ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର ସରକାର ସରକାରୀ ଭାଷା ଆଇନ ପ୍ରଣୟନ କଲା ପରେ ଏହାର କୁପ୍ରଭାବ ପ୍ରଥମତଃ ତାମିଲନାଡ଼ୁରେ ପଡ଼ିଲା, ଆଶଙ୍କା କରାଗଲା ଯେ ଏହା ହିନ୍ଦୀ ଭାଷାକୁ ଲଦିଦେବା ପାଇଁ ଏକ ପ୍ରଚେଷ୍ଟା। ତାହା ବିରୋଧରେ ପ୍ରବଳ ଜନମତ ସୃଷ୍ଟିହେଲା ଏବଂ ଏହି ଆନ୍ଦୋଳନର ପୁରୋଭାଗରେ ଥିଲେ ଛାତ୍ରମାନେ। ସେହିପରି ୧୯୫୬ରେ ସୀମା ପୁନଃନିର୍ଦ୍ଧାରଣ କମିଶନଙ୍କ ବିରୋଧାଚରଣ କରି ଓଡ଼ିଶାରେ ଯେଉଁ ଓଡ଼ିଆ ଭାଷା ଅଞ୍ଚଳର ପୁନଃମିଶ୍ରଣକୁ ନେଇ ଆନ୍ଦୋଳନ ହୋଇଥିଲା ତାହା ମୁଖ୍ୟ ଏକ ଛାତ୍ର ଆନ୍ଦୋଳନ। ୧୯୬୪ରେ ବ୍ୟବସାୟୀ ଓ ଛାତ୍ରଙ୍କ ମଧ୍ୟରେ କଳି ବଢ଼ି ବଢ଼ି ଏକ ବିଶାଳ ଛାତ୍ର ଆନ୍ଦୋଳନରେ ପରିଣତ ହୋଇଥିଲା ଏବଂ ଏହାର ସମାଧାନ ପାଇଁ ତତ୍କାଳୀନ କେନ୍ଦ୍ର ଗୃହ ମନ୍ତ୍ରୀ ଗୁଲଜାରିଲାଲ ନନ୍ଦାଙ୍କୁ ରେଭେନ୍ଶା ଟେନିସ୍ କୋର୍ଟରେ ଆହୂତ ସଭାରେ ଛାତ୍ରନେତାଙ୍କ ସହ ଆଲୋନ କରିବାକୁ ପଡ଼ିଥିଲା। ୧୯୭୩-୭୪ରେ ବିହାରରେ ଜୟପ୍ରକାଶଙ୍କ ଡାକରାରେ ଦୁର୍ନୀତି ଓ ମୂଲ୍ୟବୃଦ୍ଧି ବିରୋଧରେ ପ୍ରଚଣ୍ଡ ଛାତ୍ର ଆନ୍ଦୋଳନ ଆରମ୍ଭ ହୋଇଥିଲା।
ବେଆଇନ ଭାବରେ ବଙ୍ଗଳା ଦେଶରୁ ଆସାମକୁ ପଶିଆସିଥିବା ଲୋକଙ୍କର ପୁନଃପ୍ରସ୍ଥାନ ଦାବିରେ ଆସାମ ଛାତ୍ର ଆନ୍ଦୋଳନ ୧୯୭୧ରୁ ଆରମ୍ଭ ହୋଇ ୧୯୮୫ ପର୍ଯ୍ୟନ୍ତ ଲାଗି ରହିଥିଲା। ସେହିପରି ୧୯୯୦ରୁ ମଣ୍ଡଳ କମିଶନ ରାୟ ବିରୋଧରେ ଛାତ୍ରମାନେ ପ୍ରବଳ ଆନ୍ଦୋଳନ କରିଥିଲେ। ୨୦୨୬ରେ ଡାକ୍ତରୀ ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର ବାରମ୍ବାର ପ୍ରଘଟ ବିରୋଧରେ ଛାତ୍ରମାନେ ଆନ୍ଦୋଳନ କରି ଦିଲ୍ଲୀର ଯନ୍ତରମନ୍ତରଠାରେ ବିଶାଳ ବିକ୍ଷୋଭ କରିଥିଲେ।
ଏହି ଆନ୍ଦୋଳନଗୁଡ଼ିକ ଭିତରୁ ୧୯୫୬ର ଓଡ଼ିଆ ଭାଷାଭାଷୀ ଆନ୍ଦୋଳନରେ ଓଡ଼ିଶାରୁ ବେଙ୍ଗପାଣିଆ ଓ ସୁନୀଲ ଦେ ଦୁଇଛାତ୍ର ପୋଲିସ ଗୁଳିରେ ପ୍ରାଣ ହରାଇଥିଲେ। ୧୯୬୫ର ମାଡ୍ରାସରେ ହିନ୍ଦୀ ବିରୋଧୀ ଆନ୍ଦୋଳନରେ ରାଜେନ୍ଦ୍ରନ୍ ନାମକ ଜଣେ ଛାତ୍ର ଶହୀଦ ହୋଇଥିଲେ। ୧୯୬୯ରେ ରେଭେନ୍ଶା କଲେଜର ଜଣେ ଛାତ୍ର ପ୍ରଦୀପ୍ତ ମିଶ୍ରଙ୍କର ପୋଲିସ ଗୁଳିରେ ପ୍ରାଣହାନି ଘଟିଥିଲା। ୨୦୦୦ରେ ଦୁଇ ଗୋଷ୍ଠୀର ଲୋକଙ୍କ ଭିତରେ ଜାତିଗତ ଦଙ୍ଗା ବେଳେ ଛାତ୍ର ଆନ୍ଦୋଳନରେ ମିଜୋରାମର ୯ଜଣ ଛାତ୍ର ଶହୀଦ ହୋଇଥିବା ଏକ ଦୁଃଖଦାୟକ ଘଟଣା। ଦେଶ ଭିତରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାର ଦାୟିତ୍ୱ ରାଷ୍ଟ୍ରର ସାମ୍ବିଧାନିକ ଦାୟିତ୍ୱ ବଣ୍ଟନ ଅନୁସାରେ ଏହା ରାଜ୍ୟମାନଙ୍କର। ଅର୍ଥାତ୍ ଆଇନ ଶୃଙ୍ଖଳା ପରିସ୍ଥିତି ହେଲେ ତାହାର ସୁରକ୍ଷା ଓ ସମାଧାନ ରାଜ୍ୟ ପୋଲିସ ବଳ ଉପରେ ନ୍ୟସ୍ତ ହୁଏ। ରାଜ୍ୟର ଅନୁରୋଧ କ୍ରମେ ବେଳେ ବେଳେ କେନ୍ଦ୍ର ସୁରକ୍ଷାବଳ ନିୟୋଜିତ ହୋଇଥାନ୍ତି।
ଜିଲା ସ୍ତରରେ ଏସ୍ପି ପୋଲିସ ସୁରକ୍ଷା ବଳରେ ମୁଖ୍ୟ ହୋଇଥିଲା ବେଳେ ଆଇନ ଶୃଙ୍ଖଳା ରକ୍ଷାପାଇଁ ଜିଲା ମାଜିଷ୍ଟ୍ରେଟମାନଙ୍କୁ ଦାୟୀ କରାଯାଇଥାଏ। ତେଣୁ ଜିଲା ମାଜିଷ୍ଟ୍ରେଟଙ୍କ ତରଫରୁ ପ୍ରତି ବଡ଼ ବଡ଼ ଆଇନ ଶୃଙ୍ଖଳା ପରିସ୍ଥିତିରେ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟମାନଙ୍କୁ ନିୟୋଜନ କରାଯାଏ। ମାଜିଷ୍ଟ୍ରେଟଙ୍କ ଆଦେଶରେ ପରିସ୍ଥିତି ଲକ୍ଷ୍ୟକରି ଆନ୍ଦୋଳନ ହିଂସାତ୍ମକ ହେଲେ ତାକୁ ବେଆଇନ ଘୋଷଣା କଲାପରେ ସେମାନଙ୍କୁ ନିର୍ଦ୍ଦିଷ୍ଟ ଅଞ୍ଚଳ ଛାଡ଼ିବାକୁ ଡାକବାଜି ଯନ୍ତ୍ରରେ ଘୋଷଣା କରାଯାଏ ଏବଂ ଏହା ଫଳପ୍ରଦ ନ ହେଲେ ବଳପ୍ରୟୋଗ କରାଯାଏ।
ବଳପ୍ରୟୋଗକୁ ସବୁବେଳେ ଶେଷ ଆୟୁଧ ଭାବରେ ବ୍ୟବହାର କରାଯାଇଥାଏ। ଛାତ୍ର ଆନ୍ଦୋଳନ ପ୍ରତି ସବୁବେଳେ ସମାଜର ଏକ ସକାରାତ୍ମକ ଦୃଷ୍ଟିକୋଣ ରହି ଆସିଛି। ଏପରି କେହିନାହାନ୍ତି ଯାହାଙ୍କର ପୁଅ, ଭାଇ, ପୁତୁରା ଏମିତି କେହି ଛାତ୍ର ନୁହେଁ। ତେଣୁ ସେମାନଙ୍କ ଉପରେ କିପରି ସାଧାରଣ ଭାବରେ ବଳ ପ୍ରୟୋଜନ ଆବଶ୍ୟକ ନ ହେବ ତାହା ନିଶ୍ଚିତ କରିବାକୁ ଅଲିଖିତ ନିର୍ଦ୍ଦେଶ ଥାଏ, ମାତ୍ର ଯଦି ଦୁଇ ଭିନ୍ନ ସମ୍ପଦାୟ ଭିତରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୁଏ ସଙ୍ଗେ ସଙ୍ଗେ କଠୋର ପଦକ୍ଷେପରୁ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ରହିଥାଏ । ଏହାର ମୂଳକଥା ହେଲା ଛାତ୍ରମାନଙ୍କ ପ୍ରତି ସବୁବେଳେ ଏକ କୋହଳ ମନୋଭାବ ପୋଷଣ କରିବା ଏକ ଗଣତାନ୍ତ୍ରିକ ଦେଶର ପରମ୍ପରା। ସେମାନେ ସାଧାରଣ ପରିବାରରୁ ଆସିଥାନ୍ତି ଏବଂ ମୁଖ୍ୟତଃ ଶାନ୍ତିପ୍ରିୟ। ସେମାନଙ୍କୁ ସମାଜରେ ମୁଖ୍ୟ ଧାରାରେ ରଖିବା ପାଇଁ ସମସ୍ତଙ୍କର ପ୍ରୟାସ ଥାଏ।
ନିକଟରେ ସୁପ୍ରିମକୋର୍ଟ ମଧ୍ୟ ସରକାରଙ୍କ ତରଫରୁ ଛାତ୍ରଙ୍କ ବିରୋଧରେ ଥିବା ଏଫ୍ଆଇଆର୍କୁ ରଦ୍ଦ କରିଛନ୍ତି। ଆଗରୁ ଛାତ୍ର ଆନ୍ଦୋଳନର ସଂଶ୍ଲିଷ୍ଟ ହୋଇ ବହୁ ଛାତ୍ର ସରକାରୀ ଚାକିରିରେ ଯୋଗ ଦେଇ ପାରିନାହାନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଇତିହାସ ବିଭାଗର ପ୍ରଫେସର ନିହାର କାନ୍ତି କବି ମଧ୍ୟ ତାଙ୍କ ନଁାରେ ଛାତ୍ର ଆନ୍ଦୋଳନରେ ପୋଲିସ କେସ୍ ଥିବାରୁ ଆଇପିଏସ୍ ଚାକିରି ପାଇ ମଧ୍ୟ ସେତେବେଳେ ଯୋଗଦେଇ ପାରି ନ ଥିଲେ।
ଏବର ସୁପ୍ରିମକୋର୍ଟ ଛାତ୍ରମାନଙ୍କ ଉପରେ ପୋଲିସ ବର୍ବରତାକୁ ଅଧିକ ଗୁରୁତ୍ୱ ଦେଇ ପୋଲିସ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆରମ୍ଭ କରିଛନ୍ତି- ଏହା ପୋଲିସର ମନୋବଳକୁ ଦୁର୍ବଳ କରିପାରେ ବୋଲି ଅନେକଙ୍କର ମତ। ବାସ୍ତବରେ ଛାତ୍ର କହିଲେ ଯାହା ସରାଚର ଦଶନ୍ଧି ତଳେ ବୁଝାଯାଉଥିଲା, ଏବେ ଆଉ ସେଇ ପରିସ୍ଥିତି ନାହିଁ । ଆଜିକାଲି ଛାତ୍ର ହେବାପାଇଁ ବୟସର କିଛି ସୀମା ନାହିଁ । ପିଏଚ୍ଡି ନଁାରେ ଦାଖିଲ ହୋଇ କିଛି ଲୋକ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍କୁ ଘର ବନେଇ ଦେଇଛନ୍ତି ଏବଂ ବିଭିନ୍ନ ରାଜନୈତିକ କାମରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳୁଛି।
ଆପଣଙ୍କ ନଜରକୁ ଏକ କୌତୂହଳପୂର୍ଣ୍ଣ ୟୁଟ୍ୟୁବ୍ ଭିଡିଓ ହୁଏତ ଆସିଥାଇପାରେ। ୧୯୮୦ରେ ଶିକ୍ଷକଙ୍କୁ ଦେଖିଲେ ଛାତ୍ର ନମ୍ରତା ସହିତ ଆଚରଣ କରୁଥିଲେ, ଶିକ୍ଷକ ଶାରୀରିକ ଦଣ୍ଡ ଦେଲେ ମଧ୍ୟ ତାକୁ ମଥାପାତି ସହୁଥିଲେ। କାଳକ୍ରମେ ଆଇନ ଆସିଲା ପରେ ବିଦ୍ୟାଳୟରେ ଦଣ୍ଡକୁ ବାରଣ କରାଗଲା। ଏହା କିଛି ମନ୍ଦ ନୁହେଁ, ମାତ୍ର ବେପରବାୟ ହୋଇଗଲେ କିଛି ଅମାନିଆ ଛାତ୍ର – ଏବକାର କଥା ସେମାନେ ଶିକ୍ଷକମାନଙ୍କୁ ଲାଞ୍ଛନା ଦେବା ରୀତିମତ ଆରମ୍ଭ କରିଦେଲେଣି । ଏହା ଯଦି ସମାଜର ଚିତ୍ର ହୋଇଥାଏ ତାହାହେଲେ ଆମର ଛାତ୍ରମାନେ ଭାରି ସୁଧୀର ବୋଲି ଧରିନେବା ବଡ଼ ବୋକାମି। ରାଷ୍ଟ୍ରର ସୁରକ୍ଷା ପାଇଁ ବିରାଟ ଆହ୍ବାନ ହୋଇପାରେ।
ଗଣମାଧ୍ୟମର ବହୁଳ ପ୍ରଭାବ ଛାତ୍ରମାନଙ୍କ ଉପରେ ପଡ଼ିବା ଫଳରେ ବିଶୃଙ୍ଖଳା ଓ ଉଚ୍ଛୃଙ୍ଖଳତା ଖୁବ୍ ଅଧିକ ବଢ଼ିଛି । ସେମାନଙ୍କୁ ନିୟନ୍ତ୍ରଣ କରିବାକୁ ଶିକ୍ଷକଙ୍କ ନିକଟରେ କିଛି ଆୟୁଧ ନାହିଁ। ଯଦି ସେମାନଙ୍କ ନିକଟରେ ଏକ ଧାରଣା ସୃଷ୍ଟି ହେବ ଯେ ସେମାନଙ୍କ ଉପରେ କେବେ ବି କିଛି ପୋଲିସ କାର୍ଯ୍ୟାନୁଷ୍ଠାନ ହେବନି, ତେବେ ସେମାନେ କେତେ ଭୟଙ୍କର ଅବସ୍ଥା ସୃଷ୍ଟି କରିବେ ତାହା ଚିନ୍ତା କରାଯାଇପାରେ। ସବୁବେଳେ ବିରୋଧୀ ଦଳ ପକ୍ଷରୁ ସେମାନଙ୍କୁ ଉସୁକାଯାଇ ବିଶୃଙ୍ଖଳ କାର୍ଯ୍ୟରେ ନିୟୋଜନ କରାଯିବାକୁ ସୁଚିନ୍ତିତ ଖସଡ଼ା ପ୍ରସ୍ତୁତ ହୁଏ। ଏହା ଦେଶ ପାଇଁ ଓ ସାଧାରଣ ନାଗରିକ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିପାରେ। ଛାତ୍ର ଆନ୍ଦୋଳନ ଭିତରକୁ ଅଣଛାତ୍ର ପଶିଆସୁଥିବା ଏକ ବିବଦମାନ ସମସ୍ୟା ଯାହା ଅନେକ ଦିନରୁ ରହିଛି, ମାତ୍ର ଅଧିକ ଗୁରୁତ୍ୱପୂର୍ଣ୍ଣ ହେଲା ଏହା ଭିତରକୁ ପେସାଦାର ଓ ସଙ୍ଗିନ ଅପରାଧୀଙ୍କର ପ୍ରବେଶ। ଗତ ଯନ୍ତରମନ୍ତର ଆନ୍ଦୋଳନରେ ଯୋଗ ଦେଇଥିବା ତଥାକଥିତ ଛାତ୍ରମାନଙ୍କ ଭିତରୁ ପ୍ରାୟ ଦୁଇହଜାର ଦୁଇ ଶହ ଜଘନ୍ୟ ଅପରାଧୀ ଥିଲେ ବୋଲି ସିସିଟିଭି ଫୁଟେଜ୍ରୁ ତଥ୍ୟ ମିଳିଛି। ଯଦି ଆତଙ୍କବାଦୀ ଏପରି ସ୍ଥାନକୁ ପ୍ରବେଶ କଲେ ତା’ହେଲେ ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିବ କେମିତି, ଏହା ଏକ ବିରାଟ ପ୍ରଶ୍ନବାଚୀ। ପୋଲିସର ନିରଙ୍କୁଶ କ୍ଷମତାକୁ ଦମନ କରିବା ଯେତିକି ଜରୁରୀ ସେମାନଙ୍କର ମନୋବଳକୁ ଅତୁଟ ରଖିବା ମଧ୍ୟ ସେତିକି ଆବଶ୍ୟକ।
ଡ. ନିରଞ୍ଜନ ସାହୁ
(ଲେଖକ ଭାରତୀୟ ପ୍ରଶାସନିକ ସେବାର ପୂର୍ବତନ ଅଧିକାରୀ, ମତାମତ ବ୍ୟକ୍ତିଗତ)
ମୋ:୯୪୩୮୪୮୨୯୧୧

