ଜଟିଳ ବିରୋଧାଭାସ

ଡ. ପ୍ରସନ୍ନ କୁମାର ମହାନ୍ତି

ଏ ପ୍ରବନ୍ଧରେ ପ୍ରତିଫଳିତ ମୋର ଦ୍ୱନ୍ଦ୍ୱ ଓ ଜିଜ୍ଞାସା ପାରମ୍ପରିକ ବିଚାର ଓ ମତ ସମ୍ବନ୍ଧିତ ପରସ୍ପର ବିରୋଧୀ ତତ୍ତ୍ୱର ସଂଘାତରୁ ଜାତ। ଏହି ପ୍ରଶ୍ନଳିତା କାହା ଉପରେ ଲଦି ଦେବାର ମୋର ଉଦ୍ଦେଶ୍ୟ ନୁହେଁ। ମୋ ବିଚାରଧାରାକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଦେଇ ନିଜସ୍ବ ଅବବୋଧକୁ ମହତ୍ତ୍ୱପୂର୍ଣ୍ଣ ମଣିବାରେ କୌଣସି ବାଧା ନାହିଁ।
ଆମର ପୁରାଣକାର, ମୁନି, ଋଷି, ବୁଦ୍ଧିଜୀବୀ ଶହ ଶହ ବର୍ଷ ଧରି ବିଭିନ୍ନ ପରିପ୍ରେକ୍ଷୀରେ ବିଭିନ୍ନ ଧାର୍ମିକ, ଆଧ୍ୟାତ୍ମିକ, ସାମାଜିକ, ସାଂସାରିକ ଅଥବା ସଂକ୍ଷେପରେ କହିଲେ ନାନା ଐହିକ ଓ ପାରତ୍ରିକ ପ୍ରସଙ୍ଗକୁ ନେଇ ଆପଣାର ମତ ପ୍ରତିଫଳିତ କରି ଆସିଛନ୍ତି ଏବଂ ସମାଜର ଜନଗଣ ସେସବୁକୁ କାଳକ୍ରମେ ନିର୍ବିବାଦରେ ଆପ୍ତବଚନ ଭାବେ ସଭକ୍ତି ଗ୍ରହଣ କରି ନେଇଛନ୍ତି। କିନ୍ତୁ ଏସବୁ ପ୍ରାଚୀନ ଓ ପାରମ୍ପରିକ ଅବଧାରଣାକୁ ଅନୁସରଣ କରୁ କରୁ ବେଳେ ବେଳେ ଆମେ ଉତ୍କଟ ବିରୋଧାଭାସ ମଧ୍ୟରେ ନିଜକୁ ଆବିଷ୍କାର କରୁ ଏବଂ ଅଗତ୍ୟା କିଛିଟା ଅନନ୍ୟୋପାୟ ଓ ଅସହାୟ ଦିଶିବାକୁ ବାଧ୍ୟ ହେଉ। ଅବଶ୍ୟ ଏକଥାକୁ ଅସ୍ବୀକାର କରି ହେବ ନାହିଁ ଯେ, ପାରମ୍ପରିକ ବିଚାର ଓ ଆଚାର ଦୃଷ୍ଟିରୁ ବିଶ୍ଳେଷଣ କଲେ ଦେଖିବା ନାନା ବିରୋଧାଭାସ ମଧ୍ୟରେ ସାମାଜିକ ଜୀବନ ଜିଇବାରେ ଆମେ ବହୁକାଳୁ ଅଭ୍ୟସ୍ତ।
ତେବେ ଏଠି ଗୋଟିଏ ନିର୍ଦ୍ଦିଷ୍ଟ ପ୍ରସଙ୍ଗକୁ ଲକ୍ଷ୍ୟ କରାଯାଉ। ତା’ ହେଉଛି ମାନବ-ଜନ୍ମ ଓ ମୋକ୍ଷ ପ୍ରାପ୍ତି। ଆମେ ପଢ଼ିଆସିଛୁ ଓ ଶୁଣି ଆସିଛୁ ଯେ, ସୃଷ୍ଟିର ସମସ୍ତ ପ୍ରାଣୀଙ୍କ ମଧ୍ୟରେ ମାନବ ହେଉଛି ସର୍ବଶ୍ରେଷ୍ଠ ପ୍ରାଣୀ ଓ ମାନବ ଜନ୍ମ ସର୍ବଶ୍ରେଷ୍ଠ! କେତେ ଲକ୍ଷ ବା କେତେ ନିୟୁତ ଇତର ଯୋନିରେ ଜନ୍ମ ହେବା ପରେ ପ୍ରାଣୀ ଦୁର୍ଲଭ ଓ ସର୍ବଶ୍ରେଷ୍ଠ ମାନବ ଜନ୍ମ ପାଏ। ହୁଏତ ହୋଇଥିବ। ମହାନ୍‌ ମନୀଷୀମାନେ ହୁଏତ ଧ୍ୟାନବଳରେ ଏହି ମହା ‘ସତ୍ୟ’ ଜାଣିପାରିଥିବେ! ଆମେ ବଡ଼ ଆତ୍ମ ଗୌରବର ସହ ଏହାକୁ ଯଥାର୍ଥ ବୋଲି ଗ୍ରହଣ କରିନେଉ। ମଣିଷ ସବୁଠୁ ଯେ ବୁଦ୍ଧିମାନ୍‌ ପ୍ରାଣୀ, ଏକଥା ଆମେ ଦେଖୁଛୁ, କେତେ ଲକ୍ଷ ଜନ୍ମ ପରେ ମଣିଷ ଜନ୍ମ ମିଳିଲା, ତାକୁ ନେଇ ତର୍କ କରିବାରେ ଲାଭ କ’ଣ?
ଏ ବିଚାରର ଠିକ୍‌ ସାମ୍ନାରେ ନିମ୍ନ ବିଚାରଟିକୁ ଅବସ୍ଥାପିତ କରାଯାଉ। ତା’ ହେଉଛି ଜୀବନର ସର୍ବାଧିକ କାମ୍ୟ ଲକ୍ଷ୍ୟ ଓ ସେ ସମ୍ପର୍କିତ ବିଚାରଧାରା। କୁହାଯାଇଛି ଯେ, ମଣିଷ ଜୀବନର ସବୁଠୁ ବଡ଼ ଲକ୍ଷ୍ୟ ବା କାମ୍ୟ ହେଉଛି ମୁକ୍ତି, ମୋକ୍ଷ ବା ନିର୍ବାଣପ୍ରାପ୍ତି। ମଣିଷ ଜୀବନ ଦୁଃଖ ହାହାକାରମୟ, ବିଷାଦ ଓ ବିପର୍ଯ୍ୟୟରେ ପରିପୂର୍ଣ୍ଣ। ମୃତ୍ୟୁ ପରେ ପୁନର୍ଜନ୍ମ ଲାଭ ନ କରି ଆତ୍ମାର ମୋକ୍ଷ ଲାଗି ପ୍ରଯତ୍ନ କରିବା ଓ ସେଥିରେ ସଫଳ ହେବା ହିଁ ମଣିଷ ଜୀବନର ସବୁଠୁ ବଡ଼ ପ୍ରାପ୍ତି ଓ ସାର୍ଥକତା। ଏହି ମୋକ୍ଷ ବା ମୁକ୍ତି ଲାଗି ସତ୍‌କର୍ମ ଓ ପୁଣ୍ୟାର୍ଜନର ବହୁ ମାର୍ଗ ମଧ୍ୟ ପ୍ରଦର୍ଶିତ ହୋଇଛି।
ଏ ବିରୋଧାଭାସ ଆମ ସମ୍ମୁଖରେ ପ୍ରଶ୍ନଟିଏ ଛିଡା କରାଏ। ଲକ୍ଷ ଲକ୍ଷ ଇତର ଜନ୍ମପରେ ଯେଉଁ ଦୁର୍ଲଭ ଓ ସର୍ବୋତ୍ତମ ମାନବଜନ୍ମ ମିଳିଲା, ତାକୁ ବାରମ୍ବାର ପାଇବାକୁ କାମନା ନ କରି ମଣିଷ-ଜନ୍ମରୁ ମୁକ୍ତି ପାଇଁ ଏଡ଼େ ବ୍ୟାକୁଳତା କାହିଁକି?
ଆମେ ବିଶ୍ୱାସ କରୁ ଆତ୍ମା ଅବିନଶ୍ୱର, ଶାଶ୍ୱତ, ଚିରନ୍ତନ। ତା’ର ଜନ୍ମ ନାହିଁ କି ମୃତ୍ୟୁ ନାହିଁ। ମନୁଷ୍ୟର ମୃତ୍ୟୁରେ କେବଳ ପଞ୍ଚଭୂତରୁ ସୃଷ୍ଟ ସ୍ଥୂଳ ଶରୀରଟି ପୁଣି ପଞ୍ଚଭୂତରେ ବିଲୀନ ହୋଇଯାଏ। କିନ୍ତୁ ଆତ୍ମାର ବିନାଶ ନାହିଁ। ମନୁଷ୍ୟ ପୁରୁଣା ବସ୍ତ୍ର ପରିତ୍ୟାଗ କରି ନୂତନ ବସ୍ତ୍ର ପରିଧାନ କଲା ଭଳି ଜରାଜୀର୍ଣ୍ଣ ଅବସନ୍ନ ବୃଦ୍ଧ ଶରୀରକୁ ତ୍ୟାଗକରି ଆତ୍ମା ନୂତନ ସୁଠାମ କଳେବର ପରିଗ୍ରହଣ କରେ। ‘ବାସାଂସି ଜୀର୍ଣାନି ଯଥା ବିହାୟ, ନବାନି ଗୃହଣାତି ନରୋ…ପରାଣି….’ ଇତ୍ୟାଦି। ସେହି ଗୀତାରେ ଭଗବାନ୍‌ ପୁଣି କହିଲେ-‘ନୈନ ଛିନ୍ଦନ୍ତି ଶସ୍ତ୍ରାଣି, ନୈନଂ ଦହତି ପାବକଃ…’-ଆତ୍ମାକୁ ଶସ୍ତ୍ର ଛେଦନ କରିପାରେନା, ଅଗ୍ନି ଦହନ କରିପାରେନା, ଜଳ ଆର୍ଦ୍ର କରିପାରେନା କି ବାୟୁ ଶୋଷି ନେଇପାରେନା!
ଆତ୍ମା ଯଦି ଏଭଳି ଶାଶ୍ୱତ, ମୃତ୍ୟୁହୀନ ଓ ଅବିନାଶୀ, ତା’ ହେଲେ ସେ ପୁଣି ମୋକ୍ଷ ବା ମୁକ୍ତିପ୍ରାପ୍ତିର ପ୍ରକ୍ରିୟାରେ ପରମାତ୍ମାଙ୍କଠାରେ ବିଲୀନ ହୋଇ ନିଶ୍ଚିହ୍ନ ହୋଇଯାଏ କିପରି? ଆମ୍ଭର ଅଜ୍ଞତା, କ୍ଷୁଦ୍ର ବୁଦ୍ଧି ଓ ସାମାନ୍ୟ ମସ୍ତିଷ୍କ ଏସବୁ ଗଭୀର ତତ୍ତ୍ୱକୁ ସମ୍ମାନର ସହ ପ୍ରଣାମ ଜଣାଇ ନିଜର ଅବିଦ୍ୟା ଓ ଅସହାୟତାକୁ ବିନମ୍ର ସ୍ବୀକାର କରେ ଓ ଏସବୁ ମହାତତ୍ତ୍ୱ ସମ୍ମୁଖରୁ ଆପେ ନିଶବ୍ଦରେ ଆଡ଼ ହୋଇଯାଏ ଏବଂ ଯଥାସମ୍ଭବ ଏକ ଶୁଦ୍ଧ, ସମ୍ବେଦନଶୀଳ ଓ ପରିଚ୍ଛନ୍ନ ଜୀବନ ଜିଇବାକୁ ନିଷ୍ଠାପୂର୍ଣ୍ଣ ଭାବେ ପ୍ରଯତ୍ନ କରିବାର କ୍ଷୁଦ୍ର ପ୍ରୟାସ ହିଁ ସବୁଠୁ ମହତ୍ତ୍ୱପୂର୍ଣ୍ଣ ବୋଲି ବିଚାର କରେ।
୩, ମହାଲକ୍ଷ୍ମୀ ନଗର,
ଗ୍ୟାରେଜ୍‌ ଛକ, ଭୁବନେଶ୍ୱର,
ମୋ-୯୪୩୭୩୫୭୦୫୦


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri