Posted inଫୁରସତ

ଚିକିତ୍ସା ସୂତ୍ର

ଜଣେ ମହାତ୍ମା କହିଥିଲେ, ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇ ଲୋକେ କୋଟି ଜନ୍ମର ପାପରୁ ମୁକ୍ତି ପାଆନ୍ତି । ମୁଁ ଗାଲୁଆ ସେବେଠୁଁ ନିଜକୁ ବୁଝେଇଦେଲି ଯେହେତୁ ମୁଁ ପାପୀ ନୁହେଁ ସେଇଥିପାଇଁ ବୋଧେ ଠାକୁର ମୋତେ କେବେ ଭାବଡୋରି ପକେଇ ଭିଡ଼ନ୍ତି ନାହିଁ । ମନ୍ଦିର ଯାଏ । ପେଟେ ଅବଢ଼ା ଖାଇ ଆନନ୍ଦ ବଜାର ପାଖରୁ ଠାକୁରଙ୍କୁ ମୁଣ୍ଡିଆଟେ ମାରି ଫେରିଆସେ। ଏମିତିରେ ମନ୍ଦିର ବେଢ଼ାରେ ଯେତିକି ଭିଡ଼ ତା’ଠାରୁ ଅଧିକ ଗମ୍ଭୀରା ଭିତରେ। ତେଣୁ ମୋ ଭଳି ଲୋକମାନେ ଅଯଥାରେ ଗମ୍ଭୀରା ଭିତରକୁ ଯାଇ ଭିଡ଼ କରିବାକୁ ଠାକୁରେ ବୋଧେ ଚାହାନ୍ତି ନାହିଁ ।

ବସ୍‌ଷ୍ଟାଣ୍ଡରୁ ମନ୍ଦିର ସାମ୍ନା ଦେଇ ଖଜାପଟ୍ଟୀ ବାଟେ ସମୁଦ୍ରକୂଳକୁ ଗଲା ବେଳେ ଦର୍ଶନ ପାଇଁ ଲମ୍ବାଲାଇନ ଦେଖି ଖୁସି ଲାଗେ, ଯାହା ହେଉ ପୃଥିବୀର କେତେ ଲୋକ ପ୍ରତିଦିନ ପାପ ଧୋଇ ସଫା ହୋଇଯାଉଛନ୍ତି । ପ୍ରଭୁଙ୍କ ଏହି ପାପ କ୍ଲିନିଂ ମେଥଡଟା ବହୁତ ଭଲ ଲାଗେ । ନା ପିତା ଔଷଧ ନା ଅପରେଶନ ନା ଇଞ୍ଜେକ୍ସନ । ବିନା କଷ୍ଟ ବିନା ଅସ୍ତ୍ରୋପଚାରରେ ପାଇଲ୍ସ ଚିକିତ୍ସା ଭଳି ପାପ ଧୋବନ ଚିକିତ୍ସା ବି ସମ୍ଭବ । ବାସ୍‌, ବଡ଼ ଡାକ୍ତରଙ୍କ କ୍ଲିନିକରେ ଭିଡ଼କୁ ଟିକେ ସମ୍ଭାଳିନେଲେ ହେଲା । ମାଗଣା ମିଳିଲେ ତ ଆମ ଲୋକ ପିଚୁ ପିଇ ଯିବେ। ତେଣୁ ମାଗଣା ଚିକିତ୍ସାରେ ବାକରଣଠାରୁ ପ୍ରାଚୁର୍ଯ୍ୟ ପ୍ରାପ୍ତି, ବିଷାଦ ଠାରୁ ଅବସାଦ ଯାଏଁ ସବୁର ମାଗଣା ଚିକିତ୍ସା ପାଇଁ ଅଳ୍ପ ଠେଲାପେଲା ଲମ୍ବା ଲାଇନରେ ଠିଆହେବା କିବା କଥା । ଏହା ଦୃଶ୍ୟ ଚିକିତ୍ସା ଭାବେ ପରିଚିତ । ଡାକ୍ତରଙ୍କ ମୁହଁକୁ ଚାହିଁଦେଲେ ରୋଗୀକୁ ଉପଶମ ମିଳେ।

ଯେଉଁ ଡାକ୍ତରଙ୍କ ପାଖରେ ବେଶି ଗହଳି ତାଙ୍କ କମ୍ପାଉଣ୍ଡର ଅଧା ରୋଗୀଙ୍କୁ ଚିକିତ୍ସା କରୁଥିବାର ଆପଣମାନେ ନିଶ୍ଚୟ ଜାଣିଥିବେ । ବଡ଼ ଡାକ୍ତର ରୋଗୀ ଉପରେ କେବଳ ଥରେ ଆଖି ବୁଲେଇ ଆଣି କମ୍ପାଉଣ୍ଡର ଲେଖିଥିବା ଔଷଧକୁ ଓକେ କରିଦେଲେ ରୋଗୀ ଦେଖା ସରିଲା।

ସଦର ମହକୁମାରେ ଗୋଟେ ବଡ଼ ଡାକ୍ତରଖାନା ସହ ପ୍ରତି ଗାଁରେ ଡିସ୍‌ପେନ୍ସସରି ଥାଏ । ଉଦ୍ଦେଶ୍ୟ ହେଲା ଛୋଟ ମୋଟ ରୋଗର ଚିକିତ୍ସା ଡିସ୍‌ପେନ୍ସସରିରେ ହେବା ସହ ବଡ଼ ଡାକ୍ତରଖାନାରେ ଭିଡ଼ କମିବ। ସେମିତି ବଡ଼ ଠାକୁରଙ୍କ ପାଖରେ ଭିଡ଼ ନ ହେବା ପାଇଁ ବିଭିନ୍ନ ଜାଗାରେ ତାଙ୍କ କମ୍ପାଉଣ୍ଡରମାନେ କ୍ଲିନିକ ଖୋଲି ବସିଛନ୍ତି । ଏହି କମ୍ପାଉଣ୍ଡରମାନଙ୍କୁ ଆମେ ପ୍ରାୟ ବାବା ବୋଲି କହୁ । ବଡ଼ ଡାକ୍ତରଙ୍କ ପାଖରେ ଦୃଶ୍ୟ ଚିକିତ୍ସାରୁ ବଞ୍ଚିତ ରୋଗୀ ମାନେ ପ୍ରଥମେ ବିଭିନ୍ନ ବାବା ରୂପୀ କମ୍ପାଉଣ୍ଡରମାନଙ୍କ ପାଖକୁ ଯାଆନ୍ତି। ଏମାନଙ୍କ ଚିକିତ୍ସା ବି ଅନନ୍ୟ। ଜଣେ ବାବା ସ୍ପର୍ଶ ଚିକିତ୍ସା ଦ୍ୱାରା ରୋଗ ଭଲ କରିଦିଅନ୍ତି। ତାଙ୍କ ସ୍ପର୍ଶ ମାତ୍ରେ ହିଁ ରୋଗୀକୁ ଉପଶମ ମିଳେ। ସେ ଉଭୟ ହାତ ଓ ଓଠରେ ସ୍ପର୍ଶ ଦେଇ ରୋଗ ଭଲ କରନ୍ତି । ଥରେ ଜଣେ ମହିଳାଙ୍କ ଏପରି ଏକ ଅଜାଗାରେ ସ୍ପର୍ଶକରି କାନରେ ବାବା ଚୁପି ଚୁପି ପଚାରିଲେ, ଭଲ ଲାଗିଲା ନା ଆଉଥରେ ସ୍ପର୍ଶ ଦେବି? ବିଚାରୀ ମହିଳା ଜଣଙ୍କ ବାବାଙ୍କ ପୁନର୍ବାର ସ୍ପର୍ଶ ଡରରେ କହିଲେ, ଆଜ୍ଞା ଏବେ ବହୁତ ବେଟର ଫିଲ୍‌ କରୁଛି । ଚେଲାମାନେ ବାବାଙ୍କ ଜୟ ଗାନ କଲେ। ଅପୂର୍ବ ବାବାଙ୍କ ଚିକିତ୍ସା ! ଥରକ ସ୍ପର୍ଶରେ ମହିଳାଙ୍କ ବହୁ ପୁରାତନ ରୋଗ ଭଲ ହୋଇଗଲା । ଜୟ ବାବାଙ୍କ ଜୟ ।
ଥରେ ବାବାଙ୍କ ପାଖକୁ ଜଣେ ବୃଦ୍ଧ ଆସିଲେ । ବାବା ପଚାରିଲେ କି ରୋଗ ହୋଇଛି । ବୃଦ୍ଧ ଜଣଙ୍କ କହିଲେ, ବାବା ଆପଣଙ୍କ ସ୍ପର୍ଶ ଚିକିତ୍ସା ବିଷୟରେ ବହୁତ ଶୁଣିଛି । ଆପଣ ହାତ ନ ହେଲେ ଓଠରେ ସ୍ପର୍ଶ କରି ଅସାଧ୍ୟ ରୋଗ ଭଲ କରିଦେଉଛନ୍ତି । କାହିଁ କେତେ ପୁରୁଣା ଦିନରୁ ମୋର ଅର୍ଶ ବେମାର ପାଇଁ ମୁଁ ଖୁବ୍‌ କଷ୍ଟ ପାଉଛି । ଉପଶମ ପାଇଁ ଆପଣଙ୍କ ପାଖକୁ ଆସିଛି । କିଛିଦିନ ପରେ ବାଧ୍ୟହୋଇ ବାବା ତାଙ୍କ କ୍ଲିନିକ ବାହାରେ ଲେଖିଲେ ଏଠାରେ ସ୍ପର୍ଶ ଦ୍ୱାରା ଅର୍ଶ କି ହାର୍ନିଆ ଚିକିତ୍ସା ହେଉନି।
ଜଣେ ବଡ଼ ଡାକ୍ତରଙ୍କ କମ୍ପାଉଣ୍ଡର ଅଛନ୍ତି । ତାଙ୍କ ପାଖରେ ପୃଥିବୀର ସବୁ ବେମାର ପାଇଁ ଚିକିତ୍ସା ଅଛି । ସେ ଶ୍ରାବ୍ୟ ଚିକିତ୍ସା କରନ୍ତି। ଟିଭିରେ ବାବାଙ୍କ ଚିକିତ୍ସା ପ୍ରୋଗ୍ରାମ ଚାଲିଥିବା ବେଳେ ତଳେ ଫୋନ୍‌ ନମ୍ବର ବାରମ୍ବାର ଫ୍ଲାସ୍‌ କରୁଥିବ । ସେହି ନମ୍ବରରେ ଯୋଗକୁ ଫୋନ ଲାଗିଗଲେ ସେପଟୁ ବାବା ଔଷଧ ବତେଇଦେବେ। ଜଣେ ରୋଗୀ କହିଲେ, ବାବା ବହୁଦିନ ବିବାହ ପରେ ବି ମୁଁ ନିଃସନ୍ତାନ ଅଛି। ବାବା କହିଲେ, ମୁଁ ଦେଖିପାରୁଛି ତୁମ ଗାଁରେ ଗୋଟେ କାଳୀଗାଈ ବୁଲୁଛି । ଭକ୍ତ କହିଲା, ‘ହଁ ବାବା, ଗାଁରେ କାଳୀଗାଈକୁ ଦେଖିଛି ।’

— ବାସ୍‌, ତୁମ କୃପା ସେଇଠି ଅଟକିଛି । ସେ ଗାଈର ମନ ପସନ୍ଦ ଷଣ୍ଢକୁ ମ୍ୟୁନିସିପାଲିଟି ବାଲା ଧରିନେଇଛନ୍ତି । ତାକୁ ଆଣି ଗାଈ ପାଖରେ ଛାଡ଼ ତୁମର କୃପା ହେବ । ଆଉ ଜଣେ ରୋଗୀ ପଚାରିଲେ, ”ବାବା, ପାଠ ପଢ଼ି ଘରେ ବେକାର ବସିଛି ।“ ବାବା ପଚାରିଲେ- କେତେ ଯାଏଁ ପଢ଼ିଛ ? ଭକ୍ତ କହିଲା – ‘ବାବା BA ପଢ଼ିଛି ।’ — ଆଉ ଥରେ BA ପଢ଼ । ଡବଲ BA ପରେ ତୁମେ BABA ବନିଯିବ । ତୁମର ଆଉ ଚାକିରି ଦରକାର ହେବନି । ପ୍ରଭୁଙ୍କ କୃପା ମିଳିବ ।
ଚିକିତ୍ସାରେ କିନ୍ତୁ ଗ୍ୟାରେଣ୍ଟି ନ ଥାଏ । ଭଲ ହେଲେ କମ୍ପାଉଣ୍ଡରଙ୍କର ନ ହେଲେ ବଡ଼ ଡାକ୍ତର ତ ଅଛନ୍ତି । ପେଟରୋଗ ପାଇଁ ଆଖି ଡାକ୍ତରଙ୍କ ପାଖକୁ ଗଲେ ରୋଗ ଭଲ ହୁଏନି । ସେମିତି ସୋମବାର ସନ୍ତୋଷୀ ମା’ ଓ ଶୁକ୍ରବାର ହନୁମାନଙ୍କ ପାଖକୁ ଗଲେ ସୁଫଳ ମିଳେନି। ଗ୍ରହରେ ଘାତକ ଦୋଷ ପାଇଁ ଲକ୍ଷ୍ମୀପୂଜା ଓ ଧନ ପାଇଁ ଶନି ପୂଜା କଲେ କିଛି ଲାଭ ନାହିଁ । ତେଣୁ ପାଳି ଓ ବାରି ଅନୁସାରେ ଡାକ୍ତର ହୁଅନ୍ତୁ କିମ୍ବା ଭଗବାନ ତାଙ୍କ ଦରବାରରେ ମୁଣ୍ଡିଆ ମାରିଲେ ଉପଶମ ମିଳିବ।
ଏସବୁ ବାଦ୍‌ ଆଉ ଗୋଟେ ଚିକିତ୍ସା ଯାହାର ଗ୍ୟାରେଣ୍ଟି ଅଛି । ସାତଦିନ ଭିତରେ ଫଳ ନ ମିଳିଲେ ଦେଇଥିବା ଫିସ୍‌ର ଡବଲ ଫେରସ୍ତ। ଏ କମ୍ପାଉଣ୍ଡରଙ୍କ ନାଁ ହେଲା ବଙ୍ଗାଳି ବାବା । ଏ ବାବା ମାନେ ପ୍ରତି ସପ୍ତାହରେ ନୂଆ ନୂଆ ଗାଁ ବୁଲି ରୋଗୀମାନଙ୍କୁ ଡୋର ଷ୍ଟେପ୍‌ ସର୍ଭିସ ଦିଅନ୍ତି । ରୋଗ ସହ ଜମି ବିବାଦ, ପ୍ରେମ, ବଶୀକରଣ ଇତ୍ୟାଦିର ଗ୍ୟାରେଣ୍ଟି ଚିକିତ୍ସା କରନ୍ତି। ଥରେ ଜଣେ ଯୁବକ ବାବାଙ୍କ ପାଖକୁ ଆସିଲା । ପାଖ ବସ୍ତିରେ ରୁହେ । କାମଧନ୍ଦା ନ କରି ଗଞ୍ଜେଇ ଆଡ୍ଡାରେ ଦିନ କାଟୁଛି । ବାବାଙ୍କୁ କହିଲା , ବାବା ଅଳ୍ପ ଦିନ ହେଲା ଗୋଟେ ସୁନ୍ଦରୀ ଝିଅର ଏକତରଫା ପ୍ରେମରେ ପଡ଼ିଛି । ଗୋଟେ ବଶୀକରଣ ତାବିଜ ଦିଅନ୍ତୁ । ବାବା ଶହେ ଟଙ୍କା ନେଇ ତାକୁ ତାବିଜ ଦେବା ସହ ପିନ୍ଧିବା ଉପାୟ ବତେଇଦେଲେ । କିଛିଦିନ ପରେ ଯୁବକଟି ପୁଣି ବାବାଙ୍କ ପାଖକୁ ଆସି କହିଲା, ସେ ଝିଅ ତ ମୋତେ ପଟିଲାନି, ଏବେ ଆମ ବସ୍ତିର ଆଉ ଦୁଇଟା ଟୋକାଙ୍କ ସହ ଦିନ ଯାକ ବାହାରେ ବୁଲୁଛି। ବାବା କହିଲେ, ଆଶ୍ଚର୍ଯ୍ୟ କଥା । ଏଇ ୩/୪ଦିନ ଭିତରେ ତୁମ ବସ୍ତିର ଅନୂ୍ୟନ ୧୦ ଜଣ ଟୋକା ଆସି ମୋଠୁ ତାବିଜ ନେଇକି ଗଲେଣି । କାହାର କମ୍ପ୍ଲେନ ନାହିଁ । ତୁମେ ଟଙ୍କା ଫେରସ୍ତ ପାଇଁ ମିଛ କହୁଛ । ମୋ’ ତାବିଜର ଶକ୍ତି ବହୁତ । ଝିଅ ତ ଝିଅ ତା’ ବାପା ବି ପଟିବ । ସେ ଝିଅ ବିଷୟରେ ସବିସ୍ତାରେ କହିଲ ଦେଖି ଯାହା ପାଖରେ ମୋ ତାବିଜ ଫେଲ୍‌ ମାରିଗଲା ।

ଯୁବକଟି ମୁଣ୍ଡକୁ ଆଉଁଷି ଧୀର ଗଳାରେ କହିଲା, ବାବା ସେ ସୁନ୍ଦରୀ ଆପଣଙ୍କ କନ୍ୟା। ଯେତେଜଣ ଆପଣଙ୍କଠାରୁ ବଶୀକରଣ ତାବିଜ ନେଇଛନ୍ତି ସମସ୍ତଙ୍କୁ ମୁଁ ଆପଣଙ୍କ ଘର ସାମ୍ନାରେ ନିତି ଭେଟୁଛି।
ଏବେ ବାବା ତାଙ୍କ ଗ୍ୟାରେଣ୍ଟି ଚିକିତ୍ସା ବନ୍ଦକରି ଘରେ ଝିଅକୁ ଜଗୁଛନ୍ତି ।
-ବନମାଳୀ ଭବନ, ଖାନ୍‌ ନଗର, କଟକ
ମୋ:୯୪୩୭୦୧୦୭୫୮

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?