ସବୁଜ ସାଥୀ

ସୌମ୍ୟା ପରିଡ଼ା
ଗାଡ଼ିମୋଟରରେ ଗଲାବେଳେ ନିଜ ନିଷ ନିଜେ ସମ୍ଭାଳ ପରି ଲେଖାଟିଏ ଆମ ଭିତରୁ ଅଧିକାଂଶଙ୍କ ଆଖିରେ ପଡ଼ିଥିବ। ନିଷ ପୂର୍ବ ଜି ଅକ୍ଷରଟି ଯେମିତି ସେଠୁ ହଟିଯାଇଥାଏ। କେବେ ନଖ, କେବେ ପୁରୁଣା ଭଙ୍ଗା ବ୍ଲେଡ୍‌ ଆଉ କେବେ ପୁଣି ଟଙ୍କିକିଆ କଏନ୍‌ରେ ରାମ୍ପିରାମ୍ପି ଜିନିଷରୁ ଜିକୁ ହଟାଯାଇଥାଏ। ଏବେ କିନ୍ତୁ ସତରେ ନିଜ ନିଶ ନିଜେ ସମ୍ଭାଳିବାର ବେଳ ଆସିଛି। ଜୀବନଶୈଳୀ ପାଇଁ ନୁହେଁ ବରଂ ଜୀବନ ପାଇଁ ଆମକୁ ଚିନ୍ତା କରିବାକୁ ପଡ଼ିବ। ମୋ ବଙ୍ଗଳା, ମୋ ଗାଡ଼ି, ମୋ ଜୋତା, ମୋ ଛତା, ଏମିତି କଥା ପରି ମୋ ଗଛ ପାଇଁ ବି ଭାବିବାକୁ ପଡ଼ିବ। ହେଲେ ଏସବୁ କାମ ଆମେ ଯେମିତି ଅନ୍ୟ ଉପରେ ଛାଡ଼ିଦେଇଛେ। ମୋ ପାଇଁ ଗଛ, ଭଲ ପବନ, ଭଲ ପରିବେଶ ଏସବୁ ଯୋଗାଇବା ଦାୟିତ୍ୱ ସରକାରଙ୍କର, ଜଙ୍ଗଲ ବିଭାଗର, ଜଳସମ୍ପଦ ବିଭାଗର, ଏଥିପାଇଁ ମୁଁ କିଆଁ ବ୍ୟସ୍ତ ହେବି- ଏଇ ଚିନ୍ତାଧାରା ପାଇଁ ଏବେ ଦେଶର ବିଭିନ୍ନ ସ୍ଥାନରେ ଜଳସଙ୍କଟ ଉତ୍କଟ ହେଲାଣି। ଗଛ ସଂଖ୍ୟା କମିଲାଣି। ପରିବେଶ ଧୀରେ ଧୀରେ ସନ୍ତୁଳନ ହରାଇ ତା’ର ତାଣ୍ଡବ ରୂପ ଆରମ୍ଭ କଲାଣି। କେବେ ଅସହ୍ୟ ଖରା-ଗରମ ତ କେବେ ବାତ୍ୟା, ଆଉ କେବେ ପୁଣି ମଣିଷକୃତ ଜଳବନ୍ଦୀ ଅବସ୍ଥା ସାଙ୍ଗକୁ ଘୋର ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ଆମ ରାଜ୍ୟ ହେଉ କି କେରଳ କି ବିହାର କି ମହାରାଷ୍ଟ୍ର, ସବୁ ଜାଗାରେ ସେଇ ସମାନ ଅବସ୍ଥା। ଜୀବନ ଜିଇବାକୁ ହେଲେ ଖାଦ୍ୟ ସାଙ୍ଗକୁ ଭଲ ବାୟୁ ଓ ପିଇବା ପାଣି ମୁନ୍ଦେ ବି ଦରକାର। ହେଲେ ଆମେ କିନ୍ତୁ ବ୍ୟସ୍ତ, ଆମେ କେମିତି ଭଲ ଖାଇବୁ, ଭଲ ପିନ୍ଧିବୁ, ଭଲ ଜାଗା ବୁଲିଯିବୁ। ଏସବୁ ଭିତରେ ଜୀବନ ଜିଇଥିବା ଯାଏ ନିଃଶ୍ୱାସ ଟିକକ ପାଇଁ ଶୁଦ୍ଧ ସଫା ବାୟୁ ଯେ ଦରକାର ସେ କଥାର ଗୁରୁତ୍ୱ ଆମକୁ ଏବେ ଯାଏ ବୁଝାପଡ଼ୁନି।
ଖଣିଖାଦାନ ନାଁରେ ଜଙ୍ଗଲଜମି ଜବରଦଖଲ କରି ସବୁଜ ପ୍ରାକୃତିକ ଜଙ୍ଗଲକୁ ନଷ୍ଟ କରିବା ତାଲିକାରେ ଆମ ରାଜ୍ୟ ଦେଶର ତୃତୀୟ ସ୍ଥାନରେ। ନିୟମ ଅନୁସାରେ ଖଣିଖାଦାନ ନିଲାମ ହେଉଥିବା ଜାଗାର ଦୁଇଗୁଣା ଜଙ୍ଗଲ ସୃଷ୍ଟି କରିବାର ଦାୟିତ୍ୱ ଲିଜ୍‌ ନେଇଥିବା ଖଣି କମ୍ପାନୀର। ଆଉ କାମ ଠିକ୍‌ଭାବରେ ହେଲା ନା ନାହିଁ ତାକୁ ତଦାରଖ କରିବା ଦାୟିତ୍ୱ ସରକାରୀ କର୍ମଚାରୀଙ୍କର। ହେଲେ ନୂଆ ଜଙ୍ଗଲ ସୃଷ୍ଟି କରିବା ନିୟମ କେବଳ ଧର୍ମକୁ ଆଖିଠାର ପରି ହୋଇଛି। ନୂଆ ଜଙ୍ଗଲ କଥା ଦୂରେ ଥାଉ, ହାତଗଣତି କିଛି ଗଛ ଲଗାଇ ତାକୁ ବି ବଞ୍ଚାଇବାର ପ୍ରୟାସ କରାଯାଉ ନାହିଁ। ଏ ବର୍ଷ ଚେନ୍ନାଇରେ ଏମିତି ପାଣି ସଙ୍କଟ ଦେଖାଗଲା ଯେ, ଶେଷକୁ ଟ୍ରେନ୍‌ରେ ଅନ୍ୟ ସ୍ଥାନରୁ ପାଣି ଆଣିବାକୁ ପଡ଼ିଲା। ଆଉ ଏମିତି ଯଦି ଚାଲେ, ତା’ହେଲେ ୨୦୨୦ ସୁଦ୍ଧା ବାଙ୍ଗାଲୋର, ଦିଲ୍ଲୀ, ହାଇଦ୍ରାବାଦ ପରି ଜାଗାରେ ଉତ୍କଟ ପାଣି ସଙ୍କଟ ଦେଖାଯିବ। ସେମିତି ୨୦୩୦ ସୁଦ୍ଧା ଦେଶର ଚାଳିଶ ଭାଗ ଅଞ୍ଚଳରେ, ଆଉ ୨୦୪୦ ସୁଦ୍ଧା ସମଗ୍ର ଦେଶରେ ପାଣିର ଅଭାବ ଦେଖାଯିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ଆମ ରାଜ୍ୟ ତଥା ଦେଶରେ ଗଛଟିଏ ଲଗାଇବା ଅପେକ୍ଷା ଗଛ ଉପରେ ଭାଷଣ ଦେବା ଲୋକଙ୍କ ସଂଖ୍ୟା ଅଧିକ। ଘର ପାଖାପାଖି ଜଳାଶୟକୁ ସଫାସୁତୁରା ରଖିବା ଅପେକ୍ଷା ସେଥିରେ ପୂଜାସାମଗ୍ରୀ ଫୋପାଡ଼ି ଜଳକୁ ଦୂଷିତ କରିବା ଲୋକଙ୍କ ସଂଖ୍ୟା ବି କିଛି କମ୍‌ ନୁହେଁ। ବଡ଼ ବଙ୍ଗଳା କରିବୁ, ହେଲେ ଇଞ୍ଚେ ଜାଗା ଗଛ ପାଇଁ ରଖିବୁନି। ଭାଡ଼ିଏ ଦୋକାନ ଘର କରି ଭଡ଼ା ଦେବୁ, ହେଲେ ବୁଦାଏ ଘାସ ପାଇଁ ଜାଗା ଛାଡ଼ିବୁନି। ସେମିତି ଖରାବେଳେ ଗଛ ଛାଇ ଦେଖି ଗାଡ଼ି ରଖିବୁ, ହେଲେ ଘର ଆଗରେ ଗଛଟିଏ ଲଗାଇବୁ ନାହିଁ।
ଆମ ଗାଁ ଗହଳିରେ ତୋଟା ଥିଲା, ଘରେ ଘରେ ବାଡ଼ିବଗିଚା ଥିଲା, ଗାଁ ମୁଣ୍ଡରେ ଗୋଚର ଜମି ଥିଲା, ଗାଡ଼ିଆ ଥିଲା। ଅଧିକାଂଶ ଗାଁରେ ଏସବୁ ଏବେ ଯେମିତି ସାତସପନ। ଭଲ ରାସ୍ତା ଦରକାର, ଗଛ କାଟ। ବଡ଼ ବଙ୍ଗଳା ଦରକାର, ଗଛ ସଫାକର। ଖଣିଖାଦନ ଦରକାର, ଜଙ୍ଗଲଜମି ସଫାକର। କଳକାରଖାନା, ଅଫିସ୍‌ବାଡ଼ି, ନୂଆପୁରୁଣା ପ୍ରକଳ୍ପ ପାଇଁ ଜାଗା ଦରକାର ଗଛ-ଜଙ୍ଗଲ ସଫାକର, ଗାଡ଼ିଆ-ନାଳ-ଜଳାଶୟ ପୋତ। ଆଉ କେବେ ପୁଣି ଦରକାର ପଡ଼ିଲେ ସରକାରୀ ଗୋଚର ଜମି ମାଡ଼ିବସ। ଆଗରୁ ଗାଁ ମୁଣ୍ଡରେ ବଡ଼ ବରଗଛ, ଚାନ୍ଦିନୀ, କୂଅ କି କଳ, ଦୋଳମଣ୍ଡପ ଏମିତି ଅନେକ କଥା ଥିଲା। ରଜ ଦୋଳି, ଅଁଳାନବମୀ, ବାଟଓଳା ଓଷା, ପ୍ରଥମାଷ୍ଟମୀର ହଳଦୀପତ୍ର ପିଠା, ବର-ଓସ୍ତ-ନିମ୍ବ କି ବେଲ ଆଦି ଗଛର ପୂଜା ଏମିତି ଅନେକ କଥା ପର୍ବପର୍ବାଣି ପରମ୍ପରା ନାଁରେ ଗଛ ସହ ଯୋଡ଼ି ହୋଇଥିଲା। ତେଣୁ ଲୋକମାନେ ଆମ ଚାରିପାଖେ ଥିବା ଗଛ, ଜଙ୍ଗଲ, ନଈନାଳକୁ ଗୁରୁତ୍ୱ ଦେଉଥିଲେ, ପୂଜା ନାଁରେ ତା’ର ସୁରକ୍ଷା ହେଉଥିଲା। ହେଲେ ଏବେ ତାହା ଧୀରେ ଧୀରେ ଲୋପ ପାଇବାରେ ଲାଗିଛି। ଆମେ ଜୀବନ ପାଇଁ ଜରୁରୀ କଥା ଛାଡ଼ି, ଆଡ଼ମ୍ବରପୂର୍ଣ୍ଣ ଜୀବନଶୈଳୀ ପଛରେ ପଡ଼ିଛେ। ଗାଡ଼ିଟିଏ ଭାଙ୍ଗିଗଲେ କିଣିପାରିବା, ଚାହିଁଲେ ଅତି କମ୍‌ ସମୟରେ ବଡ଼ ବଙ୍ଗଳା କରିହେବ, ହେଲେ ବଡ଼ ଗଛଟିଏ କି ଫଳନ୍ତି ଗଛଟିଏ ପାଇଁ ଯେ ବର୍ଷ ବର୍ଷ ଅପେକ୍ଷା କରିବାକୁ ପଡ଼ିବ, ସେ କଥା ଆମେ ଜାଣିଜାଣି ଭୁଲିଯାଉଛେ। ବାୟୁ ପ୍ରଦୂଷଣ ଯେ ମାରାତ୍ମକ ରୋଗର କାରଣ ସେ କଥାକୁ ଆମେ ହେୟଜ୍ଞାନ କରୁଛେ। ଏବେ ସମୟ ଆସିଛି ଏସବୁକୁ ଗୁରୁତ୍ୱର ସହ ନେବାର। ସବୁକଥା ସରକାରଙ୍କ ଉପରେ ଛାଡ଼ିଦେଇ ହାତଝାଡ଼ି ବସିଗଲେ ହେବନି। ବରଂ ନିଜ ଚାରିପଟକୁ ନିଜକୁ ସବୁଜ ସୁନ୍ଦର କରିବାକୁ ପଡ଼ିବ। ସେମିତି ବଡ଼ବଡ଼ ପ୍ରକଳ୍ପ କରି ଶହଶହ ଏକର ଜଙ୍ଗଲ ଜମି ନଷ୍ଟକରି, ଆମ ଚାରିପଟେ ଥିବା ପାଣି ତଥା ଜଳାଶୟ ଆଦିରେ ବର୍ଜ୍ୟବସ୍ତୁ ପକାଇ, ପବନରେ ବିଷାକ୍ତ ଗ୍ୟାସ୍‌ ମିଶାଇବା ପରେ ସିଏସ୍‌ଆର୍‌ ନାଁରେ ବଡ଼ବଡ଼ କମ୍ପାନୀ କିଛି ହାତଗଣତି ଗଛ ଲଗାଇବା ପ୍ରହସନକୁ ବନ୍ଦ କରିବାକୁ ପଡ଼ିବ। କେବଳ କାଗଜକଲମରେ ଲଗାଯାଉଥିବା ଶହଶହ ଗଛର ପ୍ରହସନକୁ ବି ଅଣଦେଖା ନ କରି ବିରୋଧ କରିବାକୁ ପଡ଼ିବ।
ଅଙ୍ଗନଓ୍ବାଡ଼ି କର୍ମୀ, ଶିକ୍ଷା ସହାୟିକା, ଆଶାକର୍ମୀ, ସ୍କୁଲର ମଧ୍ୟାହ୍ନଭୋଜନ ପାଇଁ ପାଚିକା, ଗାଁ-ଗାଁରେ ସ୍ବୟଂସହାୟିକା ଗୋଷ୍ଠୀ ଏମିତି ଅନେକ ଯୋଜନା ଦ୍ୱାରା ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ସହ ଗାଁ ସ୍ତରରେ ଉନ୍ନତୀକରଣର ଚେଷ୍ଟା କରାଯାଉଛି। ହେଲେ ଏସବୁ ଭିତରେ ସବୁଜ ସାଥୀଟିଏର ବି ଆବଶ୍ୟକତା ରହିଛି। ବିଶ୍ୱ ପରିବେଶ ଦିବସ, ବିଶ୍ୱ ଜଳ ଦିବସ ଆଦି ପାଇଁ ସଭାସମିତି କରି ଆଲୋଚନା ପର୍ଯ୍ୟାଲୋଚନାରେ ଲକ୍ଷଲକ୍ଷ ଟଙ୍କା ସାରିବା ଅପେକ୍ଷା ସବୁଜ ସାଥୀଟିଏ ଚୟନ କରିବାର ଗୁରୁତ୍ୱ ରହିଛି। ଅନ୍ତତଃ ଅନ୍ୟ କର୍ମୀମାନଙ୍କ ପରି ସେ ଗାଁଗଣ୍ଡାର ଚାଷୀ-ଚାଷ, ଗଛ, ବଣଜଙ୍ଗଲ, ଜଳାଶୟ ଆଦିର କଥା ବୁଝିପାରିବେ, ଦରକାର ବେଳେ ଅନ୍ୟକୁ ସାହାଯ୍ୟ କରିବେ, ପରାମର୍ଶ ଦେବେ। କେନ୍ଦ୍ର ହେଉ କି ରାଜ୍ୟ ସରକାର ଏହି ସବୁଜକର୍ମୀଙ୍କ ସାହାଯ୍ୟରେ ସବୁଜ ସୁନ୍ଦର ଗାଁ ଓ ସହରର ପରିକଳ୍ପନାକୁ ବାସ୍ତବ ରୂପ ଦେଇପାରିବେ। ଲୋକଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ପହଞ୍ଚାଇପାରିବେ। ଲୋକଙ୍କ ଜନଗଣନା ପରି ସବୁଜ ସାଥୀ ଜରିଆରେ ପ୍ରତି ଗାଁର ଗଛର ହିସାବ ରଖିବାକୁ ପଡ଼ିବ। ସରକାରୀ ଯୋଜନା ନାଁରେ ବଡ଼ବଡ଼ କମ୍ପାନୀକୁ ଲକ୍ଷାଧିକ ଟଙ୍କାଦେଇ ଲୁଟିହେବା ଅପେକ୍ଷା ପ୍ରକୃତ ସବୁଜ ସାଥୀଙ୍କୁ ଖୋଜିବାକୁ ପଡ଼ିବ। ଗଛର ବିକଳ୍ପ ନାହିଁ। ତେଣୁ ଯେଉଁମାନେ ଏଥିନେଇ କାମ କରୁଛନ୍ତି ସେମାନଙ୍କୁ ବିନା ଦ୍ୱିଧାରେ ସହାୟତା କରିବାକୁ ପଡ଼ିବ। ତା’ହାଲେ ଯାଇ ଉଜୁଡ଼ା ପୃଥିବୀ ଆମ ପିଲାମାନଙ୍କ ପାଇଁ ଆଉ କିଛିବର୍ଷ ବଞ୍ଚିରହିବ।
ମୋ-୯୩୩୮୫୬୬୫୮୭, saumya.consultant@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ପାରିବାରିକ ଜୀବନ

ଶ୍ରୀଅରବିନ୍ଦଙ୍କ ଅନୁସାରେ କଥିତ ପରିବାର ହେଉଛି ମଣିଷର ଜୀବନଗତ ପ୍ରକୃତିର ଏକ ଆବଶ୍ୟକ ସୃଷ୍ଟି ଯାହା ମୌଳିକ, ସାମାଜିକ ଏବଂ ଜୈବିକ ପ୍ରବୃତ୍ତିକୁ ପୂରଣ କରିବା ପାଇଁ…

ଗବେଷଣାରେ ମୌଳିକତାର ମୃତ୍ୟୁ

ଆଧୁନିକ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ସତ, କିନ୍ତୁ ଶୈକ୍ଷିକ ମାନଦଣ୍ଡ ଏବଂ ଗବେଷଣାର ଗୁଣାତ୍ମକ ଦିଗଟି ଏବେ ଏକ…

Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ…

ଲାଞ୍ଛନାର ମଞ୍ଚ

ଆନ୍ଥୋନୀ ଫାଉସି ଜଣେ ଇମ୍ୟୁନୋଲୋଜିଷ୍ଟ (ରୋଗପ୍ରତିରୋଧକ ବିଜ୍ଞାନୀ) ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆମେରିକାର ସିନେଟ୍‌ କମିଟି ଅନ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟି ଆଣ୍ଡ୍‌ ଗଭର୍ନମେଣ୍ଟାଲ ଆଫେୟାର୍ସ…

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri