ଦେଶକୁ କୁଆଡ଼େ ନେଉଛ

ଜଣେ ସ୍ବାସ୍ଥ୍ୟ ଖରାପ ଯୋଗୁ ଡାକ୍ତର ପାଖକୁ ଗଲେ। ଡାକ୍ତର ରୋଗୀକୁ ଦେଖି କହିଲେ- ଆପଣଙ୍କର ସବୁ ଠିକ୍‌ ଅଛି କିନ୍ତୁ କିଛି ହୃଦ୍‌ରୋଗଜନିତ ସମସ୍ୟା ଅଛି। ନିୟମିତ ଭାବେ ଔଷଧ ଖାଇଲେ ସୁସ୍ଥ ହୋଇଯିବେ। ସେଠାରେ ଯଦି ରୋଗୀଟି ବୁଝିଲା, ଶୁଝିଲା ଲୋକ ହୋଇଥିବ ତେବେ ସେ ଡାକ୍ତରଙ୍କ କଥା ମାନି ଔଷଧ ଖାଇବ ଓ ଭଲ ହୋଇଯିବ। ଯଦି ବୁଝିଲା, ଶୁଝିଲା ଲୋକ ହୋଇ ନ ଥିବ ତେବେ ଭାବିବ ମୋର କିଛି ହୋଇନି, ସବୁ ଭଲ ଅଛି ଏବଂ ଔଷଧ ଖାଇବ ନାହିଁ। ଔଷଧ ନ ଖାଇଲେ କି ପ୍ରକାର ଭୟଙ୍କର ପରିଣତି ଭୋଗିବାକୁ ପଡିବ ତାହା ସମସ୍ତଙ୍କୁ ଜଣା। ଏହିପରି ଅନେକେ ଔଷଧ ନ ଖାଇ ମୃତ୍ୟୁବରଣ କରୁଛନ୍ତି। ବର୍ତ୍ତମାନ ଭାରତର ଶାସକ ଶ୍ରେଣୀ ବିଭିନ୍ନ ଆର୍ଥିକ, ସାମାଜିକ ତଥା ରାଜନୈତିକ ସମସ୍ୟାକୁ ସ୍ବୀକାର ନ କରି ନିଜର ଆତ୍ମପ୍ରଚାରରେ ଲିପ୍ତ ରହି ପରିସ୍ଥିତିକୁ ଅଧିକ ସଙ୍ଗିନ କରୁଛନ୍ତି। ଦେଶ ତଳକୁ ତଳ ଯାଉଛି। ବିଭିନ୍ନ ଅନ୍ତର୍ଜାତୀୟ ରିପୋର୍ଟ ବା ସୂଚକାଙ୍କରେ ଯଦି କିଛି ଭଲ ଉଲ୍ଲେଖ ହେଲା, ତାକୁ ଶାସକ ଶ୍ରେଣୀ ଗ୍ରହଣ କରି ପ୍ରଚାର କରୁଛନ୍ତି। କିନ୍ତୁ ଯଦି ବିଫଳତା ଦର୍ଶାଗଲା, ତେବେ ବିରୋଧ କରୁଛନ୍ତି। ଶାସକଶ୍ରେଣୀ ନିଜର ତ୍ରୁଟି, ବିଫଳତା ସ୍ବୀକାର କରିବାକୁ ଅନିଚ୍ଛୁକ, ଯାହା ଚିନ୍ତାର ବିଷୟ।
ଖାଲି ଜିଡିପି ବୃଦ୍ଧି ବା କିଛି ସାମୂହିକ ସୂଚକାଙ୍କରେ ଉନ୍ନତି ଅର୍ଥ ନୁହେଁ ଲୋକ ଶାନ୍ତି ଓ ସୁଖରେ ଅଛନ୍ତି। ଆଜି ଭାରତ ମୁଣ୍ଡ ପିଛା ଆୟ ଦୃଷ୍ଟିରୁ ୧୯୫ଟି ଦେଶ ମଧ୍ୟରୁ୧୪୨ଟି ଦେଶ ତଳେ ଥିଲାବେଳେ ମାନବ ଉନ୍ନୟନ ସୂଚକାଙ୍କରେ ୧୯୩ଟି ଦେଶ ମଧ୍ୟରୁ ୧୩୩ଟି ଦେଶ ତଳେ ରହିଛି। ଭାରତକୁ ଏକ ତ୍ରୁଟିପୂର୍ଣ୍ଣ ଗଣତନ୍ତ୍ର ଓ ନିର୍ବାଚନୀ ଅଟୋକ୍ରାସି କୁହାଯାଉଛି। ଦୁର୍ନୀତି ଦୃଷ୍ଟିରୁ ୧୮୦ଟି ଦେଶ ମଧ୍ୟରୁ ୯୨ଟି ଦେଶ ତଳେ।
ପ୍ରତି କଥାରେ ବିକାଶ କଥା କୁହାଯାଉଛି। କିନ୍ତୁ ବିକାଶର ପରିଭାଷା କ’ଣ, କାହାର ବିକାଶ ହୋଇଛି ଓ କି ପ୍ରକାର ବିକାଶ ହୋଇଛି କେହି କହୁନାହାନ୍ତି। ଯଦି ବିକାଶ ହୋଇଛି ତେବେ ୮୦କୋଟି ଜନତାଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦେବାର ଆବଶ୍ୟକତା ପଡ଼ନ୍ତା ନାହିଁ। ଗରିବୀ ନ ଥାନ୍ତା କି ଗରିବୀ ହଟାଇବା କଥା କେହି କୁହନ୍ତେ ନାହିଁ। ଟିକସଦାତାଙ୍କ ଅର୍ଥରେ ହାତୀ ଦେବୁ, ଘୋଡ଼ା ଦେବୁ କହି ସବୁ ପ୍ରତିଶ୍ରୁତି ଦିଅନ୍ତେ ନାହିଁ। ଅବଶ୍ୟ ଯାହା ବି ଦେବେ ଆମପରି ଟିକସଦାତାଙ୍କ ଅର୍ଥରେ ଦେବେ।
ଆମ ଦେଶର ଜିଡିପି ଅନୁସାରେ କେନ୍ଦ୍ରର ଟିକସ ଅନୁପାତ ମାତ୍ର୧୧.୭% ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ମିଶିଲେ ୧୭% ହେବ କିନ୍ତୁ ଏହା ଅନ୍ୟ କିଛି ଦେଶରେ ୪୦ରୁ ୫୦%। ଓଇସିଡି ଦେଶରେ ୩୫%। ସେହିପରି ଜିଡିପି ଅନୁସାରେ ମୋଟ ବ୍ୟୟବରାଦ ୨୦୨୦-୨୧ରେ ୧୭.୭% ଥିଲା ବେଳେ ୨୦୨୪-୨୫ରେ ୧୩.୭୦% ହେବ ବୋଲି ଧାର୍ଯ୍ୟ କରାଯାଇଛି। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଅନୁସାରେ ଏହା ଫ୍ରାନ୍ସରେ ୫୮.୩୪%, ଜାପାନରେ ୪୪.୦୯%, ସ୍ବିଡେନରେ ୪୭.୩୨%, ଆମେରିକାରେ ୩୬.୨୬%, ବ୍ରିଟେନରେ ୪୪.୩%। ଯଦି ଜିଡିପି ଅନୁସାରେ ଟିକସ ବୃଦ୍ଧି ପାଉନି କି ବ୍ୟୟ ବୃଦ୍ଧି ପାଉନି ତେବେ ବିକାଶ ହୋଇଛି ବୋଲି କାହିଁକି ପ୍ରଚାର କରାଯାଉଛି। ଯଦି କିଛି ଗୋଟିଏ ପଟେ ଦେଇଥିବେ ଅନ୍ୟ କେଉଁ ବ୍ୟୟବରାଦ ହ୍ରାସ କରିଥିବେ। ପୁନଶ୍ଚ ଟିକସର ବୋଝ ଗରିବଙ୍କ ଉପରେ ବେଶି ପଡୁଛି। ଏତେ ନ ଦେଇ କେବଳ ଶିକ୍ଷା ଓ ସ୍ବାସ୍ଥ୍ୟ ମାଗଣା ସମସ୍ତଙ୍କୁ ଯୋଗାଇ ଦେଉନାହାନ୍ତି?
ବେଶି ଚିନ୍ତାର ବିଷୟ ହେଉଛି, ଟିକସଦାତାଙ୍କ ଅର୍ଥରେ ମନ୍ତ୍ରୀ, ସାଂସଦ ତଥା ବିଧାୟକମାନେ ପ୍ରଚାର କରୁଛନ୍ତି। ପୋଲିସ ତଥା ବିଭିନ୍ନ ସୁରକ୍ଷା ବାହିନୀ ସାଧାରଣ ଜନତାଙ୍କୁ ସୁରକ୍ଷା ଓ ନିରାପତ୍ତା ଦେବେ କ’ଣ ନେତା ଓ ମନ୍ତ୍ରୀଙ୍କୁ ସୁରକ୍ଷା ଦେବାରେ ସବୁ ସମୟ ଯାଉଛି।
ସବୁଠାରୁ ଚିନ୍ତାର ବିଷୟ ହେଉଛି ବେକାରି ବିଶେଷ କରି ଯୁବ ଶିକ୍ଷିତ ବେକାର। ବେକାରି ଯଦି ସେତିକି ଉଗ୍ର ହୋଇ ନ ଥାନ୍ତା, ତେବେ ଅତ୍ୟନ୍ତ ମୁଣ୍ଡଫଟା ଖରାରେ କିଛି ଟଙ୍କା ପାଇଁ ଯୁବକମାନେ ନେତାଙ୍କ ରାଲି, ରୋଡ ଶୋ, ସଭାରେ ଯାଇ ଯୋଗ ଦିଅନ୍ତେ ନାହିଁ। କ୍ଷମତାକୁ ଆସିବା ପୂର୍ବରୁ ବର୍ଷକୁ ୨ କୋଟି ନିଯୁକ୍ତି ସୃଷ୍ଟି କରିବେ ବୋଲି ଭାଜପା କହିଥିଲା। କିନ୍ତୁ କୁଆଡ଼େଗଲା ସେ ପ୍ରତିଶ୍ରୁତି। ପ୍ରାୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ ୩୦ ଲକ୍ଷରୁ ଅଧିକ ଖାଲିସ୍ଥାନ ପୂରଣ କରାଯାଇ ନାହିଁ। ଯେଉଁସବୁ ନିଯୁକ୍ତି ସୃଷ୍ଟି ହେଉଛି ତାହା ନିମ୍ନମାନର ବା ଅସଂଗଠିତ କ୍ଷେତ୍ରରେ। ଯିଏ ଯେତେ ଅଧିକ ଶିକ୍ଷିତ, ତାକୁ ରୋଜଗାର ପନ୍ଥା ଖୋଜିବାରେ ସେତେ ଅଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। କାରଣ ସିଏ ଯେଉଁପରି ନିଯୁକ୍ତି ବା ଚାକିରି ଖୋଜୁଛି ତାହା ପାଉ ନାହିଁ। ଅକ୍ଷର ପଢ଼ି କିମ୍ବା ଲେଖି ପାରୁ ନ ଥିବା ବ୍ୟକ୍ତିଙ୍କ ମଧ୍ୟରେ ବେକାରି ହାର ୩.୪%। କିନ୍ତୁ ସ୍ନାତକମାନଙ୍କ ବେକାରି ହାର ୨୯.୧% (ମହିଳା ୩୪.୫%, ପୁରୁଷ ୨୬.୪%)। ଅର୍ଥାତ୍‌ ନିରକ୍ଷରଙ୍କ ତୁଳନାରେ ସ୍ନାତକମାନଙ୍କ ବେକାରି ହେବାର ଆଶଙ୍କା ପ୍ରାୟ ୯ ଗୁଣା ଅଧିକ।
ମିଳିତ ଜାତିସଂଘର ପାଞ୍ଚଟି ସଂସ୍ଥା ଦ୍ୱାରା ପ୍ରକାଶିତ ଖାଦ୍ୟ ସୁରକ୍ଷା ଏବଂ ପୁଷ୍ଟିକର ଖାଦ୍ୟ ସମ୍ପର୍କିତ ୨୦୨୩ ରିପୋର୍ଟରେ କୁହାଯାଇଛି ଯେ ୨୦୨୧ରେ ୭୪.୧% ଭାରତୀୟ ବା ୧୦୪.୩ କୋଟି ଲୋକ ଏକ ସୁସ୍ଥ ଖାଦ୍ୟ ପାଇବାକୁ ଅସମର୍ଥ ହୋଇଥିଲେ। ତୁଳନାତ୍ମକ ଭାବରେ ବାଂଲାଦେଶର ପ୍ରାୟ ୬୬% ଲୋକ, ଇରାନରେ ୩୦%, ଚାଇନାରେ୧୧%, ରୁଷିଆ୨.୬ %, ଆମେରିକାରେ ୧.୨ % ଏବଂ ବ୍ରିଟେନରେ ୦.୪ % ସୁସ୍ଥ ଖାଦ୍ୟ ଖାଇବାକୁ ଅସମର୍ଥ ହୋଇଥିଲେ। ୨୦୨୦-୨୨ରେ ୧୬.୬% ଭାରତୀୟ ପୁଷ୍ଟିହୀନତା ବା କୁପୋଷଣରେ ଜର୍ଜରିତ।
ବାସ୍ତବରେ ଭାରତର ବର୍ତ୍ତମାନର ଅସମାନତା ଭୟଙ୍କର। ଧନୀକ ଶ୍ରେଣୀର ଲୋକମାନଙ୍କ ପାଖରେ ବିପୁଳ ସମ୍ପଦ ଥିବା ବେଳେ, ଗରିବ ଲୋକମାନେ ଠିକ୍‌ ଢଙ୍ଗରେ ଜୀବନ କାଟିବାକୁ ସଂଘର୍ଷ କରୁଛନ୍ତି। ଗତ ୧୦୦ ବର୍ଷ ଭିତରେ ଏଭଳି ସ୍ଥିତି ଦେଶରେ ଦେଖିବାକୁ ମିଳି ନ ଥିଲା। ବର୍ତ୍ତମାନ ସମୟର ସ୍ଥିତି ଉପନିବେଶବାଦ ବେଳର ସ୍ଥିତିଠାରୁ ଖରାପ ରହିଛି। ୨୦୨୪ର ୱାଲର୍‌ଡ ଇନଇକ୍ବାଲିଟି ଲ୍ୟାବ୍ର ରିପୋର୍ଟ ଅନୁସାରେ ଭାରତର ସର୍ବୋଚ୍ଚ ୧%ଙ୍କ ଆୟ ଜାତୀୟ ଆୟର ଅଂଶରେ ବିଶ୍ବରେ ସର୍ବୋଚ୍ଚ ସ୍ତରରେ ରହିଛି।
ବର୍ତ୍ତମାନ ନିର୍ବାଚନ ପ୍ରକ୍ରିୟାବେଳେ ଏତେ ଉଗ୍ର, ହିଂସାତ୍ମକ, ଅନୈତିକ ହୋଇଛି ଯେ ଏପରି କେବେ ଦେଖିବାକୁ ମିଳି ନ ଥିଲା। କୌଣସି ରାଜନୈତିକ ଆଦର୍ଶ, ନୀତି ନାହିଁ। ଜଣେ ଟିକେଟ ନ ପାଇବାରୁ ବର୍ଷ ବର୍ଷ ଧରି ସମାଲୋଚନା କରୁଥିବା ଦଳରେ ଯୋଗ ଦେଉଛି ଏବଂ ସଙ୍ଗେ ସଙ୍ଗେ ଟିକେଟ ମଧ୍ୟ ପାଉଛି। ଭୋଟରମାନେ ଭୋଟ ଦେବାପାଇଁ ଆଦର୍ଶ ପ୍ରାର୍ଥୀ ପାଉନାହାନ୍ତି। ଯିଏ ଆଦର୍ଶ ପ୍ରାର୍ଥୀ ହୋଇପାରିବ ତାକୁ ଟିକେଟ ମିଳୁନି କାରଣ ଲୋକ ବଳ ଓ ଆର୍ଥିକ କ୍ଷମତା ନାହିଁ। ସେଲିବ୍ରିଟିଜ୍‌, ଶିଳ୍ପପତି, ବିତ୍ତଶାଳୀ କ୍ଷମତାଶାଳୀଙ୍କ ପାଇଁ ଏହା ଅର୍ଥ ରୋଜଗାର କରିବା ବା କ୍ଷମତା ବଜାୟ ରଖିବା ପାଇଁ ନିର୍ବାଚନ ଏକ ମାଧ୍ୟମ ସାଜିଛି। ଏହା ଗଣତନ୍ତ୍ର ପାଇଁ ବିପଦ ସୃଷ୍ଟି କରିଛି। ଜଣେ ସଚେତନ ଓ ଚିନ୍ତାଶୀଳ ବ୍ୟକ୍ତି ଏହାକୁ ଗ୍ରହଣ କରିପାରିବ ନାହିଁ।

  • ଡ. ସନ୍ତୋଷ କୁମାର ମହାପାତ୍ର
    ମୋ:୯୪୩୭୨୦୮୭୬୨

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?