ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ ପାଇଁ ଭାରତ ପାଖରେ ଥିବା ବଡ଼ ସମ୍ବଳ ହେଉଛି ତା’ର ଯୁବଶକ୍ତି। ସ୍ବାମୀ ବିବେକାନନ୍ଦଙ୍କ ଭାଷାରେ ଯୁବଶକ୍ତିର ସଫଳତା ହେଉଛି ରାଷ୍ଟ୍ରର ସମ୍ପଦ। ରାଷ୍ଟ୍ରକୁ ପ୍ରଗତି ପଥରେ ଆଗେଇ ନେବା ପାଇଁ ଯୁବଶକ୍ତି କେବଳ ସଂଘର୍ଷକୁ ଆମନ୍ତ୍ରଣ ଦେଇ ପ୍ରଜ୍ବଳିତ କରିପାରେ ପୁରୁଷାର୍ଥର ଦୀପଶିଖା। ଗାନ୍ଧିଜୀ ସ୍ବାଧୀନତା ଆନ୍ଦୋଳନର ନେତୃତ୍ୱ ନେବା ପରେ ଏକ ଇଂଲିଶ ସାପ୍ତାହିକ ପତ୍ରିକାର ସମ୍ପାଦନା (୧୯୧୯) କଲେ ଏବଂ ତା’ର ନାମ ରଖିଲେ ‘ୟଙ୍ଗ୍ ଇଣ୍ଡିଆ’। ଏଭଳି ନାମକରଣ କରିବା ପଛରେ ତାଙ୍କର ଦୃଢ ବିଶ୍ବାସ ଥିଲା ଯେ ୟଙ୍ଗ୍ଇଣ୍ଡିଆ ବା ଯୁବଭାରତ ହେବ ନବଭାରତ ଗଠନର କର୍ଣ୍ଣଧାର। ଯୁବଭାରତକୁ ନେଇ ଗାନ୍ଧିଜୀ ଦେଖିଥିବା ଅଧୁରା ସ୍ବପ୍ନକୁ ପୂରଣ କରିବା ପାଇଁ ଆଜି ପ୍ରସ୍ତୁତ ହୋଇ ରହିଛି ଭାରତର ବିରାଟ ଯୁବବାହିନୀ। ଭାରତ ଏବେ ବିଶ୍ୱର ସବୁଠାରୁ ଯୁବାଦେଶ, ଯାହାର ସମୁଦାୟ ଜନସଂଖ୍ୟାର ୬୫% ଭାଗ ଲୋକଙ୍କର ବୟସ ୩୫ ବର୍ଷରୁ କମ୍। ୧୫ରୁ ୨୯ ବର୍ଷ ମଧ୍ୟରେ ଥିବା ଯୁବତୀଯୁବକଙ୍କ ସଂଖ୍ୟା ୩୭ କୋଟିରୁ ଅଧିକ। ବିଂଶ ଶତାବ୍ଦୀର ଶେଷ ଦଶକ ଓ ଏକବିଂଶ ଶତାବ୍ଦୀର ଦ୍ବିତୀୟ ଦଶକ ମଧ୍ୟରେ ଜନ୍ମଗ୍ରହଣ କରିଥିବା ଏହି ଯୁବପିଢ଼ିକୁ କୁହାଯାଉଛି ଜେନ୍ ଜି ଓ ଜେନ୍ ଆଲ୍ଫା। ଏଭଳି ବର୍ଗୀକରଣ ଏକ ପାଶ୍ଚାତ୍ୟ ଅବଧାରଣା ହୋଇପାରେ, ମାତ୍ର ଯୁବଶକ୍ତି କାନ୍ଧ ଉପରେ ରହିଛି ସମୃଦ୍ଧ ଭାରତ ଗଠନର ଦାୟିତ୍ୱ। ଏମାନେ ସ୍ମାର୍ଟଫୋନ୍ ଓ ଇଣ୍ଟରନେଟ ଯୁଗରେ ବଢି଼ଛନ୍ତି ଏବଂ ଏମାନଙ୍କ ପାଖରେ ଅଛି କୃତ୍ରିମ ବୁଦ୍ଧିମତ୍ତା ବଳରେ ଅସମ୍ଭବକୁ ସମ୍ଭବ କରିବାର ଅସାମାନ୍ୟ ସାମର୍ଥ୍ୟ। କେବଳ ଡିଜିଟାଲ ଅଭିଯାନ ନୁହେଁ, ନୀତି ନିର୍ଦ୍ଧାରଣ ସାମାଜିକ ଆନ୍ଦୋଳନ କ୍ଷେତ୍ରରେ ମଧ୍ୟ ଏମାନେ ଆଗୁଆ। ପରିବେଶ ସୁରକ୍ଷାକୁ ନେଇ ଏମାନେ ଯେତିକି ସଚେତନ, ଜାତି, ଧର୍ମ ଓ ଗୋଷ୍ଠୀ ଆଧାରିତ ପାରମ୍ପରିକ ରାଜନୀତି ପ୍ରତି ସେତିକି ବୀତସ୍ପୃହ। ସେମାନଙ୍କ ପାଖରେ ଅଛି ତୀବ୍ର ଗତିରେ ସୂଚନା ଗ୍ରହଣ କରିବାର କ୍ଷମତା ଓ ସତ୍ୟାସତ୍ୟ ଯାଞ୍ଜ କରିବାର କୌଶଳ। ରାଜନୈତିକ ଶଠତା ଓ ପ୍ରବଞ୍ଚନାକୁ ସେମାନେ ସହଜରେ ବୁଝିପାରନ୍ତି ଏବଂ ପ୍ରକାଶ କରନ୍ତି ତୀବ୍ର ଅସନ୍ତୋଷ। ସେଥିପ୍ରତି ଅଣଦେଖା କଲେ ତାହା ଆନ୍ଦୋଳନର ରୂପନେଇ ଭାଙ୍ଗିଦିଏ କ୍ଷମତାର ଅହଂକାର। ଚଳିତ ବର୍ଷ ଜୁନ୍ ମାସରେ ଦିଲ୍ଲୀ ଯନ୍ତରମନ୍ତରରେ ଅନୁଷ୍ଠିତ ଜେନ୍ ଜି ଆନ୍ଦୋଳନ ତା’ର ଏକ ପ୍ରକୃଷ୍ଟ ଉଦାହରଣ। ସାମାଜିକ ଗଣମାଧ୍ୟମରୁ ଆରମ୍ଭ ହୋଇ ତାହା ବିସ୍ଫୋରକ ରୂପ ନେଇଥିଲା ଏବଂ ସେମାନଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଥିଲେ ସରକାର। ପୁଣି ଆରମ୍ଭ ହେଉଛି ଜେନ ଜି ଆନ୍ଦୋଳନର ଯନ୍ତରମନ୍ତର ସିଜନ-୨। ପୋଲିସ ବଳ ଲଗାଇ ସରକାର ଏହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରସ୍ତୁତ ଚଳାଇ ଥିବାବେଳେ ସରକାରଙ୍କ ଦମନମୂଳକ ନୀତି ବିରୋଧରେ ଲଢ଼ିିବାକୁ ବଳ ଗୋଟାଉଛି ଜେନ୍ ଜି। ଭାରତରେ ଯୁବ ଅସନ୍ତୋଷ କିଛି ନୂଆକଥା ନୁହେଁ, ବରଂ ଏକ ପୁନରାବର୍ତ୍ତିତ ଚକ୍ର। ନିୟମିତ ବ୍ୟବଧାନରେ ଏହା ନିଜକୁ ପ୍ରକାଶ କରି ଆସିଛି ଭିନ୍ନ ଭିନ୍ନ ପୃଷ୍ଠଭୂମିରେ। ପରାଧୀନ ଭାରତରେ ଗାନ୍ଧିଜୀଙ୍କ ନେତୃତ୍ୱରେ ଚାଲିଥିବା ସ୍ବାଧୀନତା ସଂଗ୍ରାମରେ ହଜାର ହଜାର ଛାତ୍ର ଓ ଯୁବକ ଯୋଗ ଦେଇଥିଲେ ଏବଂ ସେମାନଙ୍କ ସାହସ, ତ୍ୟାଗ ଓ ଦେଶପ୍ରେମ ଯୋଗୁ ଦୋହଲି ଯାଇଥିଲା ବ୍ରିଟିଶ ସାମ୍ରାଜ୍ୟର ମୂଳଦୁଆ। ସତୁରି ଦଶକରେ ଭାରତୀୟ ରାଜନୀତିର ସମୀକରଣକୁ ବଦଳେଇ ଦେଇଥିଲା ଜୟପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ସଂଗଠିତ(ସମ୍ପୂର୍ଣ୍ଣ କ୍ରାନ୍ତି) ଶାନ୍ତିପୂର୍ଣ୍ଣ ଛାତ୍ର ଆନ୍ଦୋଳନ। ଜାତିଗତ ସଂରକ୍ଷଣ ବିରୋଧରେ ମଣ୍ଡଳ ଆନ୍ଦୋଳନ (୧୯୯୦)ହେଉ କି ଦୁର୍ନୀତି ବିରୋଧରେ ଆନ୍ନା ହାଜାରେଙ୍କ ଆନ୍ଦୋଳନ (୨୦୧୧) ହେଉ, ପ୍ରତିଟି କ୍ଷେତ୍ରରେ ଶାସନଗାଦିକୁ ଦୋହଲାଇ ଦେଇଛି ଯୁବପିଢ଼ିର ଅସନ୍ତୋଷ। ସମ୍ପ୍ରତି ଯୁବ ଅସନ୍ତୋଷର କାରଣ ଓ କ୍ଷେତ୍ର ଅଲଗା ଏବଂ ତାହା ବହୁସ୍ତରୀୟ। ପ୍ରଥମ ଅଧ୍ୟାୟ ଯନ୍ତରମନ୍ତର ଆନ୍ଦୋଳନର କାରଣ ଥିଲା ବ୍ୟୟବହୁଳ ଶିକ୍ଷା, କୋଚିଙ୍ଗ କୈନ୍ଦ୍ରିକ ପ୍ରବେଶିକା ପରୀକ୍ଷା, ପ୍ରଶ୍ନପତ୍ର ଲିକ୍, ମାର୍କ ଜାଲିଆତି ଓ ବେରୋଜଗାରି ଆଦି ପ୍ରସଙ୍ଗ। ଏଥର ନିର୍ବାଚନ ଆୟୋଗଙ୍କ ପକ୍ଷପାତିତା ଓ ସରକାରଙ୍କ ପ୍ରପଞ୍ଚପଣ ଆଦି ଅଭିଯୋଗ ଆଧାରରେ ଆନ୍ଦୋଳନ ଆରମ୍ଭ ହୋଇଛି, ଯାହା ଦେଶ ପାଇଁ ଚିନ୍ତାର କାରଣ।
ମାନବସମ୍ବଳର ସୁପରିଚାଳନା ଉପରେ ନିର୍ଭର କରେ ଦେଶର ଅଭିବୃଦ୍ଧି ହାର। ମାନବସମ୍ବଳ କହିଲେ ସର୍ବାଗ୍ରେ ସାମ୍ନାକୁ ଆସେ ଯୁବଶକ୍ତି। ଶିକ୍ଷାର ବ୍ୟବସାୟୀକରଣ ଓ ଅସମତା ଆଦି କାରଣରୁ ଯୁବଶକ୍ତିକୁ ଅର୍ଥଶକ୍ତିରେ ପରିଣତ କରିବା ଦିଗରେ ବିଫଳ ହେଲେ,ଏକ ଦୀର୍ଘକାଳୀନ ଅନ୍ଧକାର ଭିତରକୁ ଠେଲି ହୋଇଯାଏ ଦେଶର ଅଭିବୃଦ୍ଧି ହାର। ନିଯୁକ୍ତି ସୃଷ୍ଟିକରିବା ହେଉଛି ଦକ୍ଷ ଅର୍ଥନୀତି ପରିଚାଳନାର ନମୁନା, ଯେଉଁ କ୍ଷେତ୍ରରେ ସରକାରଙ୍କ ବିଫଳତା ଯୋଗୁ ଦେଶରେ ପ୍ରତିବର୍ଷ ବେକାରି ତାଲିକାଭୁକ୍ତ ହେଉଛନ୍ତି କୋଟିଏରୁ ଅଧିକ ଯୁବକ ଓ ଯୁବତୀ। ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇଏଲ୍ଓ) ପକ୍ଷରୁ ପ୍ରକାଶିତ ‘ଗ୍ଲୋବାଲ ଏମ୍ପ୍ଲୟମେଣ୍ଟ ଟ୍ରେଣ୍ଡ୍ସ ଫର୍ ୟୁଥ୍’ ଶୀର୍ଷକ ଏକ ରିପୋର୍ଟ ଅନୁଯାୟୀ ଭାରତ ଭଳି ବିକାଶଶୀଳ ଦେଶରେ ଯୁବଶକ୍ତି ପାଇଁ ସବୁଠାରୁ ବଡ଼ ସମସ୍ୟା ହୋଇ ଉଭା ହୋଇଛି ସୁଯୋଗର ମରୁଡ଼ି। ସାମର୍ଥ୍ୟର ବିନିଯୋଗ ନିମନ୍ତେ ସୁଯୋଗ ଅଭାବରୁ ଦେଶାନ୍ତରୀ ହେଉଛି ପ୍ରତିଭା। ତଥ୍ୟ ଅନୁସାରେ ଯୁକ୍ତରାଷ୍ଟ୍ର ଆମେରିକାର ୩୮ପ୍ରତିଶତ ଡାକ୍ତର, ୩୬ ପ୍ରତିଶତ ନାସା ଗବେଷଣା କେନ୍ଦ୍ରର କର୍ମଚାରୀ ଓ ୩୪ ପ୍ରତିଶତ ମାଇକ୍ରୋସପ୍ଟ କର୍ମଚାରୀ ଭାରତୀୟ। ଯେଉଁମାନଙ୍କ ଉଚ୍ଚଶିକ୍ଷା ପାଇଁ ଦେଶରୁ ଖର୍ଚ୍ଚ ହେଉଛି ବିପୁଳ ଅର୍ଥ, ସେମାନଙ୍କ ସାମର୍ଥ୍ୟକୁ ବିନିଯୋଗ କରି ଫାଇଦା ଉଠାଉଛି ପାଶ୍ଚାତ୍ୟ ରାଷ୍ଟ୍ର। ଏଠାରେ ଦୀର୍ଘବର୍ଷ ଧରି ମହାମାରୀ ପରି ଭୟଙ୍କର ବେରୋଜଗାରିକୁ ସାମ୍ନା କରିବା କାରଣରୁ ଭାରତୀୟ ଯୁବସମାଜ ଏବେ ଭୀତତ୍ରସ୍ତ, ଅସୁଖୀ ଓ କ୍ଷୁବ୍ଧ। ସେମାନଙ୍କ ପାଇଁ ନିଯୁକ୍ତି କେବଳ ଆୟର ଉତ୍ସ ନୁହେଁ, ତାହା ଆତ୍ମସମ୍ମାନ, ସ୍ବାଧୀନତା ଓ ସାମାଜିକ ଅସ୍ତିତ୍ୱ ସହିତ ଜଡ଼ିତ। ବେକାରିର ଯନ୍ତ୍ରଣା ଓ ସ୍ବପ୍ନଭଙ୍ଗର ନୈରାଶ୍ୟ ଯୋଗୁ ସେମାନଙ୍କ ଭିତରେ ବୃଦ୍ଧି ପାଉଛି ମାନସିକ ଚାପ ଓ ଆତ୍ମହତ୍ୟା ପ୍ରବୃତ୍ତି। ଭାରତକୁ ସମୃଦ୍ଧ ରାଷ୍ଟ୍ରରେ ପରିଣତ କରିବାକୁ ହେଲେ ଦେଶର ସବୁଠାରୁ ବଡ଼ ସମ୍ବଳ ଯୁବପିଢ଼ିକୁ ସୁରକ୍ଷିତ ରଖିବା ଆବଶ୍ୟକ। ସେମାନଙ୍କ ସ୍ବପ୍ନର ଆକାଶ ଓ ସମ୍ଭାବନାର ଦିଗନ୍ତ ଖୁବ୍ ଉଜ୍ଜ୍ବଳ ଓ ବିସ୍ତୃତ। ନୂଆ କିଛି ଗଢ଼ିବାର ଆକାଂକ୍ଷା ଓ ଅନ୍ୟାୟକୁ ପ୍ରଶ୍ନ କରିବାର ସାହସ ସେମାନଙ୍କର ପ୍ରବଳ। ମତ ବିନିମୟର ମଞ୍ଚ ନ ମିଳିଲେ ଏବଂ ପ୍ରଶ୍ନ ପଚାରିବାର ଅଧିକାର ସଙ୍କୁଚିତ ହେଲେ, ସେମାନଙ୍କ ଭିତରେ ପ୍ରକାଶ ପାଏ ସତ୍ତାଦ୍ରୋହୀ ଆଚରଣ। ଏମିତି ବିଭିନ୍ନ କାରଣରୁ ସେମାନେ ଆପଣେଇ ନେଉଛନ୍ତି ଆନ୍ଦୋଳନର ରାସ୍ତା।
ଜେନ୍ ଜି’ର ଦାବିକୁ କିଏ ଏଠି ଯଥାର୍ଥ ବୋଲି କହୁଛି ତ କିଏ କହୁଛି ରାଜନୈତିକ ଅଭିସନ୍ଧିମୂଳକ। ଗୁରୁତ୍ୱପୂର୍ଣ୍ଣ ହେଉଛି ସେମାନଙ୍କ ଆନ୍ଦୋଳନର ଭାଷାକୁ ନେଇ ଉଠିଛି ସଂସ୍କାର ଓ ଶୃଙ୍ଖଳାର ପ୍ରଶ୍ନ। ସାଧାରଣତଃ ଯୁଗ ବଦଳିଲେ ପରମ୍ପରା ବଦଳେ ଏବଂ ସମସ୍ତଙ୍କ ଅଲକ୍ଷ୍ୟରେ ବଦଳି ଚାଲିଥାଏ ପିଢ଼ି। ପୁରୁଣା ପିଢ଼ି ଆଖିରେ ଯାଏନି ନୂଆପିଢ଼ିର ମତିଗତି ଓ ଆଚରଣ। ଗାନ୍ଧିଜୀ କହୁଥିଲେ ଯୁବପିଢ଼ିର ଆଚରଣରେ ଦୁର୍ବଳତା ଓ ସ୍ଖଳନ ଆଦି ଯାହା ବି ଥାଏ, ସେସବୁ ନିଜ ସହିତ ଚାଲୁଥିବା ଛାଇ ପରି। ଛାଇ କେବେ ବୋଝ ନୁହେଁ, ତାହା ଅସ୍ତିତ୍ୱର ପ୍ରତିବିମ୍ବ। ଅସହଯୋଗ ଆନ୍ଦୋଳନ ପୂର୍ବରୁ ଭାରତର ଯୁବଶକ୍ତି ସ୍ବାଧୀନତା ସଂଗ୍ରାମ ପାଇଁ ନିଜକୁ ହିଂସାର ରାସ୍ତାରେ ପ୍ରସ୍ତୁତ କରୁଥିଲା, ଯାହାକୁ ନୂଆଦିଶା ଦେଲା ଗାନ୍ଧିଜୀଙ୍କ ଅହିଂସା ନୀତି। ଆଜିର ନେତୃତ୍ୱ ପାଖରେ ନା ଅଛି ଆଦର୍ଶ ନା ଗ୍ରହଣଶୀଳତା। ପ୍ରଲୋଭନ ଦେଖାଇ ଯୁବପିଢ଼ିକୁ ଆୟତ୍ତ କରିବା ମଧ୍ୟ କଷ୍ଟ। ବିଶେଷକରି
ଆଜିର ଯୁବପିଢ଼ି କେବଳ ମତଦାତା ନୁହନ୍ତି, ସେମାନେ ରାଷ୍ଟ୍ର ନିର୍ମାତା। ସେମାନେ କେବଳ ଚାକିରି ଖୋଜୁଥିବା ହାତ ନୁହନ୍ତି, ସେମାନେ ଭବିଷ୍ୟତ ଗଢୁଥିବା ମସ୍ତିଷ୍କ। ସେମାନଙ୍କ ସଂସ୍କାର, ଶୃଙ୍ଖଳା ଓ ଅମାନିଆପଣ ଉପରେ ପ୍ରଶ୍ନ ଉଠେଇବା ପୂର୍ବରୁ ଏକଥା ମଧ୍ୟ ଜାଣିରଖିବା ଉଚିତ ଯେ, ସାଲିସ କରିନେଇଥିବା ଲୋକ କେବେ ପରିବର୍ତ୍ତନର ଚକକୁ ବୁଲେଇ ପାରେନି, ଏହା କେବଳ ଅମାନିଆମାନଙ୍କର କାମ।
ଡ. ପ୍ରଫୁଲ୍ଲ କୁମାର ସାହୁ
ଅବସରପ୍ରାପ୍ତ ଅଧ୍ୟକ୍ଷ,
ବିଜୁ ପଟ୍ଟନାୟକ ନଗର, ଭଦ୍ରକ
ମୋ:୬୩୭୧୬୪୨୪୬୪

