ବଲାଙ୍ଗୀର,୧୪ା୧୦(ସୁନିଲ କୁମାର ମହାନ୍ତି): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ ବଲାଙ୍ଗୀରର ବିଜେଡି ଓ ଭାଜପା ମଧ୍ୟରେ ଉତ୍ତେଜନା ଚରମ ସ୍ଥିତିରେ ପହଞ୍ଚିଛି। ମଙ୍ଗଳବାର ସର୍କିଟ ହାଉସ୍ଠାରେ ଏବିଭିପି ଓ ବିଜେଡି ମୁହାଁମୁହିଁ ହୋଇଥଲେ। ଆଜି ପୁଣି ଥରେ ବିଜେଡି ଓ ଭାଜପା ମଧ୍ୟରେ ବଚସା ହୋଇଥିଲା। ପୋଲିସ ଜଣେ ଛାତ୍ରନେତାଙ୍କ ସମେତ ୩ ଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ବହୁ ବିଜେଡି ନେତା ଓ ସମର୍ଥକ ଲକ୍ଷ୍ମୀଯୋର ଥାନା ସମ୍ମୁଖରେ ଅଟକି ରହିଛନ୍ତି। ଅନ୍ୟପଟେ ଭାଜପା ସମର୍ଥକମାନେ ମଧ୍ୟ ଲକ୍ଷ୍ମୀଯୋର ଥାନାରେ ଅଟକି ରହିଛନ୍ତି। ବଲାଙ୍ଗୀର ଆଡସନାଲ ଏସପି ଗୁଣନିଧି ମଲ୍ଳିକ ଲକ୍ଷ୍ମୀଯୋର ଥାନାରେ ପହଞ୍ଚିଛନ୍ତି। ସ୍ଥିତିକୁ ନଜରେ ରଖି ପୋଲିସ ଫୋର୍ସ ମୁତୟନ କରାଯାଇଛି। ବିଜେଡି ପକ୍ଷରୁ ଜିଲା ଯୁବ ବିଜେଡି ସଭାପତି ରାଜେନ୍ଦ୍ର ହୋତା ଓ ବିଜୁ ଛାତ୍ର ଜନତା ଦଳ ସଭାପତି ସୁମନ ନନ୍ଦଙ୍କୁ ଅଗଣତାନ୍ତ୍ରିକ ଭାବେ ଅଟକ ରଖାଯାଇଥିବା ଅଭିଯୋଗ କରାଯାଇଛି। ସେମାନଙ୍କୁ ଛଡ଼ା ନ ଗଲେ ଆନ୍ଦୋଳନ କରାଯିବ ବୋଲି ବିଜେଡି ନେତାମାନେ କହିଛନ୍ତି।

