ଡର୍ବାନ,୧୨।୧୦:ଟେଷ୍ଟ କ୍ରିକେଟ୍ରେ ବେଳେବେଳେ ଏପରି କିଛି ବିରଳ ରେକର୍ଡ ଦେଖିବାକୁ ମିଳେ, ଯାହା କ୍ରିକେଟ୍ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡର୍ବାନର କିଙ୍ଗ୍ସମିଡ ଷ୍ଟାଡିୟମ୍ରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍ରେ ଏଭଳି ଏକ ଅଦ୍ଭୁତ ସଂଯୋଗ ଦେଖିବାକୁ ମିଳିଛି। ଅଷ୍ଟ୍ରେଲୀୟ ବ୍ୟାଟର ମାର୍ନସ ଲାବୁଶେନ ଉଭୟ ଇନିଂସରେ ସମାନ ସଂଖ୍ୟକ ବଲ ଖେଳି ସମାନ ରନ କରି ଆଉଟ ହୋଇଛନ୍ତି।
ଦକ୍ଷିଣ ଆଫ୍ରିକା ବିପକ୍ଷ ଏହି ଟେଷ୍ଟର ପ୍ରଥମ ଇନିଂସ୍ରେ ଲାବୁଶେନ ୫୮ଟି ବଲ୍ର ସାମ୍ନା କରି ୩୭ ରନ କରିଥିଲେ। ଆଶ୍ଚର୍ଯ୍ୟର କଥା, ଦ୍ୱିତୀୟ ଇନିଂସ୍ରେ ମଧ୍ୟ ସେ ଠିକ ୫୮ଟି ବଲ ଖେଳି ୩୭ ରନ କରି ଆଉଟ ହୋଇଥିଲେ। ଟେଷ୍ଟ କ୍ରିକେଟ୍ର ପ୍ରାୟ ୧୫୦ ବର୍ଷର ଇତିହାସରେ ୨୦ରୁ ଅଧିକ ରନ କରିବା ସହ ଉଭୟ ଇନିଂସ୍ରେ ସମାନ ବଲ ଖେଳି ସମାନ ସ୍କୋର କରିବାର ଏହା ଦ୍ୱିତୀୟ ଘଟଣା।
ଏହା ପୂର୍ବରୁ ୧୯୭୭-୭୮ ଟେଷ୍ଟ ସିରିଜ୍ର ଭାରତର ପୂର୍ବତନ ଉଇକେଟ୍କିପର ବ୍ୟାଟର ସୟଦ କିରମାନୀ ଅଷ୍ଟ୍ରେଲିଆ ବିପକ୍ଷରେ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଉଭୟ ଇନିଂସ୍ରେ ୬୨ଟି ବଲ ଖେଳି ୨୯ ରନ ଲେଖାଏ କରିଥିଲେ। ଏବେ ଲାବୁଶେନ ମଧ୍ୟ ସମାନ ପ୍ରକାରର ବିରଳ ସଂଯୋଗର ଅଂଶ ହୋଇଛନ୍ତି।
ଲାବୁଶେନ ଏକ ବିରଳ ରେକର୍ଡ ହାସଲ କରିଥିଲେ ମଧ୍ୟ ଟେଷ୍ଟ କ୍ରିକେଟ୍ରେ ତାଙ୍କ ଫର୍ମକୁ ନେଇ ଚିନ୍ତା ଜାରି ରହିଛି। ଉଭୟ ଇନିଂସ୍ରେ ଭଲ ଆରମ୍ଭ କରିଥିଲେ ମଧ୍ୟ ସେ ଅର୍ଦ୍ଧଶତକ ହାସଲ କରିପାରି ନ ଥିଲେ।
ଲାବୁଶେନ ଶେଷ ଥର ପାଇଁ ୨୦୨୩ରେ ଟେଷ୍ଟ ଶତକ ହାସଲ କରିଥିଲେ। ଏହା ପରଠାରୁ ସେ ଏହି ଫର୍ମାଟ୍ରେ ଏକ ବଡ଼ ଇନିଂସ ଖେଳିବାକୁ ସଂଘର୍ଷ କରୁଛନ୍ତି।
Dharitri – Odisha’s No.1 Odia Daily

