ଛତ୍ରପୁର,୧୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାହେବଜେନାପଲ୍ଲୀଠାରେ ଥିବା ଗୋଟିଏ କୂଅରୁ ପାଣି ଟାଣୁଛନ୍ତି ୧୩ଟି ପମ୍ପ। ସବୁଠାରୁ ବିପଦପୂର୍ଣ୍ଣ କଥା ହେଉଛି ସେହି ପମ୍ପଗୁଡ଼ିକ କୂଅର ଚାରିପଟେ ଖୋଲା ଅବସ୍ଥାରେ ରହିଛି ଏବଂ ସବୁ ପମ୍ପର ତାର ଏମିତି ଝୁଲି ରହିଛି ଯେମିତି ଆଖି ପିଛୁଳାକେ ଯେକୌଣସି ପ୍ରକାରର ବଡ଼ ଅଘଟଣ ଘଟିପାରେ। ଏହାର ଠିକ୍ ପାର୍ଶ୍ୱରେ ରହିଛି ବିଦ୍ୟାଳୟ ଭଳି ଗୋଟିଏ ସମ୍ବେଦନଶୀଳ ସ୍ଥାନ। ଏହା ମାନବ ଏବଂ ବିଦ୍ୟୁତ୍ ସୁରକ୍ଷା ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରୁଥିବା ଜଣାପଡ଼ିଛି।
ପୌରପରିଷଦରେ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଘରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି। ହେଲେ ଏହି ଅଞ୍ଚଳରେ ଲୋକ କିପରି ଭାବରେ ଏତେ ବିପଦସଙ୍କୁଳ ପରିସ୍ଥିତିରେ ଗୋଟିଏ କୂଅର ପାଣି ଉପରେ ନିର୍ଭର କରୁଛନ୍ତି ତାହା ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେବଳ ସେତିକି ନୁହେଁ, ଏହି ସ୍ଥାନରୁ ଅଳ୍ପ କିଛି ଦୂରରେ ଗୋଟିଏ ବହୁ ପୁରାତନ ପୋଖରୀ ମଧ୍ୟ ରହିଛି ଯାହା ଉପରେ ଅନେକ ଲୋକ ନିର୍ଭର କରିଥାନ୍ତି।
କୂଅର ଚାରିପଟେ ଏବଂ ଭିତରେ ଲାଗିଥିବା ପାଣି ପମ୍ପ ଗୁଡ଼ିକର ତାର ଖୋଲାରେ ଝୁଲି ରହିଛି। ତାହା ସହ ପମ୍ପ ରଖିବା ପାଇଁ ସ୍ବତନ୍ତ୍ର ଗୃହ ବି ନିର୍ମାଣ ହୋଇନାହିଁ। ଏହି ପ୍ରକାର ପରିସ୍ଥିତିରେ ଯଦି କୌଣସି ଛୋଟ ଛୁଆଟିଏ କିମ୍ବା ପଶୁଟିଏ ବିପଦସଙ୍କୁଳ ତାର ସଂସ୍ପର୍ଶରେ ଆସେ ତା’ ହେଲେ ବହୁତ ବଡ଼ ଅଘଟଣ ଘଟିବ। ଏହି ପ୍ରତି ସ୍ଥାନୀୟ ଲୋକେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି କିଛି ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।

