ଶିଶୁଙ୍କ ପାଇଁ ସୃଜନାତ୍ମକ ଶିକ୍ଷା

ଲୋକନାଥ ପଣ୍ଡା

କରୋନା ମହାମାରୀକୁ ଆଖିରେ ରଖି ଗତ ଦୁଇ ତିନିମାସ ମଧ୍ୟରେ ଶିଶୁଙ୍କ ନିମନ୍ତେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। କେହି ଚିତ୍ର ପ୍ରତିଯୋଗିତା କରୁଛନ୍ତି ତ କିଏ ଗଳ୍ପ ପ୍ରତିଯୋଗିତା। ସବୁଗୁଡ଼ିକୁ ହ୍ବାଟ୍‌ସଆପରେ ବା ଅନ୍‌ଲାଇନରେ ପଠାଇବା ପାଇଁ କୁହାଯାଉଛି। ଅନଲାଇନରେ ଶିକ୍ଷାଦାନ ପାଇଁ ମଧ୍ୟ ପ୍ରୟାସ ଚାଲିଛି। ଏଥିସହିତ ୟୁନିସେଫ ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ‘ମୋ ପ୍ରତିଭା’ ନାମରେ ଶିଶୁମାନଙ୍କ ଲାଗି ବିଭିନ୍ନ ସୃଜନାତ୍ମକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି। ପ୍ରାଥମିକ ସ୍ତର ହେଉ କିମ୍ବା ମାଧ୍ୟମିକ, ଅନେକ ବେସରକାରୀ ସ୍କୁଲ୍‌ ଅନଲାଇନ ଶିକ୍ଷାଦାନ ଜାରି ରଖିଛନ୍ତି। କିନ୍ତୁ ଗ୍ରାମାଞ୍ଚଳର ଅନେକ ଶିଶୁ ଏଥିରୁ ବଞ୍ଚିତ ହେଉଛନ୍ତି।
ଅନଲାଇନ ଶିକ୍ଷାରେ ନିଶ୍ଚୟ ଅନେକ ଶିଶୁ ଉପକୃତ ହେବେ ଏଥିରେ ସନ୍ଦେହ ନାହିଁ। କିନ୍ତୁ ଯେଉଁ ଶିଶୁର ମାତାପିତାଙ୍କର ସ୍ମାର୍ଟ ଫୋନ ନାହିଁ କିମ୍ବା ମାତାପିତା ଇଣ୍ଟରନେଟ ବିଷୟରେ ଜାଣିନାହାନ୍ତିି, ସେମାନଙ୍କର ଶିଶୁ କ’ଣ ଏହାଦ୍ୱାରା ଉପକୃତ ହୋଇପାରିବେ? ଭାରତରେ ଗ୍ରାମାଞ୍ଚଳରେ ଅନେକ ଶିଶୁ ରହି ପାଠ ପଢ଼ୁଛନ୍ତି। ଅନେକେ ମଧ୍ୟ ଆଶ୍ରମ ବିଦ୍ୟାଳୟରେ ରହି ଶିକ୍ଷାଲାଭ କରୁଛନ୍ତି। ମୁଖ୍ୟତଃ ଆଦିବାସୀ ବହୁଳ ଜିଲାମାନଙ୍କରେ ବହୁ ସଂଖ୍ୟାରେ ଶିଶୁ ଆଶ୍ରମ ସ୍କୁଲରେ ପଢୁଛନ୍ତି। ସେମାନେ କେତେଦୂର ଏହାଦ୍ୱାରା ଉପକୃତ ହୋଇପାରିବେ, ସେ ନେଇ ମୁଁ ସନ୍ଦିହାନ ହୋଇପଡ଼ିଛି। କିଛିଦିନ ତଳେ ଆଦିବାସୀ ଅଞ୍ଚଳର କଣେ ପ୍ରଧାନଶିକ୍ଷକଙ୍କ ସହ ଆଲୋଚନା କରୁଥିଲି। ସେ କହିଲେ, ତାଙ୍କ ଛାତ୍ରୀଛାତ୍ରମାନେ ସ୍କୁଲ ଛୁଟି ହେଲେ ଗାଁ ବାହାରକୁ ଯାଆନ୍ତି, ଶ୍ରମ କରି କିଛି ଅର୍ଜନ କରନ୍ତି, ଯାହା କି ସେମାନଙ୍କର ଶିକ୍ଷା ବାବଦରେ ଖର୍ଚ୍ଚ କରନ୍ତି। ସାତ ଆଠ କିଲୋମିଟରରୁ ବଦ୍ୟାଳୟକୁ ଆସନ୍ତି। ସେମାନଙ୍କ ପାଇଁ ଅନଲାଇନ ପାଠପଢ଼ା ଅସମ୍ଭବ। ଯାହା ହେଉ ଇତିମଧ୍ୟରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ତରଫରୁ ସାମାଜିକ ଦୂରତା ରକ୍ଷା କରି ଶିଶୁମାନେ କିପରି ନିଜ ନିଜ ଗ୍ରାମରେ ଶିକ୍ଷାଲାଭ କରିବେ ଏବଂ ଶିକ୍ଷକ କିପରି ଶିକ୍ଷାଦାନ କରିବେ, ସେଥିଲାଗିି ଏକ ଯୋଜନାବଦ୍ଧ ପ୍ରୟାସ କରାଯାଇଛି।
୨୦୧୯ ମସିହାରେ କଲ୍ୟାଣ ବିଭାଗ ଓ ୟୁନିସେଫଙ୍କ ମିଳିତ ଉଦ୍ୟମରେ ଆୟୋଜିତ ରାୟଗଡ଼ ଜିଲାର କିଛି ଆଶ୍ରମ ସ୍କୁଲର ବାଳିକାଙ୍କର ଏକ ସାମର୍ଥ୍ୟ ବିକାଶ କର୍ମଶାଳାର ଗୋଟିଏ ଦଳକୁ ସଂଯୋଜନା କରିବାର ସୁଯୋଗ ପାଇଥିଲି। ଗ୍ରାମୀଣ ତଥା ଆଶ୍ରମ ସ୍କୁଲର ଶିଶୁମାନେ କିପରି ଖୁସି ଓ ମଜାରେ ନିଜର ସୃଜନାତ୍ମକ ବିକାଶ କରିପାରିବେ, ସେଥିଲାଗି ଏକ ଦୁଇଦିନିଆ କାର୍ଯ୍ୟଖସଡ଼ା ପ୍ରସ୍ତୁତ ହୋଇଥିଲା। ସେମାନଙ୍କୁ ନିଜ ଗ୍ରାମରେ ବ୍ୟବହାର ହେଉଥିବା ଜ୍ଞାନକୌଶଳ, ଶୁଣିଥିବା ଗଳ୍ପକୁ ନିଜ ଭାଷାରେ ଉପସ୍ଥାପନା, ଚିତ୍ରାଙ୍କନ ଆଦିକୁ ନେଇ ପହଳି ଆଦି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା। ଏହି ପରିପ୍ରେକ୍ଷୀର ଶିଶୁମାନେ ନିଜ ନିଜ ଗ୍ରାମର ସମ୍ବଳ, ଏହାର ବିନିଯୋଗ ସମ୍ପର୍କରେ ସୁନ୍ଦର ଉପସ୍ଥାପନା କରିଥିଲେ। ନିଜ ନିଜ ଗ୍ରାମର ଲୋକମାନେ କେତେ ଆତ୍ମନିର୍ଭରଶୀଳ, କେତେ ଲୋକ ଦାଦନ ଖଟିବାକୁ ଯାଉଛନ୍ତି, ଗ୍ରାମରେ ଥିବା ସମସ୍ୟା ଓ ଏହାର ନିରାକରଣ ଆଦି ସମ୍ପର୍କରେ ମଧ୍ୟ ସେମାନେ ନିଜର ଲେଖା ଓ କଥାରେ ପ୍ରକାଶ କରିଥିଲେ। ଏଥିସହିତ ନିଜ ନିଜର ଭାବନାକୁ ନେଇ ସୁନ୍ଦର ସୁନ୍ଦର ଚିତ୍ର ଉପସ୍ଥାପନା କରିଥିଲେ। ନିଜେ କିଭଳି ସ୍କୁଲଟିଏ ଚାହୁଁଛନ୍ତି, ନିଜେ ଜଣେ ସରପଞ୍ଚ ବା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ହେଲେ କ’ଣ କରିବେ, ସେ ସମ୍ପର୍କରେ ମଧ୍ୟ ନିଜର ଭାବନା ଓ କଳ୍ପନାର ପ୍ରସାର କରି ଲେଖିଥିଲେ।
ଏଠାରେ ଏହି ଉଦାହରଣ ଦେବାର ଉଦ୍ଦେଶ୍ୟ ହେଉଛି, ବର୍ତ୍ତମାନ ପରିପ୍ରେକ୍ଷୀରେ ଯେଉଁ ଶିଶୁଟି ଯେଉଁଥିପାଇଁ ଆଗ୍ରହୀ ସେଥିରେ ତା’ର ସାମର୍ଥ୍ୟ ବିକାଶ କରିବା ପାଇଁ ସୁଯୋଗ ମିଳୁ। ଆଶ୍ରମ ବିଦ୍ୟାଳୟଗୁଡ଼ିକ ଶିକ୍ଷାଲାଭ ସହିତ ଶିଶୁମାନେ କିପରି ସୃଜନଶୀଳ ସାହିତ୍ୟ, ଖେଳ, କଳା ଆଦିରେ ନିପୁଣ ହେବେ, ସେଥିପ୍ରତି ଦୃଷ୍ଟିଦେବାର ଆବଶ୍ୟକତା ରହିଛି। ସେହି ଗ୍ରାମର ଯୁବସମାଜ, ଆବଶ୍ୟକ ହେଲେ ଶିକ୍ଷକ, ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା କିମ୍ବା ସେହି ଗ୍ରାମରେ ଥିବା ଆଗ୍ରହୀ ଓ ଉତ୍ସାହୀ ବ୍ୟକ୍ତିବିଶେଷ ଚାହିଁଲେ ଏହିଭଳି କାର୍ଯ୍ୟକ୍ରମ ଆୟୋଜନ କରିପାରିବେ।
ଏହିଭଳି ଅନେକ ଯୁବକ ଅଛନ୍ତି, ଯେଉଁମାନେ କମ୍‌ ସଂଖ୍ୟକ ଶିଶୁଙ୍କୁ ନେଇ ମଧ୍ୟ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ବର୍ତ୍ତମାନ ପରିପ୍ରେକ୍ଷୀରେ ସୃଜନାତ୍ମକ କାର୍ଯ୍ୟକ୍ରମ କରିବା ବେଳେ ଗ୍ରାମାଞ୍ଚଳର ଶିଶୁମାନଙ୍କୁ ଦୃଷ୍ଟିରେ ରଖି ତାହା ଆରମ୍ଭ କରିବାକୁ ପଡ଼ିବ। କେବଳ ବହି ମଧ୍ୟରେ ସୀମିତ ନ ରହି ସେମାନେ କିପରି ରିପୋର୍ଟିଂ କରିବେ, ଯେ କୌଣସି ଭାବନାକୁ ଲେଖା ଓ ଚିତ୍ର ମାଧ୍ୟମରେ ପ୍ରକାଶ କରିବେ, ନିଜ ବିଦ୍ୟାଳୟ ପାଇଁ ଖବରକାଗଜ ପ୍ରସ୍ତୁତ କରିବେ, ପତ୍ରିକାଟିଏ ପ୍ରସ୍ତୁତ କରିବେ, ନିଜର ଭାଷା, ସଂସ୍କୃତି, ବିବିଧତାକୁ ଭଲ ପାଇବେ, ପରମୁଖାପେକ୍ଷୀ ହେବେ ନାହିଁ, ନିଜର ଅଞ୍ଚଳର ତଥା ନିଜ ଗ୍ରାମର ଲୋକଙ୍କ କଥାକୁ ନେଇ ରଚନା କରିବେ, ଗଛପତ୍ର ତଥା ପଶୁପକ୍ଷୀଙ୍କୁ ନେଇ ଆତ୍ମକାହାଣୀ ଲେଖିବେ, ନିଜ ଗ୍ରାମର ଇତିହାସ ଲେଖିବେ, ନିଜ ଗ୍ରାମର ଭବିଷ୍ୟତ ଚିନ୍ତା କରିବେ- ଏହି ଭଳି କିଛି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପଡ଼ିବ, ଯାହା କି ଶିଶୁଙ୍କୁ ଏକ ବୃହତ୍ତର ସମ୍ଭାବନାର ଦୃଷ୍ଟିକୋଣ ଆଡ଼କୁ ନେଇଯିବାରେ ଏକ ମାଧ୍ୟମ ହେବ।

ମୋ-୯୪୩୮୦୮୧୪୩୦


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri