ଓ୍ବେଲିଂଟନ,୭।୧୧: ଯୁବ ଫାଷ୍ଟ ବୋଲରଙ୍କ ଜବରଦସ୍ତ ପ୍ରଦର୍ଶନ ପରେ ଲୋକେଶ ରାହୁଲଙ୍କ ନିର୍ଭରଯୋଗ୍ୟ ବ୍ୟାଟିଂ ବଳରେ ଶନିବାର ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ବର୍ଷା ପ୍ରଭାବିତ ଦ୍ୱିତୀୟ ଦିନିକିଆ ମ୍ୟାଚ୍କୁ ଭାରତ ଡିଏଲ୍ଏସ୍ ମେଥଡରେ ୪ ରନରେ ଜିତି ନେଇଛି।
ଏହି ବିଜୟ ସହ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୧ତମ ଦିନିକିଆ ବିଜୟ ହାସଲ କରି ବିରଳ ରେକର୍ଡ ହାସଲ କରିଛି। ଯାହାକି ଗୋଟିଏ ବର୍ଷରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଯେକୌଣସି ଦଳ ପାଇଁ ସର୍ବାଧିକ ସଂଖ୍ୟକ ବିଜୟ। ଏଥିପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆ ନାମରେ ଥିଲା। ଅଷ୍ଟ୍ରେଲିଆ ୨୦୦୫ରେ ନ୍ୟୁଜିଲାଣ୍ଡକୁ ୧୦ଥର ହରାଇଥିଲା। ସେହିଭଳି ଇଂଲଣ୍ଡ ୨୦୦୮ରେ ନ୍ୟୁଜିଲାଣ୍ଡକୁ ୯ ଥର ହରାଇଥିଲା।
୪୭ ଓଭରରେ ୧୩୫ ରନର ଟାର୍ଗେଟ ପିଛା କରୁଥିବା ଭାରତ ୨୬ ଓଭରରେ ୭ ଉଇକେଟ ହରାଇ ୧୧୩ ରନ କରିଥିବା ବେଳେ ବର୍ଷା ଯୋଗୁ ଆଉ ଖେଳ ସମ୍ଭବ ହୋଇ ନ ଥିଲା। ୨୬ ଓଭର ସୁଦ୍ଧା ଡିଏଲ୍ଏସ୍ ମେଥଡରେ ଜିତିବା ପାଇଁ ୧୦୯ ରନ ଦରକାର ଥିବାରୁ ଭାରତକୁ ବିଜୟୀ ଘୋଷିତ କରାଯାଇଥିଲା। ଏଥିସହିତ ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ରେ ଭାରତ ୨-୦ର ଅଗ୍ରଣୀ ହାସଲ କରିଛି।
ମ୍ୟାଚ୍ରେ କ୍ୟାରିୟରର ଶ୍ରେଷ୍ଠ ବୋଲିଂ କରିଥିବା ଗୁରନୁର ବ୍ରାରଙ୍କୁ ପ୍ଲେୟର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି। ସିରିଜ୍ର ତୃତୀୟ ମ୍ୟାଚ୍ ମଙ୍ଗଳବାର ହାମିଲଟନଠାରେ ଖେଳାଯିବ।

