ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର ନିରାଶହେବା ପରେ ସେ ବାଧ୍ୟହୋଇ ଭଉଣୀର ଶବକୁ ମାଟି ତଳୁ ଖୋଳି ତାଙ୍କ କଙ୍କାଳକୁ ନେଇ ବ୍ୟାଙ୍କକୁ ଯାଇଥିଲେ। ବ୍ୟାଙ୍କ କର୍ତ୍ତୃପକ୍ଷ ଟଙ୍କା ଉଠାଇବା ପାଇଁ ତାଙ୍କଠାରୁ ଭଉଣୀର ମୃତ ପ୍ରମାଣପତ୍ର ଦାବି କରିଥିଲେ, ଯାହା ନିୟମ ଅନୁସାରେ ଠିକ୍‌ ବି। ଜିତୁ ମୁଣ୍ଡା ଚେଷ୍ଟାକରିବା ପରେ ମୃତ ପ୍ରମାଣପତ୍ର ଯୋଗାଡ଼କରି ନ ପାରି ଅନନ୍ୟୋପାୟ ହୋଇ ଭଉଣୀର କଙ୍କାଳକୁ ନେଇ ବ୍ୟାଙ୍କକୁ ଯାଇଥିଲେ। ଏହା ବ୍ୟତୀତ ୨୦୧୬ରେ କଳାହାଣ୍ଡି ଜିଲାରେ ଦାନ ମାଝୀ  ନିଜ ସ୍ତ୍ରୀଙ୍କ ମୃତଦେହକୁ କାନ୍ଧରେ ବୋହି ବୋହି ଜିଲା ମୁଖ୍ୟ ଡାକ୍ତରଖାନାରୁ ଗାଁକୁ ଫେରିଥିଲେ। ସେତେବେଳେ ପ୍ରବଳ ଚର୍ଚ୍ଚାରେ ରହିଥିଲା ଏହି ଘଟଣା। ଏମିତି କିଛି ଘଟଣା ଆମ ଦେଶରେ ଗରିବ ଓ ଆଦିବାସୀମାନଙ୍କର ବାସ୍ତବ ଅବସ୍ଥାକୁ ଉଜାଗର କରୁଛି ସାରା ଦୁନିଆ ସାମ୍ନାରେ। ପ୍ରଚାର ହେଉଥିବା ଗୋଲାପୀ ବିକାଶର ଆଢୁଆଳରେ କେତେ ଯେ ଦାରିଦ୍ର୍ୟ ଓ ଅସହାୟତା ଅଛି, ଏସବୁ ଘଟଣା ତା’ର ଜୀବନ୍ତ ଦଲିଲ। ସେହି ଘଟଣାର ପ୍ରାୟ ୧୦ ବର୍ଷ ପରେ ପୁଣି ଘଟିଛି ଜିତୁ ମୁଣ୍ଡାଙ୍କ ଘଟଣା, ଯାହା ଓଡ଼ିଶାକୁ ଅପଯଶ ଦେଇଛି । ଏସବୁ ଘଟଣାରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ସରକାର ଓ ପ୍ରଶାସନ ଦ୍ୱାରା ଉଚ୍ଚ ସ୍ବରରେ ପିଟାଯାଉଥିବା ବିକାଶର ଡେଙ୍ଗୁରା କେବଳ ଏକ ଫମ୍ପା ଶବ୍ଦ। ଅନେକ ଲକ୍ଷ ସାଧାରଣ ଲୋକ ଏହି ବିକାଶର ପାଖ ମାଡ଼ିପାରିନାହାନ୍ତି। ଶାସନ କଳର ଜଟିଳ ବ୍ୟବସ୍ଥାରେ ସାଧାରଣ ଲୋକମାନେ ପେଷିହୋଇଯାଉଛନ୍ତି। ତାଙ୍କ ନାଁରେ ହେଉଥିବା ଏକାଧିକ ଯୋଜନାର ଅସଲ ଲାଭ ସେମାନେ ପାଇପାରୁନାହାନ୍ତି।
ଏ ଦୁଇଟି ତ ଗଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର କଥା। ଉପକୂଳ ଅଞ୍ଚଳର ଜଗତ୍‌ସିଂହପୁର ଜିଲାର ଏରସମାରେ  ଏବେ ଘଟିଥିବା ଆଉ ଗୋଟିଏ ଘଟଣା ଶାସନ ବ୍ୟବସ୍ଥାର ଗୁମର ଓ ସରକାରୀ ଅଧିକାରୀଙ୍କ ସାଧାରଣ ଲୋକଙ୍କ ପ୍ରତି ଥିବା ଅସଲ ମନୋଭାବକୁ ସ୍ପଷ୍ଟ କରୁଛି। ଏରସମାରେ ପ୍ରଶାସନର ଜଣେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଦ୍ୱାରା ହେଉଥିବା ଜନଶୁଣାଣିକୁ ଗ୍ରାମାଞ୍ଚଳର କେତେଜଣ ମହିଳା ନିଜର ପାନୀୟ ଜଳ କଷ୍ଟ ବିଷୟରେ ଜଣାଇବାକୁ ଆସିଥିଲେ। କିନ୍ତୁ ଉପରୋକ୍ତ ଅଧିକାରୀ ତାଙ୍କ ସମସ୍ୟା ସମାଧାନ କରିବା ପରିବର୍ତ୍ତେ ମହିଳାଙ୍କ ସହ ଉଚ୍ଚ ସ୍ବରରେ ଯୁକ୍ତିକରିଥିଲେ ବୋଲି ମହିଳାମାନେ ଅଭିଯୋଗ କରିଛନ୍ତି। ଏହି ଖବର ଏବେ ସାମାଜିକ ଗଣମାଧ୍ୟମରେ  ବେଶ୍‌ ଚର୍ଚ୍ଚିତ ହୋଇଛି। ଏହା ମଧ୍ୟ ଅଭିଯୋଗ କରାଯାଉଛି ଯେ ଉପରୋକ୍ତ ଅଧିକାରୀଙ୍କ ସେପରି ବ୍ୟବହାର ସମୟରେ ସେଠାରେ ଉପସ୍ଥିତ ଥିବା କେତେଜଣ  ଲୋକ ଯେଉଁ ଭିଡିଓ ଉତ୍ତୋଳନ କରିଥିଲେ, ସେହି ଭିଡିଓକୁ  ଅଧିକାରୀ ଜଣକ ପୋଲିସ ଲଗାଇ ଡିଲିଟ୍‌ କରିଦେଇଥିଲେ। ପ୍ରଶାସନିକ ଅଧିକାରୀଙ୍କର ଲୋକଙ୍କ ସହ ଏପରି ବ୍ୟବହାର କେବଳ ଏଇ ଗୋଟିଏ ଘଟଣା ନୁହେଁ, ଏହା ଓଡ଼ିଶାର  କୋଣ ଅନୁକୋଣରେ ପ୍ରାୟ ପ୍ରତ୍ୟେକ ଦିନ ଘଟୁଛି। ତା’ହେଲେ ଆମେ ସର୍ବବୃହତ୍‌ ଗଣତନ୍ତ୍ର ବୋଲି ଯେଉଁ ପ୍ରଚାର କରାଯାଉଛି, ତା’ର ବାସ୍ତବ ରୂପରେଖ କ’ଣ? ହାତୀର ଖାଇବା ଦାନ୍ତ ଓ ଦେଖେଇବା ଦାନ୍ତ ଅଲଗା ପରି ସରକାର ଓ ପ୍ରଶାସନର ଦେଖେଇହେବା ବ୍ୟବହାର ଓ ବାସ୍ତବ ବ୍ୟବହାର ସମ୍ପୂର୍ଣ୍ଣ ଅଲଗା। ଗୋଟିଏ ପଟେ ସରକାର ସଚିବାଳୟକୁ କହୁଛନ୍ତି ଲୋକସେବା ଭବନ, ବିଧାନସଭାକୁ କୁହାଯାଉଛି କର୍ତ୍ତବ୍ୟ ସଦନ ଇତ୍ୟାଦି ଇତ୍ୟାଦି। କିନ୍ତୁ ଅନ୍ୟପଟେ ପ୍ରଶାସନର ଲୋକଙ୍କ ପ୍ରତି ବ୍ୟବହାର ତ ସେଇ ଇଂରେଜ ସମୟର ଅଫିସରଙ୍କ ପରି ରହିଛି। ସେମିତି ନ ହୋଇଥିଲେ ଏରସମାର ମହିଳା, ଜିତୁ ମୁଣ୍ଡା କି ଦାନ ମାଝୀମାନେ କାହିଁକି ଏପରି ପରିସ୍ଥିତି ଭୋଗିଥାନ୍ତେ!
ଆମେ ଦେଖୁଛୁ, କମ୍ପାନୀ ଓ ଖଣିମାନଙ୍କୁ ବିଭିନ୍ନ ପ୍ରକାର ପ୍ରଶାସନିକ ମଞ୍ଜୁରୀ ପ୍ରଦାନ କରିବା ପାଇଁ ଜିଲାପ୍ରଶାସନ କିପରି ଦିନ ରାତି ଏକ କରି ତାଙ୍କ ଫାଇଲକୁ ପାସ୍‌ କରୁଛନ୍ତି। ଏପରିକି ଜିଲାପ୍ରଶାସନ ରବିବାରରେ ବି ବେଦାନ୍ତ ପରି କମ୍ପାନୀକୁ ଅନେକ ପ୍ରକାର ମଞ୍ଜୁରୀ ପ୍ରଦାନ କରିଥିବାର ନଜିର ଅଛି। ତା’ହେଲେ ସାଧାରଣ ଲୋକଙ୍କ ବେଳକୁ ସେମାନେ ଏତେ ସମ୍ବେଦନଶୂନ୍ୟ ହୋଇଯାଉଛନ୍ତି କାହିଁକି? ପ୍ରଶାସନ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ଶିକ୍ଷାଗତ ଯୋଗ୍ୟତା ଦେଖି ଭେଦଭାବପୂର୍ଣ୍ଣ ବ୍ୟବହାର କରିବା କ’ଣ ଗଣତନ୍ତ୍ରର ନୂଆ ପରିଚୟ!
ଠିକ୍‌ ସେହିପରି ଜିତୁ ମୁଣ୍ଡାଙ୍କ ସ୍ଥାନରେ ଯଦି ଜଣେ ଧନୀ ଲୋକ ଥାଆନ୍ତେ, ତାଙ୍କୁ କ’ଣ ବ୍ୟାଙ୍କ ଏମିତି ପରିସ୍ଥିତିକୁ ଠେଲି ଦେଇଥାଆନ୍ତା ଯେ ସେ ଯାଇ ତାଙ୍କ ସମ୍ପର୍କୀୟଙ୍କ ମୃତଦେହକୁ ଖୋଳିବାକୁ ବାଧ୍ୟ ହୋଇଥାନ୍ତେ? ଜିତୁ ମୁଣ୍ଡାଙ୍କୁ ତାଙ୍କ ଭଉଣୀର ମୃତ ପ୍ରମାଣପତ୍ର ଦେବାକୁ ଏତେ ଡେରି କରାଗଲା କାହିଁକି? ମୃତ ପ୍ରମାଣପତ୍ର ଦେବା ଦାୟିତ୍ୱରେ ଥିବା ଅଧିକାରୀ ଜଣକ ଜିତୁ ମୁଣ୍ଡାଙ୍କ ବେଳକୁ ଯେମିତି ଶିଥିଳତା ଦେଖାଇଲେ ଜଣେ ଶିକ୍ଷିତ ଲୋକ ଓ ଧନୀ ଲୋକଙ୍କ ବେଳକୁ ସେମିତି ଢିଲା କରିଥାନ୍ତେ କି? ଗାଡ଼ି ଜରିମାନା ପାଇଁ ସରକାର ଲୋକଙ୍କ ଘରକୁ ଚାଲାଣ ରସିଦ ପଠାଇ ଦେଉଛନ୍ତି, ସେମିତି ସାଧାରଣ ଲୋକଙ୍କ ମୃତ ପ୍ରମାଣପତ୍ର ପଠାଇ ଦେଉନାହାନ୍ତି କାହିଁକି? କାହିଁକି ସାଧାରଣ ଲୋକଙ୍କୁ ମାସ ମାସ ଅପେକ୍ଷା କରିବାକୁ ପଡୁଛି। ଆମେ ଦେଖୁଛୁ, ବିଜୟ ମାଲ୍ୟା ଓ ନୀରବ ମୋଦିମାନେ ବ୍ୟାଙ୍କରୁ ଲକ୍ଷ ଲକ୍ଷ କୋଟି ଟଙ୍କା ଠକି ନେଇ ଆରାମରେ ଅଛନ୍ତି। କିନ୍ତୁ ୧୦ ହଜାର ଟଙ୍କା ଋଣ କରୁଥିବା ଚାଷୀଙ୍କ ଘରକୁ ବ୍ୟାଙ୍କ ବାଉନ୍ସର ପଠାଉଛି। ବିଚରା ଅପମାନ ସହି ନ ପାରି ଆତ୍ମହତ୍ୟା କରୁଛି। ସରକାରୀ କଳ ତଥା ଶାସନ ବ୍ୟବସ୍ଥାର ଏପରି ଦ୍ୱୈତ ବ୍ୟବହାର କାହିଁକି?
ପ୍ରଶାସନିକ ଅଧିକାରୀମାନେ ସାଧାରଣ ଲୋକଙ୍କୁ ଅପମାନ ଦେବା କିମ୍ବା ତାଙ୍କ କାମ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିବା ମୁଖ୍ୟ ସମସ୍ୟା ନୁହେଁ। ଏହା ତ ସମସ୍ୟାର ଶାଖା ପ୍ରଶାଖା। ଅସଲ ସମସ୍ୟା ହେଉଛି, ପ୍ରଶାସନିକ ଅଧିକାରୀମାନଙ୍କ ମନରେ ସାଧାରଣ ଲୋକଙ୍କ ପ୍ରତି ଥିବା ହୀନ ଭାବନା। ତାହା ଦୂର ନ ହେଲେ ଗଣତନ୍ତ୍ର କେବଳ ବହିର ଏକ ଅଧ୍ୟାୟ ହୋଇ ହିଁ ରହିଥିବ।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ: ୯୪୩୮୪୬୮୪୭୪

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?