ନୂଆଦିଲ୍ଲୀ,୧୪।୧୦: କ୍ରିକେଟ ପଡ଼ିଆ ପରେ ଏବେ ବ୍ୟବସାୟ ଜଗତରେ ନୂଆ ଇନିଂସ ଆରମ୍ଭ କରିଛନ୍ତି ଟିମ ଇଣ୍ଡିଆର ଷ୍ଟାର୍ କ୍ରିକେଟର ବିରାଟ କୋହଲି। ୩୭ ବର୍ଷ ବୟସରେ ସେ ପେସାଦାର ସୋସିଆଲ ନେଟୱର୍କିଂ ପ୍ଲାଟଫର୍ମ LinkedInରେ ଡେବ୍ୟୁ କରିଛନ୍ତି। ତାଙ୍କ ପ୍ରୋଫାଇଲ ଓ ପ୍ରଥମ ପୋଷ୍ଟର ସ୍କ୍ରିନ୍ସଟ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି।
କୋହଲି କେବଳ ଜଣେ ମହାନ କ୍ରିକେଟର ନୁହନ୍ତି, ବରଂ ବ୍ୟବସାୟ ଜଗତରେ ମଧ୍ୟ ନିଜର ପରିଚୟ ଗଢ଼ିଛନ୍ତି। ସ୍ପୋର୍ଟସୱେର୍ ବ୍ରାଣ୍ଡ Agilitasରେ ନିବେଶକ ହେବା ସହ ସେ one8worldର ସହ-ପ୍ରତିଷ୍ଠାତା ମଧ୍ୟ ଅଛନ୍ତି। ତେଣୁ LinkedInରେ ତାଙ୍କର ଏହି ନୂଆ ପଦକ୍ଷେପକୁ ବ୍ୟବସାୟ ଓ କ୍ରୀଡ଼ା ଜଗତରେ ଏକ ଗୁରୁତ୍ୱପୂର୍ଣ୍ଣ ଆରମ୍ଭ ଭାବେ ଦେଖାଯାଉଛି। ନିଜ LinkedIn ପ୍ରୋଫାଇଲ୍ର ବାୟୋରେ କୋହଲି କ୍ରିକେଟ ସହ ନିଜର ଦୀର୍ଘ ସମ୍ପର୍କ ବିଷୟରେ ଉଲ୍ଲେଖ କରିଛନ୍ତି। ପ୍ରାୟ ୧୮ ବର୍ଷ ଧରି କ୍ରିକେଟ ପିଚ ତାଙ୍କ ଘର ହୋଇ ରହିଥିବା ସେ କହିଛନ୍ତି।
ତାଙ୍କ ମତରେ, କ୍ରିକେଟ ପଡ଼ିଆର ୨୨ ଗଜ କେବଳ ତାଙ୍କ ଖେଳକୁ ଆକାର ଦେଇନାହିଁ, ବରଂ ଆଜି ସେ ଯେଉଁ ମଣିଷ ହୋଇପାରିଛନ୍ତି, ତାହା ଗଢ଼ିବାରେ ମଧ୍ୟ ବଡ଼ ଭୂମିକା ନେଇଛି। ଏଥିପାଇଁ କ୍ରିକେଟ ପ୍ରତି ସେ ନିଜକୁ ସବୁବେଳେ ଋଣୀ ବୋଲି ମନେ କରନ୍ତି।
LinkedInରେ ପ୍ରଥମ ପୋଷ୍ଟ କରି କୋହଲି ଭାରତର କ୍ରୀଡ଼ା ଭବିଷ୍ୟତକୁ ନେଇ ନିଜର ଦୃଷ୍ଟିକୋଣ ସ୍ପଷ୍ଟ କରିଛନ୍ତି। ସେ ଏମିତି ଏକ ଭାରତର ସ୍ବପ୍ନ ଦେଖୁଥିବା କହିଛନ୍ତି, ଯେଉଁଠି ପ୍ରତ୍ୟେକ କ୍ରୀଡ଼ାକୁ ଗୁରୁତ୍ୱ ଦିଆଯିବ, ତାହାକୁ ସମ୍ମାନ ମିଳିବ ଏବଂ ଲୋକମାନେ ଏଥିରେ ଭାଗ ନେବେ। ନୂଆ ପିଢ଼ିର ଖେଳାଳିମାନେ ପ୍ରମାଣ କରୁଛନ୍ତି ଯେ ଭାରତ ବିଶ୍ୱସ୍ତରୀୟ ଆଥଲେଟ ତିଆରି କରିପାରିବା ସହ ଅନ୍ତର୍ଜାତୀୟ ସ୍ତରରେ ସଫଳ ବ୍ରାଣ୍ଡ ମଧ୍ୟ ଗଢ଼ିପାରିବ।
ଭାରତରୁ ଏକ ସମ୍ପୂର୍ଣ୍ଣ କ୍ରୀଡ଼ା ଇକୋସିଷ୍ଟମ ଗଢ଼ିବା ତାଙ୍କର ଲକ୍ଷ୍ୟ। ଏଥିରେ ଉତ୍ପାଦନ, ଗ୍ରାହକଙ୍କ ପାଇଁ ବ୍ରାଣ୍ଡ ଏବଂ କ୍ରୀଡ଼ା ସାମଗ୍ରୀର ବିତରଣ ବ୍ୟବସ୍ଥା ଭଳି କ୍ଷେତ୍ର ସାମିଲ ହେବ। ଭାରତ କେବଳ ବିଶ୍ୱ କ୍ରୀଡ଼ାରେ ଭାଗ ନେବାରେ ସୀମିତ ନ ରହି, ଏହାର ଭବିଷ୍ୟତ ଗଢ଼ିବାରେ ମଧ୍ୟ ଯୋଗଦାନ ଦେଉ ବୋଲି ସେ ଚାହୁଁଛନ୍ତି।
ନିଜର ଏହି ଲକ୍ଷ୍ୟକୁ ଆଗକୁ ନେବା ପାଇଁ କୋହଲି Agilitas ସହ ନିବେଶକ ଭାବେ ଯୋଡ଼ି ହୋଇଛନ୍ତି। ଏଥିସହ one8worldର ସହ-ପ୍ରତିଷ୍ଠାତା ଓ ସହ-ସୃଷ୍ଟିକର୍ତ୍ତା ଭାବେ ମଧ୍ୟ ସେ କାର୍ଯ୍ୟ କରୁଛନ୍ତି। one8ର ମୂଳ ଚିନ୍ତାଧାରା ତାଙ୍କ କ୍ୟାରିୟରରେ ଅନୁସରଣ କରିଆସିଥିବା ନୀତି ଉପରେ ଆଧାରିତ। ସୀମା ଅତିକ୍ରମ କରିବା, ମାନଦଣ୍ଡକୁ ଆହୁରି ଉଚ୍ଚ କରିବା ଏବଂ ନୂଆ କିଛି କରିବାକୁ ସାହସ ଦେଖାଇବା ଦ୍ୱାରା ହିଁ ପ୍ରକୃତ ଉନ୍ନତି ସମ୍ଭବ ବୋଲି ସେ କହିଛନ୍ତି।
Dharitri – Odisha’s No.1 Odia Daily

