ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ କେତେକ ନିୟମ ଅକ୍ଟୋବର ୧, ୨୦୨୬ରୁ ଲାଗୁ ହୋଇଥିବା ବେଳେ UPI ସମ୍ପର୍କିତ ନୂଆ MDR ନିୟମ ଅକ୍ଟୋବର ୧୫ରୁ ଲାଗୁ ହେବ। ଏହି ପରିବର୍ତ୍ତନଗୁଡ଼ିକର ସିଧାସଳଖ ପ୍ରଭାବ ଗ୍ରାହକଙ୍କ ଖର୍ଚ୍ଚ ଓ ଆର୍ଥିକ କାରବାର ଉପରେ ପଡ଼ିପାରେ।
SBI ATMରୁ ଟଙ୍କା ଉଠାଇବା ହୋଇପାରେ ମହଙ୍ଗା
ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI)ର ସାଲାରୀ ପ୍ୟାକେଜ ଆକାଉଣ୍ଟ ଗ୍ରାହକଙ୍କ ପାଇଁ ଅନ୍ୟ ବ୍ୟାଙ୍କର ATMରେ ମାଗଣା ଟ୍ରାଞ୍ଜାକ୍ସନ ସୀମା ୧୦ରୁ ହ୍ରାସ ପାଇ ୫ ହୋଇଛି। ଏଥିରେ ଫାଇନାନ୍ସିଆଲ ଓ ନନ-ଫାଇନାନ୍ସିଆଲ ଟ୍ରାଞ୍ଜାକ୍ସନ ସାମିଲ ରହିଛି।
୫ଟି ମାଗଣା ଟ୍ରାଞ୍ଜାକ୍ସନ ସୀମା ଶେଷ ହେବା ପରେ ଅନ୍ୟ ବ୍ୟାଙ୍କର ATMରୁ ଟଙ୍କା ଉଠାଇଲେ ୨୩ ଟଙ୍କା + GST ଏବଂ ନନ-ଫାଇନାନ୍ସିଆଲ ଟ୍ରାଞ୍ଜାକ୍ସନ ପାଇଁ ୧୧ ଟଙ୍କା + GST ଚାର୍ଜ ଲାଗିବ।
ସେହିପରି Basic Savings Bank Deposit (BSBD) ଆକାଉଣ୍ଟରେ ପ୍ରତି ମାସର ପ୍ରଥମ ୪ଟି କ୍ୟାଶ ୱିଡ୍ରଲ ମାଗଣା ରହିବ। ଏହା ପରେ ପ୍ରତ୍ୟେକ କ୍ୟାଶ ୱିଡ୍ରଲ ପାଇଁ ୧୫ ଟଙ୍କା + GST ଚାର୍ଜ ଦେବାକୁ ପଡ଼ିବ।
LPG ସବସିଡି ପାଇଁ ଆଧାର ଅଥେଣ୍ଟିକେସନ ଜରୁରୀ
ଘରୋଇ LPG ଗ୍ରାହକଙ୍କ ପାଇଁ ମଧ୍ୟ ଅକ୍ଟୋବରରୁ ଏକ ଗୁରୁତ୍ୱପୂର୍ଣ୍ଣ ନିୟମ ଲାଗୁ ହୋଇଛି। ସବସିଡିଯୁକ୍ତ ଘରୋଇ LPG ରିଫିଲ ନିର୍ଦ୍ଧାରିତ ରିଟେଲ ସେଲିଂ ପ୍ରାଇସ୍ରେ ପାଇବା ପାଇଁ ବାୟୋମେଟ୍ରିକ ଆଧାର ଅଥେଣ୍ଟିକେସନ ଆବଶ୍ୟକ ହେବ।
ଯେଉଁ ଗ୍ରାହକଙ୍କ ଆଧାର ଅଥେଣ୍ଟିକେସନ ପୂର୍ବରୁ ହୋଇସାରିଛି, ସେମାନଙ୍କୁ ପୁଣିଥରେ ଏହି ପ୍ରକ୍ରିୟା କରିବାକୁ ପଡ଼ିବ ନାହିଁ। ଡେଲିଭରି ସମୟରେ, ଗ୍ୟାସ ଡିଷ୍ଟ୍ରିବ୍ୟୁଟରଙ୍କ ଶୋ’ରୁମ କିମ୍ବା ସମ୍ପୃକ୍ତ ତେଲ କମ୍ପାନୀର ମୋବାଇଲ ଆପ ମାଧ୍ୟମରେ ଅଥେଣ୍ଟିକେସନ କରାଯାଇପାରିବ।
ଅକ୍ଟୋବର ୧୫ରୁ UPIରେ ନୂଆ MDR ନିୟମ
UPI ବ୍ୟବହାରକାରୀଙ୍କ ପାଇଁ ମଧ୍ୟ ଏହି ମାସରେ ଏକ ନୂଆ ପରିବର୍ତ୍ତନ ଆସୁଛି। ଏହା ୧ ଅକ୍ଟୋବରରୁ ନୁହେଁ, ୧୫ ଅକ୍ଟୋବର ୨୦୨୬ରୁ ଲାଗୁ ହେବ।
ନୂଆ ଫ୍ରେମୱର୍କ ଅନୁସାରେ ୨,୦୦୦ ଟଙ୍କାରୁ ଅଧିକ କିଛି ଚୟନିତ Person-to-Merchant (P2M) UPI ଟ୍ରାଞ୍ଜାକ୍ସନ୍ରେ ୦.୪ ପ୍ରତିଶତ MDR ଲାଗୁ ହେବ। ଏହି ଚାର୍ଜ ମର୍ଚ୍ଚାଣ୍ଟ ପେମେଣ୍ଟ ଇକୋସିଷ୍ଟମ୍ରେ ନିଆଯିବ ଏବଂ ଗ୍ରାହକଙ୍କଠାରୁ ଅଲଗା ଭାବେ MDR ଆଦାୟ କରାଯିବ ନାହିଁ।
Person-to-Person (P2P) UPI ପେମେଣ୍ଟ ପୂର୍ବଭଳି ମାଗଣା ରହିବ। ସେହିପରି ୨,୦୦୦ ଟଙ୍କା ପର୍ଯ୍ୟନ୍ତ ମର୍ଚ୍ଚାଣ୍ଟ ପେମେଣ୍ଟ ଏହି MDRର ଅଧୀନରେ ଆସିବ ନାହିଁ।
NPSରେ ବଦଳିଲା ଚାର୍ଜ ଷ୍ଟ୍ରକ୍ଚର୍
National Pension System (NPS)ରେ ମଧ୍ୟ Point of Presence (PoP) ମାଧ୍ୟମରେ ଆକାଉଣ୍ଟ ଖୋଲିବାର ଚାର୍ଜ ଷ୍ଟ୍ରକ୍ଚର୍ରେ ପରିବର୍ତ୍ତନ ହୋଇଛି।
ନୂଆ ବ୍ୟବସ୍ଥା ଅନୁସାରେ PoP ମାଧ୍ୟମରେ NPS ଆକାଉଣ୍ଟ ଖୋଲିଲେ ପ୍ରତ୍ୟେକ PRAN ପାଇଁ ୨୦୦ ଟଙ୍କା ଓନ-ଟାଇମ ଅନ୍ବୋର୍ଡିଂ ଚାର୍ଜ ରହିବ। ଏହି ରାଶିକୁ ଏକାଥରକେ କାଟିବା ପରିବର୍ତ୍ତେ ୫୦ ଟଙ୍କା ଲେଖାଏଁ ତ୍ରୈମାସିକ କିସ୍ତିରେ ୟୁନିଟ କ୍ୟାନ୍ସେଲେସନ ମାଧ୍ୟମରେ ଆଦାୟ କରାଯାଇପାରେ।
ପୂରାପୂରି ଡିଜିଟାଲ ଏବଂ ନନ-ଫେସ-ଟୁ-ଫେସ ଅନ୍ବୋର୍ଡିଂ କ୍ଷେତ୍ରରେ ୧୦୦ ଟଙ୍କାର କମ ଚାର୍ଜ ଲାଗୁ ହୋଇପାରେ।
NRIଙ୍କଠାରୁ ପ୍ରପର୍ଟି କିଣିଲେ TAN ଆବଶ୍ୟକ ନାହିଁ
NRI ବିକ୍ରେତାଙ୍କଠାରୁ ପ୍ରପର୍ଟି କିଣୁଥିବା Resident Individual ଓ HUF ପାଇଁ TDS ପ୍ରକ୍ରିୟାକୁ ସରଳ କରାଯାଇଛି। ଏବେ ଏଥିପାଇଁ ଅଲଗା TAN ନେବା ଆବଶ୍ୟକ ନାହିଁ।
କ୍ରେତା ନିଜ PAN ମାଧ୍ୟମରେ ନୂଆ Form 141 ବ୍ୟବହାର କରିପାରିବେ। ତେବେ TDS ଦାୟିତ୍ୱ ଶେଷ ହୋଇନାହିଁ; କେବଳ TDS ଜମା ଓ ରିପୋର୍ଟିଂ ପ୍ରକ୍ରିୟାରେ ପରିବର୍ତ୍ତନ ହୋଇଛି।
AY 2026-27 ପାଇଁ ଟ୍ୟାକ୍ସ ଅଡିଟ ରିପୋର୍ଟ ଦାଖଲର ଶେଷ ତାରିଖ ୩୦ ସେପ୍ଟେମ୍ବରରୁ ବଢ଼ାଇ ୨୧ ଅକ୍ଟୋବର ୨୦୨୬ କରାଯାଇଛି।
ସେହିପରି ସମ୍ପୃକ୍ତ ଟ୍ୟାକ୍ସପେୟରଙ୍କ ପାଇଁ ITR ଦାଖଲର ଶେଷ ତାରିଖ ୩୧ ଅକ୍ଟୋବରରୁ ବଢ଼ାଇ ୨୧ ନଭେମ୍ବର ୨୦୨୬ କରାଯାଇଛି।
RBIର ନୂଆ ନିୟମ ଅନୁସାରେ ବ୍ୟାଙ୍କଗୁଡ଼ିକୁ ବଡ଼ ବା Bulk Depositର ସୁଧ ହାର ସମ୍ପର୍କରେ ଅଧିକ ସ୍ବଚ୍ଛ ତଥ୍ୟ ପ୍ରକାଶ କରିବାକୁ ପଡ଼ିବ।
ସମ୍ପୃକ୍ତ ବ୍ୟାଙ୍କଗୁଡ଼ିକୁ ପ୍ରତ୍ୟେକ କାର୍ଯ୍ୟଦିବସରେ ସକାଳ ୧୦ଟା ସୁଦ୍ଧା ନିଜ ୱେବସାଇଟ୍ରେ ଏହି ସୁଧ ହାର ପ୍ରକାଶ କରିବାକୁ ହେବ। ୧୦ ମିନିଟ୍ରେ ଗ୍ରେସ ପିରିୟଡ ଅର୍ଥାତ୍ ସର୍ବାଧିକ ୧୦:୧୦ ପର୍ଯ୍ୟନ୍ତ ସମୟ ରହିବ।
ଟ୍ରେନ୍ରେ ଯାତ୍ରା କଲେ Original ID ରଖନ୍ତୁ
ରେଳଯାତ୍ରୀଙ୍କ ପାଇଁ ମଧ୍ୟ ଅକ୍ଟୋବର ମାସରେ ବିଶେଷ ଟିକେଟ ଚେକିଂ ଅଭିଯାନ ଆରମ୍ଭ ହୋଇଛି। ଅକ୍ଟୋବର ୧ରୁ ୩୧ ପର୍ଯ୍ୟନ୍ତ Central Railway ନେଟୱର୍କରେ କନ୍ସେସନ ଟିକେଟ, ନିର୍ଦ୍ଧାରିତ ରିଜର୍ଭେସନ କୋଟା, ରେଳ ପାସ, E-Pass ଏବଂ PTOରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଟିକେଟ ଓ ଆବଶ୍ୟକ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ।
ତେଣୁ ଯାତ୍ରୀମାନେ ଟିକେଟ ସହ ଆବଶ୍ୟକ Original ID ଏବଂ ଯୋଗ୍ୟତା ସମ୍ପର୍କିତ ଡକ୍ୟୁମେଣ୍ଟ ନିଜ ସହ ରଖିବା ଜରୁରୀ।
PUCC ନ ଥିଲେ ମିଳିବ ନାହିଁ ପେଟ୍ରୋଲ-ଡିଜେଲ
ଦିଲ୍ଲୀ-NCRରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ମଧ୍ୟ ନୂଆ ବ୍ୟବସ୍ଥା ଲାଗୁ ହୋଇଛି। ବୈଧ Pollution Under Control Certificate (PUCC) ନଥିବା ଯାନକୁ ପେଟ୍ରୋଲ, ଡିଜେଲ ଓ CNG ଯୋଗାଣ ନ କରିବା ପାଇଁ ବ୍ୟବସ୍ଥା କରାଯାଇଛି।
ଏଥିପାଇଁ ଫ୍ୟୁଏଲ ଓ CNG ଷ୍ଟେଶନ୍ରେ Automatic Number Plate Recognition (ANPR) ସିଷ୍ଟମ୍ର ବ୍ୟବହାର କରାଯିବ। ଦିଲ୍ଲୀର ପ୍ରାୟ ୫୦୦ଟି ପେଟ୍ରୋଲ ପମ୍ପରେ ଏହି ବ୍ୟବସ୍ଥାକୁ ମିଶନ ମୋଡ୍ରେ କାର୍ଯ୍ୟକାରୀ କରାଯିବ।
ଏହା ସହ ପୁରୁଣା ଓ End-of-Life ଯାନ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଟ୍ରାଫିକ ଏବଂ ପ୍ରଦୂଷଣ ହଟସ୍ପଟ୍ରେ ନଜରଦାରୀ ଏବଂ ଅଟୋମେଟେଡ ଚାଲାଣ ବ୍ୟବସ୍ଥାକୁ ମଧ୍ୟ ଅଧିକ ମଜବୁତ କରାଯିବ।
Dharitri – Odisha’s No.1 Odia Daily

