ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଝିଅ କାମିନୀ ରେଡ୍ଡୀଙ୍କ ସ୍ବପ୍ନରେ ଆସିଲେ ମା’ କାଳୀ । ପୋଖରୀରେ କିଛି ମୂଲ୍ୟବାନ ଧାତୁର ମୂର୍ତ୍ତି ଥିବା ସଙ୍କେତ ଦେଇଥିଲେ । ବହୁବର୍ଷ ହେଲା ଗାଁ ପୋଖରୀରେ ମୋର ପୂଜା ସାମଗ୍ରୀ ପଡ଼ିରହିଛି । ସେସବୁ ଉଦ୍ଧାର କରି ମୋର ମନ୍ଦିର ନିର୍ମାଣ ପାଇଁ ଆଦେଶ ଦେଇଥିଲେ।
ଏହାପରେ ଖବର ଗାଁ ସାରା ପ୍ରଚାରିତ ହେବା ପରେ ବହୁ ସଂଖ୍ୟକ ଗ୍ରାମବାସୀ ଏବଂ ଆଖପାଖ ଗାଁର ସହସ୍ରାଧିକ ମହିଳା ପୁରୁଷ ସେଠାରେ ପହଞ୍ଚିଥିଲେ । କାମିନୀ ଝୁଲି ଝୁଲି ଗାଁ କମିଟି କର୍ମକର୍ତ୍ତା ଓ ସଭ୍ୟମାନଙ୍କୁ ତାଙ୍କ ପାଖକୁ ଡ଼ାକି ଆଣ ବୋଲି ଆଦେଶ ଦେଇଥିଲେ।ଗାଁ କମିଟିର କର୍ମକର୍ତ୍ତା ଓ ସଭ୍ୟ ବୃନ୍ଦ ସେଠାରେ ପହଞ୍ଚିବା ପରେ ରବିବାର ପୋଖରୀରେ ମା ‘ କାଳୀଙ୍କ ପୂଜାରେ ବ୍ୟବହୃତ ସାମଗ୍ରୀ ଖୋଜି ବାହାର କରିବା ପାଇଁ କାମିନୀ କହିଥିଲେ। ଏନେଇ ରାତିରେ ଗାଁରେ ଜରୁରୀ ସଭାର ଆୟୋଜନ କରାଯାଇଥିଲା।
ସମସ୍ତ ପରିବାରର ବହୁ ସଂଖ୍ୟକ ସଦସ୍ୟ ସଭାରେ ଉପସ୍ଥିତ ଥିଲେ।ରବିବାର ଠାରୁ ମା ‘ କାଳୀ ଓ ମା ‘ ଦୂର୍ଗା ଙ୍କ ନବରାତ୍ର ପୂଜା ଆରମ୍ଭ ହେଉଥିବାରୁ ଗ୍ରାମର ବହୁ ସଂଖ୍ୟକ ବ୍ୟକ୍ତି ଉପବାସ କରି ରବିବାର ସକାଳୁ ପୋଖରୀ ପାଖରେ ଏକତ୍ରିତ ହୋଇଥିଲେ । ଢୋଲ, ମହୁରୀ, ଘଣ୍ଟ, ମୃଦଙ୍ଗ, ଗିନି, କରତାଳ ବଜାଇବା ପରେ କାମିନୀ ଝୁଲି ଝୁଲି ବହୁସଂଖ୍ୟକ ଗ୍ରାମବାସୀଙ୍କ ସହ ପୋଖରୀ ନିକଟରେ ପହଞ୍ଚିଥିଲେ।ସେଠାରେ ପୂଜାର୍ଚ୍ଚନା କରାଯାଇ ଦୀର୍ଘ ସମୟ ପୋଖରୀ ପାଣି ମଧ୍ୟରେ ଖୋଜା ଖୋଜି କରିବା ପରେ ଗ୍ରାମର ଏସ. ବୁଲା ରେଡ୍ଡୀ ଏବଂ ଯୁଧିଷ୍ଠିରଙ୍କୁ ଏକ ମାଟି ପୂଜା ହାଣ୍ଡି, ବେତ, ତମ୍ବା ନିର୍ମିତ ସର୍ପ ଏବଂ ଝୁଣା ନଳା ପ୍ରଭୃତି ମିଳିଥିଲା। ସେସବୁ ମା ‘ କାଳୀଙ୍କ ପୂଜା ସାମଗ୍ରୀକୁ ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ଅସ୍ଥାୟୀ ମନ୍ଦିର ମଣ୍ଡପରେ ରଖାଯାଇ ପୂଜାର୍ଚ୍ଚନା କରାଯାଉଥିବା ଜଣାପଡ଼ିଛି।
ଗତ ସେପ୍ଟେମ୍ବର ୧୬ ତାରିଖ ରାତିରେ ଗ୍ରାମର ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଝିଅ କାମିନୀଙ୍କୁ ସ୍ୱପ୍ନାଦେଶ ପରେ ପରଦିନ ସକାଳୁ ଘର ବାରିପଟ ମାଟିତଳୁ ମା ‘ କାଳୀଙ୍କ ମୂର୍ତ୍ତି ମିଳିଥିଲା। ସେହିଦିନ ଠାରୁ ଉକ୍ତ ମା’ କାଳୀଙ୍କ ମୂର୍ତ୍ତିକୁ ଚୁଆ, ଚନ୍ଦନ, ଅଗୁର, କୁଙ୍କୁମ, ହଳଦୀ ପାଣିରେ ଗାଧୋଇ ଫୁଲ ଚନ୍ଦନ ଧୂପ ଦୀପନୈବେଦ୍ୟ ପୂର୍ବକ ପ୍ରତିଦିନ ପୂଜାର୍ଚ୍ଚନା କରାଯାଉଛି । ଖୁବ୍ ଶୀଘ୍ର ଗାଁରେ ମା ‘ କାଳୀ ଙ୍କ ଏକ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।
୧୦

