ସତ୍ୟାଗ୍ରହର ଶକ୍ତି

ଡ. ପ୍ରଫୁଲ୍ଲ କୁମାର ସାହୁ

ମହାମାନବ ମହାତ୍ମା ଗାନ୍ଧୀ । ବିଶ୍ୱ ଇତିହାସର ସର୍ବମାନ୍ୟ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ। ଜଣେ ସତ୍ୟନିଷ୍ଠ ମୁକ୍ତିଯୋଦ୍ଧା, ଜଣେ ସମାଜ ସଂସ୍କାରକ, ଜଣେ ମାନବବାଦୀ ଚିନ୍ତାନାୟକ, ଜଣେ ଧର୍ମନିରପେକ୍ଷ ଓ ଧର୍ମପ୍ରାଣ ସନ୍ଥ- ଏମିତି ବହୁଳ ବିଭବରେ ବିମଣ୍ଡିତ ତାଙ୍କ ଅସାଧାରଣ ବ୍ୟକ୍ତିତ୍ୱ। ସେ ବ୍ୟକ୍ତିତ୍ୱରେ ଥିଲା ଏକ ସମ୍ମୋହନକାରୀ ଶକ୍ତି, ଯେଉଁ ଶକ୍ତି ବଳରେ ଅଳ୍ପ କେତୋଟି ମାସ ଅବଧିରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଭରିଦେଲେ ନୂତନ ବିଶ୍ୱାସ ଓ ଅବବୋଧ। ଗାନ୍ଧିଜୀ ଜାଣିଥିଲେ କେବଳ ଭାଷଣ ବା ପ୍ରବଚନରେ ରାଷ୍ଟ୍ର ଗଠନ ହୁଏ ନାହିଁ, ଏଥିପାଇଁ ଲୋଡ଼ା ନୀତିନିଷ୍ଠ ଆଚରଣ। ନିଜ ଜୀବନରେ ସେ ତାହାର ଉଦାହରଣ ସୃଷ୍ଟି କରିବା ସହିତ ଭାରତୀୟ ମୁକ୍ତି ଆନ୍ଦୋଳନକୁ ଦେଲେ ନୂଆ ଦିଶା। ଇଂରେଜ ସରକାର କହିଲେ ମାଇଟ୍‌ ଇଜ୍‌ ରାଇଟ୍‌। ଗାନ୍ଧିଜୀ କହିଲେ ରାଇଟ୍‌ ହିଁ ମାଇଟ୍‌। ଆରମ୍ଭ ହେଲା ଲଢ଼େଇ। ସତ୍ୟ ଓ ଅହିଂସାର ଅତୀନ୍ଦ୍ର ପୂଜାରୀ ଗାନ୍ଧିଜୀ ଚାହୁଁ ନଥିଲେ ରକ୍ତପାତ। ତେଣୁ ଖଣ୍ଡା, ବର୍ଚ୍ଛା ବା ଗୁଳିଗୋଳା ବଦଳରେ ଅହିଂସ୍ର ଯୁଦ୍ଧ ପାଇଁ ଶୂନ୍ୟରୁ ତୋଳି ଆଣିଲେ ନୂଆ ଅସ୍ତ୍ର। ସେ ଅସ୍ତ୍ରର ନାଁ ସତ୍ୟାଗ୍ରହ ଓ ଅସହଯୋଗ। ପୃଥିବୀର ସବୁଠାରୁ ଉଦ୍ଧତ ଓ ପ୍ରଭାବଶାଳୀ ସାମ୍ରାଜ୍ୟକୁ ଜିଣିବା ପାଇଁ ସାବରମତି ଆଶ୍ରମରୁ ଗାନ୍ଧିଜୀ ପ୍ରସ୍ତୁତ କଲେ ଅହିଂସା ଆନ୍ଦୋଳନର ଖସଡ଼ା। ତାଙ୍କ ଅହିଂସା ନୀତିର ଆଧ୍ୟାତ୍ମିକ ସ୍ଫୁଲିଙ୍ଗରେ ସମ୍ମୋହିତ ହେଲା ଜାତି। ତାଙ୍କ ଆହ୍ବାନକୁ ଐଶ୍ୱରିକ ମୁକ୍ତିଦାତାର ଅକାଟ୍ୟବାଣୀ ରୂପେ ଗ୍ରହଣ କରି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ ଜାଗିଉଠିଲା ଜନତା। ସ୍ବାଧୀନତା ଓ ସ୍ବରାଜ୍ୟର ଅର୍ଥ ବୁଝି ନ ଥିବା ଲୋକ ବି ମୁକ୍ତି ସଂଗ୍ରାମରେ ଲମ୍ଫଦେଇ କିଏ କାରାଗାରରେ ଶଢ଼ିଲା ତ କିଏ ପ୍ରାଣ ହରାଇଲା ଫିରଙ୍ଗ ପୋଲିସ ଗୁଳିରେ। ବାଜିଆ ଭଳି ବାଳକ, ପରିବେୱା ଭଳି ପଲ୍ଲୀ ମହିଳା (ଇରମ), ଲକ୍ଷ୍ମଣ ନାୟକଙ୍କ ଭଳି କେତେ ଯେ ଜନଜାତିର ମଣିଷ ମୃତ୍ୟୁକୁ ହାତ ମୁଠାରେ ଧରି ଗାଇଗଲେ ଦେଶପ୍ରେମର ମନ୍ତ୍ର। ଦୀର୍ଘ ବର୍ଷର ସଂଗ୍ରାମ ପରେ ସାମ୍ରାଜ୍ୟବାଦ ଓ ଔପନିବେଶିକ ଶାସନ ବିରୋଧରେ ସଫଳ ହେଲା ସତ୍ୟାଗ୍ରହ ଅସ୍ତ୍ର। ସ୍ବାଧୀନ ହେଲା ଭାରତ। ବିଶ୍ୱ ଜାଣିଲା ସତ୍ୟାଗ୍ରହ ଭୀରୁ, କାପୁରୁଷ ବା ଦୁର୍ବଳର ଅସ୍ତ୍ର ନୁହେଁ, ତାହା ଆତ୍ମବଳି, ପ୍ରେମମୟ ଓ ନୀତିନିଷ୍ଠ ମଣିଷର ହତିଆର। ସତ୍ୟ ଓ ଅହିଂସାର ଶାଣଦିଆ ଅସ୍ତ୍ର।
ସତ୍ୟ ଓ ଅହିଂସା କେବଳ ଏକ ବିଶ୍ୱାସ ନୁହେଁ, ଗାନ୍ଧିଜୀଙ୍କ ପାଇଁ ଏହା ଥିଲା ଜୀବନ ସଂହିତା। ତାଙ୍କ ସମଗ୍ର ଜୀବନକୁ ଧାରଣ କରିଥିବା ଏକ ମହାନ ଆଦର୍ଶ। ଏହାର ସବୁଠାରୁ ବଡ଼ ଦୃଷ୍ଟାନ୍ତ ହେଉଛି ଚୌରିଚୌରା ଘଟଣା (୫.୨.୧୯୨୨) ପରବର୍ତ୍ତୀ ଗାନ୍ଧିଜୀଙ୍କ ଅନଶନ। ଏଠାରେ ସତ୍ୟାଗ୍ରହୀମାନେ କେତେଜଣ ପୋଲିସଙ୍କୁ ପୋଡ଼ି ମାରିଦେବା କଥା ଗାନ୍ଧିଜୀ ଜାଣିବା ପରେ ଦୁଃଖରେ ଫାଟି ପଡ଼ିଲା ତାଙ୍କ ଛାତି। ଅହିଂସାର ମୂଳ ତତ୍ତ୍ୱ ବ୍ୟାହତ ହେଲା ବୋଲି ଅନୁଭବ କରି ପ୍ରତ୍ୟାହାର କରିନେଲେ ଅସହଯୋଗ ଆନ୍ଦୋଳନ। ଆତ୍ମଶୁଦ୍ଧି ତଥା ହିଂସାତ୍ମକ ମାର୍ଗରୁ ଲୋକଙ୍କୁ ନିବୃତ୍ତ ରଖିବା ପାଇଁ ଅବଲମ୍ବନ କଲେ ପାଞ୍ଚଦିନିଆ ଅନଶନ ବ୍ରତ। କାରଣ ତାଙ୍କ ଦୃଷ୍ଟିରେ ସତ୍ୟାଗ୍ରହ କେବଳ ଏକ ଆନ୍ଦୋଳନ ନଥିଲା, ବରଂ ଏହା ଥିଲା ସତ୍ୟ ପ୍ରତି ଆଗ୍ରହ ରଖିଥିବା ବ୍ୟକ୍ତିମାନଙ୍କ ପାଇଁ ଜୀବନ ଗଢ଼ିବାର ଏକ ବିଦ୍ୟାଳୟ। ସତ୍ୟାଗ୍ରହୀମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ସେ କହିଛନ୍ତି- ଗୋଟିଏ ଗାଲରେ କିଏ ଚାପୁଡ଼ା ମାରିଲେ ଅନ୍ୟ ଗାଲଟି ଦେଖାଇଦେବା କେବେ ନିର୍ବୋଧତା ନୁହେଁ, ବରଂ ତାହା ଅକଳ୍ପନୀୟ ସହନଶୀଳତା। ଏଥିରେ ଅନୁତାପଦଗ୍ଧ ହୁଏ ପ୍ରତିପକ୍ଷ। ଅନ୍ୟପକ୍ଷରେ ଇଟା ବଦଳରେ ପଥର ଫିଙ୍ଗିଲେ ବା ଆଖି ବଦଳରେ ଆଖି ତାଡ଼ିଲେ ସମୟକ୍ରମେ ଅନ୍ଧ ହୋଇଯିବ ସମଗ୍ର ମାନବ ଜାତି। କାରଣ ହିଂସା ହେଉଛି ବିନାଶର ଅନ୍ଧଗଳି। ଗାନ୍ଧିଜୀ ସ୍ବୟଂ ଥିଲେ ନିଜ ବିଫଳତା ଓ ଦୁର୍ବଳତା ସମ୍ପର୍କରେ ଶାଣିତ ଭାବରେ ସଚେତନ ା ତାଙ୍କ ମତରେ ଜ୍ଞାତରେ ହେଉ କି ଅଜ୍ଞାତରେ, ଆଚରିତ ତ୍ରୁଟିବିଚ୍ୟୁତିକୁ ସ୍ବୀକାର କରିବା ହେଉଛି ନିଜ ଚରିତ୍ରର ଅସଲ ଶକ୍ତିମତ୍ତା । ଏହି ଦୃଷ୍ଟିରୁ ଗାନ୍ଧୀଙ୍କ ସର୍ବୋତ୍ତମ ସାମର୍ଥ୍ୟ ନିହିତ ତାଙ୍କ ସ୍ବୀକାରୋକ୍ତି, ଅନୁଶୋଚନା, ପ୍ରାର୍ଥନା ଓ ଉପବାସରେ। ତାଙ୍କ ସମୁଦାୟ ଆୟୁଷର ୧୪୨ ଦିନ ବିତିଥିଲା ଉପବାସରେ। କେବଳ ଭାରତର ରାଜନୈତିକ ସ୍ବାଧୀନତା ନୁହେଁ, ଏଥି ସହିତ ସେ ଲଢୁଥିଲେ ସାମାଜିକ ନ୍ୟାୟ ତଥା ଦେଶର କୋଟି କୋଟି ଜନତାର ବିଷାଦଗ୍ରସ୍ତ ମୁଖରେ ଟିକିଏ ଉଲ୍ଲାସ ଓ ହସ ଭରିଦେବା ପାଇଁ ।
ଗାନ୍ଧିଜୀଙ୍କର ସବୁଠାରୁ ବଡ଼ ବିଶେଷତ୍ୱ ଥିଲା ସାଧାରଣ ବେଶଭୂଷା ଓ ସାଧାରଣ ଚଳଣି ଭିତରେ ଉଚ୍ଚ ଚିନ୍ତା। ତାଙ୍କ ସାଧାରଣ ଚେହେରା ଭିତରେ ଥିଲା ଅଦମ୍ୟ ସାହସ। ସେ ଚେହେରାର ଝଲକ ଟିକେ ଦେଖିବା ପାଇଁ କିଏ ପାଗଳ ପରି ଧାଇଁ ଆସୁଥିଲା ତ କିଏ ତାଙ୍କ ଦର୍ଶନ ମାତ୍ରେ ସ୍ବରାଜ୍ୟ ପାଣ୍ଠିକୁ ଦାନ କରୁଥିଲା ନିଜର ସମସ୍ତ ଅଳଙ୍କାର। ତାଙ୍କୁ ଦେଖି ନଥିବା, ଜାଣି ନଥିବା ଲୋକ ବି ତାଙ୍କୁ ଭଲ ପାଉଥିଲା ଓ ଭକ୍ତି କରୁଥିଲା ଦେବତା ଜ୍ଞାନରେ। ଗାନ୍ଧୀକଥା, ଗାନ୍ଧୀବାର୍ତ୍ତା, ଗାନ୍ଧୀଚର୍ଚ୍ଚା, ଗାନ୍ଧୀଚିନ୍ତନ, ଗାନ୍ଧୀ ବିଚାର, ଗାନ୍ଧୀଆଦର୍ଶ ଓ ଗାନ୍ଧୀହାଟ ଆଦି ଶବ୍ଦ ସହିତ ଏକାତ୍ମ ହୋଇ ଯାଇଥିଲେ ସମଗ୍ର ଦେଶ।
ସତ୍ୟାଗ୍ରହ କେବଳ ଇଂରେଜମାନଙ୍କୁ ତଡ଼ିବାର ଏକ ଅସ୍ତ୍ର ନଥିଲା, ସେଥିରେ ଥିଲା ମଣିଷର ସମସ୍ତ ସମସ୍ୟା ସମାଧାନ କରିବାର ସୂତ୍ର। ଗାନ୍ଧିଜୀ କହୁଥିଲେ ଈଶ୍ୱର ହିଁ ସତ୍ୟ ଓ ସତ୍ୟ ହିଁ ଈଶ୍ୱର। ସତ୍ୟକୁ ଅନ୍ବେଷଣ କରିବା, ସତ୍ୟକୁ ଚିହ୍ନିବା ଓ ସତ୍ୟକୁ ଲୋକଙ୍କ ଭିତରେ ପ୍ରତିଷ୍ଠିତ କରିବା ହିଁ ସତ୍ୟାଗ୍ରହ। ଏହି ଦୃଷ୍ଟିଭଙ୍ଗୀ ନେଇ ସେ ଅହିଂସା ଆନ୍ଦୋଳନର ରୂପରେଖ ପ୍ରସ୍ତୁତ କରିବା ସହିତ ନିଜକୁ ନିୟୋଜିତ କଲେ ବିଭିନ୍ନ ରଚନାତ୍ମକ କାର୍ଯ୍ୟରେ। ସଂଯମ, ଶୃଙ୍ଖଳା, ସଂହିଷ୍ଣୁତା, ସତ୍ୟ, ଅହିଂସା, ନିର୍ଭୀକତା, ସ୍ବଦେଶୀ, ସର୍ବୋଦୟ, ବ୍ରହ୍ମଚର୍ଯ୍ୟ, ଭ୍ରାତୃଭାବ, ସାଂପ୍ରଦାୟିକ ସଦ୍ଭାବ, ଅରଟ, ଗୋରକ୍ଷଣ, ପ୍ରାକୃତିକ ଚିକିତ୍ସା ଆଦି ଯେତେ ଯେତେ ପ୍ରସଙ୍ଗ ଉପରେ ଗାନ୍ଧିଜୀ ଗୁରୁତ୍ୱ ଆରୋପ କରିଛନ୍ତି, ସେସବୁ ଭାରତୀୟ ଜୀବନ ଧାରାର ଅନ୍ତଃସଲିଳା ଫଲ୍‌ଗୁ। ଏଥିରେ ନିହିତ ପ୍ରାଚୀନ ଭାରତୀୟ ଋଷିପ୍ରାଣର ଦର୍ଶନ।
ସାଧାରଣତଃ ରାଜନୀତିଜ୍ଞମାନେ କାମ କରନ୍ତି ନିର୍ବାଚନକୁ ଆଖି ଆଗରେ ରଖି। ମାତ୍ର ଦେଶର ଭବଷ୍ୟତକୁ ଦୃଷ୍ଟିରେ ରଖି ଅଗ୍ରସର ହୁଅନ୍ତି ରାଷ୍ଟ୍ରନୀତିଜ୍ଞମାନେ। ଗାନ୍ଧିଜୀ ରାଷ୍ଟ୍ର ନିର୍ମାଣ ଲକ୍ଷ୍ୟରେ ସତ୍ୟାଗ୍ରହ ସହ ଯୋଡ଼ିଲେ ସାଂପ୍ରଦାୟିକ ସଦ୍‌ଭାବ, ନିଶା ନିବାରଣ, ଖଦି ଓ ଗ୍ରାମ୍ୟ ଶିଳ୍ପର ବିକାଶ, ଗ୍ରାମାଞ୍ଚଳରେ ପରିମଳ ବ୍ୟବସ୍ଥା, ମୌଳିକ ଶିକ୍ଷା, ପୌଢଶିକ୍ଷା, ରାଷ୍ଟ୍ରଭାଷାର ପ୍ରଚାର ଆଦି ଅନେକ ପ୍ରସଙ୍ଗ। ଗାନ୍ଧିଜୀ ଦେଶର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ଅବସରରେ ତାଙ୍କ ସମ୍ବେଦନଶୀଳ ପ୍ରାଣକୁ ଖୁବ୍‌ ବିଷଣ୍ଣ କରିଥିଲା ଅସ୍ପୃଶ୍ୟତା ଓ ଦଳିତ ଜନତାର ଦୁଃଖ। ସେଥିପାଇଁ ସ୍ବାଧୀନତା ଆନ୍ଦୋଳନ ବେଳେ ତାଙ୍କ ରଚନାତ୍ମକ କାର୍ଯ୍ୟକ୍ରମରେ ସ୍ଥାନ ପାଇଥିଲା ଅସ୍ପୃଶ୍ୟତା ନିବାରଣ। ମହିଳାମାନଙ୍କ ଭିତରେ ସାହସ, ସାମର୍ଥ୍ୟ ଓ ଆତ୍ମପ୍ରତ୍ୟୟ ଭରିଦେବା ପାଇଁ ସେ ଅନେକ କାର୍ଯ୍ୟକ୍ରମ ହାତକୁ ନେଲେ ଏବଂ ମହିଳାଙ୍କ ମୌଳିକ ଆବଶ୍ୟକତା କ୍ଷେତ୍ରରେ ଯୋଡ଼ିଲେ ନୂଆ ଦିଗନ୍ତ। ଜାତୀୟ ଜୀବନରେ ସ୍ବଚ୍ଛତା ଆଣିବା ପାଇଁ ସେ ଚାହୁଁଥିଲେ ସଂପୂର୍ଣ୍ଣ ନିଶା ନିବାରଣ। ଯେତେବେଳେ ସାରା ପୃଥିବୀରେ କେହି ପରିବେଶ କଥା ଉଠାଇ ନଥିଲେ, ସେତେବେଳେ ପାରିବେଶିକ ଭୟାବହତାର କୁଫଳ ବିଷୟରେ ବିଶ୍ୱକୁ ସତର୍କ କରାଇ ଦେଇଥିଲେ ଗାନ୍ଧିଜୀ। ସତ୍ୟର ସାଧନାରେ ସାମ୍ପ୍ରଦାୟିକ ସଦ୍‌ଭାବ ପାଇଁ ଗାନ୍ଧିଜୀ ଏମିତି ଏକ କୀର୍ତ୍ତି ସ୍ଥାପନ କଲେ, ଯା’ର ପ୍ରଭାବରେ ଭୁଶୁଡ଼ିଗଲା ସାରା ଦୁନିଆର ସଂଗଠିତ ଧର୍ମ ପାଚେରି। କେବଳ ନିଜ ଦେଶ କଥା ନୁହେଁ, ଗାନ୍ଧିଜୀ ଚିନ୍ତା କରୁଥିଲେ ସମଗ୍ର ବିଶ୍ୱମାନବ ପାଇଁ ଏବଂ ଭାରତ ଥିଲା ତା’ର ପ୍ରୟୋଗଶାଳା। ଏହି ଦୃଷ୍ଟିକୋଣରୁ ଗାନ୍ଧିଜୀ ଜଣେ ବ୍ୟକ୍ତି ନୁହନ୍ତି, ଏକ ଆନ୍ଦୋଳନ। ଏକ ଚେତନା। ଏକ ମୂଲ୍ୟବୋଧ। ଏହି ମୂଲ୍ୟବୋଧର ବ୍ୟବହାରିକ ଉପଯୋଗିତା ଆଜି ସାବ୍ୟସ୍ତ କରେ ଗାନ୍ଧିବାଦର ପ୍ରାସଙ୍ଗିକତା। ତାଙ୍କ ବୈଚାରିକ ସାମୂହିକତାକୁ ଆବଦ୍ଧ କରି ରଖି ପାରିନି କୌଣସି ଦେଶ, ସମୟ ଖଣ୍ଡ ଓ ଭୌଗୋଳିକ ପରିସୀମା। ସେଥିପାଇଁ ସେ ସମୟାତୀତ।
ମହାତ୍ମା ଗାନ୍ଧୀ ସାରା ପୃଥିବୀକୁ ଯେଉଁ ବାର୍ତ୍ତା ଦେଇଛନ୍ତି, ସେଥିରେ ବିଭ୍ରାନ୍ତି ଆଣିବା ପାଇଁ ସକ୍ରିୟ ହୋଇ ଉଠିଛନ୍ତି ଅନେକ ଧର୍ମାନ୍ଧ। ଧାର୍ମିକ ଭାବନା ସେମାନଙ୍କ ମନକୁ ଏମିତି ଆଚ୍ଛନ୍ନ କରି ରଖିଛି ଯେ ସେମାନେ ହରାଇ ବସିଛନ୍ତି ଅହିଂସାର ଅସଲ ମର୍ମ ବୁଝିବାର ଧୈର୍ଯ୍ୟ ଓ ମାନସିକତା। ମାତ୍ର ସେମାନେ ଜାଣିରଖିବା ଉଚିତ ଗାନ୍ଧୀଙ୍କର ଅହିଂସା ବାଣୀକୁ ଆଜି ଶ୍ରଦ୍ଧା ଓ ଆଗ୍ରହରେ ଶୁଣୁଛି ସାରା ବିଶ୍ୱ। ତାଙ୍କୁ ଯେତେ ମିଥ୍ୟା ଆରୋପରେ ଅଭିଯୁକ୍ତ କଲେ ବି ତାଙ୍କୁ କେବେ ଆବଦ୍ଧ କରି ରଖିପାରିବନି ସମୟର ସୀମାବଦ୍ଧତା। କାରଣ ସେ କେବଳ ଜାତିର ଜନକ ନୁହନ୍ତି, ସମଗ୍ର ବିଶ୍ୱମାନବର ଆଦର୍ଶ। ସେ ଆଦର୍ଶକୁ ଯେତେ ମାଠିଲେ ତାହା ମ୍ଳାନ ହେବା ପରିବର୍ତ୍ତେ ତା’ର ଉଜ୍ଜ୍ୱଳତା ସେତେ ବୃଦ୍ଧି ପାଇବ ।
ଅଧ୍ୟକ୍ଷ , ଫୁଲମତୀ ହେମ୍ବ୍ରମ ମହାବିଦ୍ୟାଳୟ
ପଡ଼ିଆବେଡ଼ା, ମୟୂରଭଞ୍ଜ,
ମୋ: ୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?