ଆଜିର ଅର୍ଥନୀତି/ ଭୁଲ୍‌ ନିଷ୍ପତ୍ତି

ଜୁଲାଇ ୫ ତାରିଖର କେନ୍ଦ୍ର ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସୁନା ଉପରେ ଆମଦାନୀ ଶୁଳ୍କ ୨.୫ ପ୍ରତିଶତ ବୃଦ୍ଧି କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ଅଧିକ ସୁନା କିଣିବାରୁ ନିରୁତ୍ସାହିତ କରିବା। ଭାରତ ହେଉଛି ବିଶ୍ୱର ସର୍ବବୃହତ୍‌ ସୁନା ଆମଦାନିକାରୀ। ଏହା ବର୍ଷକୁ ହାରାହାରି ୬୫୦ ଟନ୍‌ ସୁନା ଆମଦାନି କରିଥାଏ। ତେବେ ସୁନା ପ୍ରତି ଆମର ଏତେ ଆକର୍ଷଣ ମୂଳରେ କେବଳ ସାଂସ୍କୃତିକ କାରଣ ନାହିଁ ବା ପର୍ଯ୍ୟାପ୍ତ ସୁନାର ମାଲିକ ହୋଇ ଗହଣାରେ ନିଜକୁ ସଜେଇ ଦେଖେଇହେବାର ପ୍ରଲୋଭନ ନାହିଁ। ଭାରତୀୟମାନଙ୍କ ସୁନା ପ୍ରତି ମୋହ ଏକ ପ୍ରକାର ମାନସିକ ରୋଗ ପରି। ଭାରତ ବ୍ୟାପକ ପରିମାଣର ସୁନା ଅମାଦାନି କରିବାର ଆଉ ଏକ କାରଣ ହେଉଛି ଭାରତରେ ବହୁ କମ୍‌ ପରିମାଣର ସୁନା ଉତ୍ପାଦନ ହୁଏ। ହଜାର ହଜାର ବର୍ଷ ଭିତରେ ପୃଥିବୀର ବହୁ ପରିମାଣର ସୁନା ଭାରତକୁ ଆସିଛି। ବିଦେଶୀମାନେ ଆମ ଦେଶରୁ ଏହାର ବହୁଳାଂଶ ଲୁଣ୍ଠନ କରି ନେଇଛନ୍ତି। ବର୍ତ୍ତମାନ ଆମ ପାଖରେ ଯାହା କିଛି ବି ସୁନା ଅଛି, ତାହା ବାହାର ଦେଶରୁ ଆସୁଛି। ବର୍ତ୍ତମାନ ଆମଦାନୀ ଶୁଳ୍କ ବୃଦ୍ଧି କରାଯିବା ଯୋଗୁ ସୁନା ମୂଲ୍ୟରେ କିଛିଟା ବୃଦ୍ଧି ଘଟିଛି। ବର୍ତ୍ତମାନ ଘରୋଇ ବଜାରରେ ୧୦ ଗ୍ରାମ୍‌ ସୁନାର ମୂଲ୍ୟ ପ୍ରାୟ ୩୫,୦୦୦ ଟଙ୍କା। ତେବେ ଦାମ୍‌ ବଢ଼ିଗଲା ବୋଲି କ’ଣ ଭାରତୀୟମାନେ ସୁନା କିଣିବା ବନ୍ଦ କରିଦେବେ? ବାସ୍ତବରେ କେବେ ନୁହେଁ।
ଭାରତୀୟମାନଙ୍କର ସୁନା ଏତେ ପ୍ରିୟ ହେବାର ଗଭୀରତର କାରଣ ଏହାର ସାଂସ୍କୃତିକ ଚେତନା ଭିତରେ ରହିଛି। ଜାତି, ବର୍ଣ୍ଣ, ଧର୍ମ, ମତ, ଗୋଷ୍ଠୀ, ସମ୍ପ୍ରଦାୟ ନିର୍ବିଶେଷରେ ଭାରତୀୟମାନେ ସୁନା କିଣନ୍ତି। କୌଣସି ପର୍ବପର୍ବାଣି ହେଉ ବା ପାରିବାରିକ ଉତ୍ସବ ଅବସରରେ ସୁନା ଗହଣା କିଣିବା, ପିନ୍ଧିବା ଓ ପ୍ରଦର୍ଶନ କରିବାର ଏକ ନିଆରା ଆକର୍ଷଣ ଥାଏ।
ଭାରତୀୟ ପରିବାରଗୁଡ଼ିକ ପାଖରେ ବିଶ୍ୱର ମୋଟ ସୁନା ଭଣ୍ଡାରର ପ୍ରାୟ ୧୧ ପ୍ରତିଶତ ଅଛି ବୋଲି ବିଶ୍ୱାସ କରାଯାଏ, ଯାହା ପ୍ରାୟ ୨୪,୦୦୦ ଟନ୍‌ ଓଜନର ଓ ପାଖାପାଖି ୧ ଟ୍ରିଲିୟନ (ଲକ୍ଷ କୋଟି) ଡଲାର ମୂଲ୍ୟର ହେବ। ଏଥି ସହ ଭାରତର ମନ୍ଦିରଗୁଡ଼ିକରେ ମହଜୁଦ ଥିବା ସୁନାକୁ ମିଶାନ୍ତୁ, ଯାହା ୪୦୦୦ ଟନରୁ ଅଧିକ ହେବ। ଭାରତୀୟ ରିଜର୍ଭ ବ୍ୟାଙ୍କ ପାଖରେ ୬୧୫ ଟନ୍‌ ସୁନା ଗଚ୍ଛିତ ଅଛି। ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ପାଖରେ ୮,୧୩୩ ଟନରୁ ଅଧିକ ସୁନା ମହଜୁଦ ଅଛି, ଯାହା ବିଶ୍ୱର ଅନ୍ୟ ପ୍ରତ୍ୟେକ ଦେଶ ମହଜୁଦ ରଖିଥିବା ସୁନାର ପରିମାଣଠାରୁ ଅଧିକ। ଏହି ତାଲିକାରେ ଆମ ଦେଶର ସ୍ଥାନ ୧୦ ନମ୍ବରରେ ରହିଛି। ବିଶ୍ୱର ସୁନା ସମାଲୋଚକ ଓ କେତେକ ପାଶ୍ଚାତ୍ୟ ଅର୍ଥନୀତିଜ୍ଞଙ୍କ ମତରେ ସୁନାରେ ଅର୍ଥ ନିବେଶ କରିବା ମୂଲ୍ୟହୀନ କାରଣ ଏଥିରୁ କିଛି ସୁଧ ମିଳି ନ ଥାଏ। ସେମାନେ ଚାହାନ୍ତି ଟିକସ ବୃଦ୍ଧି ସମେତ ଯେକୌଣସି ଉପାୟରେ ସୁନାରେ ନିବେଶ ହାର କମାଇବାକୁ। ତେବେ ଏକଥା ସତ ଯେ, ସୁନାରେ ଟଙ୍କା ନିବେଶ କଲେ ସେଥିରୁ କିଛି ସୁଧ ମିଳେ ନାହିଁ ଓ ସେହି ଟଙ୍କା ଅବରୁଦ୍ଧ ହୋଇ ରହିଯାଏ। ଅର୍ଥନୀତିରେ ଏହା ସଚଳ ହୁଏ ନାହିଁ, ଯେପରି ବ୍ୟାଙ୍କରେ ଟଙ୍କା ଜମା କଲେ ହୁଏ। ତଥାପି ସୁନାର କିଣାବିକା ଦ୍ୱାରା ଅର୍ଥନୀତିକୁ ଲାଭ ମିଳେ। ରତ୍ନପଥର ଓ ଗହଣା ଶିଳ୍ପ ଲକ୍ଷ ଲକ୍ଷ ଗହଣା କାରିଗର ଓ ବେପାରୀଙ୍କୁ ନିଯୁକ୍ତି ଦିଏ, ଯେଉଁମାନେ ଏହା ଉପରେ ନିର୍ଭର କରି ବଞ୍ଚନ୍ତି। ଦେଶକୁ ଆମଦାନି କରାଯାଉଥିବା ସୁନାର ଏକ ବୃହତ୍‌ ଅଂଶରେ ମୂଲ୍ୟଯୁକ୍ତ ହୋଇ ତାହା ପୁଣି ବିଦେଶକୁ ରପ୍ତାନି ହୁଏ। ସାରା ବିଶ୍ୱରେ ଅର୍ଥନୈତିକ ଅନିଶ୍ଚିତତାକୁ ରୋକିବାରେ ସୁନାକୁ ଏକ ବାଡ଼ ଭାବେ ବିବେଚନା କରାଯାଏ। ଭାରତୀୟ ପରିବାରଗୁଡ଼ିକ ଏହା ଭଲଭାବେ ବୁଝିଛନ୍ତି। ତେଣୁ ସରକାର ସୁନା ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରିବା ଏକ ଉତ୍ତମ ଚିନ୍ତାଧାରା ନୁହେଁ। ଆମଦାନୀ ଶୁଳ୍କ ବୃଦ୍ଧି ଯୋଗୁ ଘରୋଇ ବଜାରରେ ସୁନାର ମୂଲ୍ୟ ବୃଦ୍ଧି ପାଇଥିଲେ ମଧ୍ୟ ଚାଇନା-ଆମେରିକା ବାଣିଜ୍ୟ ଯୁଦ୍ଧ ଯୋଗୁ ସୁନାର ଅନ୍ତର୍ଜାତୀୟ ମୂଲ୍ୟ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି କାରଣ ସୁନା ହିଁ ଅର୍ଥନୈତିକ ଅସ୍ଥିରତାରୁ ମୁକ୍ତି ଦେଇପାରିବ ବୋଲି ଲୋକେ ବିଶ୍ୱାସ କରୁଛନ୍ତି। ସୁନାର ଆମଦାନି ହ୍ରାସ କରିବା ଲାଗି ସରକାର ଚେଷ୍ଟା କରିବା ଯେ ଅନୁଚିତ, ତା’ର ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ଅନ୍ତର୍ଜାତୀୟ ବଜାର ତୁଳନାରେ ଘରୋଇ ବଜାରରେ ସୁନାର ମୂଲ୍ୟ ବୃଦ୍ଧି ପାଇଲେ ସୁନାର କଳାବଜାର ବୃଦ୍ଧି ପାଇବ, ଯାହା ଅଣ୍ଡର୍‌ଓ୍ବାର୍ଲ୍‌ଡ ଦ୍ୱାରା ନିୟନ୍ତ୍ରିତ ହେବ। ଏକ ସର୍ବେକ୍ଷଣ ଅନୁସାରେ ଏହି ବେଆଇନ କାରବାର ଆଇନାନୁମୋଦିତ କାରବାରର ପ୍ରାୟ ୨୦ ପ୍ରତିଶତ। ଆମଦାନୀ ଶୁଳ୍କ ବୃଦ୍ଧି ମାଧ୍ୟମରେ ସରକାର ଆପଣାଉଥିବା ସଂରକ୍ଷଣବାଦ (Protectionism) ଭଲ ଅପେକ୍ଷା ସ୍ଥାନୀୟ ଶିଳ୍ପର ଅଧିକ କ୍ଷତିସାଧନ କରିବ। ତେଣୁ ସରକାର ଏ ପ୍ରକାର ସଂରକ୍ଷଣବାଦ ତ୍ୟାଗ କରିବା ଉଚିତ, କାରଣ ଏହା ଏକ ଭୁଲ୍‌ ନିଷ୍ପତ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?