ହାତୀ ଫେରିଲେ ପଶୁଛି ଛନକା

ବଇଣ୍ଡା, ୨୭ା୭ (ପରିକ୍ଷିତ ସାହୁ): ଅନୁଗୋଳ ଜିଲା ହଣ୍ଡପା ରେଞ୍ଜରେ ଥମୁନି ହାତୀ ଉପଦ୍ରବ। ରେଢାଖୋଲ ବନାଞ୍ଚଳରୁ ଏକ ହାତୀପଲ ହଣ୍ଡପା ରେଞ୍ଜକୁ ବାରମ୍ବାର ପଶିଆସି ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି। ଗତ ୭ ବର୍ଷ ମଧ୍ୟରେ ୧୦୧୭ ଏକର ଜମିରେ ଫସଲ ନଷ୍ଟ କରିଛନ୍ତି। ଉକ୍ତ ପଲରେ ଥିବା ଏକ ଦନ୍ତା ୮ ଜଣଙ୍କ ଜୀବନ ନେଇଥିବାରୁ ହାତୀପଲ ହଣ୍ଡପା ଫେରିଲେ ଛାତିରେ ଛନକା ପଶୁଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।

୧୮ ହଜାର ୮୯୪ ହେକ୍ଟର ବିଶିଷ୍ଟ ହଣ୍ଡପା ରେଞ୍ଜ ଆଖପାଖରେ ରହିଛି ୧୫ଟି ପଞ୍ଚାୟତ। କିନ୍ତୁ କିଛିବର୍ଷ ହେଲା କାଠ ମାଫିଆଙ୍କ ପ୍ରାଦୁର୍ଭାବ ଓ ବନ ବିଭାଗର ବିଫଳତା ଯୋଗୁ ରେଞ୍ଜ ଅଞ୍ଚଳର ଅନେକ ଜଙ୍ଗଲ ପଦା ହେବାକୁ ବସିଲାଣି। ଫଳରେ ରେଢ଼ାଖୋଲ ଜଙ୍ଗଲରୁ ପଳାଇ ଆସୁଥିବା ହାତୀପଲ ହଣ୍ଡପା ଜଙ୍ଗଲରେ ଖାଦ୍ୟାଭାବର ଶିକାର ହୋଇ ଗାଁ ମୁହାଁ ହେଉଛନ୍ତି। ଉକ୍ତ ପଲରେ ଥିବା ଏକ ଦନ୍ତା ୨୦୧୪ ଫେବୃୟାରୀ ୨୭ରେ ହଣ୍ଡପା ଗ୍ରାମର ତାରା ବିଶ୍ୱାଳଙ୍କୁ ପାଦରେ ଦଳିଦେଇଥିଲା। ୨୦୧୬ ମେ ୩ରେ ପୁରୁଣାପାଣି ଗ୍ରାମର ଲୋଚନ ପ୍ରଧାନ, ଠେଲକନାଳୀ ଗ୍ରାମର ତରୁଣୀ ଦେହୁରୀଙ୍କୁ କଚାଡି ମାରିଥିଲା। ୨୦୧୭ ଏପ୍ରିଲ ୨୪ରେ କୁଣ୍ଡାଳୀ ଗ୍ରାମର ହାଡିବନ୍ଧୁ ନାଥ, ୨୦୧୯ ଅଗଷ୍ଟ ୧ରେ ପ୍ରତାପପୁର ଗ୍ରାମର ମଞ୍ଜୁଲତା ସାହୁ, ସେପ୍ଟେମ୍ବର ୧୫ରେ ବିଦ୍ୟାଧର ସାହୁ, ଡିସେମ୍ବର ୨୬ରେ ବାତ୍ରାଖୋଲ ଗ୍ରାମର ବିଚିତ୍ର ବେହେରା, ୨୦୨୦ ମାର୍ଚ୍ଚ ୫ରେ କମରେଇ ଗ୍ରାମର ଦେବକୀ ବେହେରାଙ୍କ ଜୀବନ ନେଇଥିଲା। ସେହିପରି ଏହି ହାତୀପଲ ୧୨୭ଟି ଚାଳ, ଆଜବେଷ୍ଟସ ଘର ଭାଙ୍ଗିରୁଜି ନଷ୍ଟ କରିଛନ୍ତି। ୧୫ଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ ପଶି ୫୯୨ ଏକର ଜମିରେ ଧାନ, ୨୬୫ ଏକର ପରିବା ଚାଷ ଓ ୧୬୦ ଏକରରେ ଲାଗିଥିବା ଆମ୍ବ, କଦଳୀ, ପଣସ ଗଛ ନଷ୍ଟ କରିଛନ୍ତି। ବନ ବିଭାଗ ପକ୍ଷରୁ କାଁ ଭାଁ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରାଯାଇ କ୍ଷତିପୂରଣ ଦିଆଯାଇଥିବା ବେଳେ ଅଧିକାଂଶ ସହାୟତା ପାଇ ନ ଥିବା ଅଭିଯୋଗ କରିଛନ୍ତି। ବାରମ୍ବାର ଅଭିଯୋଗ ପରେ ବି ହାତୀ ଉପଦ୍ରବରୁ ସୁରକ୍ଷା ଦେବାରେ ବନ ବିଭାଗର ବିଫଳତା ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ଏ ସମ୍ପର୍କରେ ହଣ୍ଡପା ରେଞ୍ଜର ଚୈତନ୍ୟ ବେହେରା କୁହନ୍ତି, ଲୋକେ ଜଙ୍ଗଲ ନଷ୍ଟ କରୁଥିବାରୁ ହାତୀଙ୍କ ବାସସ୍ଥଳୀ ସହ ଖାଦ୍ୟ ନଷ୍ଟ ହେଉଛି। ଫଳରେ ହାତୀପଲ ଗ୍ରାମାଭିମୁଖୀ ହେଉଛନ୍ତି। ବିଭାଗ ପକ୍ଷରୁ ସ୍ବତନ୍ତ୍ର ଟିମ୍‌ କରାଯାଇ ହାତୀ ଘଉଡାଇବାକୁ ପଦକ୍ଷେପ ନିଆଯାଉଛି। ଏଥିସହ କ୍ଷତିପୂରଣ ମଧ୍ୟ ଯୋଗାଇ ଦିଆଯାଉଛି।

ବନ ବିଭାଗର ବିଫଳତା
ହଣ୍ଡପା ପଞ୍ଚାୟତରେ ଗୋଟିଏ ଦନ୍ତା ହାତୀ ଦୀର୍ଘବର୍ଷ ହେବ ଉପଦ୍ରବ କରୁଛି। ଫସଲ ନଷ୍ଟ, ଘର ଭାଙ୍ଗିବା ସହ ମଣିଷଙ୍କ ଜୀବନ ନେଉଛି। କ୍ଷତିଗ୍ରସ୍ତଙ୍କୁ ଠିକ୍‌ ଭାବେ କ୍ଷତିପୂରଣ ଦେଇପାରୁ ନ ଥିବା ବନ ବିଭାଗ ଏହା ରୋକିବାରେ ମଧ୍ୟ ବିଫଳ ସାବ୍ୟସ୍ତ ହୋଇଛି।
– ଅମିୟ ପ୍ରଧାନ, ସରପଞ୍ଚ, ହଣ୍ଡପା

ବହୁ ସମ୍ପତ୍ତି ନଷ୍ଟ ହୋଇଛି
ହାତୀ ଉପଦ୍ରବ ଯୋଗୁ ୬/୭ ବର୍ଷ ମଧ୍ୟରେ ବହୁ ସମ୍ପତ୍ତି ନଷ୍ଟ ହୋଇଛି। ଏ ନେଇ ରେଞ୍ଜ ଅଞ୍ଚଳରେ ଆତଙ୍କ ସୃଷ୍ଟି ହେଉଛି। ବନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସ୍ଥାୟୀ ସମାଧାନ କଲେ ଅଞ୍ଚଳବାସୀ ଉପକୃତ ହେବେ।
– ଅଜୟ କୁମାର ସାହୁ, ଲକ୍ଷ୍ମୀପ୍ରିୟାପୁର

ପାଟ୍ରୋଲିଂର ଅଭାବ
ଏହି ରେଞ୍ଜ ଅଞ୍ଚଳର ଗ୍ରାମଗୁଡ଼ିକରେ ଆବଶ୍ୟକ ମୁତାବକ ମୋବାଇଲ ଟାଓ୍ବାର ନ ଥିବାରୁ ହାତୀ ଉପଦ୍ରବ ସମୟରେ ବନ ବିଭାଗକୁ ଖବର ଦେଇହେଉ ନାହିଁ। ବନ ବିଭାଗ କର୍ମଚାରୀମାନେ ମଧ୍ୟ ଠିକ୍‌ ଭାବେ ପାଟ୍ରୋଲିଂ କରୁନାହାନ୍ତି।
– ସୁଜିତ ମହାପାତ୍ର, ରାଜନପାଳ

ଟ୍ରାଙ୍କୁଲାଇଜ୍‌ କରାଯାଉ
ରେଞ୍ଜ ଅଞ୍ଚଳର ଚାଷୀମାନେ ବର୍ଷ ବର୍ଷ ଧରି ଫସଲରେ କ୍ଷତି ସହୁଛନ୍ତି। ବିଶେଷକରି ପରିବା ଚାଷ ସହ କଦଳୀ ବଗିଚା ହାତୀ ନଷ୍ଟ କରୁଛି। କ୍ଷତି ଅନୁଯାୟୀ କ୍ଷତିପୂରଣ ଦିଆଯିବା ସହ ଉକ୍ତ ଦନ୍ତାହାତୀକୁ ଟ୍ରାଙ୍କୁଲାଇଜ୍‌ କରି ନନ୍ଦନକାନନ ପଠାଯାଉ।
– ପତି ସାହୁ, କଣ୍ଟେଇକୁଳିଆ

ରାତି ଉଜାଗର ହେଉଛନ୍ତି ଚାଷୀ
ହାତୀ ଉପଦ୍ରବ ରୋକିବା ପାଇଁ ବନ ବିଭାଗ ଉପଯୁକ୍ତ ପଦକ୍ଷେପ ନେଉନାହିଁ। ଗ୍ରାମବାସୀ ରାତି ଉଜାଗର ହୋଇ ନିଅଁା ହୁଳା ଧରି ଫସଲ ଜଗୁଥିବା ବେଳେ ନିଜ ପକେଟରୁ ଅର୍ଥ ଖର୍ଚ୍ଚ କରି ବାଣ କିଣି ଫୁଟାଇବାକୁ ବାଧ୍ୟ ହେଉଛନ୍ତି।
– ସୁନୀଲ ସେଠୀ, ଅଁଳାବେରେଣୀ

ଗାଁରେ ପଶି ଘର ଭାଙ୍ଗୁଛି
ଋଣ କରି ଚାଷ କରିଥିବା ଚାଷୀ କେବଳ ଫସଲରେ କ୍ଷତି ସହୁନାହିଁ ଅନେକ ସମୟରେ ଗଁାରେ ପଶି ହାତୀ ଘର ମଧ୍ୟ ଭାଙ୍ଗି ଦେଉଛି। ଉକ୍ତ ଦନ୍ତାହାତୀକୁ କାବୁ କରି ଅନ୍ୟତ୍ର ସ୍ଥାନାନ୍ତର ପାଇଁ ବହୁବାର ଦାବି ସତ୍ତ୍ୱେ ପଦକ୍ଷେପ ନିଆଯାଉ ନାହିଁ।
– ଅପି ଦେହୁରୀ, ଚାଷୀ


Enter your email to get our daily news in your inbox.

All Right Reserved By Dharitri.Com

ସାପ କାମୁଡ଼ାରେ ଆଶା କର୍ମୀଙ୍କ ଜୀବନ ଗଲା

ଠାକୁରମୁଣ୍ଡା,୨୭ା୫(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ସାଲେଇବେଡା ପଞ୍ଚାୟତ ରାଣୀଭୋଳ ଗ୍ରାମର ଆଶା କର୍ମୀ ଅମ୍ବିକା ମହାନ୍ତଙ୍କ ବୁଧବାର ସାପ କାମୁଡ଼ାରେ ପ୍ରାଣହାନୀ ଘଟିଛି। ମଙ୍ଗଳବାର...

ଗଞ୍ଜାମ ସହରରେ ଲାଗିଲା ଅଶୋକ ଚକ୍ର

ଗଞ୍ଜାମ,୧୧।୨(ଡି.ଏନ୍‌.ଏ.): ସଜେଇ ହେଉଛି ଗଞ୍ଜାମ ସହର। ଗଞ୍ଜାମ ସହର ଦାମୋଦରପୁରରେ ପ୍ରଥମ ଥର ପାଇଁ ପଥରରେ ନିର୍ମିତ ଅଶୋକ ଚକ୍ର ଲଗାଯାଇଛି। ଏଥିସହ ଆକର୍ଷଣୀୟ ପଥରରେ...

ନଡ଼ିଆ ଗଛରୁ ୧୦ ଫୁଟ ଲମ୍ବର ଅହିରାଜ ଉଦ୍ଧାର

ରଣପୁର, (ସ୍ବପ୍ର)୨।୧୦: ନୟାଗଡ଼ ଜିଲା ରଣପୁର ବ୍ଲକ ବିରୁଡ଼ା ଗ୍ରାମର ପ୍ରଫୁଲ୍ଲ ବେହେରାଙ୍କ ଘର ଆଗରେ ଥିବା ନଡ଼ିଆ ଗଛରୁ ବୁଧବାର ସକାଳେ ଦଶଫୁଟ ଲମ୍ବର...

ଯୌତୁକ ପାଇଁ ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗ

ଅନୁଗୋଳ ଅଫିସ,୪ା୧୦- ଅନୁଗୋଳ ଜିଲା ବନ୍ତଳା ଥାନା ବ୍ରହ୍ମପୁର ଅଞ୍ଚଳରେ ଯୌତୁକ ପାଇଁ ସ୍ତ୍ରୀଙ୍କୁ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏ ନେଇ ଥାନାରେ...

ମୂଷାପାଲି ପଞ୍ଚାୟତକୁ ମଦମୁକ୍ତ ପାଇଁ ଅଣ୍ଟା ଭିଡ଼ିଲେ ମହିଳା

କୋକସରା,୨୮ା୫(ଡି.ଏନ୍‌.ଏ.): ଦିନକୁ ଦିନ ଗ୍ରାମାଞ୍ଚଳରେ ଦେଶୀ ମଦଭାଟି ଛତୁ ଫୁଟିଲା ଭଳି ଖୋଲୁଥିବାରୁ ଗାଁ ଗାଁରେ ମଦ୍ୟପଙ୍କ ଦୌରାତ୍ମ୍ୟ ସହ ଗାଁ ପରିବେଶକୁ ଅଶାନ୍ତ କରୁଥିବା...

ପରିବା ବିକୁଛନ୍ତି ପାଲାଗାୟକ

ଖୋର୍ଦ୍ଧା ଅଫିସ,୧୧।୮: କରୋନା ମହାମାରୀ ଲୋକଙ୍କ ଜୀବନ ନେବା ସହ ଜୀବିକା ବଦଳାଇ ଦେଇଛି। ପରିବାର ପ୍ରତିପୋଷଣ ପାଇଁ ଶେଷରେ ପରିବା ବିକିବାକୁ ବାଧ୍ୟ ହୋଇଛନ୍ତି...

ମିନିଷ୍ଟାଡ଼ିୟମ୍‌ ପରିଦର୍ଶନ କଲେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ

ବାଲେଶ୍ୱର ଅଫିସ, ୩।୯-ବାଲେଶ୍ୱର ବିଜୁ ଛାତ୍ର ଜନତା ଦଳ ତରଫରୁ ଜିଲାସଭାପତି ସିମନ ଦାସ ମହାପାତ୍ରଙ୍କ ନେତୃତ୍ୱରେ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ...

ପୁତୁରାଙ୍କ ଆକ୍ରମଣରେ ବଡ଼ ମା’ ଗୁରୁତର

ଆନନ୍ଦପୁର,୧୦।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଭାଟସିରା ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ନାବାଳକ ପୁତୁରାଙ୍କ ଆକ୍ରମଣରେ ବଡ଼ ମା’ ଗୁରୁତର ହୋଇ...

Advertisement
Archives

Model This Week