‘ଐତିହାସିକ’ ମାନେ ବୁଝନ୍ତୁ

ସହଦେବ ସାହୁ

 

କିଛି ଗୋଟିଏ ନୂଆ ନାଁ ଦେଇ ପ୍ରକଳ୍ପଟିଏ ଚାଲୁ କଲାବେଳେ ପ୍ରାଦେଶିକ ସ୍ତରରେ ହେଉ କି କେନ୍ଦ୍ରରେ ହେଉ, ସରକାର କହନ୍ତି ଏ ଏକ ‘ଐତିହାସିକ’ ପଦକ୍ଷେପ। ଅନ୍ୟ ଦଳ ତୁଳନାରେ ବେଶିଦିନ ଗାଦିରେ ରହିଲେ ସହଜେ ତ ତାକୁ ଏକ ‘ଐତିହାସିକ’ ସଫଳତା କହନ୍ତି, ପୁଣି ତା’ ଭିତରେ ପ୍ରତି ଥର କିଛି ଗୋଟିଏ ନୂଆ ପ୍ରକଳ୍ପ ଆରମ୍ଭ କଲେ ତାହା ‘ଐତିହାସିକ’ ବୋଲି କୁହନ୍ତି, ତାକୁ ମିଡିଆ ବି ବଡ଼ବଡ଼ ଅକ୍ଷରରେ ପ୍ରକାଶ କରିଥାଏ। ଇତିହାସରେ ଯାହାର ନଜିର ନାହିଁ ଓ ନୂଆକରି ସମ୍ପାଦନ କରାଯାଉଛି ତାହା ଐତିହାସିକ, ଇଂଲିଶରେ ହିଷ୍ଟୋରିକ୍‌, ପରବର୍ତ୍ତୀ କାଳରେ ଲେଖା ହେବା ଇତିହାସର ପୃଷ୍ଠାରେ ଉଲ୍ଲେଖ ହେବ: ଏ ଆଶା ଶାସକ ଦଳର ନେତାଙ୍କର ଅଛି। ହିଷ୍ଟୋରିକ୍‌ ଆଉ ହିଷ୍ଟୋରିକାଲ୍‌ ଦୁଇଟାଯାକ ଶବ୍ଦ ଓଡ଼ିଆରେ ଐତିହାସିକ, କିନ୍ତୁ ପ୍ରଭେଦ ବହୁତ, ଯାହା ଇତିହାସରେ ସ୍ଥାନ ନେଇସାରିଛି ତା’ ହିଷ୍ଟୋରିକାଲ୍‌। ମହମ୍ମଦ ବିନ୍‌ ତୁଘଲକ୍‌ ଜଣେ ହିଷ୍ଟୋରିକାଲ୍‌ ବ୍ୟକ୍ତି, ପୁଣି ଦିଲ୍ଲୀରୁ ଦୌଲତାବାଦକୁ ରାଜଧାନୀ ଉଠାଇ ନେବା ଏକ ହିଷ୍ଟୋରିକ୍‌ ଘଟଣା।
ଅବଢ଼ା ପରିଯୋଜନା ଅନ୍ତର୍ଗତ ଶ୍ରୀମନ୍ଦିର ପରିକ୍ରମା ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ସରକାର ଘୋଷଣା କଲେ ଯେ ଓଡ଼ିଶାବାସୀ ଓ ଜଗନ୍ନାଥ-ଭକ୍ତମାନଙ୍କ ପାଇଁ ଏ ଏକ ହିଷ୍ଟୋରିକ୍‌ ଡେ। କାଳିଆ, ଅବଢ଼ା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ଆଦି ପ୍ରତ୍ୟେକର ପ୍ରବର୍ତ୍ତନ ବା ପ୍ରଚଳନ- ଗୋଟିଏ ଗୋଟିଏ ହିଷ୍ଟୋରିକ୍‌ ଦିବସ ସୃଷ୍ଟି କରିଛି ବୋଲି ଆମ ରାଜ୍ୟ ସରକାର କହୁଛନ୍ତି। ଓଡ଼ିଶାବାସୀଙ୍କ ମନକୁ ପାଇବା ଓ କାନକୁ ଭଲ ଶୁଭିବା ଶବ୍ଦଟିଏ ‘ଅବଢ଼ା’, ଏମିତି ଉଚ୍ଚାରଣ କେବଳ ସାରା ପୃଥିବୀର ହିନ୍ଦୁମାନଙ୍କ ଭିତରେ ଭକ୍ତିଭାବ ଉଦ୍ରେକ କରେନାହିଁ, ଓଡ଼ିଶାରେ ଥିବା ଅଣହିନ୍ଦୁମାନେ ବି, ମୁସଲିମ୍‌ ହୁଅନ୍ତୁ କି ଖ୍ରୀଷ୍ଟିଆନ, ଅବଢ଼ା ପ୍ରତି ସମ୍ମାନ ପ୍ରଦର୍ଶନ କରନ୍ତି। ଗୋଟିଏ ଉଦାହରଣ ହେଉଛି ଆମ ରାଜ୍ୟରେ ପ୍ରଚଳିତ ଧରମ-ସମ୍ପର୍କ ପ୍ରଥା (ଯଥା ଧରମ ଭାଇ, ଧରମ ଚାଚା), ଯେଉଁଥିରେ ନିର୍ମାଲ୍ୟ (ଅବଢ଼ା ଅନ୍ନରୁ ଜାତ) ପ୍ରଦାନ ସମ୍ପର୍କକୁ ଦୃଢ଼ କରିବାର ସନ୍ତକ ରୂପେ ଗ୍ରହଣ କରାଯାଏ। ଅବଢ଼ା ନାଁରେ ଯୋଜନାଟିଏ କଲେ କେବଳ ଓଡ଼ିଶାବାସୀ ଖୁସି ହେବେ ନାହିଁ, ଶାସକଦଳର ଜଗନ୍ନାଥ ପ୍ରୀତି ବିଶ୍ୱସାରା ପ୍ରଚାରିତ ହୋଇଯିବ। ଏହାକୁ ଏକ ଆବ୍ରିଭିଏଶନ୍‌ (ଶବ୍ଦ-ସଂକ୍ଷେପ) ନ କହି ନେମୋନିକ୍‌ (ସ୍ମୃତି ସହାୟକ) କହିହେବ। ପ୍ରକଳ୍ପର ସଂକ୍ଷିପ୍ତ ନାମକରଣ ସିନା ଅବଢ଼ା, ତା’ର ସବିଶେଷ ନାମ ଶୁଣିଲେ ପାଠକମାନଙ୍କୁ ବଡ଼ ଅଖାଡୁଆ ଲାଗିବ, ଇଂଲିଶରୁ ଜବରଦସ୍ତ ଶବ୍ଦଗୁଡ଼ିଏ ଲଗାଯାଇଛି ଯଥା- ଅଗ୍‌ମେଣ୍ଟେଶନ୍‌ ଅଫ୍‌ ବେସିକ୍‌ ଆମେନିଟିଜ୍‌ ଆଣ୍ଡ ଡେଭଲପ୍‌ମେଣ୍ଟ ଅଫ୍‌ ହେରିଟେଜ୍‌ ଆଣ୍ଡ ଆର୍କିଟେକ୍ଚର୍‌- ସାଦାସିଧା ବାକ୍ୟାଂଶ ହୋଇଥାନ୍ତା ହେରିଟେଜ୍‌ ଡେଭେଲପମେଣ୍ଟ ଅଫ୍‌ ପୁରୀ। ଅବଢ଼ା କହିଲେ ଲୋକେ ଭାରି ଖୁସି ହେବେ, ଖୁସି ମାନେ ତ ଭୋଟ୍‌! ଯେଉଁ କ୍ୟାବିନେଟ୍‌ ଏହାକୁ ମଞ୍ଜୁର କରିଛି ସେ କ୍ୟାବିନେଟ୍‌ର ଅଧିକାଂଶ ମନ୍ତ୍ରୀ ପୂରା ‘ଅବଢ଼ା’କୁ ପାଟିରେ ପୂରେଇ ନ ପାରନ୍ତୁ ପଛେ! ପାଠକମାନେ ‘ଅବଢ଼ା’ର ‘ବ’ ସୂଚକ ଅକ୍ଷରଟି ଇଂଲିଶ ‘ବି’ରେ ଆରମ୍ଭ ଏକ ଶବ୍ଦକୁ ବୁଝାଇବ, ଭ ଅକ୍ଷରରୁ ତ କୌଣସି ବିଶେଷ୍ୟ ବା ନାମବାଚକ ଶବ୍ଦ ବାହାରୁନାହିଁ, ତେଣୁ ‘ବେସିକ୍‌ ଆମେନିଟିଜ୍‌’ ବା ମୌଳିକ ସୁବିଧା ଲଗାଗଲା। ‘ଢ’ ତ ଇଂଲିଶରେ ‘ଡି’ ଆଉ ‘ଏଇଚ୍‌’ର ଯୋଡ଼ି, ଡେଭଲପ୍‌ମେଣ୍ଟ୍‌ ଅଫ୍‌ ହେରିଟେଜ୍‌ କରାଗଲା, ଢ ପରେ ଆକାର ଲଗାଇବା ପାଇଁ ‘ଆଣ୍ଡ ଆର୍କିଟେକ୍ଚର୍‌’ ଲଗାଗଲା। ପୁରୀରେ କ’ଣ ମୌଳିକ ସୁବିଧା (ବେସିକ୍‌ ଆମେନିଟିଜ୍‌) ନାହିଁ ଯେ ସେହି ଶବ୍ଦ ଦୁଇଟାକୁ ଲଗାଇବା? ଅବଢ଼ାର ପୂରା ଆକାର (ଫୁଲ୍‌ ଫର୍ମ) କ’ଣ ଜାଣିବା ପାଇଁ ଆପଣ କେଉଁଠି ଖୋଜିବେ? ଯେଉଁଠି ସାଙ୍ଗେ ସାଙ୍ଗେ ଓ ସହଜରେ ପରଦା ଉପରେ ଦେଖାଯିବ ତାହା ହେଉଛି ‘ଗୁଗ୍ଲ’। (ଇଟା ସିମେଣ୍ଟର ପାଠାଗାରରେ ତ ଦିନ ଯାକ ଖୋଜିଲେ ବି ନ ମିଳିପାରେ, କିନ୍ତୁ ଗୁଗ୍ଲ ସର୍ଚ୍ଚ ଇଞ୍ଜିନ୍‌ ପ୍ରତି ଶବ୍ଦ, ଫ୍ରେଜ୍‌, ବାକ୍ୟ ଖୋଜି ଦେଇପାରେ!) ଉତ୍କଳୀୟମାନଙ୍କ ମନକୁ ଛୁଇଁବାର ଅବଢ଼ା ଏକ ଜବରଦସ୍ତ ଶବ୍ଦସଂକ୍ଷେପ, ପୂରା ନାଁ ‘ଅଗ୍‌ମେଣ୍ଟେଶନ୍‌ ଅଫ୍‌ ବେସିକ୍‌ ଆମେନିଟିଜ୍‌ ଆଣ୍ଡ ଡେଭଲପ୍‌ମେଣ୍ଟ ଅଫ୍‌ ହେରିଟେଜ୍‌ ଆଣ୍ଡ ଆର୍କିଟେକ୍ଚର୍‌’। ଏତେ ବଡ଼ ଓ ଅଖାଡୁଆ ଯେ ଭଲ ଇଂଲିଶ ପଢ଼ା ଲୋକଙ୍କ ସ୍ମୃତିରେ ବି ରହିବ ନାହିଁ, କିନ୍ତୁ ଓଡ଼ିଶାବାସୀମାନେ ଅତି ସହଜରେ ଅବଢ଼ା ମନେ ରଖିପାରିବେ। ମୋଟ ୩୨୦୮ କୋଟି ଟଙ୍କାର ବ୍ୟୟ ଅଟକଳରେ ଅଛି ୨୦୧୯ ଅକ୍ଟୋବରରୁ ୩ ବର୍ଷ ଭିତରେ ପୁରୀକୁ ବିଶ୍ୱର ଐତିହ୍ୟ ନଗରୀ କରିବାର ଇଚ୍ଛା ଘେନି ସମୁଦ୍ର-ଉପକୂଳରୁ ବିଭିନ୍ନ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ସହ ଷ୍ଟାଡିୟମ୍‌ ନିର୍ମାଣ ଯାଏ। (ଏପରି କି ହବିଷ୍ୟାଳୀମାନଙ୍କ ପାଇଁ ରେଷ୍ଟ ରୁମ୍‌ ଏହି ଅବଢ଼ା ଭିତରେ ଅଛି, ଯାହା ହବିଷ୍ୟଭୋଜନ ପର କାଳରେ ଖରାପ ପ୍ରକୃତିର ଲୋକଙ୍କ ଆଡ୍ଡାସ୍ଥଳୀ ହୋଇପାରେ।)
ଆଉ ଗୋଟିଏ ଯୋଜନାକୁ ଭକ୍ତିଭରା ନାଁ ଦିଆଯାଇଛି ‘କାଳିଆ’, ଜଗନ୍ନାଥଙ୍କୁ ନିଜ ପରିବାରର ପିଲା ଭାବେ ଡାକିବାର ଭାବ ଉଦ୍ରେକ କରିବାର ଧ୍ୱନି; କିନ୍ତୁ ଯୋଜନାର ପୂରା ନାମ ଓଡ଼ିଆ ଓ ଇଂଲିଶର ଖେଚୁଡ଼ି, ‘କୃଷକ ଆସିଷ୍ଟାନ୍ସ ଫର୍‌ ଲାଇଭ୍ଲିହୁଡ୍‌ ଆଣ୍ଡ ଇନ୍‌କମ୍‌ ଅଗ୍‌ମେଣ୍ଟେଶନ୍‌’, ପ୍ରଥମ ଶବ୍ଦଟି ଓଡ଼ିଆରେ କୃଷକ ନ ହେଲେ କାଳିଆ ହେବ ନାହିଁ, ତେଣୁ କୃଷକ ଶବ୍ଦଟି ଇଂଲିଶ ହୋଇଯାଇଛି, କୌଣସି ଇଂଲିଶ ଶବ୍ଦକୋଷରେ ସ୍ଥାନ ପାଇ ନ ଥିଲେ ବି।
ଆଉ କେତେକ ଯୋଜନା ପୁରୁଣା ଯୋଜନାର ରୂପାନ୍ତର ହୋଇଛି, କିନ୍ତୁ ପୁରୁଣାକୁ ରଦ୍ଦ କରାଯାଇନାହିଁ, କାରଣ ନାମର କୁହୁକ ତ ଜନମତକୁ ପ୍ରଭାବିତ କରୁଥିବ ବୋଲି ଆଶା ଅଛି। ଆଂଶିକ ବା ପୂର୍ଣ୍ଣତଃ ଏକ-ଉଦ୍ଦେଶ୍ୟ ସାଧନ କରୁଥିଲେ ବି ଶ୍ରୁତିମଧୁର ନାମଦିଆ ଏକାଧିକ ଯୋଜନା ଚାଲୁ କରାଯାଇଛି। ବିକେକେୱାଇ (ବିଜୁ କୃଷକ କଲ୍ୟାଣ ଯୋଜନା) କୃଷକମାନଙ୍କ ସ୍ବାସ୍ଥ୍ୟବୀମା ପାଇଁ ୨୦୧୩ ନଭେମ୍ବରରେ ଘୋଷିତ ହୋଇଥିଲା, ନୂଆ ନାମରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ (ବିଏସ୍‌କେୱାଇ) ୨୦୧୮ ଅଗଷ୍ଟରୁ ଆରମ୍ଭ ହୋଇଛି, ନୂଆ ରୂପରେ ଏବେ ଜୋରସୋରରେ ବଣ୍ଟା ଚାଲିଛି। ଯେଉଁମାନେ ନ୍ୟାଶନାଲ୍‌ ଫୁଡ୍‌ ସେକୁରିଟି ଆକ୍ଟ ଓ ଷ୍ଟେଟ୍‌ ଫୁଡ୍‌ ସେକୁରିଟି ସ୍କିମରେ ଉପଭୋକ୍ତା ଥିଲେ ସେହିମାନେ ପାଇବେ, ରାଜ୍ୟର ୯୨ ଲକ୍ଷ ୫୦ହଜାର ପରିବାରକୁ ୧୦ ଲକ୍ଷ ଟଙ୍କା ଯାଏ ସ୍ବାସ୍ଥ୍ୟସେବା ମାଗଣାରେ ଯୋଗାଇଦିଆଯିବ, ‘ଭଗବାନ ଯେତେବେଳେ ଦିଅନ୍ତି ଛପର ଫଟେଇ ଦିଅନ୍ତି’ ଭଳି। କିନ୍ତୁ ଏତେ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ସ୍ବାସ୍ଥ୍ୟକର୍ମୀ ରାଜ୍ୟରେ ନ ଥିଲେ ବି ଚିନ୍ତା ନାହିଁ, ବଚନେ କି ଦରିଦ୍ରତା! ଐତିହାସିକ ପଦକ୍ଷେପ ନୁହେଁ କି? ଐତିହାସିକ ନ କହି ମାଇଲଖୁଣ୍ଟ କହିବେ କି? ରାସ୍ତାର ଲମ୍ବ ତ ବଢୁନାହିଁ, ସେତିକି ଲୋକ, ସେତିକି ବଡ଼ ଓଡ଼ିଶା । ମାଇଲଖୁଣ୍ଟ ପରେ ଆଉ ଗୋଟିଏ ମାଇଲଖୁଣ୍ଟ ତିଆରି ହେଉଛି। ଯେତେ ମାଇଲ ତା’ ଠାରୁ ଖୁଣ୍ଟ ସଂଖ୍ୟା ବେଶି ହେଲେ ଗାଣିତିକ ଭୁଲ୍‌ ହେବ ସିନା, ରାଜନୀତିକ ଭୁଲ୍‌ ହେବ ନାହିଁ। ଆଗରୁ ଚାଲିଆସିଥିବା (୧) ଅନମୋଲ୍‌ ଯୋଜନାରେ ଗର୍ଭବତୀ ନାରୀ, ମା’ ଓ ନବଜାତକୁ ବଟିକା ବଣ୍ଟନ, (୨) ଆମ କ୍ଲିନିକ୍‌ ଯୋଜନାରେ ସହରରେ ସବୁ ସ୍ପେସାଲିଷ୍ଟ ସେବା, ସ୍ତ୍ରୀ ବୁଢ଼ୀବୁଢ଼ା, ଆଖି ଓ ମାନସିକ ରୋଗର ଚିକିତ୍ସା ସଙ୍ଗେ ଫିଜିଓଥେରାପି, (୩) ଓଡ଼ିଶା ନିଦାନ ସ୍କିମ୍‌ରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଓ (୪) ଓଡ଼ିଶା ସହାୟ ସ୍କିମ୍‌ରେ ମାଗଣା ଡାୟାଲିସିସ, ଭଳି ଯୋଜନା କେତେଦୂର କାମକରୁଛି ତାହାର ସମ୍ପାଦନ-ତନଖି (ପରଫର୍ମାନ୍ସ ଅଡିଟ୍‌) ନାହିଁ।
ତେଣୁ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେତେବେଳେ ନୀତି ଆୟୋଗ ତାଙ୍କର ଦରିଦ୍ର ଆକଳନ ରିପୋର୍ଟରେ ମଲ୍ଟିଡାଇମେନ୍ସନାଲ୍‌ ଇଣ୍ଡେକ୍ସ (ଏମ୍‌ପିଆଇ)ଜରିଆରେ ଜଣାଇଛି ଯେ ଓଡ଼ିଶା ସରକାର ଇନ୍‌କ୍ଲୁସିଭ୍‌ ଗ୍ରୋଥ୍‌ (ସବ୍‌କା ବିକାଶ) ଆଣିବାରେ ବିଫଳ। ଶିଳ୍ପୋନ୍ନତ ଯାଜପୁର ଜିଲାର ସହରୀ ଗରିବମାନଙ୍କ ସଂଖ୍ୟା ମାଲକାନଗିରି ଜିଲା ତଳେ, ଦଶ ଦଶଟା ଓଜନଦାର ଶିଳ୍ପ ଥାଇ ବି ୪୫ ଶତାଂଶ ଲୋକ ଗରିବ। ନରସିଂହ ରାଓଙ୍କ ଠାରୁ ଏଯାବତ ତିନି ଦଶକରେ ବି ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ କଳାହାଣ୍ଡି ଗ୍ରାମ୍ୟ ଦାରିଦ୍ର୍ୟ ସଂଖ୍ୟାରେ ସବା ତଳେ। ‘ଆମ ଗାଁ ଆମ ବିକାଶ’ ସରକାରଙ୍କ ପ୍ରିୟ (ପେଟ୍‌) ପ୍ରୋଗ୍ରାମ୍‌ ହୋଇଥିବା ସତ୍ତ୍ୱେ। ନବରଙ୍ଗପୁର ଓ ମାଲକାନଗିରି ଜିଲାରେ ପ୍ରତି ୪ ଜଣରେ ୩ ଜଣ ଗରିବ, କଳାହାଣ୍ଡି, କୋରାପୁଟ ଓ ରାୟଗଡ଼ାରେ ୫୦ ଶତାଂଶରୁ ବେଶି ଦରିଦ୍ର। କଳାହାଣ୍ଡି ବିକାଶର ହାଣ୍ଡି ହୋଇପାରିନାହିଁ। ‘ଆମ ଗାଁ ଆମ ବିକାଶ’ ସରକାରଙ୍କ ପ୍ରିୟ (ପେଟ୍‌) ପ୍ରୋଗ୍ରାମ୍‌ ଏକ ଧୂଆଁବାଣ।
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

ସୁନାପିଲା

ପିଲାଦିନେ ଭାରି ଭଲ ଲାଗୁଥିଲା ଶୁଣିବାକୁ। ସୁନାପିଲା ବୋଲି ମୋତେ କେହି କହିଦେଲେ ଛାତି ଭିତରଟା କୁରୁଳି ଉଠେ। ମୋତେ ଆଙ୍ଗୁଠି ଦେଖାଇ ଆମ ଘରକୁ ବୁଲି…

ବିଲୁପ୍ତି ପଥେ ପୂର୍ବଜଙ୍କ ସମ୍ପଦ

ପ୍ରାୟ ଆମେ ସମସ୍ତେ ଆମ ପୂର୍ବପୁରୁଷଙ୍କ ସମ୍ପଦକୁ ନେଇ ବର୍ତ୍ତମାନର ଜୀବନ ବଞ୍ଚୁଛେ। ପୂର୍ବପୁରୁଷ ରହୁଥିବା ଘର, ସେମାନଙ୍କ ଦ୍ୱାରା ଅର୍ଜିତ କୃଷିକ୍ଷେତ୍ର, ଜାଗାବାଡ଼ି ଏପରିକି ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri