ଜଟିଳ ବିରୋଧାଭାସ

ଡ. ପ୍ରସନ୍ନ କୁମାର ମହାନ୍ତି

ଏ ପ୍ରବନ୍ଧରେ ପ୍ରତିଫଳିତ ମୋର ଦ୍ୱନ୍ଦ୍ୱ ଓ ଜିଜ୍ଞାସା ପାରମ୍ପରିକ ବିଚାର ଓ ମତ ସମ୍ବନ୍ଧିତ ପରସ୍ପର ବିରୋଧୀ ତତ୍ତ୍ୱର ସଂଘାତରୁ ଜାତ। ଏହି ପ୍ରଶ୍ନଳିତା କାହା ଉପରେ ଲଦି ଦେବାର ମୋର ଉଦ୍ଦେଶ୍ୟ ନୁହେଁ। ମୋ ବିଚାରଧାରାକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଦେଇ ନିଜସ୍ବ ଅବବୋଧକୁ ମହତ୍ତ୍ୱପୂର୍ଣ୍ଣ ମଣିବାରେ କୌଣସି ବାଧା ନାହିଁ।
ଆମର ପୁରାଣକାର, ମୁନି, ଋଷି, ବୁଦ୍ଧିଜୀବୀ ଶହ ଶହ ବର୍ଷ ଧରି ବିଭିନ୍ନ ପରିପ୍ରେକ୍ଷୀରେ ବିଭିନ୍ନ ଧାର୍ମିକ, ଆଧ୍ୟାତ୍ମିକ, ସାମାଜିକ, ସାଂସାରିକ ଅଥବା ସଂକ୍ଷେପରେ କହିଲେ ନାନା ଐହିକ ଓ ପାରତ୍ରିକ ପ୍ରସଙ୍ଗକୁ ନେଇ ଆପଣାର ମତ ପ୍ରତିଫଳିତ କରି ଆସିଛନ୍ତି ଏବଂ ସମାଜର ଜନଗଣ ସେସବୁକୁ କାଳକ୍ରମେ ନିର୍ବିବାଦରେ ଆପ୍ତବଚନ ଭାବେ ସଭକ୍ତି ଗ୍ରହଣ କରି ନେଇଛନ୍ତି। କିନ୍ତୁ ଏସବୁ ପ୍ରାଚୀନ ଓ ପାରମ୍ପରିକ ଅବଧାରଣାକୁ ଅନୁସରଣ କରୁ କରୁ ବେଳେ ବେଳେ ଆମେ ଉତ୍କଟ ବିରୋଧାଭାସ ମଧ୍ୟରେ ନିଜକୁ ଆବିଷ୍କାର କରୁ ଏବଂ ଅଗତ୍ୟା କିଛିଟା ଅନନ୍ୟୋପାୟ ଓ ଅସହାୟ ଦିଶିବାକୁ ବାଧ୍ୟ ହେଉ। ଅବଶ୍ୟ ଏକଥାକୁ ଅସ୍ବୀକାର କରି ହେବ ନାହିଁ ଯେ, ପାରମ୍ପରିକ ବିଚାର ଓ ଆଚାର ଦୃଷ୍ଟିରୁ ବିଶ୍ଳେଷଣ କଲେ ଦେଖିବା ନାନା ବିରୋଧାଭାସ ମଧ୍ୟରେ ସାମାଜିକ ଜୀବନ ଜିଇବାରେ ଆମେ ବହୁକାଳୁ ଅଭ୍ୟସ୍ତ।
ତେବେ ଏଠି ଗୋଟିଏ ନିର୍ଦ୍ଦିଷ୍ଟ ପ୍ରସଙ୍ଗକୁ ଲକ୍ଷ୍ୟ କରାଯାଉ। ତା’ ହେଉଛି ମାନବ-ଜନ୍ମ ଓ ମୋକ୍ଷ ପ୍ରାପ୍ତି। ଆମେ ପଢ଼ିଆସିଛୁ ଓ ଶୁଣି ଆସିଛୁ ଯେ, ସୃଷ୍ଟିର ସମସ୍ତ ପ୍ରାଣୀଙ୍କ ମଧ୍ୟରେ ମାନବ ହେଉଛି ସର୍ବଶ୍ରେଷ୍ଠ ପ୍ରାଣୀ ଓ ମାନବ ଜନ୍ମ ସର୍ବଶ୍ରେଷ୍ଠ! କେତେ ଲକ୍ଷ ବା କେତେ ନିୟୁତ ଇତର ଯୋନିରେ ଜନ୍ମ ହେବା ପରେ ପ୍ରାଣୀ ଦୁର୍ଲଭ ଓ ସର୍ବଶ୍ରେଷ୍ଠ ମାନବ ଜନ୍ମ ପାଏ। ହୁଏତ ହୋଇଥିବ। ମହାନ୍‌ ମନୀଷୀମାନେ ହୁଏତ ଧ୍ୟାନବଳରେ ଏହି ମହା ‘ସତ୍ୟ’ ଜାଣିପାରିଥିବେ! ଆମେ ବଡ଼ ଆତ୍ମ ଗୌରବର ସହ ଏହାକୁ ଯଥାର୍ଥ ବୋଲି ଗ୍ରହଣ କରିନେଉ। ମଣିଷ ସବୁଠୁ ଯେ ବୁଦ୍ଧିମାନ୍‌ ପ୍ରାଣୀ, ଏକଥା ଆମେ ଦେଖୁଛୁ, କେତେ ଲକ୍ଷ ଜନ୍ମ ପରେ ମଣିଷ ଜନ୍ମ ମିଳିଲା, ତାକୁ ନେଇ ତର୍କ କରିବାରେ ଲାଭ କ’ଣ?
ଏ ବିଚାରର ଠିକ୍‌ ସାମ୍ନାରେ ନିମ୍ନ ବିଚାରଟିକୁ ଅବସ୍ଥାପିତ କରାଯାଉ। ତା’ ହେଉଛି ଜୀବନର ସର୍ବାଧିକ କାମ୍ୟ ଲକ୍ଷ୍ୟ ଓ ସେ ସମ୍ପର୍କିତ ବିଚାରଧାରା। କୁହାଯାଇଛି ଯେ, ମଣିଷ ଜୀବନର ସବୁଠୁ ବଡ଼ ଲକ୍ଷ୍ୟ ବା କାମ୍ୟ ହେଉଛି ମୁକ୍ତି, ମୋକ୍ଷ ବା ନିର୍ବାଣପ୍ରାପ୍ତି। ମଣିଷ ଜୀବନ ଦୁଃଖ ହାହାକାରମୟ, ବିଷାଦ ଓ ବିପର୍ଯ୍ୟୟରେ ପରିପୂର୍ଣ୍ଣ। ମୃତ୍ୟୁ ପରେ ପୁନର୍ଜନ୍ମ ଲାଭ ନ କରି ଆତ୍ମାର ମୋକ୍ଷ ଲାଗି ପ୍ରଯତ୍ନ କରିବା ଓ ସେଥିରେ ସଫଳ ହେବା ହିଁ ମଣିଷ ଜୀବନର ସବୁଠୁ ବଡ଼ ପ୍ରାପ୍ତି ଓ ସାର୍ଥକତା। ଏହି ମୋକ୍ଷ ବା ମୁକ୍ତି ଲାଗି ସତ୍‌କର୍ମ ଓ ପୁଣ୍ୟାର୍ଜନର ବହୁ ମାର୍ଗ ମଧ୍ୟ ପ୍ରଦର୍ଶିତ ହୋଇଛି।
ଏ ବିରୋଧାଭାସ ଆମ ସମ୍ମୁଖରେ ପ୍ରଶ୍ନଟିଏ ଛିଡା କରାଏ। ଲକ୍ଷ ଲକ୍ଷ ଇତର ଜନ୍ମପରେ ଯେଉଁ ଦୁର୍ଲଭ ଓ ସର୍ବୋତ୍ତମ ମାନବଜନ୍ମ ମିଳିଲା, ତାକୁ ବାରମ୍ବାର ପାଇବାକୁ କାମନା ନ କରି ମଣିଷ-ଜନ୍ମରୁ ମୁକ୍ତି ପାଇଁ ଏଡ଼େ ବ୍ୟାକୁଳତା କାହିଁକି?
ଆମେ ବିଶ୍ୱାସ କରୁ ଆତ୍ମା ଅବିନଶ୍ୱର, ଶାଶ୍ୱତ, ଚିରନ୍ତନ। ତା’ର ଜନ୍ମ ନାହିଁ କି ମୃତ୍ୟୁ ନାହିଁ। ମନୁଷ୍ୟର ମୃତ୍ୟୁରେ କେବଳ ପଞ୍ଚଭୂତରୁ ସୃଷ୍ଟ ସ୍ଥୂଳ ଶରୀରଟି ପୁଣି ପଞ୍ଚଭୂତରେ ବିଲୀନ ହୋଇଯାଏ। କିନ୍ତୁ ଆତ୍ମାର ବିନାଶ ନାହିଁ। ମନୁଷ୍ୟ ପୁରୁଣା ବସ୍ତ୍ର ପରିତ୍ୟାଗ କରି ନୂତନ ବସ୍ତ୍ର ପରିଧାନ କଲା ଭଳି ଜରାଜୀର୍ଣ୍ଣ ଅବସନ୍ନ ବୃଦ୍ଧ ଶରୀରକୁ ତ୍ୟାଗକରି ଆତ୍ମା ନୂତନ ସୁଠାମ କଳେବର ପରିଗ୍ରହଣ କରେ। ‘ବାସାଂସି ଜୀର୍ଣାନି ଯଥା ବିହାୟ, ନବାନି ଗୃହଣାତି ନରୋ…ପରାଣି….’ ଇତ୍ୟାଦି। ସେହି ଗୀତାରେ ଭଗବାନ୍‌ ପୁଣି କହିଲେ-‘ନୈନ ଛିନ୍ଦନ୍ତି ଶସ୍ତ୍ରାଣି, ନୈନଂ ଦହତି ପାବକଃ…’-ଆତ୍ମାକୁ ଶସ୍ତ୍ର ଛେଦନ କରିପାରେନା, ଅଗ୍ନି ଦହନ କରିପାରେନା, ଜଳ ଆର୍ଦ୍ର କରିପାରେନା କି ବାୟୁ ଶୋଷି ନେଇପାରେନା!
ଆତ୍ମା ଯଦି ଏଭଳି ଶାଶ୍ୱତ, ମୃତ୍ୟୁହୀନ ଓ ଅବିନାଶୀ, ତା’ ହେଲେ ସେ ପୁଣି ମୋକ୍ଷ ବା ମୁକ୍ତିପ୍ରାପ୍ତିର ପ୍ରକ୍ରିୟାରେ ପରମାତ୍ମାଙ୍କଠାରେ ବିଲୀନ ହୋଇ ନିଶ୍ଚିହ୍ନ ହୋଇଯାଏ କିପରି? ଆମ୍ଭର ଅଜ୍ଞତା, କ୍ଷୁଦ୍ର ବୁଦ୍ଧି ଓ ସାମାନ୍ୟ ମସ୍ତିଷ୍କ ଏସବୁ ଗଭୀର ତତ୍ତ୍ୱକୁ ସମ୍ମାନର ସହ ପ୍ରଣାମ ଜଣାଇ ନିଜର ଅବିଦ୍ୟା ଓ ଅସହାୟତାକୁ ବିନମ୍ର ସ୍ବୀକାର କରେ ଓ ଏସବୁ ମହାତତ୍ତ୍ୱ ସମ୍ମୁଖରୁ ଆପେ ନିଶବ୍ଦରେ ଆଡ଼ ହୋଇଯାଏ ଏବଂ ଯଥାସମ୍ଭବ ଏକ ଶୁଦ୍ଧ, ସମ୍ବେଦନଶୀଳ ଓ ପରିଚ୍ଛନ୍ନ ଜୀବନ ଜିଇବାକୁ ନିଷ୍ଠାପୂର୍ଣ୍ଣ ଭାବେ ପ୍ରଯତ୍ନ କରିବାର କ୍ଷୁଦ୍ର ପ୍ରୟାସ ହିଁ ସବୁଠୁ ମହତ୍ତ୍ୱପୂର୍ଣ୍ଣ ବୋଲି ବିଚାର କରେ।
୩, ମହାଲକ୍ଷ୍ମୀ ନଗର,
ଗ୍ୟାରେଜ୍‌ ଛକ, ଭୁବନେଶ୍ୱର,
ମୋ-୯୪୩୭୩୫୭୦୫୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri