ନୂଆଦିଲ୍ଲୀ,୧୧।୯: UPI ମାଧ୍ୟମରେ ପେମେଣ୍ଟ କରିବାର ତରିକା ଏବେ ଆହୁରି ସହଜ ହେବାକୁ ଯାଉଛି। ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ (NPCI) ସେପ୍ଟେମ୍ୱର ୨୦୨୬ରେ UPIର ଏକ ନୂଆ ‘ଟ୍ୟାପ ଆଣ୍ଡ ପେ’ (Tap and Pay) ଫିଚର ଉପସ୍ଥାପନ କରିଛି। ଏହାପରେ ଗ୍ରାହକମାନଙ୍କୁ ଦୋକାନରେ ପେମେଣ୍ଟ କରିବା ପାଇଁ QR କୋଡ ସ୍କାନ କରିବାକୁ ପଡ଼ିବ ନାହିଁ କିମ୍ୱା ଦୋକାନୀଙ୍କ ମୋବାଇଲ ନମ୍ୱର ଟାଇପ କରିବାକୁ ହେବ ନାହିଁ। ଏହାର ବିଶେଷତା ହେଉଛି, ଦୁର୍ୱଳ ନେଟୱର୍କ କିମ୍ୱା ଇଣ୍ଟରନେଟ ନ ଥିବା ଅବସ୍ଥାରେ ମଧ୍ୟ ଏହି ସୁବିଧା କାର୍ଯ୍ୟ କରିପାରିବ।
ଏହି ନୂଆ ‘Tap and Pay’ ବ୍ୟବସ୍ଥା NFC (Near Field Communication) ପ୍ରଯୁକ୍ତିରେ କାର୍ଯ୍ୟ କରେ। ଏଥିପାଇଁ ୟୁଜର୍ଙ୍କୁ ନିଜ ସ୍ମାର୍ଟଫୋନର ସେଟିଂସରେ NFC ଫିଚର ଅନ (On) କରିବାକୁ ପଡ଼ିବ। ଏହାପରେ ଫୋନକୁ ସପୋର୍ଟେଡ POS ମେସିନ କିମ୍ୱା ଡିଜିଟାଲ ସାଉଣ୍ଡବକ୍ସ ନିକଟକୁ ନେଇ ଟ୍ୟାପ କରିବାକୁ ହେବ। ଦୁଇଟି ଯାକ ଡିଭାଇସ ସଂଯୋଗ ହେବା ମାତ୍ରେ ହିଁ ପେମେଣ୍ଟ ପ୍ରକ୍ରିୟା ଆରମ୍ଭ ହୋଇଯିବ।
ବର୍ତ୍ତମାନ ଦୋକାନରେ UPI ପେମେଣ୍ଟ ପାଇଁ ସାଧାରଣତଃ QR କୋଡ ସ୍କାନ କରିବାକୁ ପଡ଼ିଥାଏ। ଏଥିପାଇଁ କ୍ୟାମେରା ଖୋଲିବା, ସଠିକ QR କୋଡ ଖୋଜିବା ଏବଂ ତାହାକୁ ସ୍କାନ କରିବା ଜରୁରୀ। ନୂଆ ଫିଚରରେ ଏହି ପୂରା ପ୍ରଣାଳୀ ବଦଳିଯିବ। ଫୋନକୁ POS ମେସିନ କିମ୍ୱା ଡିଜିଟାଲ ସାଉଣ୍ଡବକ୍ସ ପାଖରେ ଟ୍ୟାପ କରି ପେମେଣ୍ଟ କରାଯାଇପାରିବ। ଏହାଦ୍ୱାରା କମ ଆଲୋକ ଥିବା ସ୍ଥାନରେ କିମ୍ୱା QR ସ୍କାନ କରିବାରେ ଆସୁଥିବା ସମସ୍ୟା ମଧ୍ୟ ଦୂର ହୋଇଯିବ।
ଏହି ଫିଚରର ସବୁଠାରୁ ବଡ଼ ବିଶେଷତା ହେଉଛି ଏହାର ଅଫଲାଇନ ମୋଡ। ଦୁର୍ୱଳ ମୋବାଇଲ ନେଟୱର୍କ ଥିଲେ କିମ୍ୱା ଇଣ୍ଟରନେଟ କନେକ୍ସନ ନ ଥିଲେ ମଧ୍ୟ ପେମେଣ୍ଟ କରାଯାଇପାରିବ। ଏଥିପାଇଁ UPI Lite ୱାଲେଟ ଜରିଆରେ ସୁରକ୍ଷିତ ଅଫଲାଇନ ଟୋକନ ବ୍ୟବହାର କରାଯିବ। ଅର୍ଥାତ ଜନଗହଳିପୂର୍ଣ୍ଣ ବଜାର କିମ୍ୱା ଦୁର୍ୱଳ ନେଟୱର୍କ ଥିବା ଅଞ୍ଚଳରେ ପେମେଣ୍ଟ ଫସିଯିବା (ଅଟକିଯିବା) ସମସ୍ୟା କମିଯାଇପାରେ।
NPCIର ଏହି ନୂଆ ଫିଚରର ପ୍ରଭାବ ସାରା ଦେଶର କୋଟି କୋଟି ଗ୍ରାହକ ଏବଂ ଖୁଚୁରା ବ୍ୟବସାୟୀଙ୍କ ଉପରେ ପଡ଼ିପାରେ। ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ପାଇଁ NFC ସପୋର୍ଟ ଥିବା ଡିଭାଇସ ଆବଶ୍ୟକ ହେବ। ୨୦୨୬ ବର୍ଷର ଶେଷ ତ୍ରୈମାସିକ ସୁଦ୍ଧା ଏହି ସୁବିଧାକୁ ସମସ୍ତ ପ୍ରମୁଖ ମର୍ଚାଣ୍ଟ POSରେ ଉପଲବ୍ଧ କରାଇବା ପାଇଁ କମ୍ପାନୀ ଯୋଜନା କରିଛି।
Global Fintech Fest 2026ରେ NPCI, UPI ସହିତ ଜଡ଼ିତ ଅନ୍ୟ ଏକ ବଡ଼ ଫିଚର ‘My UPI’ ଲଞ୍ଚ କରିଛି। ଏହାକୁ UPI ପାଇଁ ଏକ ପ୍ରକାରର ‘AI companion’ (ଏଆଇ ସହଯୋଗୀ) ଭାବେ ବର୍ଣ୍ଣନା କରାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି ପେମେଣ୍ଟକୁ ସହଜ କରିବା ସହିତ ସୁରକ୍ଷା ସମ୍ୱନ୍ଧୀୟ କାର୍ଯ୍ୟରେ ମଧ୍ୟ ୟୁଜର୍ସଙ୍କୁ ସାହାଯ୍ୟ କରିବା।
My UPIରେ ’Pay Safe’ ଫିଚର ଦିଆଯାଇଛି। ଏଥିରେ ୟୁଜର୍ UPI QR କୋଡ ଅପଲୋଡ କରି ତାହା ସହିତ ଜଡ଼ିତ ବିବରଣୀ ଯାଞ୍ଚ କରିପାରିବେ। ଏହାଦ୍ୱାରା ମର୍ଚାଣ୍ଟଙ୍କ ବର୍ଗ (category) ଏବଂ ତାଙ୍କ ପେମେଣ୍ଟ ହିଷ୍ଟ୍ରି ଭଳି ସୂଚନା ଦେଖିହେବ। QR କୋଡିଂ କୌଣସି ଠକ ବା ଫ୍ରଡ ମର୍ଚାଣ୍ଟର କି ନୁହେଁ, ତାହା ଜାଣିବା ପାଇଁ ଏହା ବ୍ୟବହାର କରାଯାଇପାରିବ।
My UPIରେ ’Pay Again’ ଫିଚର ମଧ୍ୟ ପ୍ରଦାନ କରାଯାଇଛି। ଏହାର ସାହାଯ୍ୟରେ ଯେଉଁ ଲୋକ କିମ୍ୱା ମର୍ଚାଣ୍ଟଙ୍କୁ ବାରମ୍ୱାର ପେମେଣ୍ଟ କରାଯାଏ, ସେମାନଙ୍କୁ ପୁନର୍ୱାର ପେମେଣ୍ଟ କରିବା ସହଜ ହୋଇଯିବ। ଏହାଦ୍ୱାରା ପ୍ରତିଥର ସମ୍ପୂର୍ଣ୍ଣ ପେମେଣ୍ଟ ପ୍ରକ୍ରିୟା ଦୋହରାଇବାର ଆବଶ୍ୟକତା କମିଯିବ।
ପେମେଣ୍ଟକୁ ନେଇ କୌଣସି ପ୍ରକାର ସନ୍ଦେହ କିମ୍ୱା ସମସ୍ୟା ହେଲେ ‘Automated Complaints’ ଫିଚର କାମରେ ଆସିବ। ଏହା ମାଧ୍ୟମରେ ୟୁଜର୍ ନିଜ UPI ଆପ ଭିତରୁ ହିଁ ଅଭିଯୋଗ ଦାଖଲ କରିପାରିବେ। ଏଥିପାଇଁ ଅଲଗା ଭାବେ ବ୍ୟାଙ୍କରେ ଅଭିଯୋଗ କରିବାର ଆବଶ୍ୟକତା ପଡ଼ିବ ନାହିଁ। ଅଭିଯୋଗ ଦାଖଲ କରିବା ପରେ ତାହାକୁ ଟ୍ରାକ ମଧ୍ୟ କରାଯାଇପାରିବ।
NPCI ତରଫରୁ UPI ପାଇଁ ’Safety Switch’ ଫିଚର ମଧ୍ୟ ଲଞ୍ଚ କରାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି ୟୁଜର୍ସଙ୍କୁ ନିଜ UPI ବ୍ୟବହାର ଉପରେ ଅଧିକ ନିୟନ୍ତ୍ରଣ ପ୍ରଦାନ କରିବା। ଏହା ସହିତ ’UPI De-link’ ଫିଚର ସାହାଯ୍ୟରେ ୟୁଜର୍ ନିଜ UPI ନମ୍ୱରକୁ ଡି-ଲିଙ୍କ (ଅଣ-ସଂଯୋଗ) ମଧ୍ୟ କରିପାରିବେ।

