ଶୂନ ଉତ୍ତରଦାୟିତ୍ୱ

ପ୍ରତି ମୁହୂର୍ତ୍ତରେ ଘଟୁଥିବା ଘଟଣା ଉପରେ ଟିକିନିକି ରିପୋର୍ଟିଂ କରି ଜନସାଧାରଣଙ୍କ ନିକଟରେ ଖବର ପହଞ୍ଚାଇବାର ଦାୟିତ୍ୱ ମିଡିଆ ବା ଗଣମାଧ୍ୟମର ରହିଛି। ଗଣତନ୍ତ୍ରର ଏକ ଜାଗ୍ରତ ପ୍ରହରୀ ଭାବେ ଏହାର ଏକ ସ୍ବତନ୍ତ୍ର ସ୍ଥାନ ଥିବାରୁ ସମାଜର ସବୁ ବର୍ଗଙ୍କ ପାଇଁ ବିଶ୍ୱସନୀୟ ବିଷୟବସ୍ତୁ ଭେଟି ଦିଆଯିବା କଥା। ହେଲେ କିଛିବର୍ଷ ହେବ ଦେଖାଯାଉଛି, ଇଲେକ୍‌ଟ୍ରୋନିକ୍‌ ମିଡିଆ ବା ବୈଦ୍ୟୁତିକ ଗଣମାଧ୍ୟମ ଲକ୍ଷ୍ମଣରେଖା ଅତିକ୍ରମ କରିଯାଉଛି। ଟେଲିଭିଜନ ଜରିଆରେ କୌଣସି ପ୍ରସଙ୍ଗ ଉପରେ ଆଲୋଚନା କରାଗଲା ବେଳେ ଘଟଣା ଓ ଏହାର ପାରିପାର୍ଶ୍ୱିକ ବିଷୟ ଉପରେ ସୂଚନା ଦିଆଯିବା ପରିବର୍ତ୍ତେ ମତ ଦିଆଯାଉଛି। ଅର୍ଥାତ୍‌ ମିଡିଆ ଟ୍ରାଏଲ ବା ଗଣମାଧ୍ୟମରେ ବିଚାର କରାଯିବା ଯେଭଳି ଏକ ଧାରା ପାଲଟିଯାଇଛି। ଏସବୁକୁ ଲକ୍ଷ୍ୟ କରି ଝାଡ଼ଖଣ୍ଡର ରାଞ୍ଚତ୍ଠାରେ ୨୩ ଜୁଲାଇରେ ହାଇକୋର୍ଟ ବିଚାରପତି, ନ୍ୟାୟିକ ଅଧିକାରୀ ଓ ଆଇନ ଛାତ୍ରମାନଙ୍କୁ ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କଲା ବେଳେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନ୍‌. ଭି. ରମନା କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ବିଭିନ୍ନ ପ୍ରସଙ୍ଗରେ ଗଣମାଧ୍ୟମ କଙ୍ଗାରୁ କୋର୍ଟ ଚଳାଇଛି। ଅଦାଲତରେ କୌଣସି ମାମଲାର ଶୁଣାଣି ପୂର୍ବରୁ ଗଣମାଧ୍ୟମରେ ତାହାର ବିଚାର କରିଦିଆଯାଉଛି। ଫଳରେ ଅଭିଜ୍ଞ ବିଚାରପତିମାନଙ୍କୁ ମଧ୍ୟ ନିଷ୍ପତ୍ତି ନେବାରେ ଅସୁବିଧା ହେଉଛି ବୋଲି ରମନା କହିଛନ୍ତି। ଏଠାରେ ମନେପକାଇ ଦିଆଯାଇପାରେ ଯେ, ଭାଜପାର ପୂର୍ବତନ ମୁଖପାତ୍ର ନୂପୁର ଶର୍ମା ପ୍ରଫେଟ୍‌ ବିରୋଧୀ ଦେଇଥିବା ମତକୁ ନେଇ ସର୍ବୋଚ୍ଚ ଅଦାଲତ ଯେଉଁ ରାୟ ଦେଇଥିଲେ ତାହା ଉପରେ ଗଣମାଧ୍ୟମରେ ଜୋରଦାର ବିତର୍କ ହୋଇଥିଲା। ଏପରି କି ସୋସିଆଲ ମିଡିଆରେ ବିଚାରପତିଙ୍କ ବିରୋଧରେ ବିଭିନ୍ନ ପ୍ରକାର କଟୁ ମନ୍ତବ୍ୟ ଦିଆଯାଇଥିଲା। ପ୍ରଧାନ ବିଚାରପତି ଏଭଳି ସ୍ଥିତିକୁ ଦେଖି କହିଛନ୍ତି, ପ୍ରିଣ୍ଟ୍‌ ବା ଛାପା ଗଣମାଧ୍ୟମର ଏକ ନିର୍ଦ୍ଦିଷ୍ଟ ଉତ୍ତରଦାୟିତ୍ୱ ଥିବା ବେଳେ ଇଲେକ୍‌ଟ୍ରୋନିକ ଗଣମାଧ୍ୟମଠାରେ ଶୂନ ଉତ୍ତରଦାୟିତ୍ୱ ଦେଖିବାକୁ ମିଳୁଛି ଏବଂ ସାମାଜିକ ଗଣମାଧ୍ୟମ ଆହୁରି ନିକୃଷ୍ଟ ସ୍ତରକୁ ଚାଲିଯାଉଛି।
ପ୍ରଧାନ ବିଚାରପତିଙ୍କ କ୍ଷୋଭ ଅନେକାଂଶରେ ଯଥାର୍ଥ ବୋଲି କୁହାଯାଇପାରେ। ତଥାପି ଆଜିର ସମୟରେ ଅନେକ ବିଚାରପତି ଭୟରେ ହେଉ ବା ଅନ୍ୟ କୌଣସି କାରଣ ଯୋଗୁ ମାମଲାର ଗତି ବଦଳାଇ ଦେଉଥିବା ଜନସାଧାରଣ ମଧ୍ୟ ଜାଣିପାରୁଛନ୍ତି। ଧରାଯାଉ କୌଣସି ଏକ ହତ୍ୟାକାଣ୍ଡକୁ ଏକ ଅଞ୍ଚଳର ଲୋକେ ସିଧାସଳଖ ଦେଖିଛନ୍ତି। ଯିଏ ଅଭିଯୁକ୍ତ ତାଙ୍କୁ ମଧ୍ୟ ସେମାନେ ଚିହ୍ନିଛନ୍ତି। ମାତ୍ର କିଛି ବର୍ଷ ପରେ ସେହି ହତ୍ୟାକାଣ୍ଡର ରାୟ ପ୍ରକାଶ ପାଇ ଯଦି ଅଭିଯୁକ୍ତ ନିର୍ଦ୍ଦୋଷରେ ମୁକ୍ତ ହୋଇଯାଉଛନ୍ତି, ସେଭଳି ସ୍ଥଳେ ଘଟଣାକୁ ସ୍ବଚକ୍ଷୁରେ ଦେଖିଥିବା ଲୋକଙ୍କର ନ୍ୟାୟବ୍ୟବସ୍ଥା ଉପରେ କଦାପି ବିଶ୍ୱାସ ରହିବ ନାହିଁ। ବିଚାରପତିମାନେ ବିନା ଭୟ ଓ ପକ୍ଷପାତିତାରେ ରାୟ ଶୁଣାଇବା କଥା। ହେଲେ ସେମାନଙ୍କ ସଂଖ୍ୟା କ୍ୱଚିତ। ତତ୍‌ସହିତ ବିଚାରପତିମାନେ ଅତ୍ୟଧିକ ସାମାଜିକ ଚାପର ଶିକାର ହେଉଛନ୍ତି। ଅପରପକ୍ଷରେ ଗଣମାଧ୍ୟମ ମଧ୍ୟ ଲକ୍ଷ୍ମଣରେଖା ଅତିକ୍ରମ କରିବା ଉଚିତ ନୁହେଁ। ତାହା ହେଲେ ଗଣତନ୍ତ୍ର ଦୁର୍ବଳ ହୋଇଯିବା ସ୍ବାଭାବିକ। ତେବେ ସେହି ଲକ୍ଷ୍ମଣରେଖାକୁ କିଏ ଟାଣିବ। ଭାରତର ଆଇନ ବ୍ୟବସ୍ଥା କେବେ ହେଲେ ଅସହାୟ ଓ ପୀଡ଼ିତଙ୍କୁ ସାହାଯ୍ୟ କରେ ନାହିଁ। ହୁଏତ ଏହାର କାରଣ ଖୋଜିଲେ ଉପନିବେଶିକ ଶାସନରୁ ଆସିଥିବା ମାନସିକତାକୁ ଦାୟୀ କରାଯାଇପାରିବ। ସେତେବେଳେ ସମସ୍ତଙ୍କୁ ଦମନ କରି ରଖିବା ଥିଲା ମୁଖ୍ୟ କାର୍ଯ୍ୟ। ଏବେ ଦମନ ପରିବର୍ତ୍ତେ ଅସହାୟଙ୍କୁ ପାଟି ଫିଟାଇବାର ସୁରକ୍ଷା ଓ ସୁବିଧା ମିଳିବା ଉଚିତ। ଅନୁରୂପ ଆକାରରେ ଦେଖିଲେ ମିଡିଆର ମାଲିକାନା ସବୁବେଳେ କ୍ଷମତା ସହ ରହିବାକୁ ପସନ୍ଦ କରୁଛି। ତଥାପି ଛାପା ଗଣମାଧ୍ୟମର ଉତ୍ତରଦାୟିତ୍ୱ ଅନେକାଂଶରେ ବଜାୟ ରହିଛି ବୋଲି କେବଳ ଭାରତର ପ୍ରଧାନ ବିଚାରପତି ନୁହନ୍ତି, ସାଧାରଣରେ ମଧ୍ୟ ସେହି ବିଶ୍ୱାସ ରହିଛି। କିନ୍ତୁ ଟେଲିଭିଜନ ଓ ସୋସିଆଲ ମିଡିଆ ଏକ ଭିନ୍ନ ବାଟରେ ଯାଉଥିବାରୁ ସେମାନେ ସବୁ ସ୍ବାଭାବିକ ରେଖାକୁ ଉଲ୍ଲଂଘନ କରିବାରେ ଧୂରନ୍ଧର ପାଲଟିଗଲେଣି। ସରକାର ଏବଂ ଶିଳ୍ପପତିଙ୍କୁ ସମର୍ଥନ କରିବାକୁ ଯାଇ ଟେଲିଭିଜନ ଚ୍ୟାନେଲଗୁଡ଼ିକ ନିଜର ଭାରସାମ୍ୟ ହରାଇ ବସୁଛନ୍ତି। ଉପଗ୍ରହ ସହ ଅପ୍‌ଲିଙ୍କ୍‌ ଓ ଡାଉନ୍‌ଲିଙ୍କ୍‌ ପାଇଁ ସରକାରଙ୍କ ଉପରେ ନିର୍ଭରଶୀଳ ସବୁ ଟେଲିଭିଜନ୍‌ ଚ୍ୟାନେଲ ଏବେ ଏକଦିଗମୁହଁା ହୋଇଯାଇଥିବା ଭଳି ଦର୍ଶକଙ୍କ ମନରେ ଛାପା ପଡ଼ିଲାଣି। ଭାରତରେ ଏହା ଦେଖାଯାଉଛି ଯେ, ଟେଲିଭିଜନରେ ଅନେକ ଉପସ୍ଥାପକ ନିଜ ସଂସ୍ଥାର ସମ୍ପାଦକୀୟ ନୀତିକୁ ନେଇ କୌଣସି ବିଷୟ ଉପରେ ଆଲୋଚନା କଲା ବେଳେ କୋର୍ଟ ଭଳି ସିଧାସଳଖ ଶୁଣାଣି କରି ରାୟ ଦେଉଥିବା ଭଳି ସ୍ଥିତି ସୃଷ୍ଟି କରୁଛନ୍ତି। ଏହାର ଏକ ଜଣାଶୁଣା ଉଦାହରଣ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣା ଓ ତାହାକୁ ନେଇ ପରବର୍ତ୍ତୀ ସମୟରେ କରାଯାଇଥିବା ରାଜନୀତିକରଣ। ବାସ୍ତବରେ ଦେଖିଲେ ମମଲା ଅଦାଲତରେ ସବ୍‌-ଜୁଡିସ୍‌ ବା ଅର୍ଦ୍ଧନ୍ୟାୟ ଅବସ୍ଥାରେ ଥିବା ବେଳେ ତାହା ଉପରେ ଇଲେକ୍‌ଟ୍ରୋନିକ୍‌ ଗଣମାଧ୍ୟମ ସୃଷ୍ଟି କରୁଥିବା ଚାପ ଯୋଗୁ ନ୍ୟାୟାଳୟ ମଧ୍ୟ ରାୟ ଦେବା ସକାଶେ ଏକପ୍ରକାର ବାଧ୍ୟ ହୋଇଯାଉଛନ୍ତି। ସାଧାରଣ ଲୋକଙ୍କଠାରେ ମତ ସୃଷ୍ଟି କରିବାରେ ଏହି ଗଣମାଧ୍ୟମଗୁଡ଼ିକର ମିଥ୍ୟା ସହାୟକ ହେଉଛି। ମଣିଷର ନୀଚ ପ୍ରକୃତିକୁ ଉସୁକାଇବା ଅତ୍ୟନ୍ତ ସହଜ ହୋଇଥିବାରୁ ତାହାର ସୁବିଧା ଉଠାଉଛନ୍ତି ଇଲେକ୍‌ଟ୍ରୋନିକ୍‌ ଗଣମାଧ୍ୟମରେ ଲଗାତର ଚାଲିଥିବା ଆଲୋଚନା ଓ ବିତର୍କ। ଟେଲିଭିଜନ ଷ୍ଟୁଡିଓରେ ଆଲୋଚନା ପାଇଁ ଡକାଯାଉଥିବା ବ୍ୟକ୍ତିଙ୍କୁ ପୂର୍ବରୁ ଧାରା ସମ୍ପର୍କରେ ସୂଚନା ଦିଆଯାଇ ନକଲି ଝଗଡ଼ା ବାରମ୍ବାର ରଚାଯାଏ। ଅନଭିଜ୍ଞ ଦର୍ଶକ ଏଗୁଡ଼ିକୁ ଦେଖି ଉତ୍ତ୍ୟକ୍ତ ହୁଅନ୍ତି। ଏଥିରୁ ବୃଦ୍ଧି ପାଏ ଟିଆର୍‌ପି। ସେହି ଟିଆର୍‌ପି ସଂଖ୍ୟା ବୃଦ୍ଧି ପାଇଲେ ବିଜ୍ଞାପନ ଆସିବାକୁ ଆରମ୍ଭ କରେ। ଭଲ ଟିଆର୍‌ପି ହେଲେ ରୋଜଗାର ବଢ଼ିଆ ହେବ। ଅନ୍ୟପଟେ ସୋସିଆଲ୍‌ ମିଡିଆ ବା ସାମାଜିକ ଗଣମାଧ୍ୟମରେ ସମ୍ପୂର୍ଣ୍ଣ ମିଥ୍ୟା ପ୍ରକାଶ କରୁଥିବା ବ୍ୟକ୍ତିଙ୍କୁ କେହି ପ୍ରଶ୍ନ କରିପାରନ୍ତି ନାହିଁ। ସପକ୍ଷ ଓ ବିପକ୍ଷରେ ମତ ଆସିବା ମାତ୍ରକେ ସେହି ମିଥ୍ୟା ବିବରଣୀଟି ଆଲୋଚନା ପରିସରଭୁକ୍ତ ହୋଇଯାଏ। ତାହା ହିଁ ସେମାନଙ୍କ ସଫଳତା।
ଶେଷରେ କୁହାଯାଇପାରିବ ଯେ, ଉଭୟ ଟେଲିଭିଜନ ଓ ସୋସିଆଲ୍‌ ମିଡିଆର ଅନେକ ମାରାତ୍ମକ ତ୍ରୁଟିଥିବା ସତ୍ତ୍ୱେ ଆଜିର ଯୁଗରେ ସେହି ବିକୃତ ମାନସିକତାକୁ ସାଥିରେ ନେଇ ବଞ୍ଚତ୍ବାକୁ ପଡ଼େ। ମନେରଖିବା ଦରକାର, ସମାଜରେ ଗଣମାଧ୍ୟମର ସାମାଜିକ ନ୍ୟାୟ ଓ ସନ୍ତୁଳନତା ବଜାୟ ରଖିବା ଦିଗରେ ଏକ ବିରାଟ ଭୂମିକା ରହିଛି। ଏହାକୁ ବୁଝି ଗଣମାଧ୍ୟମ ସଂସ୍ଥାଗୁଡ଼ିକ ସେହି ଧରଣର ଦାୟିତ୍ୱବୋଧ ଦେଖାଇବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?