ଚୌକି ମୋତେ ଚାହେଁ

ଡ. ଛାୟାକାନ୍ତ ଷଡ଼ଙ୍ଗୀ
ଗତ ନିର୍ବାଚନ ଫଳ ଘୋଷିତ ହେବା ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଲେ, ”ମୁଁ ଚୌକି ଚାହୁଁ ନାହିଁ, ଚୌକି ମୋତେ ଚାହେଁ।“ ତାଙ୍କର ଏହି କଥା ପଦକ ମନେ ପକାଇ ଦେଉଥିଲା ପଞ୍ଜାବର ଏକ ଲୋକକଥା। ଦୁଇଜଣ ପଥିକ ଏକ ନିର୍ଜନ ନଈକୂଳରେ ଯାଉଥାନ୍ତି। ନଈରେ ଆସିଥାଏ ବନ୍ୟା। ନଈରେ ଭାସିଯାଉଥାଏ କଳାରଙ୍ଗର ଏକ ଦ୍ରବ୍ୟ। ଜଣେ ପଥିକକୁ ମନେହେଲା ତାହା ଏକ କମ୍ବଳ। ତା’ର ଇଚ୍ଛା ହେଲା କମ୍ବଳଟିକୁ ସଂଗ୍ରହ କରିବା ପାଇଁ ଓ ସେ ସଙ୍ଗେ ସଙ୍ଗେ ଡେଇଁ ପଡିଲା ନଈ ଭିତରକୁ। ତଥାକଥିତ ସେହି କମ୍ବଳଟିକୁ ସେ ଧରିଲା। ମାତ୍ର ସେ ଆଉ କମ୍ବଳଟିକୁ ଧରି ନଈକୂଳକୁ ଫେରିପାରିଲା ନାହିଁ। ଦ୍ୱିତୀୟ ପଥିକ ତାକୁ ନଈକୂଳରେ ଅପେକ୍ଷା କରିଥାଏ। ମାତ୍ର ସେ ଆଶ୍ଚର୍ଯ୍ୟ ହୋଇ ଦେଖିଲା ତା’ର ସହଯାତ୍ରୀ କମ୍ବଳଟିକୁ ଧରି ଫେରିବା ପରିବର୍ତ୍ତେ କମ୍ବଳ ସହ ନିଜେ ଭାସିଯାଉଛି। ଦ୍ୱିତୀୟ ପଥିକ ନଈକୂଳରେ ଠିଆ ହୋଇ କହିଲା, ମୂର୍ଖ! କମ୍ବଳ ଦରକାର ନାହିଁ। ତାକୁ ଛାଡିଦେଇ ନଈକୂଳକୁ ଚାଲିଆ। ପ୍ରଥମ ପଥିକ କହିଲା, ”ଆରେ ଭାଇ, ମୁଁ କମ୍ବଳକୁ ଛାଡିବାକୁ ଚେଷ୍ଟା କରୁଛି, ମାତ୍ର କମ୍ବଳଟି ମୋତେ ଛାଡୁନାହିଁ।“ କ୍ରମେ ପ୍ରବଳ ସ୍ରୋତରେ ସେ କମ୍ବଳ ସହ ଭାସିଯାଇ ଅଦୃଶ୍ୟ ହୋଇଗଲା। ପ୍ରକୃତରେ ତାହା କମ୍ବଳ ନ ଥିଲା, ଥିଲା କମ୍ବଳ ଭଳି ଦିଶୁଥିବା ଏକ ଭାଲୁ। ଠିକ୍‌ ସେହି ଢଙ୍ଗରେ ମମତା ବାନାର୍ଜୀ କହିଲେ, ମୁଁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପ୍ରସ୍ତୁତ, ମାତ୍ର ଏହି ପଦ ମୋତେ ଛାଡୁନାହିଁ। ସତରେ କ୍ଷମତାର କି ପ୍ରଚଣ୍ଡ ଆକର୍ଷଣ। ମଣିଷ ଥରେ କ୍ଷମତାର ସ୍ବାଦ ଚାଖିଲେ, ସେ ଆଉ କ୍ଷମତାକୁ ଛାଡିପାରେ ନାହିଁ। କେବଳ ଛଳନା କରି ସେ କହେ ”କ୍ଷମତା ମୋତେ ଛାଡୁନାହିଁ“।
ଜୀବଜଗତରେ ଆମେ ଦେଖୁ ଦୁଇପ୍ରକାର କ୍ଷମତାପ୍ରବଣତା- ଗୋଟିଏ ସହଜାତ ଓ ଅନ୍ୟଟି ଅହମିକାପ୍ରଣୋଦିତ। ପଶୁ ଜଗତରେ ଦେଖାଯାଏ ସହଜାତ କ୍ଷମତାପ୍ରବଣତା। ଗୋଟିଏ ସିଂହ ବା ବାଘ ଅନ୍ୟ ପ୍ରାଣୀମାନଙ୍କ ଉପରେ ପ୍ରାକୃତିକ ନିୟମର ବଶବର୍ତ୍ତୀ ହୋଇ କ୍ଷମତା ସାବ୍ୟସ୍ତ କରେ। ମାତ୍ର ମଣିଷ ଅହମିକା ପ୍ରଣୋଦିତ ହୋଇ କ୍ଷମତା ସାବ୍ୟସ୍ତ କରେ। ଆଜି ଯେଉଁ ରାଜନେତାମାନେ କହୁଛନ୍ତି, ଚୌକି ମୋତେ ଚାହେଁ, ମୁଁ ଚୌକି ଚାହୁଁ ନାହିଁ, ସେମାନେ ଅହଂ-କବଳିତ। ଜଣେ ସାଧାରଣ ମଣିଷ କ୍ଷମତା ଓ ପଦ ପାଇବା ପରେ କ୍ରମେ ଅହଂଗ୍ରସ୍ତ ହୋଇଯାଏ। ଏହି ପ୍ରସଙ୍ଗରେ ମନେପଡ଼େ ଏକ କାହାଣୀ। ଜଣେ ରାଜପୁତ୍ର ନିଜର ବିବାହ ପାଇଁ ଜଣେ ରାଜକୁମାରୀ ସନ୍ଧାନରେ ଥାନ୍ତି। ତାଙ୍କର ଧାରଣା ହେଲା ରାଜକୁମାରୀ ମାତ୍ରେ ଉଦ୍ଧତ ଓ ଅହଂକାରୀ। ଏଣୁ ସେ ମନେ ମନେ ଖୋଜିଲେ ଜଣେ ସୌମ୍ୟା ନମ୍ର ବଧୂ ଯିଏ କି ରାଜ ପରିବାରରେ ଜନ୍ମଗ୍ରହଣ କରି ନ ଥିବ। ରାଜକୁମାର ତାଙ୍କର ଜଣେ ଶିକ୍ଷକଙ୍କ ସୁନ୍ଦରୀ କନ୍ୟା ପ୍ରତି ଆକର୍ଷିତ ହେଲେ, କାରଣ ସେ ଥିଲା ଅତ୍ୟନ୍ତ ବିନୟୀ। ଦିନେ ରାଜକୁମାର ଶିକ୍ଷକଙ୍କ ନିକଟକୁ ଯାଇ କହିଲେ, ”ଗୁରୁଦେବ ! ଯଦି ଆପଣ ଆପଣଙ୍କ ବିନୟୀ କନ୍ୟାକୁ ମୋତେ ଅର୍ପଣ କରନ୍ତେ ମୁଁ ତାକୁ ବିବାହ କରି ନିଜକୁ ଭାଗ୍ୟବାନ୍‌ ମଣନ୍ତି।“ ଶିକ୍ଷକ ଆଶ୍ଚର୍ଯ୍ୟ ହେଲେ। କାରଣ କେତେ ଉଚ୍ଚବଂଶଜ ସୁନ୍ଦରୀ ରାଜକୁମାରୀଙ୍କୁ ପ୍ରତ୍ୟାଖ୍ୟାନ କରି ରାଜକୁମାର ଜଣେ ସାଧାରଣ ଶିକ୍ଷକଙ୍କ କନ୍ୟାକୁ ସ୍ତ୍ରୀରୂପେ ବାଛିଛନ୍ତି। ତେଣୁ ସେ କହିଲେ, ”ଦେଖ ପୁଅ! ତୁମେ ମୋ କନ୍ୟାକୁ ବିବାହ କଲେ ମୁଁ ଓ ମୋ କନ୍ୟା ଉଭୟେ ନିଜକୁ ଭାଗ୍ୟଶାଳୀ ମଣିବୁ। ମାତ୍ର ତୁମେ ପ୍ରକୃତରେ ଭାଗ୍ୟବାନ୍‌ ହୋଇପାରିବ କି ନାହିଁ ସେ କଥା ମୁଁ କହିପାରିବି ନାହିଁ।“ ମାତ୍ର ରାଜକୁମାର ତାଙ୍କ ସିଦ୍ଧାନ୍ତରେ ଅଟଳ ରହିଲେ ଓ ଶିକ୍ଷକଙ୍କ କନ୍ୟାକୁ ବିବାହ କଲେ।
ଅନେକ ବର୍ଷ ଅତିକ୍ରାନ୍ତ ହେଲା। ପିତାଙ୍କ ନିକଟରେ ଥିବାବେଳେ ଯେଉଁ କନ୍ୟା ଅତ୍ୟନ୍ତ ବିନୟୀ ଥିଲା ସେ ରାଜକୁମାରଙ୍କୁ ବିବାହ କରିବା ପରେ କ୍ରମେ ଉଦ୍ଧତ ଓ ଅହଂକାରୀ ହୋଇଗଲା। ରାଜକୁମାର ତା’ର ପରିବର୍ତ୍ତିତ ବ୍ୟବହାରରେ ବିସ୍ମିତ ହେଲେ ଓ ଶିକ୍ଷକଙ୍କୁ ଏହାର କାରଣ ପଚାରନ୍ତେ ଶିକ୍ଷକ କହିଲେ, ”ପୁଅ! ତୁମେ ତା’ର ପରିବର୍ତ୍ତିତ ବ୍ୟବହାରରେ ବିସ୍ମିତ ହୋଇଥାଇ ପାର, ମାତ୍ର ମୁଁ ବିସ୍ମିତ ନୁହେଁ। ତୁମେ ଅନେକ ସୁନ୍ଦରୀ ରାଜକୁମାରୀଙ୍କ ବିବାହ ପ୍ରସ୍ତାବକୁ ଅଗ୍ରାହ୍ୟ କରି ମୋ କନ୍ୟାକୁ ପସନ୍ଦ କଲ। ଫଳରେ ସେ ଭାବିନେଲା ଯେ ସେ ନିଶ୍ଚୟ ଅସାମାନ୍ୟା ହୋଇଥିବ, ନ ହେଲେ ତୁମେ ତାକୁ ବିବାହ କରି ନ ଥାନ୍ତ। ସେ ଏହି ଧାରଣା ଦ୍ୱାରା କବଳିତ ହୋଇ ବନିଗଲା ଅହଂକାରୀ। ନିର୍ବାଚନ ସମୟରେ ନେତାମାନେ ଯେତେବେଳେ ଘର ଘର ବୁଲି ଭୋଟ ଭିକ୍ଷା କରନ୍ତି, ସେତେବେଳେ ସେମାନେ ଅତ୍ୟନ୍ତ ବିନୟୀ ଜଣାପଡନ୍ତି। ସେମାନଙ୍କ ବିନୟ ଭାବରେ ପ୍ରଭାବିତ ହୋଇ ଜନସାଧାରଣ ସେମାନଙ୍କୁ ଭୋଟ ଦିଅନ୍ତି। ନିର୍ବାଚନ ସରେ, ସେମାନେ କ୍ଷମତାରେ ଅଧିଷ୍ଠିତ ହୁଅନ୍ତି। ଶିକ୍ଷକଙ୍କ କନ୍ୟା ଭଳି ସେମାନଙ୍କ ଭାବାନ୍ତର ଘଟେ। ଅନେକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଅଗ୍ରାହ୍ୟ କରି ଭୋଟରମାନେ ଯେତେବେଳେ ତାଙ୍କୁ ମନୋନୀତ କରି ଶାସନ ଗାଦିରେ ବସାଇଛନ୍ତି ସେମାନେ ନିଶ୍ଚୟ ଅସାମାନ୍ୟ ବ୍ୟକ୍ତିତ୍ୱ ହୋଇଥିବେ ବୋଲି ସେମାନଙ୍କ ଧାରଣା ସୃଷ୍ଟି ହୁଏ। କ୍ରମେ ସେମାନଙ୍କ ପ୍ରାକ୍‌-ନିର୍ବାଚନ ସମୟର ବିନୟଭାବ ଉଭେଇଯାଏ ଓ ସେମାନେ ପାଲଟିଯାଆନ୍ତି କ୍ଷମତାଶାଳୀ ଅହଂକାରୀ ବ୍ୟକ୍ତି। ଆଜି ଅଧିକାଂଶ ରାଜନେତାଙ୍କ ଆଚରଣରେ ଏହାହିଁ ପ୍ରତିଫଳିତ ହେଉଛି।
ଲର୍ଡ ଏକ୍‌ଟନ ତାଙ୍କର Historical Essays and Studies ପୁସ୍ତକରେ କହିଛନ୍ତି କ୍ଷମତା ଦୁର୍ନୀତିପରାୟଣ କରାଏ, ସୀମାହୀନ କ୍ଷମତା ସୀମାହୀନ ମାତ୍ରାରେ ଦୁର୍ନୀତିପରାୟଣ କରାଏ (Power corrupts and absolute power corrupts absolutely)। ମାତ୍ର ଜର୍ଜ ବର୍ଣ୍ଣାଡ୍‌ ଶ ଏକ ଭିନ୍ନ କଥା କହିଛନ୍ତି। ତାଙ୍କ ମତରେ କ୍ଷମତା ବ୍ୟକ୍ତିକୁ ଦୁର୍ନୀତିପରାୟଣ କରେ ନାହିଁ, କିନ୍ତୁ ନିର୍ବୋଧମାନେ ଯଦି କ୍ଷମତାସୀନ ହୁଅନ୍ତି, ସେମାନେ ହିଁ କ୍ଷମତାକୁ ଦୁର୍ନୀତିମୟ କରିପକାନ୍ତି (Power does not corrupt man; but fools, if they get into position of power, corrupt power)। ବର୍ଣ୍ଣାଡ୍‌ଙ୍କ ମତରୁ ଆମେ ଆଶା କରିପାରିବା ଅଣନିର୍ବୋଧମାନେ କ୍ଷମତାସୀନ ହେଲେ କିଛି ବିପଦ ନାହିଁ। ମାତ୍ର ଆଜି ଅନେକ ଗୁଣୀ, ଜ୍ଞାନୀ ଓ ଶିକ୍ଷିତ ବ୍ୟକ୍ତି ଶାସନର ମଙ୍ଗ ଧରିଲେଣି। ମାତ୍ର ପରବର୍ତ୍ତୀ ସମୟରେ ସେମାନେ ବି ଦୁର୍ନୀତିରେ ବୁଡି ରହୁଛନ୍ତି। ଦୁର୍ନୀତି ପଛରେ ରହିଥାଏ ସେହି କ୍ଷମତାର ଆକର୍ଷଣ। ଏହି ପ୍ରସଙ୍ଗରେ ସାହିତି୍ୟକ ଜନ ଷ୍ଟେଇନ୍‌ବେକ୍‌ କହିଛନ୍ତି, କ୍ଷମତା ଦୁର୍ନୀତିପରାୟଣ କରେନାହିଁ, ଦୁର୍ନୀତିପରାୟଣ କରାଏ ଭୟ, ସମ୍ଭବତଃ କ୍ଷମତା ଚାଲିଯିବାର ଭୟ (Power does not corrupt, Fear corrupts, perhaps the fear of loss of power)। ଭୋଟ ପାଇ ଶାସନ ଗାଦିରେ ପାଞ୍ଚବର୍ଷ ସିନା ବସିହୁଏ, ତା’ପରେ ପୁଣି ଭୋଟ ମିଳିବ କି ନା ସେହି ଆଶଙ୍କା ରହିଥାଏ। କ୍ଷମତା ଚାଲିଯିବା ପରେ ତାଙ୍କ ଅବସ୍ଥା କ’ଣ ହେବ ସେହି ଭୟ ନେତାଙ୍କୁ ଗ୍ରାସ କରେ। ଫଳରେ ଆହୁରି ନିର୍ମମ ଭାବରେ ସେମାନେ କ୍ଷମତାକୁ ଜାବୁଡି ଧରିବା ପାଇଁ ତା’ର ଅପପ୍ରୟୋଗ କରନ୍ତି ଓ ଦୁର୍ନୀତି କରନ୍ତି। ତା’ ସତ୍ତ୍ୱେ ଛଳନା କରି ସେମାନେ କହନ୍ତି, ”ମୁଁ ଶାସନ ଗାଦି ଚାହୁଁନାହିଁ, ହେଲେ ମୋର ଦେଶପ୍ରେମ ମୋତେ ବାଧ୍ୟ କରୁଛି।“
ସେଦିନ ନିଜର ଅଜ୍ଞାନତାବଶତଃ ପଥିକ ଜଣକ ଭାଲୁକୁ କମ୍ବଳ ଭାବି ଧରିଥିଲା। ମାତ୍ର ଭାଲୁଟି ତାକୁ ଜାବୁଡି ଧରିଲା ଓ ଉଭୟେ ପ୍ରବଳ ସ୍ରୋତରେ ଭାସିଗଲେ। ଆଜି ମଣିଷ ସଚେତନ ଭାବରେ କ୍ଷମତାକୁ ଜାବୁଡି ଧରୁଛି। ତା’ର ଅପପ୍ରୟୋଗ କରୁଛି। ସେ ଭୁଲିଯିବା ଉଚିତ ନୁହେ ଯେ ଭାଲୁଟି ପଥିକକୁ ଭସାଇନେବା ଭଳି ସେ ଅପପ୍ରୟୋଗ କରିଥିବା କ୍ଷମତା ତାକୁ ମଧ୍ୟ ଭସାଇନେବ।
ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ, ଟିଟିଲାଗଡ, ମୋ-୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri