ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ ଚାଲିଯାଉଛି। ନିଜ ଭିଟାମାଟି, ପାହାଡ଼, ଝରଣା ବଞ୍ଚେଇବା ପାଇଁ ଲଢ଼େଇ କଲେ, ସେମାନଙ୍କୁ ପୋଲିସ ଲଗେଇ ଓ ଆଇନର ବିଭିନ୍ନ ଫାନ୍ଦରେ ଦମନ କରିବାକୁ ଚେଷ୍ଟା କରାଯାଉଛି।
ସେପ୍ଟେମ୍ବର ୧୦ରେ ନିୟମଗିରି ସୁରକ୍ଷା ସମିତିର ନେତା ଲଦ ସିକୋକା ଦୁଇଟି ପୁରୁଣା ମାମଲାରେ ଲାଞ୍ଜିଗଡ଼ କୋର୍ଟରୁ ଜାମିନ ପାଇ ଘରକୁ ଫେରୁଥିବା ବେଳେ ସଶସ୍ତ୍ର ପୋଲିସ ତାଙ୍କୁ ପୁଣି ଥରେ ଉଠେଇ ନେଇ ଜେଲରେ ଭର୍ତ୍ତି କରିଦେଲା। ଏଠାରେ ସୂଚନାଯୋଗ୍ୟ, ଲଦ ସିକୋକାଙ୍କ ନାମରେ ଥିବା ଆଉ ଗୋଟିଏ କେସ୍‌କୁ ହଠାତ୍‌ ପୋଲିସ ସାମ୍ନାକୁ ଆଣି, ସେ ଜାମିନ୍‌ ପାଇ ଖଲାସ ହେବା ପରେ ତାଙ୍କୁ ପୁଣି ଥରେ ଗିରଫ କରିନେଲେ। ଏହି ଘଟଣା ବାହାରକୁ ସାଧାରଣ ଲାଗୁଥିଲେ ମଧ୍ୟ ଏହା ପଛରେ ଥିବା ଷଡ଼ଯନ୍ତ୍ରକୁ ଅସ୍ବୀକାର କରିହେବ ନାହିଁ। ଯଦି ଲଦ ନାମରେ ଏପରି ଅଭିଯୋଗ ଥିଲା, ତା’ହେଲେ ପୋଲିସ ସେହି କେସ୍‌କୁ ଏକାଥରେ ଲଦ ବିରୋଧରେ ଲଗେଇ ନ ଥିଲା କାହିଁକି? ସଂପ୍ରତି ଜଣାଯାଏ ଯେ ନିୟମଗିରି ସୁରକ୍ଷା ସମିତିର ନେତା ଲଦ ସିକୋକା ନାମରେ ଏଗାରଟି ମାମଲା ରହିଛି, ଯେଉଁଥିରେ ଦେଶଦ୍ରୋହ ଓ ଦେଶ ବିରୋଧରେ ଯୁଦ୍ଧ ଘୋଷଣା ଭଳି ଗୁରୁତର ଅଭିଯୋଗ ଅଛି। ନିୟମଗିରିର ଆଦିବାସୀ ଲଦ ସିକୋକା। ମାଟି, ପାଣି, ପବନ, ଜଙ୍ଗଲକୁ ନେଇ ତାଙ୍କ ଜୀବନ। ସେ ପୁଣି ଦେଶ ବିରୋଧରେ ଯୁନ୍ଧ ଘୋଷଣା କରିଛନ୍ତି ଓ ସରକାରଙ୍କ ପ୍ରତି ବିପଦ ଥିବାରୁ ତାଙ୍କୁୁ ବାରମ୍ବାର ଗିରଫ କରାଯାଉଛି। ଅସଲ କଥା ହେଉଛି, ସେ କମ୍ପାନୀ କବଳରୁ ନିଜ ପାହାଡ଼ ଓ ଜଙ୍ଗଲକୁ ରକ୍ଷା କରିବା ପାଇଁ ଶାନ୍ତିପୂର୍ଣ୍ଣ ଭାବେ ଲଢ଼େଇ କରୁଛନ୍ତି; ଯାହାକୁ ଆଜିକାଲି ଦେଶ ବିରୋଧରେ ଲଢ଼େଇ କୁହାଯାଉଛି। ତାହେଲେ ସେ କମ୍ପାନୀ କ’ଣ ଦେଶ? ସରକାର କ’ଣ କମ୍ପାନୀ ପାଇଁ ଅଛନ୍ତି? ଆଦିବାସୀ ଲୋକ ନିଜ ଗାଁକୁ ଦେଶ କୁହେ। ସେଇ ଦେଶକୁ ସେ ବଞ୍ଚେଇବା ପାଇଁ ଲଢ଼େଇ କରୁଛି। ତେଣୁ ସେ ଦେଶପ୍ରେମୀ। ତାକୁ ଦେଶଦ୍ରୋହୀ ଧାରା ଲଗେଇ ଗିରଫ କରାଯାଉଛି କିପରି? ଗୋଟିଏ କେସ୍‌ରେ ଜାମିନ୍‌ ପାଇବା ବେଳକୁ ଠିକ୍‌ ଆଉ ଗୋଟିଏ କେସ୍‌ ତା’ ପଛରେ ଲଗେଇ ଜେଲ ଭିତରେ ବନ୍ଦ କରିଦିଆଯାଉଛି କାହିଁକି? ଲଦ ବା ତାଙ୍କ ଭଳି ଆନ୍ଦୋଳନ କରୁଥିବା ଆଦିବାସୀଙ୍କୁ ସବୁଦିନ ପାଇଁ ଜେଲର ଚାରିକାନ୍ଥ ଭିତରେ ବନ୍ଦ କରି ରଖିବାକୁ ଷଡ଼ଯନ୍ତ୍ର କରୁଛି କିଏ? ଲଦ ସିକୋକା ଭଳି ଆଦିବାସୀମାନେ ଜାମିନ୍‌ ପାଇବା ବେଳକୁ ହଠାତ୍‌ ପୋଲିସ ଏତେ ସକ୍ରିୟ ହୋଇଯାଉଛି କିପରି? ଏସବୁ ପ୍ରଶ୍ନର ଉତ୍ତର ସେହି ଆଦିବାସୀମାନେ ପାଉନାହାନ୍ତି। କେବଳ ଏତିକି ନୁହେଁ, ଗତ ମାର୍ଚ୍ଚ ମାସରେ ଲାଞ୍ଜିଗଡ଼ ଜେ.ଏଫ୍‌.ଏମ.ସି. ଲଦ ସିକୋକାକୁ ପଳାତକ ଘୋଷଣା କରି ତାଙ୍କ ସମ୍ପତ୍ତିକୁ ଜବତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଲଦ ଭଳି ଆଦିବାସୀଙ୍କ ସମ୍ପତ୍ତି କହିଲେ ତ ତାଙ୍କ ପାହାଡ଼ ଓ ଜଙ୍ଗଲ; ଯାହାକୁ ଲୁଟିନେବା ପାଇଁ କମ୍ପାନୀ ପଞ୍ଝା ପ୍ରସାରି ବସିଛି ଏବଂ ସରକାର ତାଙ୍କ ପାଇଁ ନିଜର ସବୁ କଳ ବଳ ଲଗେଇ ଦେଉଛନ୍ତି। ଆଉ କେଉଁ ସମ୍ପତ୍ତି ରହିଲା ଯେ, ଜବତ କରିବେ! ଅବଶ୍ୟ ପରେ ଉଚ୍ଚ ନ୍ୟାୟାଳୟ ସେହି ଆଦେଶକୁ ଖାରଜ କରିଦେଇଥିଲେ।
ସେହି ସେପ୍ଟେମ୍ବର ୧୦ ରେ ଲଦଙ୍କ ଗିରଫର କିଛି ସମୟ ପରେ ସିଜିମାଳି ସୁରକ୍ଷା ଲଢ଼େଇର କେନ୍ଦ୍ର ସ୍ଥଳ କାଶୀପୁରର କଣ୍ଟାମାଳ ଓ ଥୁଆମୂଳ ରାମପୁରର ତଳଆମପଦର ଗାଁର ପ୍ରବେଶ ପଥରେ ସଶସ୍ତ୍ର ପୋଲିସ ବାହିନୀ ମୁତୟନ କରିଦିଆଗଲା। ଲୋକମାନଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରି କମ୍ପାନୀ ପାଇଁ ରାସ୍ତା ପରିଷ୍କାର କରିବା ପାଇଁ କୌଣସି ଗୋଟିଏ ବି ସୁଯୋଗ ଯେମିତି ପ୍ରଶାସନ ଛାଡ଼ିବାକୁ ଚାହୁଁନାହିଁ। କିଛି ମାସ ତଳେ କଣ୍ଟାମାଳ ଗାଁରେ ରାତି ତିନିଟାରେ ବଳପୂର୍ବକ ପୋଲିସ ପ୍ରବେଶ ଓ ବେଆଇନ ଗିରଫଦାରି ଘଟଣା ଓଡ଼ିଶା ଓ ସମଗ୍ର ଦେଶ ଦେଖିଥିଲା। ସିଜିମାଳି ସୁରକ୍ଷା ଲଢ଼େଇ ସହିତ ସଂଶ୍ଲିଷ୍ଟ କିଛି ଲୋକ ଏବେ ବି ଜେଲରେ ଅଛନ୍ତି। ସେମାନଙ୍କୁ ଗୋଟିଏ ମାମଲାରେ ଜାମିନ୍‌ ମିଳିବା ବେଳକୁ ପୋଲିସ ଆଉ ଗୋଟିଏ ମାମଲା ଗୁନ୍ଥିଦେଉଛି। କାରଣ ସରକାର ଓ ପ୍ରଶାସନ ଚାହାନ୍ତି, ଜଳ, ଜମି, ଜଙ୍ଗଲ ପାଇଁ ଲଢ଼େଇ କରୁଥିବା ଆଦିବାସୀ ଓ ତାଙ୍କ ସାଥୀମାନେ ଜେଲରେ ରହିଲେ ହିଁ ଖଣି ଓ କମ୍ପାନୀ କାମ ସୁରୁଖୁରୁରେ ହୋଇପାରିବ। ଆଦିବାସୀଙ୍କ ଜମି ଓ ପାହାଡ଼କୁ ବିଦେଶୀ କମ୍ପାନୀଙ୍କ ହାତକୁ ଟେକିଦେବା ପାଇଁ ଜଙ୍ଗଲ ଅଧିକାର ଆଇନରେ ଥିବା ଗ୍ରାମସଭାର ଅଧିକାରକୁ ବି କେନ୍ଦ୍ର ସରକାର କୋହଳ କରିଦେଇଛନ୍ତି। ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ଆଦିବାସୀଙ୍କ ପାଦ ତଳେ ଥିବା ମାଟି ଓ ପାହାଡ଼କୁ ଲୁଟିନେବା ପାଇଁ କମ୍ପାନୀ ସହିତ ସରକାର ଯେମିତି ସଂକଳ୍ପବଦ୍ଧ।
ଏହା ବ୍ୟତୀତ ଯେଉଁଠି ଆଦିବାସୀମାନେ ନିଜ ପାହାଡ଼, ଝରଣା, ଜଙ୍ଗଲକୁ ବଞ୍ଚେଇବା ପାଇଁ ଲଢ଼େଇ କରୁଛନ୍ତି, ସେଠାରେ ସରକାର ମିଛ ଗିରଫଦାରି ମାଧ୍ୟମରେ ଲୋକଙ୍କୁ ଡରେଇବା ପାଇଁ ଚେଷ୍ଟା କରୁଛନ୍ତି। ସ୍ଥାନୀୟ ରାଜନୈତିକ ନେତା ଓ ଖଳ ଲୋକମାନଙ୍କୁ ଲଗେଇ ଖଣି ଓ କମ୍ପାନୀ ସପକ୍ଷବାଦୀ ଗୋଷ୍ଠୀ ତିଆରି କରି ଆନ୍ଦୋଳନକୁ ଦୁର୍ବଳ କରିବା ପାଇଁ ଚେଷ୍ଟା କରାଯାଉଛି। କିନ୍ତୁ ଆଶ୍ୱାସନାର ବିଷୟ ଯେ, ଆଦିବାସୀମାନେ ଦମନକୁ ଡରି ନ ଯାଇ ଗଣତାନ୍ତ୍ରିକ ଉପାୟରେ ଲଢ଼େଇ କରୁଛନ୍ତି।
ସ୍ବାଧୀନତା ଦିବସ ହେଉ କି ସାଧାରଣତନ୍ତ୍ର ଦିବସ, ନେତାମାନେ ଗଣତନ୍ତ୍ର ବିଷୟରେ ଭାଷଣ ଦିଅନ୍ତି। ଆଦିବାସୀଙ୍କ କଲ୍ୟାଣ କଥା କହନ୍ତି। କିନ୍ତୁ ଆଦିବାସୀଙ୍କ ଜମି, ଜଳ, ଜଙ୍ଗଲର ସୁରକ୍ଷା କଥା ଉଠିଲା ବେଳକୁ ସେମାନେ ସବୁ ନିୟମକୁ ଜଳାଞ୍ଜଳି ଦେଇ ଆଦିବାସୀଙ୍କ ବିରୋଧରେ ସଂପୂର୍ଣ୍ଣ ପ୍ରଶାସନ କଳକୁ ଲଗେଇ ଦେଉଛନ୍ତି। ସେମାନଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଅଣଦେଖା କରି ସେମାନଙ୍କ ନାମରେ ଦେଶଦ୍ରୋହୀ ଧାରା ଲଗାଯାଉଛି।
ଓଡ଼ିଶାର ବାସଙ୍ଗମାଳି, ସିଜିମାଳି, କୁଟ୍ରୁମାଳି, ନିୟମଗିରି ସବୁ ଉପରେ ଏବେ ବିଦେଶୀ କମ୍ପାନୀଙ୍କ ଲୋଭିଲା ଦୃଷ୍ଟି। ପାହାଡ଼ ପେଟଚିରି ଲୁହାପଥର, ବକ୍ସାଇଟ୍‌ ବୋହିନେବା ପାଇଁ ସେମାନେ ପ୍ରଶାସନର ଉପରୁ ତଳ ଯାଏ ସମସ୍ତଙ୍କୁ ବଶ କରି ରଖିଛନ୍ତି। କିନ୍ତୁ ଆମେ ଭୁଲିଯିବା ଉଚିତ ନୁହେଁ ଯେ, କମ୍ପାନୀ ପାଇଁ ଯାହା ଲୁହାପଥର ଓ ବକ୍ସାଇଟ୍‌, ଆଦିବାସୀଙ୍କ ପାଇଁ ତାହା ଖାଦ୍ୟ, ପାନୀୟ ଓ ଜୀବନ ଜୀବିକାର ଆଧାର। ଜୀବନର ଉତ୍ସ। ସେତକ ଚାଲିଗଲେ ଆଦିବାସୀମାନେ ବଞ୍ଚିପାରିବେ ନାହିଁ। ଆଦିବାସୀଙ୍କୁ ବଳି ପକେଇ ବିକାଶର ବାନା ଉଡ଼େଇବା ଆଦୌ ସୁସ୍ଥ ପରମ୍ପରା ନୁହେଁ।

ବିଚିତ୍ର ବିଶ୍ୱାଳ
ଭିରଙ୍ଗ, ତିରଣ, ଜଗତସିଂହପୁର
ମୋ: ୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ପାସପୋର୍ଟ ନିୟମରେ ବଡ଼ ପରିବର୍ତ୍ତନ, ୧୫ ବର୍ଷରୁ କମ୍‌ ପିଲାଙ୍କ ପାଇଁ…

ନୂଆଦିଲ୍ଲୀ,୧୮।୯: ପାସପୋର୍ଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି ।ବିଦେଶ ମନ୍ତ୍ରଣାଳୟ (MEA) ପାସପୋର୍ଟ ନିୟମରେ କିଛି ପରିବର୍ତ୍ତନ ଘୋଷଣା କରିଛି । ‘ପାସପୋର୍ଟ (ସଂଶୋଧନ) ନିୟମ,…

ପିକ୍‌ଅପ୍‌ରେ ଚାଲାଣ ହେଉଥିଲେ ୭୫ ଛେଳି, ମାଡ଼ି ବସିଲା ପୋଲିସ,୩ ଜଣଙ୍କୁ ଗିରଫ କରି…

ଦେବଗଡ଼,୧୮ା୯(ଶଶାଙ୍କ ଶେଖର ଝାଙ୍କର): ପିକ୍‌ଅପ୍‌ ଭ୍ୟାନ୍‌ରେ ବେଆଇନ ଛେଳି ଚାଲାଣ ଘଟଣାରେ ଦେବଗଡ଼ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପିକ୍‌ଅପ୍‌ ଭ୍ୟାନ୍‌ ଚାଳକ…

ବୈଜ୍ଞାନିକଙ୍କୁ ବଡ଼ ସଫଳତା, ମୂଷା ମସ୍ତିଷ୍କରେ ଲାବ୍‌-ନିର୍ମିତ ମାନବ କୋଷିକା ପ୍ରତିରୋପଣ

ନୂଆଦିଲ୍ଲୀ,୧୮।୯ (ପି.ଟି.): ପ୍ରୟୋଗଶାଳାରେ ପ୍ରସ୍ତୁତ ମାନବ ମସ୍ତିଷ୍କର ନରମ କୋଷିକାକୁ ମୂଷା ମସ୍ତିଷ୍କରେ ସଫଳତାର ସହ ପ୍ରତିରୋପଣ କରାଯାଇପାରିଛି। ପ୍ରତିରୋପଣ ପରେ ଏହି ମାନବ କୋଷିକାଗୁଡ଼ିକ ମୂଷା…

ବିପଦସଙ୍କୁଳ ଶ୍ରେଣୀଗୃହରେ ଚାଲିଛି ଐତିହ୍ୟପୂର୍ଣ୍ଣ ଶିକ୍ଷାନୁଷ୍ଠାନ

ସାକ୍ଷୀଗୋପାଳ,୧୮।୯(ପ୍ରଶାନ୍ତ କୁମାର ବାରିକ): ଯେଉଁଠି ଦିନେ ଶିକ୍ଷା ସହ ଶ୍ରମ, ଶୃଙ୍ଖଳା, ସେବା, ସ୍ବାବଲମ୍ବନ ଓ ଦେଶପ୍ରେମର ମନ୍ତ୍ର ଫୁଙ୍କି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ‘ମଣିଷ…

କମିବ ଧାନ ଅମଳ, ବଢ଼ିପାରେ ଚାଉଳ ଦର! ଏବର୍ଷ ୬.୫% ଉତ୍ପାଦନ ହ୍ରାସ ଆଶଙ୍କା

ମୁମ୍ବାଇ,୧୮।୯(ରଏଟର୍ସ): ରାଇସ୍‌ ଏକ୍ସପୋର୍ଟର୍ସ ଆସୋସିଏଶନ (ଚାଉଳ ରପ୍ତାନିକାରୀ ସଂଘ)ର ସଭାପତି ବି.ଭି. କୃଷ୍ଣା ରାଓଙ୍କ ସୂଚନା ଅନୁଯାୟୀ, କମ୍‌ ବର୍ଷା ଯୋଗୁ ଅମଳ ହ୍ରାସ ପାଇବ। ଆକଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?