ନୂଆଦିଲ୍ଲୀ,୧୮।୯: ବାର୍ଦ୍ଧକ୍ୟରେ ନିୟମିତ ଆୟକୁ ନେଇ ସମସ୍ତଙ୍କ ମନରେ ଚିନ୍ତା ଥାଏ, ବିଶେଷକରି କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନଙ୍କ ପାଇଁ ଏହି ଚିନ୍ତା ଆହୁରି ବଢ଼ିଯାଏ। ଏହାକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ‘ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା’ ଚଳାଉଛନ୍ତି। ଏହି ଯୋଜନା ଅଧୀନରେ ୬୦ ବର୍ଷ ବୟସ ପୂରଣ ହେବା ପରେ କୃଷକମାନଙ୍କୁ ପ୍ରତି ମାସରେ ୩,୦୦୦ ଟଙ୍କା ଅର୍ଥାତ ବାର୍ଷିକ ୩୬,୦୦୦ ଟଙ୍କାର ସ୍ଥିର ପେନସନ ପ୍ରଦାନ କରାଯାଏ, ଯାହାଫଳରେ ସେମାନଙ୍କ ବାର୍ଦ୍ଧକ୍ୟ କୌଣସି ଆର୍ଥିକ ସଙ୍କଟ ବିନା କଟିପାରିବ।
କିଏ ଆବେଦନ କରିପାରିବେ?
ବୟସ ସୀମା: ୧୮ ବର୍ଷରୁ ୪୦ ବର୍ଷ ବୟସ ମଧ୍ୟରେ ଥିବା କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନେ ଏହି ଯୋଜନାରେ ଯୋଡ଼ି ହୋଇପାରିବେ।
ଜମିର ପରିମାଣ: ଯେଉଁ ଚାଷୀଙ୍କ ପାଖରେ ୨ ହେକ୍ଟର କିମ୍ୱା ତା’ଠାରୁ କମ ଚାଷଜମି ଅଛି, ସେମାନେ ଏଥିପାଇଁ ଯୋଗ୍ୟ।
ଏହି ପେନସନ ଯୋଜନାରେ ଚାଷୀଙ୍କୁ ନିଜ ବୟସ ଅନୁସାରେ ପ୍ରତି ମାସରେ ୫୫ ଟଙ୍କାରୁ ନେଇ ୨୦୦ ଟଙ୍କା ପର୍ଯ୍ୟନ୍ତ ଏକ ସାମାନ୍ୟ କିସ୍ତି ଜମା କରିବାକୁ ହୋଇଥାଏ। ଯଦି କୌଣସି ଚାଷୀ ୧୮ ବର୍ଷ ବୟସରେ ଯୋଡ଼ି ହୁଅନ୍ତି, ତେବେ ତାଙ୍କୁ ମାସକୁ ମାତ୍ର ୫୫ ଟଙ୍କା ଦେବାକୁ ପଡ଼ିବ। ସେହିପରି ୪୦ ବର୍ଷ ବୟସରେ ଯୋଜନାରେ ସାମିଲ ହେଉଥିବା ଚାଷୀଙ୍କୁ ମାସିକ ୨୦୦ ଟଙ୍କା ଜମା କରିବାକୁ ହେବ। ସବୁଠାରୁ ବଡ଼ କଥା ହେଉଛି, ଚାଷୀ ଯେତିକି ଟଙ୍କା ଅଂଶଦାନ ଜମା କରିବେ, ଠିକ ସେତିକି ଟଙ୍କା (୫୦%) କେନ୍ଦ୍ର ସରକାର ମଧ୍ୟ ତାଙ୍କ ଖାତାରେ ନିଜ ତରଫରୁ ଯୋଗ କରିବେ।
ପେନସନ:
୬୦ ବର୍ଷ ବୟସ ପୂରଣ ହେବା ମାତ୍ରେ କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରତି ମାସରେ ସିଧାସଳଖ ୩,୦୦୦ ଟଙ୍କା ପେନସନ ଆସିବା ଆରମ୍ଭ ହୋଇଥାଏ। ଯଦି ପେନସନ ପାଉଥିବା ସମୟରେ କୃଷକଙ୍କ ମୃତ୍ୟୁ ହୁଏ, ତେବେ ତାଙ୍କ ପତ୍ନୀଙ୍କୁ ପାରିବାରିକ ପେନସନ ଭାବେ ୫୦% ଅର୍ଥାି ମାସିକ ୧,୫୦୦ ଟଙ୍କା ପ୍ରଦାନ କରାଯାଏ।
କିପରି କରିବେ ଆବେଦନ?
ଯୋଗ୍ୟ ଚାଷୀମାନେ ନିକଟସ୍ଥ ଜନସେବା କେନ୍ଦ୍ର (CSC) କୁ ଯାଇ ଆଧାର କାର୍ଡ, ଜମିର ପଟ୍ଟା/ଦସ୍ତାବିଜ ଏବଂ ବ୍ୟାଙ୍କ ପାସବୁକ ଜରିଆରେ ପଞ୍ଜୀକରଣ କରିପାରିବେ। ଏହା ବ୍ୟତୀତ କିଷାନ ମାନଧନ ପୋର୍ଟାଲକୁ ଯାଇ ନିଜେ ମଧ୍ୟ ଅନଲାଇନ ଆବେଦନ କରିହେବ। ପିଏମ କିଷାନ ସମ୍ମାନ ନିଧିର ହିତାଧିକାରୀ କୃଷକମାନଙ୍କୁ ଏହି ଯୋଜନାରେ ଯୋଡ଼ି ହେବା ପାଇଁ ସିଧାସଳଖ ସମ୍ମାନ ନିଧି ରାଶିରୁ ହିଁ ମାସିକ ଅଂଶଦାନ କଟାଇବାର ଏକ ସହଜ ବିକଳ୍ପ ମଧ୍ୟ ମିଳିଥାଏ।

