ ମୋବାଇଲ୍‌ ସିଗ୍‌ନାଲ୍‌ ଉପଲବ୍ଧ ହୋଇ ନ ଥାଏ ସେଠାରେ କମ୍ୟୁନିକେଶନ୍‌ କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ସେହିପରି ଭାଙ୍ଗିଯାଇଥିବା ବଡ଼ ବିଦ୍ୟୁତ୍‌ ଖୁଣ୍ଟ ପରିବର୍ତ୍ତେ ଇମର୍ଜେନ୍ସି ରିଷ୍ଟୋରେଶନ୍‌ ଟାୱାର୍‌ ପାୱାର୍‌ ଲାଇନ୍‌ର ଚଞ୍ଚଳ କାର୍ଯ୍ୟକ୍ଷମ ଦିଗରେ ନିର୍ଣ୍ଣାୟକ ଭୂମିକା ତୁଲାଇଥାଏ। ଏହି ଟାୱାର୍‌ର ବିଭିନ୍ନ ଅଂଶକୁ ପୃଥକ୍‌ ଭାବେ ଅତି ସହଜରେ ଗନ୍ତବ୍ୟ ସ୍ଥଳକୁ ପହଞ୍ଚାଯାଇଥାଏ ଏବଂ ଏକତ୍ରିତ କରାଯାଇ ମାଟିରେ ସ୍ଥାପନ କରାଯାଏ। ଏଥିପାଇଁ ସିଭିଲ୍‌ ଫାଉଣ୍ଡେଶନର ଆବଶ୍ୟକ ହୋଇ ନ ଥାଏ। ତେଣୁ ସ୍ବଳ୍ପ ସମୟ ମଧ୍ୟରେ ଏହାର ନିର୍ମାଣ ସମ୍ଭବ ହୋଇଥାଏ। ୯ ଗୋଟି ଗାଏ ବା ଷ୍ଟେ ତାର ଓ ଆଙ୍କର୍‌ ରଡ୍‌ ଦ୍ୱାରା ଏହି ଟାୱାର୍‌କୁ ଚାରିପଟେ ମାଟି ସହ ଦୃଢ଼ ଭାବେ ସଂଯୋଗ କରାଯାଇଥାଏ। ଏହା ଏକ ସାମୟିକ ବ୍ୟବସ୍ଥା ହୋଇଥିଲେ ମଧ୍ୟ ପାୱାର୍‌ ରିଷ୍ଟୋରେଶନ୍‌ କ୍ଷେତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ।
ବାତ୍ୟା ପରେ ଅନେକ ସମୟରେ ବିଦ୍ୟୁତ୍‌ ବ୍ୟବସ୍ଥା ମରାମତିରେ ବିଳମ୍ବକୁ ନେଇ ଜନତା ଧୈର୍ଯ୍ୟହରା ହୋଇ ରାସ୍ତା ଅବରୋଧ ପରି ପଦକ୍ଷେପ ଗ୍ରହଣ କରିଥାନ୍ତି। ଏହିପରି ଘଡ଼ିସନ୍ଧି ମୁହୂର୍ତ୍ତରେ ନୂତନ ସମସ୍ୟା ସୃଷ୍ଟି କରିବା ପରିବର୍ତ୍ତେ ପ୍ରଶାସନ ତଥା କାର୍ଯ୍ୟରତ ଏଜେନ୍ସିକୁ ସହାୟତାର ହାତ ବଢ଼ାଇବା ଆବଶ୍ୟକ। ଯାନ୍ତ୍ରିକ ଉପକରଣର ବ୍ୟବହାରରେ ସାବଧାନତା ଅବଲମ୍ବନ କରାଯିବା ଉଚିତ। ଛିଡ଼ିଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ନ ଆସି ବିଭାଗୀୟ ଲୋକଙ୍କ ଦ୍ୱାରା ଏହାର ମରାମତି କରିବା ଆବଶ୍ୟକ। ପ୍ରାକୃତିକ ବିପର୍ଯ୍ୟୟ ସମ୍ବନ୍ଧିତ ସୂଚନା ସବୁବେଳେ ଗୁରୁତ୍ୱର ସହିତ ଗ୍ରହଣ କରିବା ସହ ଏହାର ଉଚିତ ମୁକାବିଲା ପାଇଁ ସମସ୍ତେ ପ୍ରସ୍ତୁତ ରହିବା ଆବଶ୍ୟକ।

ଡେପୁଟି ମ୍ୟାନେଜର୍‌, ଏନ୍‌ଟିପିସି,
ଭୁବନେଶ୍ୱର, ମୋ-୯୪୩୭୫୬୫୩୯୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?