ଦେବଗଡ,୨୦।୬(ଶଶାଙ୍କ ଶେଖର ଝାଙ୍କର):ଗାଁ ଭିତରେ ପଶିଲା ଦନ୍ତା ହାତୀ। ଗ୍ରାମବାସୀ ଆତଙ୍କିତ। ଦେବଗଡ ବନଖଣ୍ଡ ରିଆମାଳ ବନାଞ୍ଚଳ ନୁଆଁଡିହ ପଞ୍ଚାୟତର ମହାସିନ୍ଧୁ ଗ୍ରାମରେ ଏକ ଦନ୍ତା ହାତୀ ଆତଙ୍କ ସୃଷ୍ଟି କରିଛି । ହାତୀଟି ବର୍ତ୍ତମାନ ପର୍ଯ୍ୟନ୍ତ କାହାରି କିଛି କ୍ଷତି କରି ନ ଥିଲେ ମଧ୍ୟ ସ୍ଥାନୀୟ ଲୋକେ ଭୟରେ ଆତଙ୍କିତ ହୋଇପଡିଥିବା ଦେଖିବାକୁ ମିଳୁଛି । ଗତ ପ୍ରାୟ ୪ ଦିନ ହେଲା ଦନ୍ତା ହାତୀଟି ମହାସିନ୍ଧୁ ଗାଁ ଛାଡି କୁଆଡେ ଯାଉ ନ ଥିବାବେଳେ ସକାଳେ ୟା ଘର ତା ଘର ସାମ୍ନାରେ ଠିଆ ହେଉଛି । କେହି କିଛି ଧାନ ଚାଉଳ ଆଦି ଖାଦ୍ୟ ଶସ୍ୟ ଖାଇବାକୁ ଦେଲେ ଦେଲେ ଖାଉଛି। ଗ୍ରାମବାସୀ ଏବଂ ବନବିଭାଗ କର୍ମଚାରୀମାନେ ହାତୀଟିକୁ ଘଉଡାଇଲେ ଗାଁ ନିକଟ ଜଙ୍ଗଲକୁ ପଶି ଯାଉଛି ଏବଂ କିଛି ସମୟ ପରେ ପୁଣି ଗାଁ ଭିତକୁ ଆସୁଛି। ମୋଟାମୋଟି ଭାବେ କହିବାକୁ ଗଲେ ହାତୀଟି ଗାଁ ଛାଡି ଚାଲିଯିବାକୁ ପସନ୍ଦ କରୁନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ ।
ତେବେ ହାତୀଟି ଗାଁକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ଘଣ୍ଟା ଘଂଟା ଧରି ଠିଆ ହେଉଥିବାରୁ ଯାତାୟତରେ ମଧ୍ୟ ବାଧା ସୃଷ୍ଟି ହେଉଛି । ସେହିପରି ହାତୀଟିର ସୁରକ୍ଷା ନିମନ୍ତେ ବନ ବିଭାଗ ପରାମର୍ଶ କ୍ରମେ ବିଦ୍ୟୁତ ବିଭାଗ ପକ୍ଷରୁ ବିଦ୍ୟୁତ କାଟ ହେଉଥିବାରୁ ଗ୍ରାମବାସୀଙ୍କ ପାଇଁ ଏହା ଅନ୍ୟଏକ ସମସ୍ୟାର କାରଣ ସାଜିଛି । ଅନ୍ୟପକ୍ଷରେ ଏହା ଏକ ଜଙ୍ଗଲୀ ହାତୀ ହୋଇଥିବାରୁ କେତେ ବେଳେ କୋଣସି ଅଘଟଣ ଘଟାଇବା ଆଶଙ୍କାରେ ଗ୍ରାମବାସୀ ମାନେ ଆତଙ୍କିତ ହୋଇପଡିବା ସହ ହାତରେ ନିଆଁ ହୁଳା ଧରି ହାତୀ ଘଉଡାଇବାକୁ ଚେଷ୍ଟା କରୁଛନ୍ତି।
ଅନ୍ୟପକ୍ଷରେ ସମ୍ପୃକ୍ତ ଅଞ୍ଚଳ ଦାୟିତ୍ୱରେ ଥିବା ବିଭାଗୀୟ ଫରେଷ୍ଟର, ପରେଷ୍ଟ ଗାର୍ଡ ଓ ହାତୀ ସ୍କ୍ବାର୍ଡଙ୍କୁ ଉଭୟ ଗ୍ରାମବାସୀ ଓ ହାତୀର ସୁରକ୍ଷା ନିମନ୍ତେ ଦିନ ରାତି ଅନିଦ୍ରା ରହିବାକୁ ପଡୁଛି । ଏଭଳି ପରିସ୍ଥିତିରେ ଧନଜୀବନର ସୁରକ୍ଷା ନିମନ୍ତେ ବନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରିବାସହ ହାତୀଟିକୁ ଜଙ୍ଗଲ ମଧ୍ୟକୁ ଘଉଡାଇବାକୁ ଅଞ୍ଚଳବାସୀ ଦାବି ଜଣାଇଛନ୍ତି ।
Dharitri – Odisha’s No.1 Odia Daily

