ଅନାହାର, ଖାଦ୍ୟ ଅପଚୟ ଓ ଆମ ଯୋଜନା

ଈପ୍ସିତା ମହାନ୍ତି

ଭାରତରେ ପ୍ରତିଦିନ ୧୯କୋଟି ଲୋକ ଅନାହାର ରହୁଛନ୍ତି। ସାରାଦୁନିଆରେ ଏହି ସଂଖ୍ୟା ୮୨କୋଟି ଡେଇଁଯିବ। ଗତ ୨୦୧୯ର ବିଶ୍ବ ଖାଦ୍ୟ ଦିବସ ଅବସରରେ ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ତରଫରୁ ଏକ ପରିସଂଖ୍ୟାନ ଜାରି ହୋଇଥିଲା। ସାରାଦୁନିଆର ୧୧୭ଟି ଦେଶକୁ ନେଇ ହୋଇଥିବା ଏହି ସର୍ବେକ୍ଷଣର ପରିସଂଖ୍ୟାନରେ ଆମ ଦେଶ ଭାରତ ୧୦୨ତମ ସ୍ଥାନରେ ରହିଛି। ବଡକଥା ହେଉଛି ପଡୋଶୀ ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା, ନେପାଳ ସହ ଉତ୍ତରକୋରିଆ ଆମଠାରୁ ଖୁବ୍‌ ଭଲ ସ୍ଥିତିରେ ରହିଛନ୍ତି। ଏହି ତଥ୍ୟ ଅନୁସାରେ ସାରା ଦୁନିଆରେ କୁପୋଷଣ ମାମଲାରେ ଭାରତ ୧ମ ସ୍ଥାନରେ ରହିଛି। ୨୦୧୮ର ପରିସଂଖ୍ୟାନ ଅନୁଯାୟୀ ବିଶ୍ବର ୭୭ଟି ଦେଶ ମଧ୍ୟରେ ଭାରତ ୫୫ତମ ସ୍ଥାନରେ ଥିଲା। ତା’ମାନେ ଏହି ମାମଲାରେ ଭାରତର ସ୍ଥିତି ସୁଧୁରିବାର ନାଁ ଧରୁନାହିଁ।
ଖାଦ୍ୟଦ୍ରବ୍ୟ ଉତ୍ପାଦନରେ ସାରାଦୁନିଆରେ ଚାଇନା ପରେ ଭାରତର ସ୍ଥାନ ୨ୟ। ଅର୍ଥାତ୍‌ ଆମ ଦେଶରେ ଖାଦ୍ୟରେ ଅଭାବ ହିଁ ନାହିଁ। ଏଥିସତ୍ତ୍ବେ ଭାରତରେ ୫ବର୍ଷରୁ କମ୍‌ ବୟସର ଦୈନିକ ୪ହଜାର ୫ଶହ ଶିଶୁ ଅନାହାର ଓ କୁପୋଷଣ କାରଣରୁ ଜୀବନ ହରାଉଛନ୍ତି। ଜାତିସଂଘର ବିଶ୍ବ ଖାଦ୍ୟ ସଂଗଠନର ତଥ୍ୟ ଅନୁସାରେ ଭାରତରେ ଜନ୍ମିତ କିଛି ପିଢି ଜନ୍ମ ହେବା ମାତ୍ରେ କୁପୋଷଣ ଓ ଅନାହାରର ଶିକାର ହୋଇଯାଉଛନ୍ତି। ଏଠାରେ କୁପୋଷଣରେ ପୀଡିତା ମା’ମାନେ ହିଁ କୁପୋଷଣଯୁକ୍ତ ସନ୍ତାନକୁ ଜନ୍ମ ଦେଉଛନ୍ତି। ଏହି ପ୍ରକ୍ରିୟା କ୍ରମାଗତ ଭାବେ ଚାଲୁ ରହିଛି। ଦେଶର ଜିଡିପିରେ ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଓ ଗୁଜରାଟ ରାଜ୍ୟ ସର୍ବାଧିକ ଯୋଗଦାନ ଦେଇଥାନ୍ତି। ତଥାପି ଏହି ରାଜ୍ୟମାନେ ଅନାହାର ତଥା କୁପୋଷଣ କବଳରୁ ମୁକୁଳି ପାରିନାହାନ୍ତି। ତେଣୁ ଭାରତର ସୁପରପାୱାର ପଥରେ ଏହା ଅନ୍ତରାୟ ସୃଷ୍ଟି କରୁଛି କହିଲେ ଭୁଲ୍‌ ହେବ ନାହିଁ।
ଖାଦ୍ୟଦ୍ରବ୍ୟ ନଷ୍ଟ କରିବାରେ ସାରାଦୁନିଆରେ ଭାରତୀୟମାନେ ବେଶ୍‌ ଆଗରେ ରହିଛନ୍ତି। ଖାଦ୍ୟ ପୋଷଣୀୟ ସୂଚକ ୨୦୧୭ର ତଥ୍ୟ ଅନୁଯାୟୀ ମୁଣ୍ଡପିଛା ଭୋଜନ ଅପଚୟ ମାମଲାରେ ସାରାଦୁନିଆରେ ଅଷ୍ଟ୍ରେଲିଆ ୧ମ ସ୍ଥାନରେ ରହିଛି। ଏଠାକାର ପ୍ରତିବ୍ୟକ୍ତି ବାର୍ଷିକ ୩ଶହ ୬୧କିଲୋ ଖାଦ୍ୟ ଫୋପାଡିଥାନ୍ତି । ୨ୟରେ ଥିବା ଆମେରିକାରେ ଏହାର ପରିମାଣ ୨ଶହ ୭୮କିଲୋ ଏବଂ ୩ୟରେ ଥିବା କାନାଡ଼ାରେ ଏହାର ପରିମାଣ ୧ଶହ ୨୩କିଲୋ ହୋଇଥାଏ। ଆଉ ଭାରତରେ ପ୍ରତି ବ୍ୟକ୍ତି ବାର୍ଷିକ ହାରାହାରି ୫୧କିଲୋ ଖାଦ୍ୟ ନଷ୍ଟ କରିଥାନ୍ତି। ୨୦୧୮ର ଏକ ତଥ୍ୟ ଅନୁସାରେ ଭାରତରେ ପ୍ରସ୍ତୁତ ହେଉଥିବା ୪୦ପ୍ରତିଶତ ଖାଦ୍ୟ ନଷ୍ଟ ହୋଇଥାଏ। ଏହି ପରିମାଣର ଖାଦ୍ୟରେ ସାରା ବ୍ରିଟେନବାସୀଙ୍କ ପେଟ ଭରାଯାଇ ପାରିବ। ଅନ୍ନକୁ ଦେବୀ ତୁଲ୍ୟ ବିଚାର କରୁଥିବା ଆମଦେଶରେ ଅନ୍ନର ହତାଦର ତଥା ଅପମାନ ଯେତିକି ପରିତାପର ବିଷୟ, ୧୯କୋଟି ଭୋକିଲାଙ୍କ କଥା କେହି ବି ଚିନ୍ତା ନ କରିବା ସେତିକି ଯନ୍ତ୍ରଣାଦାୟକ।
ସାରାଦୁନିଆର ଅର୍ଥ ବ୍ୟବସ୍ଥାରେ ଭାରତର ସ୍ଥାନ ୬ଷ୍ଠ ତମ। ଆମ ପାଖରେ ରହିଛି ଦୁନିଆର ୪ର୍ଥ ଶକ୍ତିଶାଳୀ ସେନା। ପୁଣି ଆରବପତିଙ୍କ ତାଲିକାରେ ଆମଦେଶ ଦୁନିଆରେ ୮ମ ସ୍ଥାନରେ। ତା’ମାନେ ଅର୍ଥରେ, ଖାଦ୍ୟରେ, ଶକ୍ତିରେ ଭାରତ ଆଜି ପଛରେ ନାହିଁ। ତଥାପି ପରିସଂଖ୍ୟାନକୁ ଦେଖିଲେ ଲାଗୁଛି ଅନାହାର ସହ ଚାଲିଥିବା ଲଢେଇରେ ଭାରତ ହାରି ଯାଇଛି । ଅନ୍ୟ ଏକ ତଥ୍ୟରୁ ଜଣାପଡିଛି ନଷ୍ଟ ହେଉଥିବା ଖାଦ୍ୟର ୨୫ପ୍ରତିଶତକୁ ରୋକିଦେଲେ ସେଥିରେ ଦୁନିଆର ୮୨କୋଟି ଭୋକିଲାଙ୍କ ପେଟ ଭରି ହେବ। ଜାତିସଂଘର ତଥ୍ୟ ଅନୁସାରେ ସାରା ଦୁନିଆରେ ନଷ୍ଟ ହେଉଥିବା ଖାଦ୍ୟର ଓଜନ ୧ଶହ ୩୦କୋଟି ଟନରୁ ଅଧିକ ହେବ। ବିକଶିତ ଦେଶଗୁଡ଼ିକ ପ୍ରାୟ ୪୭ଲକ୍ଷ କୋଟି ମୂଲ୍ୟର ଖାଦ୍ୟ ନଷ୍ଟ କରୁଥିବା ବେଳେ ବିକାଶଶୀଳ ଦେଶରେ ଏହାର ମୂଲ୍ୟ ୨୨ଲକ୍ଷ କୋଟି। ବିଶ୍ବ ଖାଦ୍ୟ ଓ କୃଷି ସଂଗଠନର ତଥ୍ୟ ଅନୁସାରେ ନଷ୍ଟ ହେଉଥିବା ଏସବୁ ଖାଦ୍ୟରୁ ମିଥେନ ନାମକ କ୍ଷତିକାରକ ଗ୍ୟାସ ଉତ୍ପନ୍ନ ହୋଇଥାଏ। ଯାହା ଅଙ୍ଗାରକାମ୍ଳ ତୁଳନାରେ ୨୮ଗୁଣ କ୍ଷତିକାରକ। ଏହି ସଂଗଠନର ତଥ୍ୟ ଅନୁସାରେ ନଷ୍ଟ ହେଉଥିବା ଭୋଜନର ଯଦି ସ୍ବୟଂ ଏକ ଦେଶ ଥାଆନ୍ତା, ତେବେ ତାହା ଅଙ୍ଗାରକାମ୍ଳ ନିର୍ଗତରେ ଦୁନିଆର ୩ୟ ସ୍ଥାନରେ ରହିଥାନ୍ତା। ଯେଉଁସବୁ ଖାଦ୍ୟକୁ ଆମେ ଆବର୍ଜନା କୁଣ୍ଡରେ ଫୋପାଡି ନିଜ ଦାୟିତ୍ୱ ସାରିଦେଉ ତାହା ଯେ ବିଶ୍ବତାପନ ବୃଦ୍ଧିର ଅନ୍ୟତମ ପ୍ରମୁଖ କାରଣ ସେ ବିଷୟରେ ଆମେ ସମ୍ପୂର୍ଣ୍ଣ ଅଜ୍ଞ।
ଆଜକୁ ୩ଶହ ବର୍ଷ ପୂର୍ବେ ଆମେରିକାର ଅନ୍ୟତମ ସଂସ୍ଥାପକ ବେଞ୍ଜାମିନ ଫ୍ରାଙ୍କଲିନ ଥରେ କହିଥିଲେ; ମୁଁ ଯେତିକି ଲୋକଙ୍କୁ ଅନାହାରରେ ମରୁଥିବା ଦେଖୁଛି ତା’ ଠାରୁ ଅଧିକ ଲୋକଙ୍କୁ ଅତ୍ୟଧିକ ଭୋଜନ କରିବା କାରଣରୁ ମରୁଥିବା ଦେଖୁଛି। ସେହିଭଳି ଦ ନ୍ୟୁ ଇଂଲଣ୍ଡ ଜର୍ନାଲ ଅଫ୍‌ ମେଡିସିନର ତଥ୍ୟ ଅନୁସାରେ ସାରା ଦୁନିଆର ୩୦ପ୍ରତିଶତ ଅର୍ଥାତ୍‌ ୨ଶହ କୋଟି ଲୋକ ଆଜି ମେଦବହୁଳତାର ବଳୟ ମଧ୍ୟରେ। ତା’ମାନେ ଦୁନିଆର ୨ଶହ କୋଟି ଲୋକ ନିଜ ଆବଶ୍ୟକତା ଠାରୁ ଅଧିକ ଖାଆନ୍ତି କିନ୍ତୁ ୮୨କୋଟି ଲୋକଙ୍କୁ ଆଦୌ ଖାଇବାକୁ ମିଳେନାହିଁ। ଯେଉଁଥିପାଇଁ ଆମ ଦେଶର ଚାଷୀକୁଳ ଆଜି ଉପଯୁକ୍ତ ପାରିଶ୍ରମିକ ପାଇବାରୁ ବଞ୍ଚିତ ହେଉଛନ୍ତି। ତେଣୁ ଏଠାରେ ଚାଷୀଙ୍କ ଅବସ୍ଥା ଅତି ଦୟନୀୟ। ଭାରତରେ କେବଳ ସାଧାରଣ ଲୋକଙ୍କ ଦ୍ୱାରା ଖାଦ୍ୟ ନଷ୍ଟ ହୋଇ ନ ଥାଏ। ସରକାରୀ ସ୍ତରରେ ବି ଖାଦ୍ୟଶସ୍ୟର ଅପଚୟକୁ ରୋକାଯାଇ ପାରୁନାହିଁ। ଏଠାରେ ଆବଶ୍ୟକ ସଂଖ୍ୟକ ଶୀତଳଭଣ୍ଡାରର ଅଭାବରୁ ପ୍ରତିବର୍ଷ ୯୯ହଜାର କୋଟି ଟଙ୍କାର ଖାଦ୍ୟଶସ୍ୟ ନଷ୍ଟ ହେଉଥିବା ଜଣାଯାଇଛି। ତେଣୁ ଶୀତଳଭଣ୍ଡାରର ନିର୍ମାଣ ସହ ଏହାର ରକ୍ଷଣାବେକ୍ଷଣ ଦିଗରେ ସରକାର ଉଚିତ ପଦକ୍ଷେପ ନେବା ଆବଶ୍ୟକ।
ବଡକଥା ହେଉଛି ଯେଉଁମାନେ ଅନାୟାସରେ ଖାଇବାକୁ ପାଉଛନ୍ତି ସେମାନଙ୍କ ପାଖରେ ଅନାହାର ବିଷୟରେ ଚିନ୍ତା କରିବାକୁ ନା ସମୟ ଅଛି ନା ଖାଦ୍ୟକୁ ନଷ୍ଟ ନ କରିବା ଭଳି ଅଛି ଦୃଢ ଇଚ୍ଛାଶକ୍ତି। ତେଣୁ ଏଭଳି ସମସ୍ୟା ପ୍ରତି ଏମାନେ ଆଦୌ ଯତ୍ନଶୀଳ ନୁହନ୍ତି । ଅବଶ୍ୟ ସଚେତନତା ଦ୍ବାରା ନିଜ ପାଖଆଖର ଲୋକଙ୍କୁ ଆମେ ଅନାହାର ଓ କୁପୋଷଣରୁ ମୁକ୍ତ କରିପାରିବା। ଏଥିପାଇଁ ଆମକୁ କେବଳ ଅତି ଛୋଟଛୋଟ ପ୍ରୟାସ କରିବାକୁ ହେବ। ପ୍ରଥମତଃ ଛୋଟ ଥାଳି ଅବା ପାତ୍ରରେ ଭୋଜନ ଗ୍ରହଣ କଲେ ଭୋକ ଅନୁଯାୟୀ ଆମେ ଖାଦ୍ୟ ଖାଇବାକୁ ଚାହିଁବା। ରାଶନ ସାମଗ୍ରୀ ଓ ପନିପରିବା କିଣିଲା ବେଳେ ଘରେ ମହଜୁଦ ଥିବା ଜିନିଷ କିଣିବା ନାହିଁ। ପୁଣି ଖାଲି ପେଟରେ ଏସବୁ ଜିନିଷ କିଣିବା ଅନୁଚିତ। କାରଣ ମନୋବୈଜ୍ଞାନିକ ଦୃଷ୍ଟି କୋଣରୁ ଭୋକିଲା ପେଟରେ ରାଶନ କିଣିବାକୁ ଗଲେ ବହୁ ସମୟରେ ନିହାତି ଅନାବଶ୍ୟକ ଜିନିଷ କିଣିବା ପାଇଁ ଇଚ୍ଛା ହୋଇଥାଏ। ଅଧିକ ଜିନିଷ କିଣି ଆଣିଲେ, ଏଗୁଡିକ ଠିକ୍‌ ସମୟରେ ବ୍ୟବହାର ହୋଇ ନ ପାରି ପଡିରହି ନଷ୍ଟ ହୁଏ। ଇଂଲିଶରେ ଏକ ପ୍ରବାଦ ଅଛି – Charity begins at home. ଅର୍ଥାତ୍‌ ପରୋପକାରର ଅୟମାରମ୍ଭ ନିଜ ଘରୁ ହୋଇଥାଏ। ତେଣୁ ନିଜ ବଳକା ଖାଦ୍ୟକୁ ଭୋକିଲାଙ୍କୁ ଦେଇ ଅନାହାରକୁ ଦୂରେଇବା ପାଇଁ ପ୍ରୟାସ କରିବା ଉଚିତ।
ଏବେ ଆମ ଦେଶର କେତେକ ସହରରେ ଗୋଷ୍ଠୀ ଶୀତଳୀକରଣ ଯନ୍ତ୍ର ବା ଫ୍ରିଜର ବ୍ୟବସ୍ଥା ହୋଇଛି। ନିଜ ଘରର ବଳକା ଖାଦ୍ୟକୁ ଲୋକେ ଆବଶ୍ୟକ ହେଉଥିବା ଲୋକଙ୍କ ପାଇଁ ଏଠାରେ ରଖିଥାନ୍ତି। ପୁଣି କେତେକ ସ୍ଥାନରେ ସାମାଜିକ ଗଣମାଧ୍ୟମରେ ଲୋକେ ପରସ୍ପର ସହ ସମ୍ପର୍କ ରକ୍ଷାକରି ନିଜ ଘରର ବଳକା ଖାଦ୍ୟକୁ ଭୋକିଲାଙ୍କ ପାଖରେ ପହଞ୍ଚାଉଛନ୍ତି। କେବଳ ଭାରତରେ ନୁହେଁ ସମଗ୍ର ଦୁନିଆ ପାଇଁ ଅନାହାର ଏକ ପ୍ରମୁଖ ସମସ୍ୟା। ଫିଲିପାଇନ୍ସର ରାଜଧାନୀ ମାନିଲାରେ ଆବର୍ଜନା କୁଣ୍ଡରେ ଫୋପଡ଼ା ହୋଇଥିବା ଖାଦ୍ୟକୁ ପୁନଃଚକ୍ରଣ କରି ଲୋକେ ଖାଦ୍ୟ ରୂପେ ଗ୍ରହଣ କରିଥାନ୍ତି; ଯାହାକୁ ପକ୍‌ ପକ୍‌ ଫୁଡ କହନ୍ତି। ଦୁନିଆର ବିତ୍ତଶାଳୀ ରାଷ୍ଟ୍ର ଆମେରିକାରେ ଆବଶ୍ୟକତାର ୨ଗୁଣ ଖାଦ୍ୟ ପ୍ରସ୍ତୁତ ହୋଇଥାଏ। ତେଣୁ ଏଠାରେ ରେକର୍ଡ ପରିମାଣର ଖାଦ୍ୟ ନଷ୍ଟ ହୁଏ। ଏଠାରେ ମଧ୍ୟ କିଛି ସାମାଜିକ ସଂଗଠନର କର୍ମକର୍ତ୍ତା ଆବର୍ଜନା କୁଣ୍ଡରେ ଫିଙ୍ଗା ହୋଇଥିବା ଖାଦ୍ୟକୁ ଖୁବ୍‌ ଯତ୍ନର ସହକାରେ ସଂଗ୍ରହ କରି ଭୋକିଲାଙ୍କ ପାଖରେ ପହଞ୍ଚାଉଛନ୍ତି। ଏଭଳି କାର୍ଯ୍ୟକୁ ଡମ୍ପୟାର୍ଡ ଡାଇଭିଂ କୁହାଯାଉଛି।
ଆମଦେଶର ସ୍ବାଧୀନତାଠାରୁ ଏଯାଏ ଗରିବ ହଟାଓ ନାରାଟି ପ୍ରତ୍ୟେକ ରାଜନୈତିକ ଦଳ ଓ ନେତାଙ୍କର ସବୁଠାରୁ ପସନ୍ଦ ରହିଆସିଛି। ସମାଜଶାସ୍ତ୍ରୀ ଓ ଅର୍ଥନୀତି ବିଶାରଦ ଅନାହାର ଏବଂ କୁପୋଷଣରେ ଜର୍ଜରିତ ଭାରତର ଛବିକୁ ବଦଳାଇବା ପାଇଁ ଅଜସ୍ର ପରାମର୍ଶ ଦେଇ ଆସିଛନ୍ତି କିନ୍ତୁ ଏସବୁ ବଡବଡ ସିଦ୍ଧାନ୍ତ ତୁଳନାରେ ଲୋକଙ୍କ ଛୋଟଛୋଟ ପ୍ରୟାସ ସମର୍ଥ ହେଉଛି। କିନ୍ତୁ ଭୋକିଲାଙ୍କ ନିକଟରେ ନଷ୍ଟ ହେଉଥିବା ଖାଦ୍ୟ ପହଞ୍ଚାଇବା ପାଇଁ ସରକାରୀ ସ୍ତରରେ ନା କୌଣସି ପ୍ରୟାସ ହେଉଛି ନା କିଛି ଉପାୟ ବାହାର କରାଯାଉଛି। ଅବଶ୍ୟ ଗତ ୨୦୧୯ ବିଶ୍ବ ଖାଦ୍ୟ ଦିବସ ଅବସରରେ ଭାରତ ସରକାର ଖାଦ୍ୟସୁରକ୍ଷା ମିତ୍ର ଯୋଜନା ଆରମ୍ଭ କରିଥିଲେ। ଏହି ଖାଦ୍ୟସୁରକ୍ଷା ମିତ୍ରଙ୍କୁ କେନ୍ଦ୍ରୀୟ ଖାଦ୍ୟ ସୁରକ୍ଷା ଓ ମାନ ନିର୍ଦ୍ଧାରଣ ସଂସ୍ଥା ଆବଶ୍ୟକ ପ୍ରଶିକ୍ଷଣ ଯୋଗାଇ ଦେଉଛନ୍ତି। ସ୍ବେଚ୍ଛାକୃତ ଭାବେ ଯେକୌଣସି ବ୍ୟକ୍ତି ଏଥିରେ ସାମିଲ ହୋଇ ସମାଜସେବାରେ ନିଜକୁ ନିୟୋଜିତ କରାଇପାରିବେ। ଏମାନେ ଲୋକଙ୍କୁ ଭୋଜନ ନଷ୍ଟ ନ କରିବା ପାଇଁ ସଚେତନ କରାଇବା ସହ ଭୋକିଲାଙ୍କ ନିକଟରେ ବଳକା ଖାଦ୍ୟ ପହଞ୍ଚାଇପାରିବେ।
ବୈପାରୀଗୁଡ଼ା,କୋରାପୁଟ
ମୋ: ୬୩୭୦୬୭୯୪୦୫
Imohanty.1991@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri