ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଭଞ୍ଜନଗର ଉପଜିଲାପାଳ ଉମା ଶଙ୍କର ବେହେରା ଅଧ୍ୟକ୍ଷତା କରିଥିଲେ।
ଏହି ବୈଠକରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ଭଞ୍ଜନଗର ମ୍ୟୁନିସିପାଲଟି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଯୋଗଦେଇ ପର୍ଯ୍ୟଟନ ବିକାଶ ପାଇଁ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ, ପର୍ଯ୍ୟଟକଙ୍କ ସୁବିଧା ଏବଂ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରିତ ଭାବେ ଆଗେଇ ନେବା ଉପରେ ଗୁରୁତ୍ୱ ଦେଇଥିଲେ।
ଉପଜିଲାପାଳ ବେହେରା କହିଥିଲେ ଯେ, ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଉନ୍ନତି ସହିତ ପର୍ଯ୍ୟଟକଙ୍କ ଅନୁଭୂତିକୁ ଆହୁରି ସୁନ୍ଦର ଓ ସୁବିଧାଜନକ କରିବା ଉପରେ ପ୍ରଶାସନ ଗୁରୁତ୍ୱ ଦେବ। ମୁଖ୍ୟ ସଚିବଙ୍କ ପରାମର୍ଶ ଅନୁଯାୟୀ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ସୁରକ୍ଷା, ନିରାପତ୍ତା ଓ ସ୍ୱଚ୍ଛତା ବ୍ୟବସ୍ଥାକୁ ସର୍ବାଧିକ ପ୍ରାଥମିକତା ଦିଆଯିବ। ନିକଟରେ ଗଞ୍ଜାମ ଜିଲାପାଳ କୀର୍ତ୍ତି ଭାସନ୍ ଭି. ବନବିହାର ପରିଦର୍ଶନ କରି ଏହାର ପର୍ଯ୍ୟଟନ ସମ୍ଭାବନା ଉପରେ ଗୁରୁତ୍ୱ ଦେଇଥିଲେ। ଏହି କ୍ରମରେ ବନବିହାର ଅଞ୍ଚଳରେ ବୋଟିଂ ବ୍ୟବସ୍ଥା, ଭଞ୍ଜନଗର ଘାଇ ଅଞ୍ଚଳରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଏବଂ ଭାସମାନ ରେଷ୍ଟୁରାଣ୍ଟ ପ୍ରତିଷ୍ଠା ଭଳି ନୂତନ ଆକର୍ଷଣ ବିକଶିତ କରାଯିବ।
ପର୍ଯ୍ୟଟନ ବିକାଶ କାର୍ଯ୍ୟକୁ ଅଧିକ ସୁସଂଗଠିତ କରିବା ପାଇଁ ଉପଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ‘ଉପଖଣ୍ଡ ସ୍ତରୀୟ ପର୍ଯ୍ୟଟନ ବିକାଶ କମିଟି’ ଗଠନ କରାଯିବ, ଯେଉଁଥିରେ ବିଭିନ୍ନ ବିଭାଗର ଅଧିକାରୀମାନେ ରହିବେ। ଗଞ୍ଜାମ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଜନକ କୁମାର ତରାଇ ସରକାରୀ ଯୋଜନା, ପୁଞ୍ଜିନିବେଶର ସୁଯୋଗ ଓ ପ୍ରୋତ୍ସାହନ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ସ୍ଥାନୀୟ ଉଦ୍ୟୋଗୀଙ୍କୁ ନିବେଶ କରିବାକୁ ଆହ୍ୱାନ ଜଣାଇଥିଲେ।
ବୈଠକରେ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ରାସ୍ତା, ପାନୀୟ ଜଳ, ଶୌଚାଳୟ, ଆଲୋକୀକରଣ, ପାର୍କିଂ, ସ୍ୱଚ୍ଛତା, ବସିବା ବ୍ୟବସ୍ଥା ଓ ସୂଚନା ଫଳକ ଭଳି ମୌଳିକ ସୁବିଧାର ବିକାଶ ସହ ସ୍ଥାନୀୟ ଯୁବକଯୁବତୀଙ୍କ ପାଇଁ ରୋଜଗାର ସୃଷ୍ଟି କରିବା ଉପରେ ଆଲୋଚନା ହୋଇଥିଲା। ଏହି ବୈଠକରେ ଅତିରିକ୍ତ ଉପଜିଲାପାଳ ପ୍ରଧାନ ଟୁଲିଆମ୍ମା, ସହାୟକ ଉପଜିଲାପାଳ ଚନ୍ଦ୍ରଗିରି ଗାୟତ୍ରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ, ଅଧୀକ୍ଷଣ ଯନ୍ତ୍ରୀ ସଞ୍ଜୟ କୁମାର ପ୍ରଧାନ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

