‘ଐତିହାସିକ’ ମାନେ ବୁଝନ୍ତୁ

ସହଦେବ ସାହୁ

 

କିଛି ଗୋଟିଏ ନୂଆ ନାଁ ଦେଇ ପ୍ରକଳ୍ପଟିଏ ଚାଲୁ କଲାବେଳେ ପ୍ରାଦେଶିକ ସ୍ତରରେ ହେଉ କି କେନ୍ଦ୍ରରେ ହେଉ, ସରକାର କହନ୍ତି ଏ ଏକ ‘ଐତିହାସିକ’ ପଦକ୍ଷେପ। ଅନ୍ୟ ଦଳ ତୁଳନାରେ ବେଶିଦିନ ଗାଦିରେ ରହିଲେ ସହଜେ ତ ତାକୁ ଏକ ‘ଐତିହାସିକ’ ସଫଳତା କହନ୍ତି, ପୁଣି ତା’ ଭିତରେ ପ୍ରତି ଥର କିଛି ଗୋଟିଏ ନୂଆ ପ୍ରକଳ୍ପ ଆରମ୍ଭ କଲେ ତାହା ‘ଐତିହାସିକ’ ବୋଲି କୁହନ୍ତି, ତାକୁ ମିଡିଆ ବି ବଡ଼ବଡ଼ ଅକ୍ଷରରେ ପ୍ରକାଶ କରିଥାଏ। ଇତିହାସରେ ଯାହାର ନଜିର ନାହିଁ ଓ ନୂଆକରି ସମ୍ପାଦନ କରାଯାଉଛି ତାହା ଐତିହାସିକ, ଇଂଲିଶରେ ହିଷ୍ଟୋରିକ୍‌, ପରବର୍ତ୍ତୀ କାଳରେ ଲେଖା ହେବା ଇତିହାସର ପୃଷ୍ଠାରେ ଉଲ୍ଲେଖ ହେବ: ଏ ଆଶା ଶାସକ ଦଳର ନେତାଙ୍କର ଅଛି। ହିଷ୍ଟୋରିକ୍‌ ଆଉ ହିଷ୍ଟୋରିକାଲ୍‌ ଦୁଇଟାଯାକ ଶବ୍ଦ ଓଡ଼ିଆରେ ଐତିହାସିକ, କିନ୍ତୁ ପ୍ରଭେଦ ବହୁତ, ଯାହା ଇତିହାସରେ ସ୍ଥାନ ନେଇସାରିଛି ତା’ ହିଷ୍ଟୋରିକାଲ୍‌। ମହମ୍ମଦ ବିନ୍‌ ତୁଘଲକ୍‌ ଜଣେ ହିଷ୍ଟୋରିକାଲ୍‌ ବ୍ୟକ୍ତି, ପୁଣି ଦିଲ୍ଲୀରୁ ଦୌଲତାବାଦକୁ ରାଜଧାନୀ ଉଠାଇ ନେବା ଏକ ହିଷ୍ଟୋରିକ୍‌ ଘଟଣା।
ଅବଢ଼ା ପରିଯୋଜନା ଅନ୍ତର୍ଗତ ଶ୍ରୀମନ୍ଦିର ପରିକ୍ରମା ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ସରକାର ଘୋଷଣା କଲେ ଯେ ଓଡ଼ିଶାବାସୀ ଓ ଜଗନ୍ନାଥ-ଭକ୍ତମାନଙ୍କ ପାଇଁ ଏ ଏକ ହିଷ୍ଟୋରିକ୍‌ ଡେ। କାଳିଆ, ଅବଢ଼ା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ଆଦି ପ୍ରତ୍ୟେକର ପ୍ରବର୍ତ୍ତନ ବା ପ୍ରଚଳନ- ଗୋଟିଏ ଗୋଟିଏ ହିଷ୍ଟୋରିକ୍‌ ଦିବସ ସୃଷ୍ଟି କରିଛି ବୋଲି ଆମ ରାଜ୍ୟ ସରକାର କହୁଛନ୍ତି। ଓଡ଼ିଶାବାସୀଙ୍କ ମନକୁ ପାଇବା ଓ କାନକୁ ଭଲ ଶୁଭିବା ଶବ୍ଦଟିଏ ‘ଅବଢ଼ା’, ଏମିତି ଉଚ୍ଚାରଣ କେବଳ ସାରା ପୃଥିବୀର ହିନ୍ଦୁମାନଙ୍କ ଭିତରେ ଭକ୍ତିଭାବ ଉଦ୍ରେକ କରେନାହିଁ, ଓଡ଼ିଶାରେ ଥିବା ଅଣହିନ୍ଦୁମାନେ ବି, ମୁସଲିମ୍‌ ହୁଅନ୍ତୁ କି ଖ୍ରୀଷ୍ଟିଆନ, ଅବଢ଼ା ପ୍ରତି ସମ୍ମାନ ପ୍ରଦର୍ଶନ କରନ୍ତି। ଗୋଟିଏ ଉଦାହରଣ ହେଉଛି ଆମ ରାଜ୍ୟରେ ପ୍ରଚଳିତ ଧରମ-ସମ୍ପର୍କ ପ୍ରଥା (ଯଥା ଧରମ ଭାଇ, ଧରମ ଚାଚା), ଯେଉଁଥିରେ ନିର୍ମାଲ୍ୟ (ଅବଢ଼ା ଅନ୍ନରୁ ଜାତ) ପ୍ରଦାନ ସମ୍ପର୍କକୁ ଦୃଢ଼ କରିବାର ସନ୍ତକ ରୂପେ ଗ୍ରହଣ କରାଯାଏ। ଅବଢ଼ା ନାଁରେ ଯୋଜନାଟିଏ କଲେ କେବଳ ଓଡ଼ିଶାବାସୀ ଖୁସି ହେବେ ନାହିଁ, ଶାସକଦଳର ଜଗନ୍ନାଥ ପ୍ରୀତି ବିଶ୍ୱସାରା ପ୍ରଚାରିତ ହୋଇଯିବ। ଏହାକୁ ଏକ ଆବ୍ରିଭିଏଶନ୍‌ (ଶବ୍ଦ-ସଂକ୍ଷେପ) ନ କହି ନେମୋନିକ୍‌ (ସ୍ମୃତି ସହାୟକ) କହିହେବ। ପ୍ରକଳ୍ପର ସଂକ୍ଷିପ୍ତ ନାମକରଣ ସିନା ଅବଢ଼ା, ତା’ର ସବିଶେଷ ନାମ ଶୁଣିଲେ ପାଠକମାନଙ୍କୁ ବଡ଼ ଅଖାଡୁଆ ଲାଗିବ, ଇଂଲିଶରୁ ଜବରଦସ୍ତ ଶବ୍ଦଗୁଡ଼ିଏ ଲଗାଯାଇଛି ଯଥା- ଅଗ୍‌ମେଣ୍ଟେଶନ୍‌ ଅଫ୍‌ ବେସିକ୍‌ ଆମେନିଟିଜ୍‌ ଆଣ୍ଡ ଡେଭଲପ୍‌ମେଣ୍ଟ ଅଫ୍‌ ହେରିଟେଜ୍‌ ଆଣ୍ଡ ଆର୍କିଟେକ୍ଚର୍‌- ସାଦାସିଧା ବାକ୍ୟାଂଶ ହୋଇଥାନ୍ତା ହେରିଟେଜ୍‌ ଡେଭେଲପମେଣ୍ଟ ଅଫ୍‌ ପୁରୀ। ଅବଢ଼ା କହିଲେ ଲୋକେ ଭାରି ଖୁସି ହେବେ, ଖୁସି ମାନେ ତ ଭୋଟ୍‌! ଯେଉଁ କ୍ୟାବିନେଟ୍‌ ଏହାକୁ ମଞ୍ଜୁର କରିଛି ସେ କ୍ୟାବିନେଟ୍‌ର ଅଧିକାଂଶ ମନ୍ତ୍ରୀ ପୂରା ‘ଅବଢ଼ା’କୁ ପାଟିରେ ପୂରେଇ ନ ପାରନ୍ତୁ ପଛେ! ପାଠକମାନେ ‘ଅବଢ଼ା’ର ‘ବ’ ସୂଚକ ଅକ୍ଷରଟି ଇଂଲିଶ ‘ବି’ରେ ଆରମ୍ଭ ଏକ ଶବ୍ଦକୁ ବୁଝାଇବ, ଭ ଅକ୍ଷରରୁ ତ କୌଣସି ବିଶେଷ୍ୟ ବା ନାମବାଚକ ଶବ୍ଦ ବାହାରୁନାହିଁ, ତେଣୁ ‘ବେସିକ୍‌ ଆମେନିଟିଜ୍‌’ ବା ମୌଳିକ ସୁବିଧା ଲଗାଗଲା। ‘ଢ’ ତ ଇଂଲିଶରେ ‘ଡି’ ଆଉ ‘ଏଇଚ୍‌’ର ଯୋଡ଼ି, ଡେଭଲପ୍‌ମେଣ୍ଟ୍‌ ଅଫ୍‌ ହେରିଟେଜ୍‌ କରାଗଲା, ଢ ପରେ ଆକାର ଲଗାଇବା ପାଇଁ ‘ଆଣ୍ଡ ଆର୍କିଟେକ୍ଚର୍‌’ ଲଗାଗଲା। ପୁରୀରେ କ’ଣ ମୌଳିକ ସୁବିଧା (ବେସିକ୍‌ ଆମେନିଟିଜ୍‌) ନାହିଁ ଯେ ସେହି ଶବ୍ଦ ଦୁଇଟାକୁ ଲଗାଇବା? ଅବଢ଼ାର ପୂରା ଆକାର (ଫୁଲ୍‌ ଫର୍ମ) କ’ଣ ଜାଣିବା ପାଇଁ ଆପଣ କେଉଁଠି ଖୋଜିବେ? ଯେଉଁଠି ସାଙ୍ଗେ ସାଙ୍ଗେ ଓ ସହଜରେ ପରଦା ଉପରେ ଦେଖାଯିବ ତାହା ହେଉଛି ‘ଗୁଗ୍ଲ’। (ଇଟା ସିମେଣ୍ଟର ପାଠାଗାରରେ ତ ଦିନ ଯାକ ଖୋଜିଲେ ବି ନ ମିଳିପାରେ, କିନ୍ତୁ ଗୁଗ୍ଲ ସର୍ଚ୍ଚ ଇଞ୍ଜିନ୍‌ ପ୍ରତି ଶବ୍ଦ, ଫ୍ରେଜ୍‌, ବାକ୍ୟ ଖୋଜି ଦେଇପାରେ!) ଉତ୍କଳୀୟମାନଙ୍କ ମନକୁ ଛୁଇଁବାର ଅବଢ଼ା ଏକ ଜବରଦସ୍ତ ଶବ୍ଦସଂକ୍ଷେପ, ପୂରା ନାଁ ‘ଅଗ୍‌ମେଣ୍ଟେଶନ୍‌ ଅଫ୍‌ ବେସିକ୍‌ ଆମେନିଟିଜ୍‌ ଆଣ୍ଡ ଡେଭଲପ୍‌ମେଣ୍ଟ ଅଫ୍‌ ହେରିଟେଜ୍‌ ଆଣ୍ଡ ଆର୍କିଟେକ୍ଚର୍‌’। ଏତେ ବଡ଼ ଓ ଅଖାଡୁଆ ଯେ ଭଲ ଇଂଲିଶ ପଢ଼ା ଲୋକଙ୍କ ସ୍ମୃତିରେ ବି ରହିବ ନାହିଁ, କିନ୍ତୁ ଓଡ଼ିଶାବାସୀମାନେ ଅତି ସହଜରେ ଅବଢ଼ା ମନେ ରଖିପାରିବେ। ମୋଟ ୩୨୦୮ କୋଟି ଟଙ୍କାର ବ୍ୟୟ ଅଟକଳରେ ଅଛି ୨୦୧୯ ଅକ୍ଟୋବରରୁ ୩ ବର୍ଷ ଭିତରେ ପୁରୀକୁ ବିଶ୍ୱର ଐତିହ୍ୟ ନଗରୀ କରିବାର ଇଚ୍ଛା ଘେନି ସମୁଦ୍ର-ଉପକୂଳରୁ ବିଭିନ୍ନ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ସହ ଷ୍ଟାଡିୟମ୍‌ ନିର୍ମାଣ ଯାଏ। (ଏପରି କି ହବିଷ୍ୟାଳୀମାନଙ୍କ ପାଇଁ ରେଷ୍ଟ ରୁମ୍‌ ଏହି ଅବଢ଼ା ଭିତରେ ଅଛି, ଯାହା ହବିଷ୍ୟଭୋଜନ ପର କାଳରେ ଖରାପ ପ୍ରକୃତିର ଲୋକଙ୍କ ଆଡ୍ଡାସ୍ଥଳୀ ହୋଇପାରେ।)
ଆଉ ଗୋଟିଏ ଯୋଜନାକୁ ଭକ୍ତିଭରା ନାଁ ଦିଆଯାଇଛି ‘କାଳିଆ’, ଜଗନ୍ନାଥଙ୍କୁ ନିଜ ପରିବାରର ପିଲା ଭାବେ ଡାକିବାର ଭାବ ଉଦ୍ରେକ କରିବାର ଧ୍ୱନି; କିନ୍ତୁ ଯୋଜନାର ପୂରା ନାମ ଓଡ଼ିଆ ଓ ଇଂଲିଶର ଖେଚୁଡ଼ି, ‘କୃଷକ ଆସିଷ୍ଟାନ୍ସ ଫର୍‌ ଲାଇଭ୍ଲିହୁଡ୍‌ ଆଣ୍ଡ ଇନ୍‌କମ୍‌ ଅଗ୍‌ମେଣ୍ଟେଶନ୍‌’, ପ୍ରଥମ ଶବ୍ଦଟି ଓଡ଼ିଆରେ କୃଷକ ନ ହେଲେ କାଳିଆ ହେବ ନାହିଁ, ତେଣୁ କୃଷକ ଶବ୍ଦଟି ଇଂଲିଶ ହୋଇଯାଇଛି, କୌଣସି ଇଂଲିଶ ଶବ୍ଦକୋଷରେ ସ୍ଥାନ ପାଇ ନ ଥିଲେ ବି।
ଆଉ କେତେକ ଯୋଜନା ପୁରୁଣା ଯୋଜନାର ରୂପାନ୍ତର ହୋଇଛି, କିନ୍ତୁ ପୁରୁଣାକୁ ରଦ୍ଦ କରାଯାଇନାହିଁ, କାରଣ ନାମର କୁହୁକ ତ ଜନମତକୁ ପ୍ରଭାବିତ କରୁଥିବ ବୋଲି ଆଶା ଅଛି। ଆଂଶିକ ବା ପୂର୍ଣ୍ଣତଃ ଏକ-ଉଦ୍ଦେଶ୍ୟ ସାଧନ କରୁଥିଲେ ବି ଶ୍ରୁତିମଧୁର ନାମଦିଆ ଏକାଧିକ ଯୋଜନା ଚାଲୁ କରାଯାଇଛି। ବିକେକେୱାଇ (ବିଜୁ କୃଷକ କଲ୍ୟାଣ ଯୋଜନା) କୃଷକମାନଙ୍କ ସ୍ବାସ୍ଥ୍ୟବୀମା ପାଇଁ ୨୦୧୩ ନଭେମ୍ବରରେ ଘୋଷିତ ହୋଇଥିଲା, ନୂଆ ନାମରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ (ବିଏସ୍‌କେୱାଇ) ୨୦୧୮ ଅଗଷ୍ଟରୁ ଆରମ୍ଭ ହୋଇଛି, ନୂଆ ରୂପରେ ଏବେ ଜୋରସୋରରେ ବଣ୍ଟା ଚାଲିଛି। ଯେଉଁମାନେ ନ୍ୟାଶନାଲ୍‌ ଫୁଡ୍‌ ସେକୁରିଟି ଆକ୍ଟ ଓ ଷ୍ଟେଟ୍‌ ଫୁଡ୍‌ ସେକୁରିଟି ସ୍କିମରେ ଉପଭୋକ୍ତା ଥିଲେ ସେହିମାନେ ପାଇବେ, ରାଜ୍ୟର ୯୨ ଲକ୍ଷ ୫୦ହଜାର ପରିବାରକୁ ୧୦ ଲକ୍ଷ ଟଙ୍କା ଯାଏ ସ୍ବାସ୍ଥ୍ୟସେବା ମାଗଣାରେ ଯୋଗାଇଦିଆଯିବ, ‘ଭଗବାନ ଯେତେବେଳେ ଦିଅନ୍ତି ଛପର ଫଟେଇ ଦିଅନ୍ତି’ ଭଳି। କିନ୍ତୁ ଏତେ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ସ୍ବାସ୍ଥ୍ୟକର୍ମୀ ରାଜ୍ୟରେ ନ ଥିଲେ ବି ଚିନ୍ତା ନାହିଁ, ବଚନେ କି ଦରିଦ୍ରତା! ଐତିହାସିକ ପଦକ୍ଷେପ ନୁହେଁ କି? ଐତିହାସିକ ନ କହି ମାଇଲଖୁଣ୍ଟ କହିବେ କି? ରାସ୍ତାର ଲମ୍ବ ତ ବଢୁନାହିଁ, ସେତିକି ଲୋକ, ସେତିକି ବଡ଼ ଓଡ଼ିଶା । ମାଇଲଖୁଣ୍ଟ ପରେ ଆଉ ଗୋଟିଏ ମାଇଲଖୁଣ୍ଟ ତିଆରି ହେଉଛି। ଯେତେ ମାଇଲ ତା’ ଠାରୁ ଖୁଣ୍ଟ ସଂଖ୍ୟା ବେଶି ହେଲେ ଗାଣିତିକ ଭୁଲ୍‌ ହେବ ସିନା, ରାଜନୀତିକ ଭୁଲ୍‌ ହେବ ନାହିଁ। ଆଗରୁ ଚାଲିଆସିଥିବା (୧) ଅନମୋଲ୍‌ ଯୋଜନାରେ ଗର୍ଭବତୀ ନାରୀ, ମା’ ଓ ନବଜାତକୁ ବଟିକା ବଣ୍ଟନ, (୨) ଆମ କ୍ଲିନିକ୍‌ ଯୋଜନାରେ ସହରରେ ସବୁ ସ୍ପେସାଲିଷ୍ଟ ସେବା, ସ୍ତ୍ରୀ ବୁଢ଼ୀବୁଢ଼ା, ଆଖି ଓ ମାନସିକ ରୋଗର ଚିକିତ୍ସା ସଙ୍ଗେ ଫିଜିଓଥେରାପି, (୩) ଓଡ଼ିଶା ନିଦାନ ସ୍କିମ୍‌ରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଓ (୪) ଓଡ଼ିଶା ସହାୟ ସ୍କିମ୍‌ରେ ମାଗଣା ଡାୟାଲିସିସ, ଭଳି ଯୋଜନା କେତେଦୂର କାମକରୁଛି ତାହାର ସମ୍ପାଦନ-ତନଖି (ପରଫର୍ମାନ୍ସ ଅଡିଟ୍‌) ନାହିଁ।
ତେଣୁ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେତେବେଳେ ନୀତି ଆୟୋଗ ତାଙ୍କର ଦରିଦ୍ର ଆକଳନ ରିପୋର୍ଟରେ ମଲ୍ଟିଡାଇମେନ୍ସନାଲ୍‌ ଇଣ୍ଡେକ୍ସ (ଏମ୍‌ପିଆଇ)ଜରିଆରେ ଜଣାଇଛି ଯେ ଓଡ଼ିଶା ସରକାର ଇନ୍‌କ୍ଲୁସିଭ୍‌ ଗ୍ରୋଥ୍‌ (ସବ୍‌କା ବିକାଶ) ଆଣିବାରେ ବିଫଳ। ଶିଳ୍ପୋନ୍ନତ ଯାଜପୁର ଜିଲାର ସହରୀ ଗରିବମାନଙ୍କ ସଂଖ୍ୟା ମାଲକାନଗିରି ଜିଲା ତଳେ, ଦଶ ଦଶଟା ଓଜନଦାର ଶିଳ୍ପ ଥାଇ ବି ୪୫ ଶତାଂଶ ଲୋକ ଗରିବ। ନରସିଂହ ରାଓଙ୍କ ଠାରୁ ଏଯାବତ ତିନି ଦଶକରେ ବି ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ କଳାହାଣ୍ଡି ଗ୍ରାମ୍ୟ ଦାରିଦ୍ର୍ୟ ସଂଖ୍ୟାରେ ସବା ତଳେ। ‘ଆମ ଗାଁ ଆମ ବିକାଶ’ ସରକାରଙ୍କ ପ୍ରିୟ (ପେଟ୍‌) ପ୍ରୋଗ୍ରାମ୍‌ ହୋଇଥିବା ସତ୍ତ୍ୱେ। ନବରଙ୍ଗପୁର ଓ ମାଲକାନଗିରି ଜିଲାରେ ପ୍ରତି ୪ ଜଣରେ ୩ ଜଣ ଗରିବ, କଳାହାଣ୍ଡି, କୋରାପୁଟ ଓ ରାୟଗଡ଼ାରେ ୫୦ ଶତାଂଶରୁ ବେଶି ଦରିଦ୍ର। କଳାହାଣ୍ଡି ବିକାଶର ହାଣ୍ଡି ହୋଇପାରିନାହିଁ। ‘ଆମ ଗାଁ ଆମ ବିକାଶ’ ସରକାରଙ୍କ ପ୍ରିୟ (ପେଟ୍‌) ପ୍ରୋଗ୍ରାମ୍‌ ଏକ ଧୂଆଁବାଣ।
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

ଜଳବାୟୁ ଆଇନ ପାଇଁ ଆହ୍ବାନ

ଗତବର୍ଷ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ଜଳବାୟୁ ପରିବର୍ତ୍ତନ ଉପରେ ଏକ ଆଇନଗତ ମତ ବା ରାୟ ପ୍ରକାଶ କରିଥିଲେ, ଯାହା ୨୦୧୫ ପ୍ୟାରିସ ଚୁକ୍ତି…

ସେବାରୁ ଆରମ୍ଭ, ସ୍ୱାର୍ଥରେ ଶେଷ

ଏବକାର ଭାରତରେ ରାଜନୀତିଜ୍ଞମାନେ ଇଂଲିଶ ଅକ୍ଷର ଏସ୍‌(S)କୁ ଜପାମାଳି କରି ଦେଇଛନ୍ତି। ଏହା ମାଧ୍ୟମରେ ସେମାନେ ଦେଶସେବା କରିବାର ଛଳନା କରୁଛନ୍ତି। ପ୍ରତ୍ୟେକ ସ୍ଲୋଗାନ, ପ୍ରତ୍ୟେକ ଯୋଜନା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri