ଦେଶକୁ କୁଆଡ଼େ ନେଉଛ

ଜଣେ ସ୍ବାସ୍ଥ୍ୟ ଖରାପ ଯୋଗୁ ଡାକ୍ତର ପାଖକୁ ଗଲେ। ଡାକ୍ତର ରୋଗୀକୁ ଦେଖି କହିଲେ- ଆପଣଙ୍କର ସବୁ ଠିକ୍‌ ଅଛି କିନ୍ତୁ କିଛି ହୃଦ୍‌ରୋଗଜନିତ ସମସ୍ୟା ଅଛି। ନିୟମିତ ଭାବେ ଔଷଧ ଖାଇଲେ ସୁସ୍ଥ ହୋଇଯିବେ। ସେଠାରେ ଯଦି ରୋଗୀଟି ବୁଝିଲା, ଶୁଝିଲା ଲୋକ ହୋଇଥିବ ତେବେ ସେ ଡାକ୍ତରଙ୍କ କଥା ମାନି ଔଷଧ ଖାଇବ ଓ ଭଲ ହୋଇଯିବ। ଯଦି ବୁଝିଲା, ଶୁଝିଲା ଲୋକ ହୋଇ ନ ଥିବ ତେବେ ଭାବିବ ମୋର କିଛି ହୋଇନି, ସବୁ ଭଲ ଅଛି ଏବଂ ଔଷଧ ଖାଇବ ନାହିଁ। ଔଷଧ ନ ଖାଇଲେ କି ପ୍ରକାର ଭୟଙ୍କର ପରିଣତି ଭୋଗିବାକୁ ପଡିବ ତାହା ସମସ୍ତଙ୍କୁ ଜଣା। ଏହିପରି ଅନେକେ ଔଷଧ ନ ଖାଇ ମୃତ୍ୟୁବରଣ କରୁଛନ୍ତି। ବର୍ତ୍ତମାନ ଭାରତର ଶାସକ ଶ୍ରେଣୀ ବିଭିନ୍ନ ଆର୍ଥିକ, ସାମାଜିକ ତଥା ରାଜନୈତିକ ସମସ୍ୟାକୁ ସ୍ବୀକାର ନ କରି ନିଜର ଆତ୍ମପ୍ରଚାରରେ ଲିପ୍ତ ରହି ପରିସ୍ଥିତିକୁ ଅଧିକ ସଙ୍ଗିନ କରୁଛନ୍ତି। ଦେଶ ତଳକୁ ତଳ ଯାଉଛି। ବିଭିନ୍ନ ଅନ୍ତର୍ଜାତୀୟ ରିପୋର୍ଟ ବା ସୂଚକାଙ୍କରେ ଯଦି କିଛି ଭଲ ଉଲ୍ଲେଖ ହେଲା, ତାକୁ ଶାସକ ଶ୍ରେଣୀ ଗ୍ରହଣ କରି ପ୍ରଚାର କରୁଛନ୍ତି। କିନ୍ତୁ ଯଦି ବିଫଳତା ଦର୍ଶାଗଲା, ତେବେ ବିରୋଧ କରୁଛନ୍ତି। ଶାସକଶ୍ରେଣୀ ନିଜର ତ୍ରୁଟି, ବିଫଳତା ସ୍ବୀକାର କରିବାକୁ ଅନିଚ୍ଛୁକ, ଯାହା ଚିନ୍ତାର ବିଷୟ।
ଖାଲି ଜିଡିପି ବୃଦ୍ଧି ବା କିଛି ସାମୂହିକ ସୂଚକାଙ୍କରେ ଉନ୍ନତି ଅର୍ଥ ନୁହେଁ ଲୋକ ଶାନ୍ତି ଓ ସୁଖରେ ଅଛନ୍ତି। ଆଜି ଭାରତ ମୁଣ୍ଡ ପିଛା ଆୟ ଦୃଷ୍ଟିରୁ ୧୯୫ଟି ଦେଶ ମଧ୍ୟରୁ୧୪୨ଟି ଦେଶ ତଳେ ଥିଲାବେଳେ ମାନବ ଉନ୍ନୟନ ସୂଚକାଙ୍କରେ ୧୯୩ଟି ଦେଶ ମଧ୍ୟରୁ ୧୩୩ଟି ଦେଶ ତଳେ ରହିଛି। ଭାରତକୁ ଏକ ତ୍ରୁଟିପୂର୍ଣ୍ଣ ଗଣତନ୍ତ୍ର ଓ ନିର୍ବାଚନୀ ଅଟୋକ୍ରାସି କୁହାଯାଉଛି। ଦୁର୍ନୀତି ଦୃଷ୍ଟିରୁ ୧୮୦ଟି ଦେଶ ମଧ୍ୟରୁ ୯୨ଟି ଦେଶ ତଳେ।
ପ୍ରତି କଥାରେ ବିକାଶ କଥା କୁହାଯାଉଛି। କିନ୍ତୁ ବିକାଶର ପରିଭାଷା କ’ଣ, କାହାର ବିକାଶ ହୋଇଛି ଓ କି ପ୍ରକାର ବିକାଶ ହୋଇଛି କେହି କହୁନାହାନ୍ତି। ଯଦି ବିକାଶ ହୋଇଛି ତେବେ ୮୦କୋଟି ଜନତାଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦେବାର ଆବଶ୍ୟକତା ପଡ଼ନ୍ତା ନାହିଁ। ଗରିବୀ ନ ଥାନ୍ତା କି ଗରିବୀ ହଟାଇବା କଥା କେହି କୁହନ୍ତେ ନାହିଁ। ଟିକସଦାତାଙ୍କ ଅର୍ଥରେ ହାତୀ ଦେବୁ, ଘୋଡ଼ା ଦେବୁ କହି ସବୁ ପ୍ରତିଶ୍ରୁତି ଦିଅନ୍ତେ ନାହିଁ। ଅବଶ୍ୟ ଯାହା ବି ଦେବେ ଆମପରି ଟିକସଦାତାଙ୍କ ଅର୍ଥରେ ଦେବେ।
ଆମ ଦେଶର ଜିଡିପି ଅନୁସାରେ କେନ୍ଦ୍ରର ଟିକସ ଅନୁପାତ ମାତ୍ର୧୧.୭% ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ମିଶିଲେ ୧୭% ହେବ କିନ୍ତୁ ଏହା ଅନ୍ୟ କିଛି ଦେଶରେ ୪୦ରୁ ୫୦%। ଓଇସିଡି ଦେଶରେ ୩୫%। ସେହିପରି ଜିଡିପି ଅନୁସାରେ ମୋଟ ବ୍ୟୟବରାଦ ୨୦୨୦-୨୧ରେ ୧୭.୭% ଥିଲା ବେଳେ ୨୦୨୪-୨୫ରେ ୧୩.୭୦% ହେବ ବୋଲି ଧାର୍ଯ୍ୟ କରାଯାଇଛି। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଅନୁସାରେ ଏହା ଫ୍ରାନ୍ସରେ ୫୮.୩୪%, ଜାପାନରେ ୪୪.୦୯%, ସ୍ବିଡେନରେ ୪୭.୩୨%, ଆମେରିକାରେ ୩୬.୨୬%, ବ୍ରିଟେନରେ ୪୪.୩%। ଯଦି ଜିଡିପି ଅନୁସାରେ ଟିକସ ବୃଦ୍ଧି ପାଉନି କି ବ୍ୟୟ ବୃଦ୍ଧି ପାଉନି ତେବେ ବିକାଶ ହୋଇଛି ବୋଲି କାହିଁକି ପ୍ରଚାର କରାଯାଉଛି। ଯଦି କିଛି ଗୋଟିଏ ପଟେ ଦେଇଥିବେ ଅନ୍ୟ କେଉଁ ବ୍ୟୟବରାଦ ହ୍ରାସ କରିଥିବେ। ପୁନଶ୍ଚ ଟିକସର ବୋଝ ଗରିବଙ୍କ ଉପରେ ବେଶି ପଡୁଛି। ଏତେ ନ ଦେଇ କେବଳ ଶିକ୍ଷା ଓ ସ୍ବାସ୍ଥ୍ୟ ମାଗଣା ସମସ୍ତଙ୍କୁ ଯୋଗାଇ ଦେଉନାହାନ୍ତି?
ବେଶି ଚିନ୍ତାର ବିଷୟ ହେଉଛି, ଟିକସଦାତାଙ୍କ ଅର୍ଥରେ ମନ୍ତ୍ରୀ, ସାଂସଦ ତଥା ବିଧାୟକମାନେ ପ୍ରଚାର କରୁଛନ୍ତି। ପୋଲିସ ତଥା ବିଭିନ୍ନ ସୁରକ୍ଷା ବାହିନୀ ସାଧାରଣ ଜନତାଙ୍କୁ ସୁରକ୍ଷା ଓ ନିରାପତ୍ତା ଦେବେ କ’ଣ ନେତା ଓ ମନ୍ତ୍ରୀଙ୍କୁ ସୁରକ୍ଷା ଦେବାରେ ସବୁ ସମୟ ଯାଉଛି।
ସବୁଠାରୁ ଚିନ୍ତାର ବିଷୟ ହେଉଛି ବେକାରି ବିଶେଷ କରି ଯୁବ ଶିକ୍ଷିତ ବେକାର। ବେକାରି ଯଦି ସେତିକି ଉଗ୍ର ହୋଇ ନ ଥାନ୍ତା, ତେବେ ଅତ୍ୟନ୍ତ ମୁଣ୍ଡଫଟା ଖରାରେ କିଛି ଟଙ୍କା ପାଇଁ ଯୁବକମାନେ ନେତାଙ୍କ ରାଲି, ରୋଡ ଶୋ, ସଭାରେ ଯାଇ ଯୋଗ ଦିଅନ୍ତେ ନାହିଁ। କ୍ଷମତାକୁ ଆସିବା ପୂର୍ବରୁ ବର୍ଷକୁ ୨ କୋଟି ନିଯୁକ୍ତି ସୃଷ୍ଟି କରିବେ ବୋଲି ଭାଜପା କହିଥିଲା। କିନ୍ତୁ କୁଆଡ଼େଗଲା ସେ ପ୍ରତିଶ୍ରୁତି। ପ୍ରାୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ ୩୦ ଲକ୍ଷରୁ ଅଧିକ ଖାଲିସ୍ଥାନ ପୂରଣ କରାଯାଇ ନାହିଁ। ଯେଉଁସବୁ ନିଯୁକ୍ତି ସୃଷ୍ଟି ହେଉଛି ତାହା ନିମ୍ନମାନର ବା ଅସଂଗଠିତ କ୍ଷେତ୍ରରେ। ଯିଏ ଯେତେ ଅଧିକ ଶିକ୍ଷିତ, ତାକୁ ରୋଜଗାର ପନ୍ଥା ଖୋଜିବାରେ ସେତେ ଅଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। କାରଣ ସିଏ ଯେଉଁପରି ନିଯୁକ୍ତି ବା ଚାକିରି ଖୋଜୁଛି ତାହା ପାଉ ନାହିଁ। ଅକ୍ଷର ପଢ଼ି କିମ୍ବା ଲେଖି ପାରୁ ନ ଥିବା ବ୍ୟକ୍ତିଙ୍କ ମଧ୍ୟରେ ବେକାରି ହାର ୩.୪%। କିନ୍ତୁ ସ୍ନାତକମାନଙ୍କ ବେକାରି ହାର ୨୯.୧% (ମହିଳା ୩୪.୫%, ପୁରୁଷ ୨୬.୪%)। ଅର୍ଥାତ୍‌ ନିରକ୍ଷରଙ୍କ ତୁଳନାରେ ସ୍ନାତକମାନଙ୍କ ବେକାରି ହେବାର ଆଶଙ୍କା ପ୍ରାୟ ୯ ଗୁଣା ଅଧିକ।
ମିଳିତ ଜାତିସଂଘର ପାଞ୍ଚଟି ସଂସ୍ଥା ଦ୍ୱାରା ପ୍ରକାଶିତ ଖାଦ୍ୟ ସୁରକ୍ଷା ଏବଂ ପୁଷ୍ଟିକର ଖାଦ୍ୟ ସମ୍ପର୍କିତ ୨୦୨୩ ରିପୋର୍ଟରେ କୁହାଯାଇଛି ଯେ ୨୦୨୧ରେ ୭୪.୧% ଭାରତୀୟ ବା ୧୦୪.୩ କୋଟି ଲୋକ ଏକ ସୁସ୍ଥ ଖାଦ୍ୟ ପାଇବାକୁ ଅସମର୍ଥ ହୋଇଥିଲେ। ତୁଳନାତ୍ମକ ଭାବରେ ବାଂଲାଦେଶର ପ୍ରାୟ ୬୬% ଲୋକ, ଇରାନରେ ୩୦%, ଚାଇନାରେ୧୧%, ରୁଷିଆ୨.୬ %, ଆମେରିକାରେ ୧.୨ % ଏବଂ ବ୍ରିଟେନରେ ୦.୪ % ସୁସ୍ଥ ଖାଦ୍ୟ ଖାଇବାକୁ ଅସମର୍ଥ ହୋଇଥିଲେ। ୨୦୨୦-୨୨ରେ ୧୬.୬% ଭାରତୀୟ ପୁଷ୍ଟିହୀନତା ବା କୁପୋଷଣରେ ଜର୍ଜରିତ।
ବାସ୍ତବରେ ଭାରତର ବର୍ତ୍ତମାନର ଅସମାନତା ଭୟଙ୍କର। ଧନୀକ ଶ୍ରେଣୀର ଲୋକମାନଙ୍କ ପାଖରେ ବିପୁଳ ସମ୍ପଦ ଥିବା ବେଳେ, ଗରିବ ଲୋକମାନେ ଠିକ୍‌ ଢଙ୍ଗରେ ଜୀବନ କାଟିବାକୁ ସଂଘର୍ଷ କରୁଛନ୍ତି। ଗତ ୧୦୦ ବର୍ଷ ଭିତରେ ଏଭଳି ସ୍ଥିତି ଦେଶରେ ଦେଖିବାକୁ ମିଳି ନ ଥିଲା। ବର୍ତ୍ତମାନ ସମୟର ସ୍ଥିତି ଉପନିବେଶବାଦ ବେଳର ସ୍ଥିତିଠାରୁ ଖରାପ ରହିଛି। ୨୦୨୪ର ୱାଲର୍‌ଡ ଇନଇକ୍ବାଲିଟି ଲ୍ୟାବ୍ର ରିପୋର୍ଟ ଅନୁସାରେ ଭାରତର ସର୍ବୋଚ୍ଚ ୧%ଙ୍କ ଆୟ ଜାତୀୟ ଆୟର ଅଂଶରେ ବିଶ୍ବରେ ସର୍ବୋଚ୍ଚ ସ୍ତରରେ ରହିଛି।
ବର୍ତ୍ତମାନ ନିର୍ବାଚନ ପ୍ରକ୍ରିୟାବେଳେ ଏତେ ଉଗ୍ର, ହିଂସାତ୍ମକ, ଅନୈତିକ ହୋଇଛି ଯେ ଏପରି କେବେ ଦେଖିବାକୁ ମିଳି ନ ଥିଲା। କୌଣସି ରାଜନୈତିକ ଆଦର୍ଶ, ନୀତି ନାହିଁ। ଜଣେ ଟିକେଟ ନ ପାଇବାରୁ ବର୍ଷ ବର୍ଷ ଧରି ସମାଲୋଚନା କରୁଥିବା ଦଳରେ ଯୋଗ ଦେଉଛି ଏବଂ ସଙ୍ଗେ ସଙ୍ଗେ ଟିକେଟ ମଧ୍ୟ ପାଉଛି। ଭୋଟରମାନେ ଭୋଟ ଦେବାପାଇଁ ଆଦର୍ଶ ପ୍ରାର୍ଥୀ ପାଉନାହାନ୍ତି। ଯିଏ ଆଦର୍ଶ ପ୍ରାର୍ଥୀ ହୋଇପାରିବ ତାକୁ ଟିକେଟ ମିଳୁନି କାରଣ ଲୋକ ବଳ ଓ ଆର୍ଥିକ କ୍ଷମତା ନାହିଁ। ସେଲିବ୍ରିଟିଜ୍‌, ଶିଳ୍ପପତି, ବିତ୍ତଶାଳୀ କ୍ଷମତାଶାଳୀଙ୍କ ପାଇଁ ଏହା ଅର୍ଥ ରୋଜଗାର କରିବା ବା କ୍ଷମତା ବଜାୟ ରଖିବା ପାଇଁ ନିର୍ବାଚନ ଏକ ମାଧ୍ୟମ ସାଜିଛି। ଏହା ଗଣତନ୍ତ୍ର ପାଇଁ ବିପଦ ସୃଷ୍ଟି କରିଛି। ଜଣେ ସଚେତନ ଓ ଚିନ୍ତାଶୀଳ ବ୍ୟକ୍ତି ଏହାକୁ ଗ୍ରହଣ କରିପାରିବ ନାହିଁ।

  • ଡ. ସନ୍ତୋଷ କୁମାର ମହାପାତ୍ର
    ମୋ:୯୪୩୭୨୦୮୭୬୨

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜୀବିକା ପାଇଁ ମାଛ ଧରୁଥିବାବେଳେ ଗଛ ଲଗାଇ ଜୈବ ବିବିଧତାର ସୁରକ୍ଷା କରୁଛନ୍ତି କେରଳର କଣ୍ଡଲ ରଞ୍ଜନ। କନ୍ନୁର ଜିଲାରେ କଣ୍ଡଲଙ୍କ ଘର। କଣ୍ଡଲର ଅର୍ଥ...

ବିଷମିଶା ରଙ୍ଗିନ ଖାଦ୍ୟ

ବର୍ଷାଦିନେ ଲଗାଣ ବର୍ଷା ଭିତରେ ଗରମ କୋବି ମାଞ୍ଚୁରିଆନ, ରଙ୍ଗିନ ମିଠା, କଟନକ୍ୟାଣ୍ଡି ଆଉ ସ୍କୁଲ ଯାଉଥିବା ପିଲାଙ୍କ ପାଇଁ ବରଫ ଗୋଲା ହେଉ ବା...

ବଜେଟରେ ସାଧାରଣ ଜନତା

ଜୁଲାଇ  ୨୩ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟ ଉପସ୍ଥାପନ କରିଥିଲେ। ପୂର୍ବଥର ଭଳି ବଜେଟ ଏଥର ଦେଶର ସାଧାରଣ ଜନତା ବିଶେଷ କରି କୃଷକ,...

ଇସ୍ତଫା ପଛର କାରଣ

ଜଣେ ଆଇଏଏସ୍‌ ପ୍ରୋବେସନରଙ୍କ ନକଲି ସାର୍ଟିଫିକେଟ୍‌କୁ ନେଇ ହୋଇଥିବା ଘୋଟାଲା ପରେ ୟୁପିଏସ୍‌ସି ଅଧ୍ୟକ୍ଷ ଡ. ମନୋଜ ସୋନି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ବୋଲି...

ଅସ୍ତମିତ ଅସ୍ମିତା

ଦୁବଂଶ ଧ୍ବଂସ ମୂଳରେ ଥିଲା କୋକୁଆ। ବାସ୍ତବରେ କୋକୁଆର ସ୍ବରୂପ କେହି ଦେଖି ନ ଥିଲେ। କୋକୁଆ କୌଣସି ଜୀବ ବା ଜୀବାଣୁ ନ ଥିଲା।...

ଭଙ୍ଗା ପୋଲର ଆତ୍ମକଥା

ହେଉଛି ଭଙ୍ଗା ପୋଲ। ନାମକରଣ ହେବା ପରେ ପରେ ମୁଁ ଭାଙ୍ଗିଗଲି, ସେଥିପାଇଁ ମୋତେ ମୋ ନାମରେ କେହି ଜାଣନ୍ତି ନାହିଁ। ଦିନେ ଦିବାଲୋକରେ ସମସ୍ତଙ୍କ...

ତାଲିବାନ୍‌ ଶାସନରେ ଲିଙ୍ଗଗତ ବିଭେଦ

ଆଜକୁ ତିନି ବର୍ଷ ପୂର୍ବେ ଆଫଗାନିସ୍ତାନରେ ତାଲିବାନ୍‌ କ୍ଷମତାକୁ ଫେରିଥିଲା। ତା’ ପରଠାରୁ ସେଠାରେ ଝିଇମାନେ ମାଧ୍ୟମିକ ବିଦ୍ୟାଳୟରେ ପଢ଼ିପାରିନାହାନ୍ତି। ସେମାନଙ୍କ ପାଇଁ ମୌଳିକ ଶିକ୍ଷାର...

ଏଇ ଭାରତରେ

ପରିବେଶ ସ୍ବଚ୍ଛ ରଖିବା ଲାଗି ଏକ ଅଭିନବ ଉପାୟ ଆପଣାଇଛନ୍ତି ମନୋଜ ରଞ୍ଜନ। ସେ ଅଳିଆ ଗଦା ହେଉଥିବା ସ୍ଥାନରେ ସୁନ୍ଦର ବଗିଚା କରି କଲୋନିରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri