ଲୋକେ କ’ଣ କହିବେ

ଆପଣ ଗୋଟେ କାମ କରିବାକୁ ଯାଉଛନ୍ତି ତ ଆପଣଙ୍କ ମାନସିକ ସ୍ତରରେ ପ୍ରବଳ ଚିନ୍ତନ। କେମିତି କରିବେ? କ’ଣ କରିବେ? ଯାହା ବି କରିବେ ଠିକ୍‌ ହେବ ତ! ଏଥିପାଇଁ କାହାଠାରୁ କିଛି ଶୁଣିବିନି ତ! ଲୋକେ କାଳେ କିଛି କହିବେନି ତ! ହୁଏତ ଆପଣ ଏମିତି ଭାବନା କଳ୍ପନା ଭିତରେ ଗୁଡ଼ାଏ ଦିନ ବୁଡ଼ିଯିବେ। ତାକୁ କାର୍ଯ୍ୟରେ ଲଗେଇଲାବେଳକୁ ବେଳ ଚାଲିଯିବ। ଡେରି ହୋଇଯାଇଥିବ। ଅନୁରୂପ କାମ ଆଉ ଜଣେ କିଏ କରିସାରିଥିବ। ସେତେବେଳେ ଆପଣ ଚକିତ ହୋଇଯିବେ। ପୁଣି ଭାବିବେ- ମୁଁ କରିବି ବୋଲି ଭାବୁଥିଲି। ଭାବି ଭାବି ଡେରି ହୋଇଗଲା। ମୋ ସ୍ଥାନରେ ଆଉ ଜଣେ କରିଦେଲା। ତା’ପରେ ପଶ୍ଚାତାପ। ପଛକୁ ପଛକୁ ବିଷାଦ। ଦୁନିଆର ଅନେକ ଲୋକ ଏମିତି ଗୋଲକଧନ୍ଦା ଭିତରେ ବୁଡ଼ିଯାଆନ୍ତି। ଆଉ କିଛି ପରକଥାରେ ପଡ଼ି ଘରନାଶ ନ୍ୟାୟରେ ନିଜକୁ ଡୁବାଇ ଦିଅନ୍ତି। ଘରଲୋକ ଯେତେ କହିଲେ ବି କର୍ଣ୍ଣପାତ କରନ୍ତିନି। ପଛରେ ମାଟି କାମୁଡ଼ି ମୁଣ୍ଡରେ ଦି’ହାତ ଦେଇ ବସନ୍ତି। ସାଧାରଣତଃ ଆମେ କିଛି କଲାବେଳେ ପ୍ରଥମେ ମୁଣ୍ଡକୁ ଢୁକେ ଲୋକେ କ’ଣ କହିବେ। ଲୋକଙ୍କ ଚିନ୍ତାରେ ନିଜ ଚିନ୍ତା, ସ୍ବପ୍ନ, ଆଗ୍ରହ, ଇଚ୍ଛାକୁ ମାରିଦିଅନ୍ତି। ଲୋକ ଯେମିତି କରନ୍ତି ସେମିତି କଲେ ଗଲା ଭାବି ସେଇ ରାସ୍ତାକୁ ସହଜ ସୁଗମ ବୋଲି ଅବିକଳ କାମ କରନ୍ତି। ଯେଉଁ କେତେଜଣ ଅଲଗା କରିବାକୁ ଚେଷ୍ଟା କରନ୍ତି, ସେମାନେ ଅଲଗା ହୋଇ ବାରିହୁଅନ୍ତି।
ଆଜିକା ଦୁନିଆର ଭିଡ଼ରେ ପାରମ୍ପରିକ କାମରେ ଲୋକଙ୍କର ଯେତିକି ଖୁସି, ଅଲଗା କରି କିଛି କରୁଥିବା ଲୋକଙ୍କର ସେତିକି ପସନ୍ଦ ବଢୁଛି। କୋଟି କୋଟି ମଣିଷ ଭିତରେ ଅଲଗାପଣକୁ ଲୋକେ ଚୟନ କରୁଛନ୍ତି ଆଗ୍ରହର ସହ। ଏସବୁ ସତ୍ତ୍ୱେ ଆମ ଭିତରେ ଗୋଟେ ଭୟ ଓ ସରମପଣ ବସା ବାନ୍ଧିଥାଏ ଲୋକେ କ’ଣ କହିବେ। ଏଇ ଭୟ ଆପଣଙ୍କୁ ଆପଣଙ୍କ ଭଳି ବଞ୍ଚତ୍ବାକୁ ଦେଇପାରୁନି। ଆପଣଙ୍କ ସ୍ବପ୍ନକୁ ସାକାର କରିବାକୁ ସୁଯୋଗ ଦେଇପାରୁନି। ଆପଣଙ୍କ ପରିବାରର ଆଗ୍ରହକୁ ଯଥାର୍ଥ ବୋଲି ସ୍ବୀକୃତି ଦେଇପାରୁନାହିଁ। ଯଦିଓ ନିଜ ଭିତରେ ଭାବୁଥାନ୍ତି ମୋ ପରିବାର ସପକ୍ଷରେ ହିଁ ଯିବି ଏବଂ ତାଙ୍କ ମନକଥାକୁ ସମ୍ପାଦିତ କରିବି, ତଥାପି କରିପାରୁନାହାନ୍ତି। କାରଣ ଆପଣଙ୍କ ଭିତରେ ଇତର ଲୋକଙ୍କ ଚିନ୍ତା ବେଶି ଘାରୁଛି। ଲୋକେ କ’ଣ କହିବେ। ଏ କଥା ମଧ୍ୟ ଆପଣ ଜାଣନ୍ତି ଲୋକେ ବହୁତ କୁହନ୍ତି। ଭଲ କଲେ କୁହନ୍ତି, ଖରାପ କଲେ ବି କୁହନ୍ତି। ଲୋକଙ୍କ କାମହେଲା କିଛି ନା କିଛି କହିବା। ଲୋକେ ସେତିକି ନ କହିଲେ ସମାଜ ବଢ଼ିବନି। ଆପଣଙ୍କୁ ଯଦି କିଛି ଲୋକ କୁହନ୍ତି ଜାଣନ୍ତୁ ଆପଣଙ୍କ ପ୍ରଗତି ଆରମ୍ଭ ହୋଇଛି। ତଥାପି ଆପଣଙ୍କ ଭିତରେ ଏତେ ସନ୍ଦେହ କ’ଣ ପାଇଁ? କୋଉଥିପାଇଁ ଆପଣଙ୍କ ଭିତରେ ଏତେ ଶଙ୍କାପଣ। ସବୁବେଳେ ନିଜ ମନକଥାକୁ ଗୁରୁତ୍ୱ ଦିଅନ୍ତୁ। ଭାଗବତରେ ବର୍ଣ୍ଣିତ ମହାନ୍‌ ଉକ୍ତି ଏଠାରେ ମନେ ପଡୁଛି-‘ମନ ତୋହର ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ?’ ମନକୁ ଗୁରୁ କରି ଆଗକୁ ବଢ଼ିବାକୁ ହେବ। ସମୟ ଚାଲିଗଲେ ସ୍ତର ସ୍ତର ହୋଇ ଆପଣଙ୍କ ଭିତରେ ପଶ୍ଚାତାପ ସ୍ତରୀଭୂତ ହୋଇ ହୃଦୟକୁ ଟାଣ କରିଦେବ। ହୃଦୟ ଭିତରେ ଥିବା ସେହି କୋମଳପଣ ଏବଂ ସ୍ବଚ୍ଛ ଓ ତଟକା ମନଟାକୁ କୋଉଠି ହଜାଇବାକୁ ପଡ଼ିବ। ସମୟ ସ୍ରୋତରେ ଏସବୁ ପାଇଁ ଆପଣ ନିଜକୁ ବାରମ୍ବାର ଦୋଷୀ କରିବାକୁ ପଡ଼ିବ। ଯେତେ ଚେଷ୍ଟାକଲେ ମଧ୍ୟ ଆପଣ ସେଇସବୁ ଦୁଃଖରୁ ମୁକୁଳି ପାରିବେନି। ଶେଷ ସମୟରେ ଜୀବନର ଦୁଃଖ ଏସବୁ ଆପଣଙ୍କୁ ମାରି ଗୋଡ଼େଇବ। ମୃତ୍ୟୁ ପର୍ଯ୍ୟନ୍ତ ଜୀବନର ଅବସୋସ ହୋଇ ରହିବ।
ଅଷ୍ଟ୍ରେଲିଆର ଜଣେ ସେବିକା ବ୍ରାନି ବେୟର ଆସନ୍ନମୃତ୍ୟୁରେ ଥିବା ବହୁ ଲୋକଙ୍କ ନିଜ ଜୀବନର ଅବସୋସ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ। ବିଭିନ୍ନ ଲୋକ ବିଭିନ୍ନ ପ୍ରକାର ଦୁଃଖ ଓ ଅବସୋସକୁ କହିଥିଲେ। ତାକୁ ସେ ସାମଗ୍ରିକ ଭାବେ ସମ୍ପାଦିତ କରିବା ପରେ ସମସ୍ତଙ୍କର ପାଞ୍ଚଟି ସାଧାରଣ ପଶ୍ଚାତାପ ପ୍ରାୟ ସମାନ ଥିଲା ବୋଲି ଉଲ୍ଲେଖ କରିଛନ୍ତି। ମୃତ୍ୟୁର ନିକଟତର ଲୋକେ କହିଥିଲେ – ଅନ୍ୟର ଅପେକ୍ଷିତ ଜୀବନ ବଞ୍ଚତ୍ବା ଅପେକ୍ଷା ନିଜ ବାଗରେ ଜୀବନ ଜିଇବାର ସାହସ ଥିଲେ ଭଲ ହୋଇଥାନ୍ତା। ଦ୍ୱିତୀୟ ପଶ୍ଚାତାପ ଥିଲା ଏତେ ପରିଶ୍ରମ କରି ଜୀବନ ଜିଇବାର ନ ଥିଲା। ତୃତୀୟଟି ଥିଲା- ନିଜ ଭିତରେ ଜାଗ୍ରତ ଭାବନା ଓ ଇଚ୍ଛାକୁ ବ୍ୟକ୍ତ କରିବାର ସାହସ ଥିଲେ ଭଲ ହୁଅନ୍ତା। ଚତୁର୍ଥଟି ହେଲା- ନିଜର ସାଙ୍ଗସାଥୀଙ୍କ ସମ୍ପର୍କରେ ରହିଆସିଥିଲେ ଭଲ ହୁଅନ୍ତା ଏବଂ ପଞ୍ଚମଟି ହେଲା- ନିଜକୁ ଜୀବନତମାମ୍‌ ଖୁସି ରଖିବାର ଥିଲା। ୨୦୧୮ର ଏଇ ଅଧ୍ୟୟନ ଅନେକ କହୁଛି। ସେମାନେ ସମସ୍ତେ ଗୋଟେ ଗୋଟେ ଆଦର୍ଶଗତ ଜୀବନ ବଞ୍ଚେଇବାକୁ ଚେଷ୍ଟା କରିଆସିଛନ୍ତି। ଲୋକେ କ’ଣ କହିବେ ଭାବି ଭାବି ନିଜର ସୁଖ, ସ୍ବପ୍ନକୁ ବଳିଦେଇଛନ୍ତି। ନିଜର କ୍ଷମତା ମୁତାବକ ନିଜ ଭାଗର ସୁଖକୁ ଉପଭୋଗ କରିବାରେ ଅସଫଳ ହୋଇଛନ୍ତି। ନିଜ ମନର କଥାକୁ ଗୁରୁତ୍ୱ ଦେଇନାହାନ୍ତି। ସେସବୁ ହିଁ ସାଧାରଣ ପଶ୍ଚାତାପ ଭାବେ ସେମାନଙ୍କର ଶେଷ ଜୀବନକୁ ଛଟପଟ କରିଛି।
ଏହାକୁ ଯଦି ଜୀବନର ବାସ୍ତବତା ବୋଲି ଧରିବା ତେବେ ସତରେ କ’ଣ କରିବା ଆବଶ୍ୟକ। ସ୍ବାଧୀନତା ଓ ସ୍ବେଚ୍ଛାଚାରିତା ଭିତରେ ଥିବା ଫରକକୁ ବୁଝି ଉତ୍ସୃଙ୍ଖଳତାଠାରୁ ନିଜକୁ ଦୂରରେ ରଖି ସବୁବେଳେ ନିଜର ମନ ଓ ହୃଦୟର କଥା ଶୁଣିବା ଲୋଡ଼ା। ଏଥିରେ ବିଫଳ ହେଲେ ଦୁଃଖ କରିବାର ନାହିଁ। ପରକଥାରେ କୋଉଠି ସଫଳତା ମିଳିବ ବୋଲି ଗ୍ୟାରେଣ୍ଟି ଅଛି। ଜୀବନକୁ ନିଜ ଢଙ୍ଗରେ ଜିଇବାର ସୁଯୋଗ ଦେବା ଉଚିତ। ଲୋକେ କ’ଣ କହିବେ ବୋଲି ନିଜର ସୁଖକୁ ପଛ କରିବା ଆଦୌ ଉଚିତ ନୁହଁ। ଅର୍ଥ, ପ୍ରତିପତ୍ତି ଓ ସ୍ବାର୍ଥ ପଛରେ ଗୋଡ଼େଇ ଗୋଡ଼େଇ ନୟାନ୍ତ ହେବା ଅପେକ୍ଷା ଜୀବନ ଜିଇଲା ଭଳି ସୁଖ ଭିତରେ ରହିବା ଆବଶ୍ୟକ। ନିଜର ଦକ୍ଷତାଠାରୁ ଅଧିକ ଆଶା ଓ ଅପେକ୍ଷା ଜୀବନର ସୁଖ ଏବଂ ଶାନ୍ତିକୁ ନଷ୍ଟ କରେ। ଯନ୍ତ୍ର ମଣିଷଟିଏ ସାଜି ନିଜର ସବୁ ସୁଖକୁ ଛଡ଼େଇନେବ ସମୟ। ତଥାପି ଆପଣ ଭାବୁଛନ୍ତି କି ସତରେ ଏମିତି ଜୀବନ ଜିଇହେବ! ନିଶ୍ଚିତ ଜିଇ ହେବ। ନିଜ ଆଦର୍ଶରେ ନିଜକୁ ପରିଚାଳିତ କରନ୍ତୁ। ଲୋକେ ଥରେଅଧେ କହିବେ। ତାକୁ ପଚାରେ କିଏ? ଏଡ଼େଇ ଚାଲନ୍ତୁ ଦେଖିବେ ଆଉ ଲୋକେ କହିବା ବନ୍ଦ କରିଦେବେ ଆପେଆପେ। ତେଣିକି ନିଜ ଜୀବନର ପଥ ଉନ୍ମୁକ୍ତ ହୋଇଯିବ। ସେତେବେଳେ ଜୀବନ ସତରେ କେଡ଼େ ମିଠା ଲାଗିବ!

– ଡ. ଦ୍ୱିତୀଚନ୍ଦ୍ର ସାହୁ
ଇନ୍ଦିରା ନଗର, ୪ର୍ଥ ଗଳି, ରାୟଗଡ଼ା,
ମୋ: ୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

ଜଳବାୟୁ ଆଇନ ପାଇଁ ଆହ୍ବାନ

ଗତବର୍ଷ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ଜଳବାୟୁ ପରିବର୍ତ୍ତନ ଉପରେ ଏକ ଆଇନଗତ ମତ ବା ରାୟ ପ୍ରକାଶ କରିଥିଲେ, ଯାହା ୨୦୧୫ ପ୍ୟାରିସ ଚୁକ୍ତି…

ସେବାରୁ ଆରମ୍ଭ, ସ୍ୱାର୍ଥରେ ଶେଷ

ଏବକାର ଭାରତରେ ରାଜନୀତିଜ୍ଞମାନେ ଇଂଲିଶ ଅକ୍ଷର ଏସ୍‌(S)କୁ ଜପାମାଳି କରି ଦେଇଛନ୍ତି। ଏହା ମାଧ୍ୟମରେ ସେମାନେ ଦେଶସେବା କରିବାର ଛଳନା କରୁଛନ୍ତି। ପ୍ରତ୍ୟେକ ସ୍ଲୋଗାନ, ପ୍ରତ୍ୟେକ ଯୋଜନା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri