ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ ମୁଖ୍ୟତଃ ଡିସେମ୍ବରରେ ଯାଇ ଜୁନ ବେଳକୁ ଫେରିଥାନ୍ତି। ସେମାନେ ବାହାରେ ରହୁଥିବା ସମୟରେ ସେମାନଙ୍କ ପିଲାଙ୍କ ପଢା ବନ୍ଦ ହୋଇଯାଏ। ଫଳରେ ଅନେକେ ପାଠ ଛାଡ଼ିଦେଇଥାନ୍ତି। ତେବେ ଅଣ ଲାଭକାରୀ ସଂସ୍ଥା ଲର୍ନିଂ କାମ୍ପେନିୟନ(ଏଲ୍ସି) ଦ୍ୱାରା ଏହି ସମସ୍ୟା ଅନେକାଂଶରେ ସମାଧାନ ହୋଇପାରିଛି। ଗଣେଶ ବିରାଜଦାର ଏହାର ପ୍ରତିଷ୍ଠାତା ନିର୍ଦ୍ଦେଶକ। ପିଲାମାନେ ଯେଉଁ ସମୟରେ ବାହାରକୁ ନ ଯାଇ ପରିବାର ସହ ରହୁଛନ୍ତି ସେହି ସମୟରେ ସେମାନଙ୍କୁ ଏଲ୍ସି ସେଣ୍ଟରେ ପଢାଯାଉଛି। ଏବେ ଏଭଳି ୫ଟି କେନ୍ଦ୍ରରେ ୨୦୦ ପିଲାଙ୍କୁ ଶିକ୍ଷା ଦିଆଯାଉଛି। ସକାଳେ ପ୍ରି ପ୍ରାଇମେରୀ ପିଲା ପଢୁଛନ୍ତି ଓ ପ୍ରଥମରୁ ଊର୍ଦ୍ଧ୍ୱ ଶ୍ରେଣୀର ପିଲାମାନେ ସନ୍ଧ୍ୟାବେଳେ ପଢ଼ିବାକୁ ଆସୁଛନ୍ତି। ଯେତେବେଳେ ପିଲାମାନେ ପରିବାର ସହ ବାହାରକୁ ଯାଇ ଯେଉଁଠାରେ ରହୁଛନ୍ତି ଏଲ୍ସି ସେଣ୍ଟରର ଶିକ୍ଷକମାନେ ପ୍ରତି ସପ୍ତାହରେ ସେହି ସବୁ ସ୍ଥାନକୁ ଯାଉଛନ୍ତି ଏବଂ ପିଲାମାନଙ୍କ ମାର୍କଶିଟ୍ ଦେଉଛନ୍ତି। ଏପରି କି ସେଠାରେ କ୍ୟାମ୍ପ ଆୟୋଜନ କରାଯାଇ ପିଲାଙ୍କୁ ଏକାଠି କରାଯାଉଛି।

